ବରେନ୍ଦ୍ରଙ୍କ ପାଇଁ ସାହିତ୍ୟିକ-ସାମ୍ୱାଦିକ ମର୍ଯ୍ୟାଦାବନ୍ତ

ବରେନ୍ଦ୍ରଙ୍କ ପାଇଁ ସାହିତ୍ୟିକ-ସାମ୍ୱାଦିକ ମର୍ଯ୍ୟାଦାବନ୍ତ

ବୈଷ୍ଣବ ଜେନା ‘ଓଡ଼ିଶା ରାଜ୍ୟରେ ବହୁ ପ୍ରତିଭାବାନ ସାହିତ୍ୟିକମାନେ ଥିଲେ। ପ୍ରତିଭାବାନ ସାମ୍ୱଦିକମାନେ ଥିଲେ। ସେମାନେ ଓଡ଼ିଶା ସାହିତ୍ୟ ଓ ସାମ୍ୱାଦିକତା ଜଗତକୁ ବହୁମୂଲ୍ୟ ଅବଦାନ ଦେଇଛନ୍ତି। ସାଧାରଣ ଲୋକ ସେମାନଙ୍କ ଦ୍ୱାରା ସାମାଜିକ ନ୍ୟାୟ ଓ ସରକାରୀ ସହାୟତା ପାଇଛନ୍ତି। ଏହା ସତ୍ତ୍ୱେ ସେମାନେ ମର୍ଯ୍ୟାଦାବନ୍ତ ନଥିଲେ କିମ୍ୱା ସେମାନଙ୍କୁ ସମ୍ମାନିତ କରିବା ପାଇଁ ରାଜ୍ୟରେ ସେପରି କିଛି ବ୍ୟବସ୍ଥା ନଥିଲା। ଏହି କଥାଟି ମୋର ମନରେ ବହୁତ ଦିନରୁ ଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ଅଶୀ ଦଶକର ପ୍ରାରମ୍ଭରେ ଓଡ଼ିଶାର ସାମ୍ୱାଦିକ ଓ ସାହିତ୍ୟିକମାନଙ୍କୁ ମୁଁ ମର୍ଯ୍ୟାଦାବନ୍ତ କରିବାକୁ ଚାହିଁଥିଲି। କାର୍ଯ୍ୟବ୍ୟସ୍ତତା ଯୋଗୁଁ ବ୍ୟକ୍ତିଗତ ସ୍ତରରେ ମୋ ପକ୍ଷରେ ତାହା କରିବା ସମ୍ଭବପର ନଥିଲା। ତେଣୁ ମୁଁ ସେହି ଗୁରୁଦାୟିତ୍ୱ ବରେନ୍ଦ୍ରଙ୍କୁ ଦେଇଥିଲି। ବରେନ୍ଦ୍ର ସେତେବେଳେ ଦୈନିକ ମାତୃଭୂମିର ଭୁବନେଶ୍ୱର ପ୍ରତିନିଧି ଥିଲେ। ଜଣେ ଆଗଧାଡ଼ିର ଲେଖକ ଓ ସ୍ତମ୍ଭକାର ଥିଲେ। ଉତ୍ତମ ସଂଗଠକ ମଧ୍ୟ। ମୁଁ ଦେଇଥିବା ଗ୍ୁରୁଦାୟିତ୍ୱକୁ ବରେନ୍ଦ୍ର ସୁଚାରୁ ରୂପେ ତୁଲାଇଥିଲେ। ସେହି ସମୟରେ ଲେଖକ ସାମ୍ମୁଖ୍ୟ ଗଠନ କରାଯାଇଥିଲା। ରାଜ୍ୟ ମଧ୍ୟରେ ଓ ରାଜ୍ୟ ବାହାରେ ସାହିତ୍ୟ ସଭାମାନ ଅନୁଷ୍ଠିତ ହେଲା। ପୂର୍ବରୁ ସାହିତ୍ୟ ସଭା ହେଉଥିଲେ ବି ତାହା ଲୋକଲୋଚନକୁ ଆସୁନଥିଲା। ସେହି ସାହିତ୍ୟ ସଭାଗୁଡ଼ିକ ଦ୍ୱାରା ସାହିତ୍ୟିକମାନେ ଉପକୃତ ହେଲେ-ମାର୍ଯ୍ୟାଦାବନ୍ତ ହେଲେ ରାଜନୈତିକ ମହଲରେ ସେମାନଙ୍କ ଗୁରୁତ୍ୱ ବଢିଲା। ସମାଜର ତଳସ୍ତରର ଲୋକମାନେ ମଧ୍ୟ ସାହିତ୍ୟିକ, ସାମ୍ୱାଦିକମାନଙ୍କ ସମ୍ପର୍କରେ ଅବଗତ ହେଲେ। ସେମାନଙ୍କ ଲେଖାର ପ୍ରଚାର ଓ ପ୍ରସାର ହେଲା। ଏହା ପଛରେ ବରେନ୍ଦ୍ରବାବୁଙ୍କର ବଡ଼ଧରଣର ଭୂମିକା ଥିଲା। ସାମଗ୍ରିକ ଭାବେ କହିବାକୁ ଗଲେ ବରେନ୍ଦ୍ର ବାବୁଙ୍କ ପାଇଁ ଓଡ଼ିଶାର ସାମ୍ୱାଦିକ-ସାହିତ୍ୟିକମାନେ ମର୍ଯ୍ୟାଦାବନ୍ତ ହୋଇପାରିଛନ୍ତି।’ ଏକଥା ଆମକଭେ କହୁନାହୁଁ, ଏକଥା କହିଥିଲେ ଓଡ଼ିଶାର ଜଣେ ସର୍ବକାଳୀନ ଶ୍ରେଷ୍ଠ ପୁରୁଷ। ସେ ହେଉଛନ୍ତି ରାଜ୍ୟର ତିନିଥରର ମୁଖ୍ୟମନ୍ତ୍ରୀ, ଆସାମ ରାଜ୍ୟର ରାଜ୍ୟପାଳ, ପ୍ରଖ୍ୟାତ ସାମ୍ୱାଦିକ, ପ୍ରଥିତଯଶା ସାହିତ୍ୟିକ, ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକ। ଜାନକୀ ବାବୁ କେବଳ ଏତିକି କହିନଥିଲେ, ସେ କହିଥିଲେ ଯେ ବରେନ୍ଦ୍ର କୃଷ୍ଣ ଧଳ ହେଉଛନ୍ତି ଆମ ସମୟର ସର୍ବଶ୍ରେଷ୍ଠ ସ୍ତମ୍ଭକାର। ତାଙ୍କର ସମକକ୍ଷ କେହି ନାହାଁନ୍ତି। ଏହାଛଡ଼ା ବରେନ୍ଦ୍ର ବାବୁଙ୍କ ଯେଉଁ ପୁସ୍ତକମେଳା ଅଭିଯାନ ଆରମ୍ଭ କରିଥିଲେ, ତାହା ଏକ ଆନ୍ଦୋଳନରେ ପରିଣତ ହୋଇଛି। ରାଜଧାନୀରେ ବହୁ ପୁସ୍ତକ ମେଳା ହେଉଥିବା ବେଳେ ରାଜ୍ୟର ସବୁ ପ୍ରାନ୍ତରେ ପୁସ୍ତକ ମେଳା ହେଉଛି। ପାଠକମାନେ ବହି କିଣିଲେ, ସାଧାରଣ ଗୃହିଣୀମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇ ବହି କିଣିବାକୁ ଆରମ୍ଭ କଲେ। ଏହାଦ୍ୱାରା ପ୍ରକାଶକମାନେ ଉପକୃତ ହେଲେ ଓ ଲେଖକମାନଙ୍କ ଆୟ ବହୁଗୁଣିତ ହେଲା। ଏହି କାର୍ଯ୍ୟ ପାଇଁ ବାସ୍ତବରେ ସେ ଅନନ୍ୟ ବରେନ୍ଦ୍ର। ପ୍ରଜ୍ଞାପୁରୁଷ ଜାନକୀ ବାବୁଙ୍କର ଏହି ଉକ୍ତିକୁ ଆମ୍ଭେ ଅବତାରଣା କରିବାର ଏକ ନିର୍ଦ୍ଦିଷ୍ଟ କାରଣ ରହିଛି। ତାହା ହେଉଛି ସେହି କାଳଜୟୀ ପୁରୁଷ ବରେନ୍ଦ୍ର କୃଷ୍ଣ ଧଳଙ୍କ ସହିତ ଆମର ଦୀର୍ଘଦିନର ନିବିଡ଼ ସମ୍ପର୍କ। ସେ ଆମର ସାମ୍ୱାଦିକତା ବୃତ୍ତିର ଗୁରୁ, ପଥ ପ୍ରଦର୍ଶକ ଓ ଆଦର୍ଶ। ସାଧାରଣରେ ଆମ୍ଭେ ତାଙ୍କର ସାନଭାଇ ଓ ସେ ଆମର ବଡ଼ଭାଇ- ‘ବରିଭାଇ’। ଉପରୁ ସେ ବହୁତ କଠୋର ଦେଖାଯାଆନ୍ତି, ମାତ୍ର ବାସ୍ତବରେ ସେ ହୃଦୟବାନ। ରାଜଧାନୀରେ ବହୁ ବରିଷ୍ଠ ସାମ୍ୱାଦିକ ଅଛନ୍ତି କିମ୍ୱା ଥିଲେ। ଯେଉଁମାନେ ନୂତନ ପିଢିର ସାମ୍ୱାଦିକତାକୁ ଗୁରୁତ୍ୱ ଦିଅନ୍ତି ନାହିଁ-ପାଖେ ପୁରାନ୍ତି ନାହିଁ, ହୀନ ମନେ କରନ୍ତି-ଜ୍ଞାନ ଗାରିମା ଉପରେ ପ୍ରଶ୍ନ ଉଠାନ୍ତି-ଭୋଜିଭାତରେ ଯୁବ ପିଢିର ସାମ୍ୱାଦିକମାନଙ୍କୁ ଦେଖିଲେ ସ୍ଥାନ ଛାଡ଼ି ଚାଲିଯାଆନ୍ତି। ମାତ୍ର ବରିଭାଇ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁ ଯୁବକ ଯୁବତୀମାନେ ସାମ୍ୱାଦିକତା କିମ୍ୱା ସାହିତ୍ୟ କ୍ଷେତ୍ରକୁ ପ୍ରବେଶ କରନ୍ତି, ସେମାନଙ୍କୁ ସହାୟତା ଦିଅନ୍ତି-ପ୍ରୋତ୍ସାହିତ କରନ୍ତି-ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନ ପଚାରିବା ପାଇଁ ଖୋରାକ ଯୋଗାନ୍ତି ଯାହାକି ଆମ କ୍ଷେତ୍ରରେ ଘଟିଥିଲା। ତାଙ୍କ ନିକଟରେ ଥିବା ପ୍ରଜ୍ଞାକୁ ସେ ଅନ୍ୟମାନଙ୍କୁ ବାଣ୍ଟିବା ଅନୁରୂପ ଆମ୍ଭକୁ ମଧ୍ୟ ଦେଇଥଲେ। ସେ ଥିଲେ ତଥ୍ୟର ଗନ୍ତାଘର। ସତ୍ୟକୁ ସତ୍ୟ ଭାବରେ ସେ ଗ୍ରହଣ କରୁଥିଲେ। ବାସ୍ତବତାଠାରୁ ଦୂରେଇ ନ ଯାଇ ସ୍ୱୀକାର କରୁଥିଲେ। ଯାହାକି ତାଙ୍କୁ ଏକ ବ୍ୟକ୍ତିର ଅନୁଷ୍ଠାନରେ ପରିଣତ କରିଥିଲେ। ଏହି ପ୍ରସଙ୍ଗରେ ଆମ୍ଭେ ଏକ ମଜାଦାର ଘଟଣାର ଅବତାରଣା କରୁଛି। ଆମ୍ଭେ ଆମର ବଡ଼ପୁଅ ବିବାହ ପାଇଁ କନ୍ୟା ଖୋଜୁଥିଲୁ। ଏହି କ୍ରମରେ ବାଙ୍କି ଅଞ୍ଚଳର (ଢଁସର) ଅନ୍ୟତମ ସୁପୁତ୍ର ତଥା ଜ୍ଞାନୀଗୁଣି ସାମ୍ୱାଦିକ ବାସୁଦେବ ମଲ୍ଲିକ ଏକ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବ ଶୁଣି ଆମେ ମଜାରେ ବାସୁଭାଇଙ୍କୁ କହିଥିଲୁ, ବାଙ୍କି ଅଞ୍ଚଳରେ କ’ଣ ସୁନ୍ଦରୀ ଝିଅ ଅଛନ୍ତି, ସମସ୍ତେ ତ କାଳି ଏକଥା ଶୁଣି ବାସୁଭାଇ ଚିହିଁକି ଉଠିଲେ। ବାଙ୍କି ଝିଅମାନେ କାଳି ଓ ଅସୁନ୍ଦରୀ ବୋଲି ତୁମକୁ କିଏ କହିଲା ବୋଲି ସେ ପ୍ରଶ୍ନ କଲେ। ମିଛି ମିଛିକା ରାଗୀ ଲୋକର