ନାନା ସମସ୍ୟାରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ

ନାନା ସମସ୍ୟାରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ

Share :

ହେମାଙ୍ଗ ପଅସାଦ ରାଉଳ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ତଥା ରେଶମନଗର ବ୍ରହ୍ମପୁର ସହର ସାରା ଭାରତବର୍ଷରେ ସ୍ୱଚ୍ଛତା କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଗମନାଗମନ, ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ବେଶ୍ ଅଗ୍ରସର ହୋଇଛି। ବ୍ରହ୍ମପୁର ସହର ଏବଂ ଆଖପାଖ ଅଂଚଳରେ ବହୁ ଉଚ୍ଚଶିକ୍ଷା ଅନୁଷ୍ଠାନ ରହିଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ। ଯାହାର ବ୍ୟବସ୍ଥା ଓ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ମହାବିଦ୍ୟାଳୟଟି ୧୯୮୧ ମସିହାରେ ବ୍ରହ୍ମପୁର ମହାବିଦ୍ୟାଳୟ ନାମରେ ନାମିତ ହୋଇ ପ୍ରତିଷ୍ଠା। ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୧୯୮୪-୮୫ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ନାମରେ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ଏହି ମହାବିଦ୍ୟାଳୟଟି ୩୮ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନ। ଏହା ଯେତେ ମାତ୍ରାରେ ପୁରୁଣା ହେଉଛି ଠିକ୍ ସେତିକି ମାତ୍ରାରେ ମହାବିଦ୍ୟାଳୟ ପ୍ରତି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପର କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି। ଏହାକୁ ଦେଖିଲେ ମହାବିଦ୍ୟାଳୟଟି ମା’, ବାପା ଛେଉଣ୍ଡ ହୋଇଯାଇଛି। ବିଭିନ୍ନ ପ୍ରକାର ସମସ୍ୟାକୁ ସାମ୍ନା କରି ଗତିକରି ଚାଲିଛି। ସମସ୍ୟାଗୁଡ଼ିକ ମଧ୍ୟରେ ମୁଖ୍ୟ ସମସ୍ୟା ହେଉଛି ଅଧ୍ୟାପକ ମରୁଡ଼ି ଏବଂ କର୍ମଚାରୀଙ୍କ ଅଭାବ। ମହାବିଦ୍ୟାଳୟ ପରିଚାଳନା ପାଇଁ ସର୍ବମୋଟ ଅଧ୍ୟାପକ ଓ ଅଧ୍ୟାପିକା ସହ ଅନ୍ୟାନ୍ୟ କର୍ମଚାରୀ ୭୬ ରହିବା କଥା, କିନ୍ତୁ ଦୁଃଖର ବିଷୟ ଯେ ମାତ୍ର ୩୬ ଜଣ ଅଧ୍ୟାପକ, କର୍ମଚାରୀରେ କଲେଜ ଚାଲିଛି। ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ରହିଛି। ଅତିଗୁରୁତ୍ୱପୂର୍ଣ୍ଣ ବିଷୟ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦବି ପ୍ରାୟ ୫ ବର୍ଷ ହେଲା ଖାଲି ରହିଛି। ଯାହା ଅତି ଦୁର୍ଭାଗ୍ୟଜନକ କଥା। ମହାବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ଅତି ଉଚ୍ଚକୋଟିର। ସବୁ ବିଭାଗରେ ଯଦି ସମସ୍ତ ପଦବୀ ପୂରଣ ହୋଇପାରିଥାନ୍ତା ପିଲାମାନଙ୍କ ଉନ୍ନତ ପ୍ରଦର୍ଶନ ଆହୁରି ଅଧିକ ହୋଇପାରିଥାନ୍ତା ବୋଲି ଅଭିଭାବକମାନେ କହିଛନ୍ତି। ମହାବିଦ୍ୟାଳୟରେ ସର୍ବମୋଟ ୧୧ଟି ସମ୍ମାନ ବିଭାଗ ଓ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢ଼ୁଥିଲେ ମଧ୍ୟ ଅଧ୍ୟାପକ, ଅଧ୍ୟାପିକା ମରୁଡ଼ି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି। ସବୁଠାରୁ ଚିନ୍ତାର ବିଷୟ ଏହିକି ଯେ ୫ଟି କିରାଣୀ ସ୍ଥାନରେ ବର୍ତ୍ତମାନ ଦୁଇଜଣ କାର୍ଯ୍ୟରତ ଅଛନ୍ତି। ଅନ୍ୟଜଣେ ଡେ଼ପୁଟେସନରେ ଯାଇଥିବା ଜଣାପଡ଼ିଛି। ଦୁଇଜଣ କିରାଣୀ ମଧ୍ୟରୁ ଜଣେ ୩୧.୧୨.୨୦୧୯ ତାରିଖରେ ଅବସର ନେବେ। ଏହାପରେ କଲେଜରେ ମାତ୍ର ଜଣେ ହିଁ କିରାଣୀ ରହିବେ। କିରାଣୀ ଅଭାବକୁ ଦେଖି ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ କିରାଣୀଙ୍କ କାର୍ଯ୍ୟ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ମହାବିଦ୍ୟାଳୟର ୯ଟି ପିଅନ ପଦବୀ ରହିଥିଲେ ମଧ୍ୟ କେବଳ ଗୋଟିଏ ପିଅନ ଦ୍ୱାରା ସମସ୍ତ କାର୍ଯ୍ୟ ସଂପାଦନ କରାଯାଉଛି। ଏହାସହ ଯୁକ୍ତ ୩ ଏବଂ ଯୁକ୍ତ ୨ର ଲବ୍ରୋଟରୀ ଆସିଷ୍ଟାଣ୍ଡ ଏବଂ ଆଟେଣ୍ଡଣ୍ଟ୍, ଶିକ୍ଷା ଏବଂ ଗୃହବିଜ୍ଞାନ ବିଭାଗର ଅଧ୍ୟାପକ ପଦ ସଂପୂର୍ଣ୍ଣ ଖାଲି ରହିଛି। ଅନ୍ୟ ସମସ୍ୟାକୁ ଦେଖିଲେ ମହାବିଦ୍ୟାଳୟକୁ ଯିବା ପାଇଁ ନିରାପଦ ରାସ୍ତା ଖଣ୍ଡେ ମଧ୍ୟ ନାହିଁ। ଯେଉଁ ରାସ୍ତା ଅଛି ତାହା ଅଣ ଓସାରିଆ। ସେଠାରେ ସ୍ଥାନୀୟ ବାସିନ୍ଦା ବିଭିନ୍ନ ପ୍ରକାର ଅଳିଆ, ଆବର୍ଜନା ପକାଇବା ସହ ରାସ୍ତାକଡ଼ରେ ଝାଡ଼ା ଫେରୁଛନ୍ତି। ଯାହାଫଳରେ ଛାତ୍ରଛାତ୍ରୀମାନେ ରାସ୍ତାରେ ଯିବା ଆସିବା ସମୟରେ ନତମସ୍ତକ ହୋଇ ରୁମାଲ୍ ବାନ୍ଧି ଯିବାକୁ ପଡ଼ୁଛି। ଏହା ସହିତ ମହାବିଦ୍ୟାଳୟକୁ ଲାଗି ରହିଥିବା ବସ୍ତିବାସିନ୍ଦା ଉକ୍ତ ବିଦ୍ୟାଳୟର ପାଚେରୀ ଭାଙ୍ଗି ପଡ଼ିଆ ମଧ୍ୟରେ ଦୈନିକ ଯାତାୟତ କାରି ଏହାକୁ ନିଜର ରାସ୍ତା ରୂପେ ବାଛି ନେଇଛନ୍ତି। ଏହିସବୁ ଅସୁବିଧା ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ବାରମ୍ୱାର ଜଣାଯାଇଥିଲେ ମଧ୍ୟ ଫଳାଫଳ ଶୂନ ହୋଇଛି। ସମସ୍ୟା