ରାହାଗିରି,  ରାହୁଗିରି ଓ ରୋହିଗିରି !

ରାହାଗିରି,  ରାହୁଗିରି ଓ ରୋହିଗିରି !

Share :

ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମ ମନ୍ଦିର ଛକ ପର୍ଯନ୍ତ ରାସ୍ତା ଆଉ ସବୁ ଦିନିଆ ରାସ୍ତା ହୋଇନାହିଁ । ସପ୍ତାହର ଛଅ ଦିନ ପାଇଁ ଜନପଥର ଏହି ଅଂଶଖଣ୍ଡକ ସର୍ବସାଧାରଣଙ୍କ ରାସ୍ତା ଭାବେ କାର୍ଯ କରୁଛି । କିନ୍ତୁ ରବିବାର ଦିନଟି ଏହା ହୋଇଯାଉଛି ସମ୍ଭ୍ରାନ୍ତ ବର୍ଗ ପାଇଁ ଏକ ପ୍ରମୋଦ ଉଦ୍ୟାନ । ଜାନୁଆରୀ ପ୍ରଥମ ସପ୍ତାହରୁ ଫେବୃଆରୀ ପ୍ରଥମ ସପ୍ତାହ ମଧ୍ୟରେ ପଡ଼ିଥିବା ୪ଟି ରବିବାର ଭୁବନେଶ୍ବର ମହାନଗର ନିଗମ ଓ କମିଶନରେଟ ପୁଲିସର ମିଳିତ ଉଦ୍ୟମ ତଥା ରାଜ୍ୟ ସରକାରଙ୍କ ଅକୁଣ୍ଠ ସମର୍ଥନରେ ଏହି ରାସ୍ତାରେ ଆୟୋଜିତ ହୋଇଯାଇଛି ରାହାଗିରି, ଯାହା ବସ୍ତୁତଃ ସମାଜର ଅନେକ ବର୍ଗର ଲୋକଙ୍କ ପାଇଁ ହୋଇଯାଇଛି ରାହୁଗିରି ! ମହାନଗର ନିଗମର କିଛି ନେତା ଓ ଅଧିକାରୀଙ୍କ ପାଇଁ ଏହା ବି ହୋଇଛି ରବିବାରିଆ ରୋହିଗିରି ! କଥା ଥିଲା, ଭୁବନେଶ୍ବର ରାସ୍ତାଗୁଡ଼ିକରେ ପଥଚାରୀ ଓ ସାଇକେଲିଆଙ୍କ ପାଇଁ ଉଦ୍ଦିଷ୍ଟ ଅଂଶକୁ ଜବଦଖଲ ମୁକ୍ତ କରାଯିବ । ସାଇକେଲ ଯାତ୍ରୀ ଓ ପଦାତିକଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାର ଅଂଶକୁ ଅସାଧୁ ନେତା ଓ ଅଫିସରଙ୍କ ସହାୟତାରେ ବଡ଼ ଓ ଛୋଟ ଧରଣର ଅସାଧୁ ବ୍ୟବସାୟୀମାନେ ଦଖଲ କରିଗଲେଣି । ସେମାନେ ଲାଭ ଅର୍ଜନ ପାଇଁ ବଡ଼ବଡ଼ ଦୋକାନ ଖୋଲୁଛନ୍ତି, କିନ୍ତୁ ଗରାଖଙ୍କ ପାର୍କିଂ ପାଇଁ ବ୍ୟବସ୍ଥା କରୁ ନାହାନ୍ତି । ଫଳରେ ସର୍ବସାଧାରଣଙ୍କ ରାସ୍ତା ହୋଇଯାଇଛି ବଡ଼ବଡ଼ିଆ ଖାଉଟିଙ୍କ ପାର୍କିଂ ପ୍ଲେସ୍ । ଖାଉଟିଙ୍କଠାରୁ ଲାଭ ଉଠାଇବେ ବ୍ୟବସାୟୀ ଅଥଚ ଅସୁବିଧା ଭୋଗିବେ ପଥଚାରୀ ! ନୀତି ଦୃଷ୍ଟିରୁ ଫେସନ୍ ବ୍ୟବସାୟୀ, ହୋଟେଲ ମାଲିକ, ହୀରା ଓ ସୁନା ଗହଣାର ବଡ଼ ବଡ଼ ଷ୍ଟକିଷ୍ଟ ପ୍ରମୁଖ ନିଜ ଖାଉଟିଙ୍କ ପାଇଁ ନିଜ ଖର୍ଚ୍ଚରେ ପାର୍କିଂ ସୁବିଧା କରିବା କଥା । କିନ୍ତୁ ସେମାନେ ତାହା କରୁ ନାହାନ୍ତି । ଏହି ବଡ଼ବଡ଼ ବ୍ୟବସାୟୀଙ୍କ ଲାଭଜନକ ବେପାର ପାଇଁ ସର୍ବସାଧାରଣ ରାସ୍ତାକୁ ମହାନଗର ନିଗମ ହିଁ ପାର୍କିଂ ପ୍ଲେସରେ ପରିଣତ କରିଛି ଓ ତାହାକୁ ଭଡ଼ା ଦେଇ ବାର୍ଷିକ କୋଟିକୋଟି ଟଙ୍କାର ରାଜସ୍ବ ଆଦାୟ କରୁଛି । ବିଚରା ଖାଉଟି ସରକାରଙ୍କୁ ବିକ୍ରିକର, ଅବକାରୀ ଶୁଳ୍କ ଇତ୍ୟାଦି ଦେବା ସହିତ ବେପାରୀକୁ ଲାଭ ଓ ମହାନଗର ନିଗମକୁ ପାର୍କିଂ ଫି ଦେଉଛି । ଗୋଟିଏ ସଉଦା ଉପରେ ତିନି ପ୍ରକାର ଟିକସ ! ଏନେଇ ଜନ ଅସନ୍ତୋଷ ବଢ଼ିବାରୁ ମହାନଗର ନିଗମ ଓ କମିଶନରେଟ ପୁଲିସ ମିଶି ସର୍ବସାଧାରଣଙ୍କୁ ଭୁଆଁ ବୁଲାଇବାକୁ ଆରମ୍ଭ କଲେ ରାହାଗିରି । କହିଲେ, ପ୍ରତି ରବିବାର ରାଜଧାନୀର ବିଭିନ୍ନ ରାସ୍ତାରେ ସାଇକେଲ ଓ ପାଦଚଲା ରାସ୍ତା ସଂପର୍କରେ ଜନେଚେତନା ଜାଗ୍ରତ କରାଯିବ, ସେମାନଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାରେ ସହଯୋଗ କରାଯିବ । ଏହି ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଛକ ମଧ୍ୟରେ ପ୍ରଥମ ଚାରିଟି ରବିବାର ରାହାଗିରି ଆୟୋଜିତ ହେବ । ଏହି ଚାରି ରବିବାର ଜନପଥର ସେହି ଖଣ୍ଡଟିରେ କୌଣସି ଗାଡ଼ିମୋଟର ଚଳାଚଳ କରିବ ନାହିଁ । ଅଥଚ ହେଲା କ’ଣ? ଗଲା ଚାରିଟି ରବିବାର ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଛକ ମଧ୍ୟରେ ଥିବା ଜନପଥ ଅଂଶଖଣ୍ଡିକ ଭୁବନେଶ୍ବରର ସମ୍ଭ୍ରାନ୍ତ, ପ୍ରଭାବଶାଳୀ ଓ ପ୍ରଚାରପ୍ରିୟ ବ୍ୟକ୍ତିବିଶଷଙ୍କ ଆମୋଦ ଉଦ୍ୟନ ବା ଆମ୍ୟୁଜମେଣ୍ଟ ପାର୍କରେ ପରିଣତ ହୋଇଗଲା । ପୁଲିସ ରାସ୍ତାର ଦୁଇମୁଣ୍ଡରେ ରୋଡ ବ୍ଲକ ସାଇନ୍ ବୋର୍ଡ଼ ଥୋଇବାରୁ ସେ ବାଟେ ସାଇକେଲ ଆରୋହୀ ବି ଯାଇ ପାରିଲେ ନାହିଁ । ଯେଉଁମାନେ ପାଦରେ ଚାଲି ଚାଲି ଯିବାଆସିବା କରନ୍ତି ସେମାନେ ସମ୍ଭ୍ରାନ୍ତ ଲୋକଙ୍କ ଡଗ୍ ଶୋ, ଡଗ୍ ରେସ୍, ସେଲ୍ଫି ସଉକ, ସ୍କେଟିଂ, ସ୍ଲୋ ସାଇକ୍ଲିଂ,  ମୋଟର ସ୍ପୋର୍ଟସ, ଜଗିଂ, ଯୋଗାଭ୍ୟାସ ଆଦି ଅନେକ ପ୍ରକାର ମନୋରଂଜନ କାର୍ଯ୍ୟକ୍ରମ ଭିତରେ ତାହା କରିପାରନ୍ତି ନାହିଁ । ରାସ୍ତା ତ ବନ୍ଦ ଥାଏ, ସାଇକେଲିଆ ଓ ପଦଚାରୀ ଯିବେ ବି କେମିତି? ଗଲେ ତ’ ସ୍କେଟିଂ କରୁଥିବା ଶିଶୁ କିମ୍ବା ସ୍ଲୋ ସାଇକ୍ଲିଂ କରୁଥିବା ପିଲାଙ୍କ ସହିତ ଧକ୍କା ହେବାର ଆଶଙ୍କା । ସେମିତି ଘଟଣାଟେ ବି ଘଟିଥିଲା ତୃତୀୟ ରାହାଗିରି ଦିନ । ଜଣେ ବୁଢ଼ା ଲୋକ ଜଣକ ସାଇକେଲ ଧକ୍କାରେ ତଳେ ପଡ଼ି ଛଟପଟ ହେଉଥିବାବେଳେ ଆମୋଦପ୍ରମୋଦରେ ମାତିଥିବା କେହି ତାଙ୍କୁ ଉଠାଇ ନଥିଲେ । ଅବଶ୍ୟ ସେଦିନ ରାହାଗିରିରେ ଭାଗ ନେଇଥିବା କିନ୍ନରମାନେ ତାଙ୍କୁ ଉଠାଇଥିଲେ ଓ କିନ୍ନରଙ୍କ ତରଫରୁ ମୀରା ପରିଡ଼ା ଗଣମାଧ୍ୟମ ଆଗରେର ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ରାସ୍ତା ବନ୍ଦ ସହିତ ରାସ୍ତାକଡ଼ରେ ଠଲାଗାଡ଼ି ଧରି ବେପାର କରୁଥିବା ଗରୀବ ଲୋକଙ୍କ ଧନ୍ଦା ବି ବନ୍ଦ କରିଦିଆଏ । କିନ୍ତୁ ଧନାର୍ଢ଼୍ୟ ଓ ସମ୍ଭ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ଷ୍ଟଲ ଖୋଲେ । ଖଦି ବୋର୍ଡ଼ର ଖଦି ପ୍ରଦର୍ଶନୀ, ରାମଦେବଙ୍କ ଔଷଧ, ଆଇସ୍ କ୍ରିମ ଓ ଆୟୁର୍ବେଦିକ ପାନୀୟ ଓ ପୁଷ୍ଟିର ଉଠା ଦୋକାନା ବା ଷ୍ଟଲ ଖୋଲେ । ଏଭଳି