କେନ୍ଦ୍ର ଅଧୀନରେ କାଶ୍ମୀର

କେନ୍ଦ୍ର ଅଧୀନରେ କାଶ୍ମୀର

Share :

ପିଆଇବି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଅଗଷ୍ଟ ୫ ତାରିଖରେ ଜାମ୍ମୁ ଓ କାଶ୍ମୀର ସଂକ୍ରାନ୍ତରେ ଦୁଇଟି ବିଲ ଏବଂ ଦୁଇଟି ସଂକଳ୍ପ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। ଯାହା ନିମ୍ନରେ ଦିଆଗଲା : ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ସାମ୍ୱିଧାନିକ (ଜାମ୍ମୁ ଓ କାଶ୍ମୀରରେ ଲାଗୁ)ଅଧ୍ୟାଦେଶ, ୨୦୧୯ (ଭାରତୀୟ ସମ୍ୱିଧାନର ଧାରା ୩୭୦ (୧)) ୧୯୫୪ରେ ଜାରି ଧାରା ୩୭୦ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶର ସ୍ଥାନ ନେବ। ଧାରା ୩୭୦ (୩) ଅନୁଯାୟୀ ଧାରା ୩୭୦କୁ ଉଚ୍ଛେଦ ଲାଗି ସଂକଳ୍ପ ଭାରତୀୟ ସମ୍ୱିଧାନର ଧାରା ୩ ଅନୁଯାୟୀ ଜାମ୍ମୁ ଓ କାଶ୍ମୀରର ପୁନର୍ଗଠନ ବିଲ, ୨୦୧୯ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ଦ୍ୱିତୀୟ ସଂଶୋଧନ) ବିଲ, ୨୦୧୯ ସରକାରଙ୍କ ଏକ ଐତିହାସିକ ନିଷ୍ପତି ବିଷୟରେ ଘୋଷଣା କରି ଶ୍ରୀ ଶାହ କହିଥିଲେ ଯେ ଭାରତୀୟ ସମ୍ୱିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ସରକାର ଏକ ସଂକଳ୍ପ ଆଗତ କରୁଛନ୍ତି। ଏହି ଧାରା ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିଲା। ସଂସଦର ଅନୁମୋଦନ ପରେ ରାଷ୍ଟ୍ରପତି ବିଜ୍ଞପ୍ତି ଜାରି କରିବା ତାରିଖ ଠାରୁ ଧାରା ୩୭୦ରେ ଥିବା ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ହେବ। ଏହାପରେ ଭାରତୀୟ ସମ୍ୱିଧାନ ଦେଶର ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଭଳି ଜାମ୍ମୁ ଓ କାଶ୍ମୀରରେ ମଧ୍ୟ ଲାଗୁ ହେବ ବୋଲି ମନ୍ତ୍ରୀ କହିଥିଲେ। ଏହି ସଂକଳ୍ପ ଏବଂ ଜାମ୍ମୁ ଓ କାଶ୍ମୀରର ଭବିଷ୍ୟତକୁ ନେଇ ହେଉଥିବା ଆଶଙ୍କା ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ଶାହ କହିଥିଲେ, ମୁଁ ଏତିକି କହିପାରେ ଯେ ସରକାର ଆଣିଥିବା ଏହି ବିଲ ଐତିହାସିକ। ଧାରା ୩୭୦ ଭାରତ ସହିତ ଜାମ୍ମୁ ଓ କାଶ୍ମୀରର ମିଶ୍ରଣ ପରିବର୍ତ୍ତେ ଏଥିରେ ବାଧକ ସାଜୁଥିଲା। ଭୋଟ ବ୍ୟାଙ୍କ ରାଜନୀତି ଗତ ୭୦ ବର୍ଷ ଧରି ରାଜ୍ୟର ଯୁବକମାନଙ୍କୁ ଲୁଟିଚାଲିଥିଲା। କାହିଁକି ଆଜି ଯାଏ ଜାମ୍ମୁ ଓ କାଶ୍ମୀରର ଲୋକମାନଙ୍କ ନିକଟରେ ବିକାଶର ଲାଭ ପହଁଚିପାରିନାହିଁ ତା’ ଉପରେ ବିତର୍କ କରିବା ଲାଗି ମୁଁ ବିରୋଧୀ ଦଳ ସଦସ୍ୟମାନଙ୍କୁ ଆହ୍ୱାନ କରୁଛି। ସବୁମତେ ଧର୍ମକୁ ନେଇ ରାଜନୀତି ବନ୍ଦ ହେବା ଉଚିତ। ଧାରା ୩୭୦ ସବୁଧର୍ମର ଲୋକମାନଙ୍କ ପାଇଁ ବିପଜ୍ଜନକ ବୋଲି ମନ୍ତ୍ରୀ କହିଥିଲେ। ଆହୁରି ଲିଙ୍ଗ, ଶ୍ରେଣୀ, ଜାତି ଓ ବାସସ୍ଥାନ ଆଧାରରେ ଧାରା ୩୭୦ର ବ୍ୟବସ୍ଥା ଭେଦଭାବପୂର୍ଣ୍ଣ ବୋଲି ମନ୍ତ୍ରୀ କହିଥିଲେ। ରାଜନେତାମାନେ ଏତେ ଦିନ ଧରି ଯୁବସମାଜକୁ ଶୋଷଣ କରି ଆସୁଥିଲେ। ଏହି ବ୍ୟବସ୍ଥା ପ୍ରଥମତଃ ଅସ୍ଥାୟୀ ଥିଲା ଏବଂ ଜାମ୍ମୁ ଓ କାଶ୍ମୀରର ଲୋକମାନଙ୍କର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ଉଚ୍ଛେଦ କରାଯିବାର ଥିଲା ବୋଲି ମନ୍ତ୍ରୀ କହିଥିଲେ। ଧାରା ୩୭୦ (୩)ରେ ଥିବା ବ୍ୟବସ୍ଥା ଅନୁଯାୟୀ, ସଂସଦର ଅନୁମୋଦନ କ୍ରମେ, ଏକ ସର୍ବସାଧାରଣ ବିଜ୍ଞପ୍ତି ଜରିଆରେ ରାଷ୍ଟ୍ରପତି ଧାରା ୩୭୦ରେ ସଂଶୋଧନ କିମ୍ୱା ଏହାର ଉଚ୍ଛେଦ କରିପାରିବେ। ଅତୀତରେ ଏହା ଏକାଧିକ ବାର ହୋଇଥିଲା। ବିରୋଧୀଙ୍କ ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଧାରା ୩୭୦ କିଭଳି ଭାବେ ରାଜ୍ୟର ଲୋକମାନଙ୍କ ବିକାଶକୁ ପ୍ରଭାବିତ କରୁଥିଲା ତାହା ସମସ୍ତେ ଜାଣନ୍ତି। ଶ୍ରୀ ଶାହ କହିଥିଲେ ଯେ ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ଘରୋଇ ନିବେଶ ପାଇଁ ବାଟ ଖୋଲିଯିବ, ଯାହା ଏଠାରେ ବିକାଶ ସମ୍ଭାବନା ବୃଦ୍ଧି କରିବ। ଅଧିକ ନିବେଶ ଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହା ରାଜ୍ୟର ସାମାଜିକ-ଆର୍ଥିକ ଭିତ୍ତିଭୂମିର ବିକାଶ କରିବ। ସେଠାରେ ଜମି କିଣାଯିବା ସମ୍ଭବ ହେଲେ ଘରୋଇ ବ୍ୟକ୍ତିବିଶେଷ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପାଇଁ ନିବେଶ ସୁଯୋଗ ବୃଦ୍ଧି ପାଇବ ଯାହା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ଅଭିବୃଦ୍ଧି ପ୍ରଦାନ କରିବ। ଯେଉଁମାନେ ଏହି ଐତିହାସିକ ପଦକ୍ଷେପକୁ ବିରୋଧ କରୁଛନ୍ତି ସେମାନେ ଏ ସମସ୍ତ ବିକାଶ ସମ୍ଭାବନାକୁ ବିରୋଧ କରୁଥିବା ମନ୍ତ୍ରୀ କହିଥିଲେ। ୧୯୮୯ରୁ ୨୦୧୮ ମଧ୍ୟରେ ପ୍ରାଣବଳୀ ଦେଇଥିବା ସାଧାରଣ ଜନତା ଏବଂ ସେନା ଯବାନମାନଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ସ୍ମରଣ କରିଥିଲେ। ସେ କହିଥିଲେ ଯେ ୩୭୦ ଧାରା ନଥିଲେ ଏହି ଲୋକମାନଙ୍କୁ ପ୍ରାଣ ହରାଇବାକୁ ପଡ଼ିନଥାନ୍ତା। ଦେଶ ବିଭାଜନ ପରେ ପାକିସ୍ତାନରୁ ଆସିଥିବା ଶରଣାର୍ଥୀମାନେ ଆଜି ଯାଏ ନାଗରିକତା ପାଇପାରିନାହାନ୍ତି। ସେମାନେ ରାଜ୍ୟରେ କାଉନସିଲର ମଧ୍ୟ ହୋଇପାରୁନାହାନ୍ତି। ଏହି ଲୋକମାନଙ୍କ ପ୍ରତି ଲଗାତାର ଭାବେ ଐତିହାସିକ ଅନ୍ୟାୟ ହୋଇ ଆସିଛି। ଅନ୍ୟପଟେ ଏହି ଶରଣାର୍ଥୀମାନଙ୍କ ମଧ୍ୟରୁ ୨ ଜଣ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଧାରା ୩୭୦ କାରଣରୁ ଜାମ୍ମୁ କାଶ୍ମୀରରେ ଗଣତନ୍ତ୍ରର ପୂର୍ଣ୍ଣ ପ୍ରତିଷ୍ଠା ସମ୍ଭବପର ହୋଇନାହିଁ, ଦୁର୍ନୀତି ବୃଦ୍ଧି ପାଇଛି, ଦାରିଦ୍ର୍ୟ ଅଧିକ ପ୍ରସାରିତ ହୋଇଛି ଏବଂ ସାମାଜିକ-ଆର୍ଥିକ ଭିତ୍ତିଭୂମି ପ୍ରତିଷ୍ଠା ହୋଇପାରିନାହିଁ। ଏହା ଆତଙ୍କବାଦର ମୂଳ କାରଣ ବୋଲି ସେ କହିଥିଲେ। ଆହୁରି, ଧାରା ୩୭୦ କାରଣରୁ ସମ୍ୱିଧାନର ୭୩ତମ ଏବଂ ୭୪ତମ ସଂଶୋଧନ ଜାମ୍ମୁ ଓ କାଶ୍ମୀରରେ ଲାଗୁ ହୋଇପାରିନାହିଁ। ପଂଚାୟତ ଓ ନଗର ପାଳିକା ନିର୍ବାଚନ ହୋଇପାରୁନାହିଁ। ଭାରତର ଅନ୍ୟ ନାଗରିକଙ୍କ ପାଇଁ ଉପଲବ୍ଧ ହେଉଥିବା ଗଣତାନ୍ତ୍ରିକ ଅଧିକାରକୁ ଜାମ୍ମୁ ଓ କାଶ୍ମୀରର ଲୋକମାନଙ୍କ ଠାରୁ କିଏ ଛଡ଼ାଇ ନେଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରଶ୍ନ କରିଥିଲେ। ନିଶ୍ଚିତ ଭାବେ ଏହା ଧାରା ୩୭୦ କାରଣରୁ ହୋଇଛି। ନିକଟରେ ପଂଚାୟତ ନିର୍ବାଚନ ସଫଳତା ପୂର୍ବକ ଏବଂ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି। ଲୋକମାନେ ରକ୍ତପାତ ନୁହେଁ ବରଂ ଗଣତନ୍ତ୍ର ଚାହୁଁଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଜାମ୍ମୁ ଓ କାଶ୍ମୀର ଆର୍ଥିକ ଦୃଷ୍ଟିରୁ ପଛୁଆ ରହିବା ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହ କହିଥିଲେ ଯେ ଧାରା ୩୭୦ କାରଣରୁ ରାଜ୍ୟ ବାହାରର ଲୋକମାନେ ସେଠାରେ ବ୍ୟବସାୟ କରିପାରୁନାହାନ୍ତି। ଅର୍ଥନୈତିକ ପ୍ରତିଦ୍ୱନ୍ଦ୍ୱିତାର ଅଭାବ ବିକାଶରେ ବାଧକ ସାଜିଛି ଏବଂ ଦୁର୍ନୀତି ବୃଦ୍ଧି ପାଇଛି। ଜମି