ଜର୍ଜରିତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ। କାରଣ କେବଳ ଏଠାରେ କର୍ମଚାରୀ ସମସ୍ୟା ନୁହେଁ, ବିଭିନ୍ନ ପ୍ରକାର ସମସ୍ୟା ନେଇ ଦୀର୍ଘ ଦିନ ହେଲା ଏହି କଲେଜ ଗତି କରୁଛି। ଏହାର ପରିମଳ ବ୍ୟବସ୍ଥା ନ କହିବା ଭଲ। ଗାଁ ପରିମଳ ଧୋବା ତୁଠାରୁ ପରି ଏହି କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ହିଁ କହିଦବ ଏହି କଲେଜର ପରିମଳ ବ୍ୟବସ୍ଥା। ତଳ ଦିନେ ଉକ୍ତ କଲେଜର କିଛି ପୁରାତନ ଛାତ୍ର ଏହି ସମ୍ୱନ୍ଧରେ ସ୍ଥାନୀୟ ବିଏମ୍‌ସିକୁ ଜଣାଇଥିଲେ ସୁଦ୍ଧା ବିଏମ୍‌ସି ଏଥିପ୍ରତି କୌଣସି ଦୃଷ୍ଟି ନଦେବା ସାଧାରଣରେ ଚର୍ଚ୍ଚା ହେଉଛି। ଏକ ସୁନ୍ଦର ପରିମଳ ବ୍ୟବସ୍ଥାକୁ ନେଇ ସରକାର ଡ଼ିଣ୍ଡିମ ପିଟୁଥିବାବଳେ ବିଭିନ୍ନ ସମୟରେ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ େସ୍ୱଚ୍ଛାସେବୀ ସଂଗଠନଠାରୁ ଆରମ୍ଭ କରି ପ୍ରଶାସନ ଯାଏଁ ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଅନ୍ତି। କିନ୍ତୁ ଏଠାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହା ଅତି ପୁରାତନ କଲେଜ ହୋଇଥିଲେ ସୁଦ୍ଧା ଏହି କଲେଜର ପରିମଳ ବ୍ୟବସ୍ଥାକୁ କାହାରିବି ନଜର ନାହିଁ। ପିଇବା ପାଣି ଠାରୁ ଆରମ୍ଭ କରି ଶୌଚାଳୟ ଯାଏଁ ସବୁଥିରେ ଅଭାବ। କଲେଜରେ ଅଧାରୁ ଅଧିକ ପଦବୀ ଖାଲି ପଡ଼ିଛି ଏବଂ କିଛି ୨୧ ଜଣ ଅତିଥି ଅଧ୍ୟାପକ ମାଧ୍ୟମରେ ଶିକ୍ଷାଦାନ ଚାଲିଛି। ଦୁର୍ଭାଗ୍ୟର ବିଷୟ ଏହିକି ଯେ କଲେଜ ଆରମ୍ଭରୁ ଦୁଇଟି ପ୍ରିନସ୍ପାଲ୍ ହିଁ କାର୍ଯ୍ୟରତ ଥିବା ସୂଚନା ଫଳକୁ ଅନୁମାନ କରାଯାଉଛି। ଏଠୁ ସହଜରେ ଅନୁମାନ କରିହୁଏ ଯେ ସରକାର ଉଚ୍ଚଶିକ୍ଷା ପ୍ରତି କେତେ ସଜାଗ ଅଛନ୍ତି। ଛାତ୍ରଛାତ୍ରୀମାନେ ଏହି ସମସ୍ୟାମାନଙ୍କୁ ନେଇ ବାରମ୍ୱାର ଆନ୍ଦୋଳନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ପ୍ରତିଶ୍ରୁତି ହିଁ ପ୍ରତିଶ୍ରୁତିରେ ରହିଗଲା ପରି ମନେହେଉଛି। ଏହି ମହାବିଦ୍ୟାଳୟ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁିଥବା ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି। ମହାବିଦ୍ୟାଳୟ ସମସ୍ତ ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ଅତିଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

Share :