ବୋକାରୋ ଠାରେ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କଲେ ଧର୍ମେନ୍ଦ୍ର

ବୋକାରୋ ଠାରେ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କଲେ ଧର୍ମେନ୍ଦ୍ର

Share :

ଝାଡଖଣ୍ଡର ବିକାଶ ଦ୍ରୁତ ଗତିରେ କରାଯିବାର ଆବଶ୍ୟକତା ରହିଥିବା ବେଳେ ଏ ଦିଗରେ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରାଳୟ କାମ କରୁଛି ବୋଲି ଝାଡଖଣ୍ଡର ବୋକାରୋ ଠାରେ ୩୫୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏଲ୍ପିଜି ବଟଲିଂ ପ୍ଲାଂଟ ଓ ପିଓଏଲ୍ ଟର୍ମିନାଲର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଓ ଇସ୍ପାତ୍ ବିଭାଗ ଉଭୟ ମିଶି ଝାଡଖଣ୍ଡ ରାଜ୍ୟର ରୋଜଗାର, ଅର୍ଥନୀତି ଓ ମାଆ ଭଉଣୀଙ୍କୁ ସ୍ୱାବଲମ୍ୱୀ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କରୁଛନ୍ତି। ପେଟ୍ରୋଲିୟମ ବିଭାଗ ତରଫରୁ ଝାଡଖଣ୍ଡରେ ୧୦ ହଜାର କୋଟି ଟଙ୍କାର ପୁଂଜି ନିବେଶ କରିବାର ଯୋଜନା କରାଯାଇଛି। ସେହିପରି ୨୦୩୦ ସୁଦ୍ଧା ଦେଶରେ ୩୦୦ ମିଲିୟନ୍ ମେଟ୍ରିକ୍ ଟନ୍ ଲୁହା ଉପିାଦନ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ଅଗ୍ରଣୀ ଭୂମିକା ଝାଡଖଣ୍ଡର ରହିବ ଏବଂ ବୋକାରୋ ଷ୍ଟିଲ୍ ପ୍ଲାଂଟ ଏହାର ନେତୃତ୍ୱ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ଦାସ ରାଜ୍ୟର ବିକାଶ ପାଇଁ କାମ କରୁଛନ୍ତି। ଜାମସେଦ୍ପୁର ଓ ଟାଟା ଦେଶର ଅର୍ଥନୈତିକ କ୍ଷେତ୍ର ବନିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ବୋକାରୋକୁ ମଧ୍ୟ ଟାଟା ଓ ଜାମସେଦପୁର ଭଳି କ୍ଷେତ୍ର ବନାଯିବାର କଳ୍ପନା ରହିଛି। ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଖୁବ ଶୀଘ୍ର ଗରିବ ଶ୍ରେଣୀର ୮ କୋଟି ଉପଭୋକ୍ତା ଅନ୍ତର୍ଭୁକ୍ତ ହେବେ। ଝାଡଖଣ୍ଡରେ ଗତ ୪ ବର୍ଷରେ ମୋଟ୍ ୩୭ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଲାଭ ଉଠାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ମାଧ୍ୟମରେ ଦେଶର ପ୍ରଗତିକୁ ଅଣାଯାଇପାରିବ। ଦିଲ୍ଲୀ, ମୁମ୍ୱାଇ, ଚେନ୍ନାଇ, କୋଲ୍କାତା, ବାଙ୍ଗାଲୋର୍ ଭଳି ବଡ ବଡ ସହରରେ ପେଟ୍ରୋଲିୟମ୍ ପଦାର୍ଥର ବ୍ୟବହାର ୭ ରୁ ୮ ପ୍ରତିଶତ ବୃଦ୍ଧି ଘଟୁଛି। ଅନୂରୁପ ଭାବେ ଝାଡଖଣ୍ଡର ବିଭିନ୍ନ ଅଂଚଳରେ ମଧ୍ୟ ପେଟ୍ରୋଲିୟମ ପଦାର୍ଥର ବ୍ୟବହାର ୧୫ ପ୍ରତିଶତକୁ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି। ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅନ୍ୟାନ୍ୟଙ୍କ ମଧ୍ୟରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉପସ୍ଥିତ ଥିଲେ।

Share :