ଭାବରେ ସେହି ୩-୪ ଘଣ୍ଟା ପାଇଁ ଜନପଥ ହୋଇଯାଏ ପ୍ରଦର୍ଶନୀ ପଡ଼ିଆ । ପୁଣି ଏହି ସମୟ ଭିତରେ ସେହି ବାଟ ବନ୍ଦ ରହୁଥିବାରୁ କୌଣସି ଦୁଇ ଚକିଆ, ତିନି ଚକିଆ କି ଚାରି ଚକିଆ ଯାନ ସେହି ରାସ୍ତାରେ ନଯାଇ ଗନ୍ତବ୍ୟ ସ୍ଥଳକୁ ବୁଲିକି ଯିବାକୁ ବାଧ୍ୟ ହୋଇଥାନ୍ତି । ଯିଏ ଦୁଇ ନମ୍ବର ୟୁନିଟରୁ ବାହାରି କେନ୍ଦ୍ରୀୟ ବିଦ୍ୟାଳୟ ଯିବା କଥା ତା’କୁ ରାଜମହଲ, କଳ୍ପନା, ସତ୍ୟନଗର ଓବରବ୍ରିଜ ନହେଲେ ପିଏମଜି, ହାଉସିଂ ବୋର୍ଡ଼ ଛକ ହୋଇ ଯିବାକୁ ପଡ଼େ । ଏହା ଫଳରେ ପେଟ୍ରୋଲ ଓ ଡିଜେଲ ଅଧିକ ଖର୍ଚ୍ଚ ହୁଏ, ପ୍ରଦୂଷଣ ବଢ଼େ, ସଂପୃକ୍ତ ଲୋକର ସମୟ ବରବାଦ ହୁଏ । ପ୍ରତି ରାହାଗିରି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବର ମହାନଗର ନିଗମ ପ୍ରାୟ ୨ ଲକ୍ଷ ଟଙ୍କାର ଖର୍ଚ୍ଚ ଦର୍ଶାଉଥିବା ଜାଣିବାଶୁଣିବା ମହଲରେ ଆଲୋଚିତ ହେଉଛି । ମାଷ୍ଟର କ୍ୟାଣ୍ଟିନ ଓ ରାମ ମନ୍ଦିର ମଧ୍ୟରେ ୪ ଥର ରାହାଗିରି ଦିବସ ଆୟୋଜିତ ହେଲାଣି । ପ୍ରତି ରବିବାର ଏହି କାର୍ଯ୍ୟକ୍ରମ ଭୁବନେଶ୍ବରରେ ଚାଲିଲେ ବର୍ଷ ଶେଷକୁ ଅତି କମରେ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିବ । ଏହା କିଛି ନେତା, ଠିକାଦାର, ସପ୍ଲାୟର ଓ କର୍ମଚାରୀଙ୍କ ପାଇଁ ନିଶ୍ଚୟ ରବିବାରିଆ ରୋହିଗିରି ଭଳି ସ୍ବାଦିଷ୍ଟ ହୋଇଥିବ ! ଏହାର ପରିଣାମ ପୁଣି କ’ଣ? ମାଷ୍ଟର କ୍ୟାଣ୍ଟିନ ଓ ରାମ ମନ୍ଦିର ମଧ୍ୟରେ ଥିବା ଜନପଥ ଖଣ୍ଡର ପାଦଚଲା ରାସ୍ତା କ’ଣ ଅନ୍ୟ କାହା ଦଖଲରୁ ମୁକ୍ତ ହେଲା ? ହୋଟେଲ, ଗହଣା ଓ ଫେସନ ଦୋକାନୀଙ୍କ ପାଇଁ ଦଖଲ ହେଉଥିବା ପାଦଚଲା ଓ ସାଇକେଲ ରାସ୍ତାକୁ କ’ଣ ଆଉ ପାର୍କିଂ ପ୍ଲେସ୍ ଭାବେ ବ୍ୟବହାର କରାଯାଉନି ?

Share :