ମୂଲ୍ୟ ବଢ଼ିପାରିନାହିଁ, କାରଣ ଏଠାରେ କେହି ଜମି କିଣିପାରିବେ ନାହିଁ। ଶିଳ୍ପ ନାହିଁ, ପର୍ଯ୍ୟଟନର ଅଭିବୃଦ୍ଧି ମଧ୍ୟ ଏଠାରେ ହୋଇପାରୁନାହିଁ। ସ୍ଥାନୀୟ ଲୋକମାନଙ୍କ ପାଇଁ ଆର୍ଥିକ ସୁବିଧାସୁଯୋଗର ଅଭାବ କାରଣରୁ ସେମାନେ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ଦୁର୍ନୀତି ବ୍ୟାପକ ହୋଇଛି, ଯାହା ରାଜ୍ୟରେ ବାହ୍ୟ ନିବେଶକୁ ଅଟକାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ, ମୁଁ କାଶ୍ମୀରର ଯୁବକମାନଙ୍କୁ କହିବାକୁ ଚାହେଁ ଯେ ଧାରା ୩୭୦ ସେମାନଙ୍କୁ କୌଣସି ଲାଭ ଦେବ ନାହିଁ। ଏହା କେବଳ ସେ ସେହି କ୍ଷମତାଭୋଗୀ ଲୋକମାନଙ୍କୁ ଲାଭ ଦେବ ଯେଉଁମାନେ ସବୁଦିନ ପାଇଁ ଯୁବକମାନଙ୍କୁ ଗରିବ କରି ରଖି ସବୁ ଲାଭ ସେମାନଙ୍କ ପାଖରେ ରଖିବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଯଥେଷ୍ଟ ପାଣ୍ଠି ଯୋଗାଣ ସତ୍ତ୍ବେ ସ୍ୱାସ୍ଥ୍ୟ ଓ ଶିକ୍ଷାର ସୁବିଧା କାହିଁକି ହୋଇପାରୁନାହିଁ? ଯେଉଁମାନେ ଧାରା ୩୭୦କୁ ସମର୍ଥନ କରୁଛନ୍ତି ସେମାନେ ଜାଣି ରଖିବା ଉଚିତ ଯେ ଏହି ଧାରା ରାଜ୍ୟ ବାହାରର ପେସାଦାରଙ୍କୁ ରାଜ୍ୟରେ ପ୍ରତିଷ୍ଠିତ ହେବା ଉପରେ ଅଙ୍କୁଶ ଲଗାଇଥିଲା, ତେଣୁ ସେଠାକୁ କେହି ଯାଉନଥିଲେ। ବର୍ତ୍ତମାନ ଏହି ସଂକଳ୍ପ ଗୃହୀତ ହେବା ପରେ ଧାରା ୩୭୦ ଉଚ୍ଛେଦ ହୋଇଛି। ପ୍ରତ୍ୟେକ ପିଲା ଶିକ୍ଷାର ଅଧିକାର ପାଇବେ ଏବଂ ପ୍ରତ୍ୟେକ ରୋଗୀ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପାଇବେ। କାଶ୍ମୀର ଯୁବକମାନଙ୍କ ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଆହୁରି କହିଥିଲେ ଆମେ ଜାମ୍ମୁ ଓ କାଶ୍ମୀରର ଯୁବକମାନଙ୍କର ବିକାଶ ଚାହୁଁଛୁ ଏବଂ ସେମାନଙ୍କୁ ନିଯୁକ୍ତିର ବ୍ୟାପକ ସୁଯୋଗ ଦେବାକୁ ଚାହୁଁଛୁ। ତେଣୁ ଯଦି ସଂକଳ୍ପ ସଂସଦର ଉଭୟ ସଦନରେ ଗୃହୀତ ହୋଇଯାଏ ତା’ହେଲେ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଆପେ ଆପେ ଜାମ୍ମୁ ଓ କାଶ୍ମୀରରେ ଲାଗୁ ହୋଇଯିବ। ଫଳରେ ପୃଥକ ସଂରକ୍ଷଣ ବିଲ୍‌ର ଆବଶ୍ୟକତା ପଡ଼ିବ ନାହିଁ। ଆତଙ୍କବାଦ ସମ୍ପର୍କରେ ମତବ୍ୟକ୍ତ କରି ଶ୍ରୀ ଶାହ କହିଥିଲେ ଯେ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟରେ ବଶୀଭୂତ ହୋଇ ଯୁବକମାନଙ୍କୁ ଜିହାଦ ଆପଣାଇବା ଲାଗି ଭ୍ରମିତ କରାଯାଉଛି। ହଜାର ହଜାର ସାଧାରଣ ନାଗରିକ ମୃତ୍ୟୁବରଣ କରୁଛନ୍ତି କାହିଁକି? ଧାରା ୩୭୦କୁ ସମର୍ଥନ କରିବା ଏବଂ ଯୁବକମାନଙ୍କୁ ବିକାଶର ମୁଖ୍ୟଧାରା ଠାରୁ ଦୂରରେ ରଖି ସେମାନଙ୍କୁ ଜିହାଦରେ ସାମିଲ କରାଇବା ପାଇଁ ପ୍ରେରିତ କରିବା ପାକିସ୍ତାନର ରାଷ୍ଟ୍ରୀୟ ନୀତି ହୋଇ ଆସିଛି। ଧାରା ୩୭୦କୁ ଜାରି ରଖିବାକୁ ଚାହୁଁଥିବା ବିଚ୍ଛନ୍ନତାବାଦୀଙ୍କ ସମେତ ସମସ୍ତ ରାଜନୈତିକ ଦଳର ମନ୍ଦ ଉଦ୍ଦେଶ୍ୟ ରହିଛି। ଆତଙ୍କବାଦରେ ସେମାନଙ୍କ ପିଲାମାନେ ପ୍ରାଣ ହରାଉନଥିବା କାରଣରୁ ସେମାନେ ଏହି ଧାରାକୁ ସମର୍ଥନ କରୁଛନ୍ତି। ଧାରା ୩୭୦ ଉଚ୍ଛେଦ ଫଳରେ କାଶ୍ମୀରୀ ସଂସ୍କୃତି ଧ୍ୱଂସ ପାଇବ ବୋଲି ନେଇ ହେଉଥିବା ଆଶଙ୍କା ସମ୍ପର୍କରେ ଶ୍ରୀ ଶାହ କହିଥବଲେ ଯେ ଭାରତର ଅଂଶବିଶେଷ ହେବା ପରେ ସମସ୍ତ ରାଜ୍ୟ ସେମାନଙ୍କ ଭାଷା ଓ ସଂସ୍କୃତି ସଂରକ୍ଷିତ ରଖିପାରିଛନ୍ତି। ତେଣୁ ଧାରା ୩୭୦ କିଭଳି ଏହାକୁ ସୁରକ୍ଷା ଦେଉଥିଲା ବୋଲି ସେ ପ୍ରଶ୍ନ କରିଥିଲେ। ଏହା କେବଳ ଏକ ରାଜନୈତିକ ଦୁଷ୍ପ୍ରଚାର ଥିଲା ଯାହା ୭୦ ବର୍ଷ ଧରି କାଶ୍ମୀରର ଯୁବକମାନଙ୍କ ମନରେ ଏକ ଭ୍ରମଧାରଣା ସୃଷ୍ଟି କରି ଚାଲିଥିଲା। ଜାମ୍ମୁ ଓ କାଶ୍ମୀରର ଯୁବକମାନଙ୍କୁ ମୁଁ ଆଶ୍ୱାସନା ଦେଉଛି ଯେ ଏ ସରକାରକୁ ଆପଣମାନେ ୫ ବର୍ଷ ଦିଅନ୍ତୁ। ୫ ବର୍ଷ ପରେ ଆପଣଙ୍କ କ୍ଷେତ୍ରର ଦେଶର ସବୁଠୁ ବିକଶିତ କ୍ଷେତ୍ର ହେବ ବୋଲି ମନ୍ତ୍ରୀ କହିଥିଲେ। ରାଜ୍ୟର ଯେଉଁ ଝିଅମାନେ ରାଜ୍ୟ ବାହାରେ ବିବାହ କରୁଛନ୍ତି ସେମାନେ ବାହାଘର ପରେ ସେମାନଙ୍କ ସମ୍ପତି ଅଧିକାର ହରାଉଛନ୍ତି। ଏହା ସେହି ମହିଳା ଓ ସେମାନଙ୍କ ପିଲାମାନଙ୍କ ପ୍ରତି ପକ୍ଷପାତିତା। ଅନୁସୂଚିତ ଜାତି ଏବଂ ଜନଜାତି ଲୋକମାନେ ପଛୁଆ ହୋଇ ରହିଛନ୍ତି ଏବଂ ସେମାନେ ରାଜନୈତିକ ସଂରକ୍ଷଣ ପାଇପାରୁନାହାନ୍ତି। ଏହା ଜାଣି ସୁଦ୍ଧା କିଛି ଲୋକ ସେମାନଙ୍କ ରାଜନୈତିକ ଲାଭ ପାଇଁ ଏହି ଧାରା ଜାରି ରଖିବାକୁ ଚାହୁଁଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଶ୍ରୀ ଶାହା ସଂସଦକୁ ଆଶ୍ୱାସନା ଦେଇଥିଲେ ଯଦି କେନ୍ଦ୍ର ଶାସିତ ପ୍ରଦେଶ ମଡେଲ ଠିକ ଭାବେ କାର୍ଯ୍ୟ କରେ, ତା’ହେଲେ ଆମ ସରକାର ପୁଣିଥରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ପାହ୍ୟା ପ୍ରଦାନ କରିବା କଥା ବିଚାର କରିବେ। କୌଣସି ସାମ୍ୱିଧାନିକ ସଂଶୋଧନର ଆବଶ୍ୟକତା ପଡ଼ିବ ନାହିଁ। ଥରେ ଧାରା ୩୭୦ ଉଚ୍ଛେଦ ହେଲେ ଜାମ୍ମୁ ଓ କାଶ୍ମୀର ସମ୍ପୂର୍ଣ୍ଣ ଭାବେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଯିବ। କାଶ୍ମୀରବାସୀଙ୍କ ସମସ୍ତ ସମସ୍ୟା ଶେଷ ହେବାର ମାର୍ଗ ଧାରା ୩୭୦ ଉଚ୍ଛେଦରେ ହିଁ ରହିଛି। ଏହି ପଦକ୍ଷେପ ଦୃଢ଼ ରହିଛି ଏବଂ ଏହା ଆଇନଗତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ। ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା, ଏହା ଉଚ୍ଛେଦ ହେବାର ଥିଲା। ଧାରା ୩୭୦ ଉଚ୍ଛେଦ ଲାଗି ସରକାରଙ୍କ ସହିତ ହାତ ମିଳାଇବା ଲାଗି ମୁଁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ରାଜନୈତିକ ବିଚାରଧାରା ଠାରୁ ଊର୍ଦ୍ଧ୍ୱ ଯିବା ଲାଗି ହୃଦୟରୁ ନିବେଦନ କରୁଛି। ସାରା ଦେଶ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଏହାପରେ ଜାମ୍ମୁ ଓ କାଶ୍ମୀର ସଂକ୍ରାନ୍ତ ସମସ୍ତ ବିଲ ଓ ସଂକଳ୍ପ ଗୃହୀତ ହୋଇଥିଲା। ଶ୍ରୀ ଶାହ ଆହୁରି ମଧ୍ୟ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ, ୨୦୧୯ ଆଗତ କରିଥିଲେ ଯାହା ଜାମ୍ମୁ ଓ କାଶ୍ମୀରକୁ ବିଧାନସଭା ସହିତ ଏକ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପ୍ରଦାନ କରିବ। ଅନ୍ୟପଟେ ଲଦାଖକୁ ବିଧାନସଭା ନଥିବା ଏକ ପୃଥକ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିବ। ଆହୁରି ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ଦ୍ୱିତୀୟ ସଂଶୋଧନ) ବିଲ, ୨୦୧୯ ଆଗତ କରାଯାଇଥିଲା। ଏହା ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଆଇନ ୨୦୦୪ରେ ସଂଶୋଧନ ଆଣିବ। ଏହା ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଜାମ୍ମୁ ଓ କାଶ୍ମୀରର ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକମାନଙ୍କୁ ୧୦% ସଂରକ୍ଷଣ ପ୍ରଦାନ କରିବ। ଉଭୟ ବିଲ ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା।

Share :