ଦିଲ୍ଲୀରେ ମନ୍ତ୍ରୀ ସମୀର ଦାଶ  ଓ ସାଂସଦ ସସ୍ମିତ ପାତ୍ରଙ୍କୁ ସମ୍ବର୍ଦ୍ଧନା

ଦିଲ୍ଲୀରେ ମନ୍ତ୍ରୀ ସମୀର ଦାଶ ଓ ସାଂସଦ ସସ୍ମିତ ପାତ୍ରଙ୍କୁ ସମ୍ବର୍ଦ୍ଧନା

Share :

ପ୍ରବାସୀ ଓଡ଼ିଆଙ୍କ ତରଫରୁ ଏଠାରେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ରାଜ୍ୟସଭା ସାଂସଦ ଡ଼ ସସ୍ମିତ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଦିଲ୍ଲୀର ଭାରତୀୟ ପ୍ରେସ କ୍ଲୁବ ଠାରେ ଜୁଲାଇ ୩୦ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଦିଲ୍ଲୀ ତଥା ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ | ଦିଲ୍ଲୀ ଓ ପାର୍ଶ୍ଵବର୍ତ୍ତୀ ଗୁରୁଗାଓଁ, ଫରିଦାବାଦ, ଗାଜିଅବାଦ, ସାହିବାବାଦ ଓ ନଏଡା ଆଦି ଅଂଚଳରେ ଓଡିଆ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନେ ଓଡିଶା ଯାଇ ସ୍ୱୀକୃତି ପରୀକ୍ଷା ଦେଉଥିବା ଯୋଗୁଁ ନାନା ଅସୁବିଧା ସମ୍ମୁଖୀନ ସମସ୍ୟା ଉପରେ ମନ୍ତ୍ରୀ ଶ୍ରୀ ଦାଶଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଦିଲ୍ଲୀରେ ଏହି ପରୀକ୍ଷା କରାଇବାକୁ ଦାବି ଉପସ୍ଥାପନା କରିଥିଲେ | ଏହି ନାଯ୍ୟ ସମସ୍ୟା ପ୍ରତି ରାଜ୍ୟ ସରକାର ସହୃଦୟତାର ସହିତ ଧ୍ୟାନ ଦେବେ ଓ ଜାତୀୟ ରାଜଧାନୀରେ ଏକ ପ୍ରବାସୀ ପରୀକ୍ଷା କେନ୍ଦ୍ର ଆରମ୍ଭ କରାଯିବ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ | ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ନେତାମାନେ ସଂସଦରେ ଆମର ମାତୃପ୍ରଦେଶ ଓଡ଼ିଶାର ବହୁବିଧ ସମସ୍ୟା ଉପସ୍ଥାପନ କରିବା ସହିତ ଏ ସବୁର ଅଗ୍ରାଧିକାର ଭିତ୍ତିରେ ସମାଧାନ ପ୍ରତି ପ୍ରାଥମିକତା ପ୍ରଦାନ କରିବାକୁ ରାଜ୍ୟସଭା ସଦସ୍ୟ ଡ଼ଃ ପାତ୍ରଙ୍କୁ ନିବେଦନ ଜଣାଇଥିଲେ | ଉତ୍ତରରେ ଡ଼ଃ ପାତ୍ର ପ୍ରବାସୀ ଓଡ଼ିଆମାନଙ୍କର ସମସ୍ୟା ପ୍ରତି ସେ ସତତ ସଚେତନ ଅଛନ୍ତି ଓ ଏ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଧ୍ୟାନ ଆକର୍ଷଣ କରିବା ନେଇ ପ୍ରାଧାନ୍ୟ ଦେବା ସାଙ୍ଗକୁ ସରକାରୀ ସ୍ତରରେ ଆଶୁ ସମାଧାନ ନେଇ ସେ ସଠିକ ଓ ସକ୍ରିୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶ୍ୱାସନା ଦେଇଥିଲେ | ଏହି ସମ୍ବର୍ଧନା ଆସରରେ ମନ୍ତ୍ରୀ ଶ୍ରୀ ଦାଶଙ୍କର ପତ୍ନୀ ସଂଗୀତା ଦାଶ, କଳିଙ୍ଗ ଶିକ୍ଷା ସମାଜର ସଭାପତି ଡ଼ ବୈଷ୍ଣବ ଚରଣ ତ୍ରିପାଠୀ, ଉପସଭାପତି କମୋଡ଼ର ଡ଼ଃ ଯଦୁମଣି ଜେନା, ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଦେବେନ୍ଦ୍ର ମାଝୀ, ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ, ସମାଜସେବୀ ମିହିର ସାହୁ, ଚିରାଗ ଦିଲ୍ଲୀର ଉତ୍କଳ ଆସୋସିଏସନର ସଭାପତି ଅଜିତ କୁମାର କର ଓ ସାମ୍ବାଦିକ ଲକ୍ଷ୍ମୀନାରାୟଣ ବେବର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ | ସର୍ବଶେଷରେ ମୁଖ୍ୟ ଆୟୋଜକ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ |

Share :