ଅଭିନୟ କଲେ ଏବଂ ବରିଭାଇଙ୍କୁ ଏକଥା ଜଣାଇଲେ। ବରି ଭାଇ କିଛି କହିବା ପୂର୍ବରୁ ଆମେ ଆଗତୁରା ସଫେଇ ଦେଇ କହିଲୁ, ଆପଣମାନେ କ’ଣ ଅକ୍ଷୟ ମହାନ୍ତିଙ୍କ ନାଉରିଆ ଗୀତ ଶୁଣି ନାହାଁନ୍ତି? ସେହି ଗୀତରେ ଅଛି, ‘ଯିଏ ଦେଖନ୍ତି ନାକ ଟେକନ୍ତି, ମୁଁ ପରା କାଳି କନିଆ’। କେହି ବାଙ୍କି ଲୋକ ଏହାର ପ୍ରତିବାଦ କରିନାହାଁନ୍ତି-ପ୍ରକାରାନ୍ତରେ ମାନି ନେଇଛନ୍ତି। ଏହାଛଡ଼ା ଆମ୍ଭେ କହିଥିଲୁ ଯେ, ଟେଲିଭିଜନରେ ପ୍ରସାରିତ ‘ମହାଭାରତ’ ଧାରାବାହିକରେ ମଗଧ ନରେଶ ଜରାସନ୍ଧଙ୍କ ଭୂମିକାରେ ଥିବା କଳାକାରଙ୍କୁ ନେଇ ବିହାରୀମାନେ ବଡ଼ ଧରଣର ପ୍ରତିବାଦ କରିଥିଲେ। ସମ୍ପୃକ୍ତ କଳାକାର ଜଣକ ପ୍ରବୀଣ କୁମାର (ଭୀମ)ଙ୍କ ତୁଳନାରେ ଗେଡ଼ା ଓ କ୍ଷୀଣକାୟ ହୋଇଥିବାରୁ ବିହାରୀ ବା ପ୍ରାଚୀନ ମଗଧର ଲୋକମାନେ ପ୍ରଯୋଜକ ବି.ଆର. ଚୋପ୍ରାଙ୍କୁ ସମାଲୋଚନା କରିଥିଲେ। ଏ କଥାକୁ ନେଇ ସେମାନେ ପାର୍ଲାମେଣ୍ଟରେ ମଧ୍ୟ ହୋ ହାଲ୍ଲା କରିଥିଲେ। ପ୍ରାଚୀନ ମଗଧର ଲୋକମାନେ ଦୁର୍ବଳ ଓ କ୍ଷୀଣକାୟ ନଥିଲେ ବୋଲି ସେମାନେ କହିଥିଲେ। ଏହି ପରିପ୍ରେକ୍ଷୀରେ ବାଙ୍କି ଲୋକ କାହିଁକି ଅକ୍ଷୟ ମହାନ୍ତିଙ୍କ ନାଉରୀଆ ଗୀତର ପ୍ରତିବାଦ କଲେନାହିଁ ବୋଲି ଆମେ ମଜାର ସହିତ ପ୍ରଶ୍ନ କଲୁ। ବରିଭାଇ ଆମ ମଧ୍ୟରେ (ବାସୁଭାଇ ଓ ଆମ୍ଭେ) ଚାଲିଥିବା ମଜାଦାର କଥାକୁ ଶୁଣିଲା ପରେ ଭାବ ଗମ୍ଭୀର ହୋଇଗଲେ। ବାଙ୍କିର ଇତିହାସ, ଭୂଗୋଳ, ସାହିତ୍ୟ-ସାମ୍ୱାଦିକତା, ଭୂମିପୁତ୍ର, ରାଜନୀତି, ଖାଦ୍ୟ, ପନିପରିବାର ମୌଳିକତା ଉପରେ କହି ଆସୁଥିବା ବରିଭାଇ କହିଲେ, ବାସୁ! ବୈଷ୍ଣବ ଠିକ୍ କହୁଛି। ଆମର ପ୍ରତିବାଦ କରିବାର ଥିଲା। ଆମ୍ଭେ ତାହା ନକରି ଭୁଲ୍ କରିଛୁ। ଏହି କାଳଜୟୀ ପୁରୁଷଙ୍କୁ ତୃତୀୟ ପୁଣ୍ୟତିଥିରେ ସହଯୋଗୀ, ପଟ୍ଟଶିଷ୍ୟ, ସାନଭାଇ ତଥା ଗୁଣଗ୍ରାହୀ ବୈଷ୍ଣବର ଶତକୋଟି ଭୂମିଷ୍ଠ ପ୍ରଣାମ। ସାମ୍ୱାଦିକ, ମୋ : ୯୪୩୭୦୦୭୨୦୦

Share :