ଦେଶବ୍ୟାପୀ ସମ୍ପ୍ରସାରିତ ହେବ ରୋଟାଭାଇରସ ଟିକାକରଣ

ଦେଶବ୍ୟାପୀ ସମ୍ପ୍ରସାରିତ ହେବ ରୋଟାଭାଇରସ ଟିକାକରଣ

Share :

ଆସନ୍ତା ସେପ୍ଟେମ୍ୱର ମାସ ସୁଦ୍ଧା ଦେଶର ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତ୍ୟେକ ଶିଶୁଙ୍କୁ ରୋଟାଭାଇରସ ଟିକା ଯୋଗାଇ ଦିଆଯିବ। ନବନିର୍ବାଚିତ ସରକାରଙ୍କ ପ୍ରଥମ ୧୦୦ ଦିନର ଏଜେଣ୍ଡାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ମହତ୍ବାକାଂକ୍ଷୀ ଯୋଜନା କରାଯାଇଛି। ସାରା ଦେଶରେ ରୋଟାଭାଇରାସ ଟିକାକରଣ ସମ୍ପ୍ରସାରଣ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଘୋଷଣା କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ୨୦୨୨ ସୁଦ୍ଧା ଡାଇରିଆ କାରଣରୁ ଶିଶୁ ରୁଗ୍ଣ ହେବା ଏବଂ ମୃତ୍ୟୁବରଣ କରିବା ହାର କମାଇବା ଲାଗି ସରକାର ସଂକଳ୍ପବଦ୍ଧ। ଶିଶୁଙ୍କ ନିୟମିତ ଟିକାକରଣ ବ୍ୟବସ୍ଥା ସୁଦୃଢ଼ କରିବା ଶିଶୁଙ୍କ ପାଇଁ ଏବଂ ଜରୁରୀ ନିବେଶ। ଏହାଦ୍ୱାରା ଦେଶର ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ। ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଦେଶରେ ଡାଇରିଆ କାରଣରୁ ସର୍ବାଧିକ ଶିଶୁ ମୃତ୍ୟୁ ଘଟୁଛି। ସାଧାରଣତଃ ରୋଟାଭାଇରସ କାରଣରୁ ହିଁ ଦୁଇ ବର୍ଷରୁ କମ ବୟସର ଶିଶୁଙ୍କ ଠାରେ ଡାଇରିଆ ଦେଖାଦେଇଥାଏ। ସେ କହିଥିଲେ ଯେ ପରିଚ୍ଛନ୍ନତା, ହାତ ଧୋଇବାର ଅଭ୍ୟାସ, ଓଆରଏସ ପାନୀୟ ଏବଂ ଜିଙ୍କ ସହିତ ରୋଟାଭାଇରସ ଟିକା ଜରିଆରେ ଡାଇରିଆରୁ ହେଉଥିବା ଶିଶୁ ମୃତ୍ୟୁ ଏବଂ ରୁଗଣତାକୁ କମ କରାଯାଇପାରିବ। ପ୍ରତ୍ୟେକ ଶିଶୁଙ୍କୁ ଟିକା ଦେବା ଏବଂ ଦେଶରେ ସମ୍ପୂର୍ଣ୍ଣ ଟିକାକରଣ ଲାଗି ସରକାର ଦୃଢ଼ସଂକଳ୍ପବଦ୍ଧ ବୋଲି ସେ କହିଥିଲେ। ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ଟିକାଦ୍ୱାରା ନିରାକରଣ-ଯୋଗ୍ୟ ରୋଗରେ ଦେଶର ଜଣେ ହେଲେ ଶିଶୁର ଯେପରି ମୃତ୍ୟୁ ନହୁଏ ତାହା ହିଁ ଆମ ସରକାରଙ୍କ ଲକ୍ଷ୍ୟ ଏବଂ ସଂକଳ୍ପ। ସେ କହିଥିଲେ ଯେ ଆମେ ଶିଶୁମୃତ୍ୟୁ ହ୍ରାସ ଏବଂ ଉନ୍ନତ ସ୍ୱାସ୍ଥ୍ୟ ପ୍ରଦାନ କରିବା ଲାଗି ଦୃଢ଼ପ୍ରତିଜ୍ଞ। ୟୁଆଇପି ଜରିଆରେ ରୋଟାଭାଇରସ ଟିକାର ବିସ୍ତାର କରିବା ଏ ଦିଗରେ ଏକ ପଦକ୍ଷେପ ବୋଲି ସେ କହିଥିଲେ। ଭାରତରେ ବାର୍ଷିକ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରୁ ୩୭ ଜଣ ନିଜର ପଂଚମ ଜନ୍ମ ଦିନ ଦେଖିବା ପୂର୍ବରୁ ଆଖି ବୁଜି ଦେଇଥାନ୍ତି। ଡାଇରିଆଜନିତ ମୃତ୍ୟୁ ଏହାର ପ୍ରମୁଖ କାରଣ। ଡାଇରିଆର ସମସ୍ତ କାରଣ ମଧ୍ୟରୁ ରୋଟାଭାଇରସ ପ୍ରମୁଖ ଏବଂ ଏହା ୫ ବର୍ଷରୁ କମ ବୟସର ଶିଶୁଙ୍କ ଠାରେ ଅଧିକ ସଂକ୍ରମିତ ହୋଇଥାଏ। ଏକ ଆକଳନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ରୋଟାଭାଇରସ କାରଣରୁ ଡାକ୍ତରଖାନାରେ ୮ ଲକ୍ଷ ୭୨ହଜାର ଜଣ ବ୍ୟକ୍ତି ଭର୍ତ୍ତି ହୋଇଥାନ୍ତି। ସେହିପରି ୩୨ ଲକ୍ଷ ୭୦ ହଜାର ଜଣ ବର୍ହି ଚିକିତ୍ସା ଗ୍ରହଣ କରିଥାନ୍ତି। ଏହି ଜୀବାଣୁ କାରଣରୁ ବର୍ଷକୁ ୭୮ ହଜାର ଜଣଙ୍କର ମୃତ୍ୟୁ ହୋଇଥାଏ। ଦେଶରେ ୨୦୧୬ ଠାରୁ ପର୍ଯ୍ୟାୟକ୍ରମେ ରୋଟାଭାଇରସ ଟିକାକରଣ ଆରମ୍ଭ କରାଯାଇଥିଲା। ପ୍ରଥମେ ଏହା ୪ଟି ରାଜ୍ୟରେ ଓ ପରେ ୨୦୧୮ ଶେଷ ସୁଦ୍ଧା ୭ଟି ଅତିରିକ୍ତ ରାଜ୍ୟକୁ ମିଶାଇ ୧୧ଟି ରାଜ୍ୟକୁ ସମ୍ପ୍ରସାରିତ କରାଯାଇଥିଲା। ବର୍ତ୍ତମାନସୁଦ୍ଧା ଅଧିକ ୧୭ଟି ରାଜ୍ୟରେ ଏହି ଟିକାକରଣକୁ ସମ୍ପ୍ରସାରିତ କରାଯାଇଛି। ବର୍ତମାନ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ- ଆନ୍ଧ୍ର ପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ଆସାମ, ତ୍ରିପୁରା, ରାଜସ୍ଥାନ, ତାମିଲନାଡ଼ୁ, ମଧ୍ୟ ପ୍ରଦେଶ, ଉତର ପ୍ରଦେଶ, ମଣିପୁର, ଡାମନ ଓ ଡିଉ, ଗୁଜରାଟ, ବିହାର, ସିକିମ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଦାଦ୍ରା ନଗର ହାବେଳୀ, ଗୋଆ, ଚଣ୍ଡିଗଡ଼, ନାଗାଲ୍ୟାଣ୍ଡ, ଦିଲ୍ଲୀ, ମିଜୋରାମ, ପଞ୍ଜାବ, ଉତରାଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପ। ଆସନ୍ତା ସେପ୍ଟେମ୍ୱର, ୨୦୧୯ ସୁଦ୍ଧା ଏହି ଟିକା ଦେଶର ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

Share :