କେନ୍ଦୁଝରରେ ତ୍ରିବେଣୀ ସଙ୍ଗମ!

କେନ୍ଦୁଝରରେ ତ୍ରିବେଣୀ ସଙ୍ଗମ!

Share :

ଦେବେନ୍ଦ୍ର ପୃଷ୍ଟି ସେ କମ୍ପାନୀ ବିଷୟରେ ଲୋକେ କହୁଥିଲେ। କେନ୍ଦୁଝରକୁ କବ୍ଜା କରିଗଲାଣି। ତୃତୀୟ ମହଲାର ଅଫିସର ହଜାର ହଜାର କୋଟି ଟଙ୍କା ନେଉଛି। ଠିକାଦାରକୁ ଖଣି ମାଲିକ ବନିଲାଣି ତାମିଲ ବ୍ୟବସାୟୀ। କେନ୍ଦୁଝରରେ ଏବେ କେବଳ ତା’ରି ଟ୍ରକ। ଜାତୀୟ ଅନୁମତି ପ୍ରାପ୍ତ ବଡ଼ ବଡ଼ ଟ୍ରଲର ସବୁ ଖଣିଜ ପଦାର୍ଥ ପରିବହନରେ ଲାଗିଛନ୍ତି। ଗୋଟେ ଗୋଟେ ଟ୍ରଲରରେ ଏକାଥରକେ ୫୦-୭୦ ଟନ୍‌ ଲୁହା ପଥର ବାହାରକୁ ଚାଲାଣ ହେଉଛି। ଗୋପାଳପୁର ଓ ପାରାଦୀପ ବନ୍ଦର ବାଟେ ଓଡ଼ିଶାର ସଂପଦ ବିଦେଶକୁ ଚାଲି ଯାଉଛି। ଓଡ଼ିଶାବାସୀ ଭୋଟ ଦେଇ ଲୁଟେଇ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଟ୍ରକ ମାଲିକ ସଂଘ ଜିଲ୍ଲାପାଳଙ୍କୁ ଭେଟିଲେ ସେ ତୃତୀୟ ମହଲାକୁ ଇଙ୍ଗିତ କରୁଛନ୍ତି। ତୃତୀୟ ମହଲାରେ କାହାରି କଥା ରହେ ନାହିଁ। ଜଣେ ଅଫିସର ଯାହା କହିବେ ସେଇଆ ହେବ। ସେଠି ଗାଦିରେ ବସିଥିବା ମୁଖ୍ୟମନ୍ତ୍ରୀଙ୍କର କିଛି ଯୁ ନାହିଁ। ସେ କେବଳ ସଖୀ କଣ୍ଢେଇ। ସେ ଯା’ ବୋଲରେ ନାଚୁଛନ୍ତି ସେ ଆଉ ଜଣକ ବୋଲରେ ତାଥୈୟା ତାଥୈୟା ହେଉଛନ୍ତି। ସେ ଜଣକ ୫-୧୦ ବର୍ଷ ଭିତରେ ଓଡ଼ିଶାର ଗର୍ଭ ଚିରି ସମସ୍ତ ଖଣିଜ ପଦାର୍ଥ ଲୁଟି ପଳେଇବା ଯୋଜନା କରିଛନ୍ତି। ଇତିମଧ୍ୟରେ ସେ କାଳେ ଆଫ୍ରିକାରେ ଖଣି ନେଇଛନ୍ତି। ବିଜୁବାବୁଙ୍କ ଲିଗାସିର ଉତ୍ତରାଧିକାରୀ ନବୀନବାବୁଙ୍କ ସୌଜନ୍ୟରୁ ଇଣ୍ଡୋନେସିଆ ସହିତ ମଧ୍ୟ ତାଙ୍କର ସଂପର୍କ ବଢ଼ିଛି। ସେଠି ବି ବାବୁଙ୍କ ବ୍ୟବସାୟ ଆରମ୍ଭ ହୋଇଛି। ଲୋକେ କହୁଥିଲେ, ତାଙ୍କ କମ୍ପାନୀ ଖାଲି ଖଣି ଠିକା ନେଇନି, ଖଣି ପଟ୍ଟା ବି ପାଇଲାଣି। ତା’ ସହିତ ଜିଲ୍ଲା ଯାକର ମାଲ୍‌ ପରିବହନ କାମ ଉପରେ କବ୍ଜା। ଜିଲ୍ଲାର ସାଂସଦ ଓ କେତେ ଜଣ ବିଧାୟକ ମଧ୍ୟ ତାଙ୍କ ଖାତାର ଖାତକ। ତାଙ୍କ କାମରେ ଓଡ଼ିଆ ଲୋକଙ୍କ ନିଯୁକ୍ତି ନାହିଁ କହିଲେ ଚଳେ, ହାତ ଗଣତି ଥିବେ। ସବୁ ଲୋକ ଦକ୍ଷିଣ ଭାରତର। ତାଙ୍କ ଲୋକମାନେ କାଳେ ଓଡ଼ିଶା ଜିନିଷ ଖାଆନ୍ତି ନାହିଁ। ତାଙ୍କ କମ୍ପାନୀର ଦକ୍ଷିଣୀ ଲୋକଙ୍କ ପାଇଁ କମ୍ପାନୀ ଅଫିସ ପରିସରରେ ଗୋଟେ ପାଉଁରୁଟି କାରଖାନା ଖୋଲିଛି। ତାହା ବି ତାଙ୍କର। ସେ କାରଖାନାର ମିସ୍ତ୍ରୀମାନେ ବି ସେଇଆଡ଼ିକା ଲୋକ। ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଆଦି ରାଜ୍ୟର ଜାତୀୟ ଅନୁମତି ପ୍ରାପ୍ତ ଗାଡ଼ି ସବୁ ଅହରହ ଲୁହା ପଥର ବୋହୁଛନ୍ତି। ଠିକାଦାର କମ୍ପାନୀ ଯୁଦ୍ଧକାଳୀନ ଭିତ୍ତିରେ ମାଲ୍‌ ଉଠେଇବାରେ ବ୍ୟସ୍ତ। ଶୁଣାଯାଉଛି, ୨୦୨୦ ମାର୍ଚ୍ଚ ମାସରେ ଯେଉଁ ଖଣିଗୁଡ଼ିକର ଲିଜ୍‌ ଅବଧି ସରିବ ସେସବୁ ଖଣି ନିଲାମ ପ୍ରକ୍ରିୟାରେ ଅନ୍ୟ କେଉଁ ପଟ୍ଟାଦାର ହାତକୁ ଯିବା ପୂର୍ବରୁ ଯେତେ ଅଧିକ ମାଲ୍‌ ଉଠେଇ ନିଆଯିବ ସେତେ ଲାଭ। ଏବେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଲୁହା ପଥରର ଚାହିଦା ଟିକେ କମ୍‌। ତଥାପି ଅଫିସର-ଠିକାଦାର ସିଣ୍ଡିକେଟ୍‌ର ଚିନ୍ତା ନାହିଁ। ସେମାନେ ଲୁହା ପଥର ଉଠେଇ ଅନ୍ୟ ଜାଗାରେ ଗଚ୍ଛିତ ରଖୁଛନ୍ତି। ଚାହିଦା ବଢ଼ିଲେ ବିକିବେ। ଏମସିଆର-୩୭ ଅନୁସାରେ ଖଣିର ସବ୍‌ଲିଜ୍‌ ବେଆଇନ। ଠିକାଦାରୀ ବେଆଇନ। ତଥାପି ଚାଲିଛି। ଓଡ଼ିଶା ସରକାର କିଛି ଦେଖୁନାହାନ୍ତି। କାରଣ କାଠ ପିତୁଳା ବା ସଖୀ କଣ୍ଢେଇ। ତାଙ୍କର ଚେୟାର ଦରକାର, ୟାଙ୍କର ଶାସନ ଓ ଲୁଟ୍‌ର ପଟ୍ଟା। ସେଆଇ ଚାଲିଛି। ରାଧେ ରାଧେ ଅଧେ ଅଧେ। ତ୍ରିବେଣୀ ସଙ୍ଗମରେ ଇତିମଧ୍ୟରେ ଅନେକ ନେତା ବୁଡ଼ ପକେଇଲେଣି। ଶାସକ ଓ ବିରୋଧୀ ଗୋଟିଏ ଘାଟର ପାଣି ପିଉଛନ୍ତି। ତେଣୁ କହିବାକୁ କେହି ନାହିଁ। ଦେଖିବାକୁ କେହି ନାହିଁ। କେନ୍ଦୁଝର ଲୋକଙ୍କ ଆଖି ଆଗରେ ତାଙ୍କରି ସଂପତ୍ତି ଲୁଟ୍‌ ହେଉଛି। ପ୍ରଦୂଷଣ ସହୁଛନ୍ତି। ସ୍ଥାୟୀ ଜୀବିକା ନଷ୍ଟ ହେଉଛି। ରୋଗବ୍ୟାଧୀରେ ଷଢ଼ୁଛନ୍ତି। କହୁଛନ୍ତି, ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ। ୨୦୧୫ ଯାଏଁ ପୂରା ଲୁଟ୍‌ପାଟ୍‌ ଚାଲିଥିଲା। କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ରେ ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା ହେଲା। କିନ୍ତୁ ତାକୁ ବି ହଡ଼ପ କରାଯାଉଛି। କେନ୍ଦୁଝରରେ ଜିଲ୍ଲା ଖଣିଜ ପାଣ୍ଠିର ଅଦାୟ ୩୩୦୦ କୋଟି ଟପିଲାଣି। କିନ୍ତୁ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟ ଏଯାଏଁ ପଂଜୀକୃତ ହୋଇନି। ଖର୍ଚ୍ଚ ମଞ୍ଜୁର ହେଲାଣି ୨୬୦୦ କୋଟି ଟଙ୍କାରୁ ଅଧିକ। ଏହା ସଂପୂର୍ଣ୍ଣ ବେଆଇନ। ତଥାପି ମୁଖ୍ୟମନ୍ତ୍ରୀଙ୍କୁ ଦେଖାଯାଉ ନାହିଁ। କାରଣ ସେ ମଧ୍ୟ ତ୍ରିବେଣୀ ସଙ୍ଗମରେ ବୁଡ଼ ପକେଇଛନ୍ତି। ସେଥିପାଇଁ ତାଙ୍କର ଦୃଷ୍ଟି ଓ ଶ୍ରବଣ ଶକ୍ତିର ସ୍ବଚ୍ଛତା ହ୍ରାସ ପାଇଛି। ଟ୍ରଷ୍ଟ ପଂଜୀକୃତ ହୋଇନାହିଁ। ନାମକୁ ମାତ୍ର ଚାଲିଥିବା ଟ୍ରଷ୍ଟରେ ଜନ ପ୍ରତିନିଧିଙ୍କ ସଂଖ୍ୟା କମ୍‌। ଅଫିସରମାନେ ସଂଖ୍ୟାଗରିଷ୍ଠ। ଗବର୍ଣ୍ଣି କାଉନ୍‌ସିଲ ଓ ମ୍ୟାନେଜିଂ କମିଟିରେ ତୃଣମୂଳ ସ୍ତରର ଜନ ପ୍ରତିନିଧିଙ୍କୁ ସଦସ୍ୟ କରାଯାଇ ନାହିଁ। ଡିଏମଏଫ ଯୋଜନା ତଳସ୍ତରରକୁ ଚୂଡ଼ାନ୍ତ ହେଉନି। ହେଉଛି ଉପରୁ। ଗାଁରେ ପୋଖରୀ ଦରକାର ଥିଲେ ମଞ୍ଜୁର ହେଉଛି ନଳକୂଅ! ଜଙ୍ଗଲ ଦରକାର ଥିଲେ ମଞ୍ଜୁର ହେଉଛି ‘ୱାଡ଼ି’ ଯୋଜନା। ୱାଡ଼ି କହିଲେ ବାଡ଼ି। ବାଡ଼ିରେ ଗଛ ଲଗେଇବା ବାବଦରେ ବି ବିଲ୍‌ ହେଉଛି କୋଟି କୋଟି। ବାଡ଼ି ମାଲିକ ତାହା ଜାଣୁଛି କି ନାହିଁ କିଏ ଜାଣୁଛି! ଅଡ଼ିଟ୍‌ ହେଉ ନାହିଁ। ଏଇମିତି ଡିଏମଏଫ ପାଣ୍ଠିରୁ ୨୦୦ କୋଟି ଟଙ୍କା କାଳିଆ ଯୋଜନା ପାଇଁ ବି ଯାଇଛି। ବିଜୁ ପକ୍କା ଘର ପାଇଁ ବି ଏ ଟଙ୍କା ଯାଇଛି। ପାଇଆ ପରେର୍‌ ଧନ୍‌ ହରିଆ କରେ ସଂକୀର୍ତ୍ତନ! ପର ଧନରେ କୀର୍ତ୍ତନ କରୁଛି ହରିଆ। ଲୋକେ ଭାବୁଛନ୍ତି, ଆହା କି ଧାର୍ମିକ ଲୋକ! ସବୁବେଳେ ଦାନଧର୍ମରେ ଲାଗିଛି! କେନ୍ଦୁଝରରେ ସରକାରଙ୍କ ବଜେଟ ଟଙ୍କାର ଯାହା ହେରଫେର ହେଉଛି ହେଉଛି, ଏ ଡିଏମଏଫ ସହିତ ଓମ୍‌ବାଡ଼୍‌ ଟଙ୍କା ବି ହଡ଼ପ ହେଉଛି। ଲୋକେ କହୁଛନ୍ତି, କେନ୍ଦୁଝରର କୋଟି କୋଟି ଟଙ୍କା ଚେନ୍ନାଇ ଓ ଆଖପାଖ ଅଞ୍ଚଳର ରିୟଲ ଇଷ୍ଟେଟ୍‌ରେ ଲାଗିଛି। ଫାର୍ମ ହାଉସ୍‌ କିଣା ଯାଇଛି। କିଛି ଟଙ୍କା ମୁମ୍ବାଇରେ ହାୱଲା ବଜାରେ ଲାଗିଛି। କିଛି କେୟମ୍ୟାନ୍‌ ଆଇଲାଣ୍ଡରେ।

Share :