ବିଜେପିକୁ ସମର୍ଥନର କାରଣ କ’ଣ? ଉତ୍ତର ଦେଉ ବିଜେଡି!

ବିଜେପିକୁ ସମର୍ଥନର କାରଣ କ’ଣ? ଉତ୍ତର ଦେଉ ବିଜେଡି!

Share :

ଅଳିକ କିଶୋର ପଟ୍ଟନାୟକ ୨୦୧୯ ସାଧାରଣ ନିବାର୍ଚନରେ ବିଜୟ ଲାଭ କଲାପରେ ବିଜେପି ସରକାର ପାଲାର୍ମେଣ୍ଟର ପ୍ରଥମ ଅଧିବେଶନ ରୁ ହିଁ ଗୋଟିଏ ପରେ ଗୋଟିଏ ଜନବିରୋଧି ନିଷ୍ପତ୍ତି ଏବଂ ପୂର୍ବ ପ୍ରଚଳିତ ଆଇନକୁ ଏକତରଫା ଏବଂ ଅଗଣତାନ୍ତ୍ରିକ ଭାବେ ନିଜର କ୍ରୁର ସଂଖ୍ୟା ଗରିଷ୍ଠତା ବଳରେ ସଂଶୋଧନ କରି ଚାଲିଛି। ଓଡିଶାର ବିଜେଡି ଦଳ ବିଜେପି ସରକାରର ଏହି ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରି ଚାଲିଛି। ଇତି ମଧ୍ୟରେ ପାଲାର୍ମେଣ୍ଟରେ ତିନି ତଲାକ ପ୍ରସଙ୍ଗ, ଜାତୀୟ ଅନୁସନ୍ଧାନ ଏଜେନ୍ସି ସୂଚନା ଅଧିକାର ଆଇନ ଇତ୍ୟାଦିରେ ସଂଶୋଧନ ଅଣାଯାଇଛି। ପୂର୍ବ ପ୍ରଚଳିତ ଆଇନରେ ଯେ କୌଣସି ସଂଗଠନକୁ ଆତଙ୍କବାଦୀ ଘୋଷଣା କରିବା ବ୍ୟବସ୍ଥା ଥିଲା। ସଂଶୋଧିତ ଆଇନରେ ବ୍ୟକ୍ତି ବିଶେଷକୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇପାରିବ ଏବଂ ଦେଶ ବାହାରେ ସେହି ବ୍ୟକ୍ତି ଥିଲେ ବି ଗିରଫ କରାଯାଇଥିବା ବ୍ୟବସ୍ଥା କରାଯାଇଛି। ଏଭଳି ମେରୀରାୟ ଶାସନ ପୃଥିବୀର କେଉଁ ଦେଶରେ ରହିଛି? ଗଣତାନ୍ତ୍ରିକ, ମାନବିକ ଅଧିକାର ହନନ କରିବା ହେଉଛି ବିଜେପି ସରକାରର ଉଦ୍ଦେଶ୍ୟ। ମୁସଲମାନ ବିବାହ ବିଚ୍ଛେଦ ନିମନ୍ତେ ତିନି ତଲାକ କୁ ଏକ ଅପରାଧ ଭାବେ ବିଚାର କରିବା ଏବଂ ଏଥିପାଇଁ ସ୍ୱାମୀକୁ ତିନିବର୍ଷ ପଯ୍ର୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ସଂଶୋଧନରେ ରଖା ଯାଇଥିବା ବେଳେ ଅନ୍ୟ ଧର୍ମବଲମ୍ୱୀ ଲୋକଙ୍କ ପରିବାରରେ ବିବାହ ବିଚ୍ଛେଦକୁ ଅପରାଧ ରୂପେ ବିବେଚନା କରାଯାଉନାହିଁ। କେନ୍ଦ୍ରର ବିଜେପି ସରକାର ରାଜନୈତିକ ଉଦ୍ଦେଶ୍ୟ ଦୃଷ୍ଟିରୁ ଏହି ପରିବର୍ତ୍ତନ କରିଛନ୍ତି। ସେହିପରି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ .ଆଇ.ଏ) ଆଇନରେ ସଂଶୋଧନ ଫଳରେ ଏଣିକି ଯେ କୌଣସି ବ୍ୟକ୍ତି ବିଶେଷକୁ ମଧ୍ୟ ଆତଙ୍କବାଦୀ ମୋହର ଲଗାଯାଇପାରିବ। କୋର୍ଟରୁ ନିର୍ଦ୍ଦିଷ୍ଟ ମାମଲାରେ ଜାମିନ ପାଇଥିଲେ ବି ଶେଷ ଯାଏଁ ଆତଙ୍କବାଦୀ ଆଖ୍ୟାରୁ ମୁକ୍ତ ହୋଇପାରିବ ନାହିଁ। ଏଥିପାଇଁ ତାଙ୍କୁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିବାକୁ ହେବ। ପ୍ରତ୍ୟକ୍ଷ, ବା ପରୋକ୍ଷ ଭାବେ ସମର୍ଥନ କରୁଥିବା କିମ୍ୱା ମତପୋଷଣ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଆତଙ୍କବାଦୀ ଆଖ୍ୟା ଦିଆଯାଇପାରିବ। ସହରୀ ମାଓବାଦୀ ଆଖ୍ୟା ଦେଇ ସରକାରଙ୍କ ବିରୋଧି ମନ୍ତବ୍ୟ ଦେଉଥିବା କିମ୍ୱା ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା ଦେଶର ବୁଦ୍ଧିଜୀବୀ, ସକ୍ରୀୟ କର୍ମୀ, ମାନବଅଧିକାର କର୍ମୀମାନଙ୍କୁ ଏଣିକି ସରକାର ଚାହିଁଲେ ଆତଙ୍କବାଦୀର ମୋହର ଲଗାଇ ଜାତୀୟ ତଦନ୍ତକାରୀ ଏଜେନ୍ସି ଦ୍ୱାରା ଗିରଫ କରି ବର୍ଷ ବର୍ଷ ଜେଲ୍‌ରେ ରଖିପାରିବେ। ପ୍ରଚଳିତ ସମସ୍ତ ଆଇନକୁ ପରିବର୍ତ୍ତନ କରିବା ପ୍ରକ୍ରିୟାରେ କେନ୍ଦ୍ରର ବିଜେପି ସରକାର ଦୀର୍ଘ ସଂଗ୍ରାମରୁ ପ୍ରାପ୍ତ ଭାରତୀୟ ସୂଚନା ଅଧିକାର ଆଇନ, ୨୦୦୫ରେ ସଂଶୋଧନ ଆଣିଛନ୍ତି। ଏଣିକି କେନ୍ଦ୍ରୀୟ ଓ ରାଜ୍ୟ ସ୍ତରୀୟ ସୂଚନା କମିଶନର ମୁଖ୍ୟ ଓ ସଭ୍ୟମାନଙ୍କ ନିଯୁକ୍ତି, ବେତନ ଇତ୍ୟାଦି ନିର୍ଦ୍ଧାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା କାରଯିବ। ରାଜ୍ୟ ସୂଚନା ଅଧିକାର ଆଇନକୁ ଅକାମୀ କରିଦେବା ନିମନ୍ତେ ଷଡଯନ୍ତ୍ରର ଏହା ପଦକ୍ଷେପ। ଏହି ସଂଶୋଧନ ବିରୋଧରେ ପୂର୍ବରୁ ବିଜେଡି ପକ୍ଷରୁ ପାଲାର୍ମେଣ୍ଟରେ ଦସ୍ତଖତ କରିଥିବା ବେଳେ ହଠାତ୍ ମତ ପରିବର୍ତ୍ତନ କରି କାହା ଇଙ୍ଗିତରେ ଏବଂ କେଉଁ ସ୍ୱାର୍ଥରେ ବିଜେପିର ସଂଶୋଧନୀ ପ୍ରସ୍ତାବକୁ ସମର୍ଥନ କଲେ ତାହା ଓଡିଶାବାସୀଙ୍କ ସମ୍ମୁଖରେ ବିଜେଡି ସ୍ପଷ୍ଟ କରିବା ଦରକାର। ଚଳିତ ଜୁଲାଇ ୨୩ ତାରିଖ ଦିନ ମଜୁରୀ କୋର୍ଡ ବିଲ୍‌ - ୨୦୧୯ ଏନଂ ଅକ୍ୟୁପେସନାଲ ହେଲ୍‌ଥ ସେଫ୍ଟି ଆଣ୍ଡ ୱାର୍କିଂ କଣ୍ଡିସନର ବିଲ୍ - ୨୦୧୯ ଲୋକସଭାରେ କେନ୍ଦ୍ର ସରକାର ତରବରିଆ ଭାବେ ପୁଞ୍ଜିପତି ମାଲିକମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ଆଗତ କରିଛନ୍ତି। ଏହା ଦ୍ୱାରା ଶତକଡା ୯୦ ଭାଗ ଅସଂଗଠିତ, ଅସ୍ଥାୟୀ, ଆଉଟସୋର୍ସ ଶ୍ରମିକମାନେ କ୍ଷତିଗ୍ରସ୍ତ ହେବେ। ଏଣେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କୁ ବାଦ ଦେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଥାକଥିତ ବିଶେଷଜ୍ଞମାନଙ୍କୁ ନେଇ ଗଠିତ କମିଟି ଜାତୀୟ ସର୍ବନିମ୍ନ ମଜୁରୀ ଦୈନିକ ମାତ୍ର ୧୭୮ ଟଙ୍କା ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ଶ୍ରମମନ୍ତ୍ରୀ ଏହାକୁ ଗ୍ରହଣ କରି ପାଲାର୍ମେଣ୍ଟରେ ଘୋଷଣା ମଧ୍ୟ କରିଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ ସର୍ବନିମ୍ନ ମଜୁରୀ ଦୈନିକ ୩୬୬ ଟଙ୍କା। ଅନ୍ୟପକ୍ଷରେ ୧୫ଶ ଶ୍ରମ ସମ୍ମିଳନୀରେ ସ୍ଥିରୀକୃତ ହୋଇଥିବା ସର୍ବନିମ୍ନ ମଜୁରୀ ଉପରେ ଅଧିକ ୨୫% ଯୋଗ କରି ସର୍ବନିମ୍ନ ମଜୁରୀ ସ୍ଥିର କରିବା ପାଇଁ ରାପ୍‌ଟାକ୍ସ ଏଣ୍ଡ ବ୍ରେଟ୍ କେଶ୍‌ରେ ସୁପ୍ରୀମ କୋର୍ଟ ନିଜର ରାୟ ପ୍ରଦାନ କରିଛନ୍ତି। କିନ୍ତୁ ଏହାକୁ କାଯ୍ର୍ୟକାରୀ କରିବା ପରିବର୍ତ୍ତେ କେନ୍ଦ୍ରର ବିଜେପି ସରକାର ସର୍ବନିମ୍ନ ମଜୁରୀ ହ୍ରାସ କରିବାକୁ ବସିଛନ୍ତି। ଓଡିଶାର ବିଜେଡି ଦଳ ପକ୍ଷରୁ େୱଜ୍ କୋର୍ଟ ବିଲ୍‌କୁ ଏଯାଏଁ ବିରୋଧ କରାଯାଇ ନାହିଁ। ଉପରୋକ୍ତ ସମସ୍ତ ସଂଶୋଧନ ଓ ପରିବର୍ତ୍ତନକୁ ବିଜେଡି ସମର୍ଥନ କରିବା କାହା ସ୍ୱାର୍ଥରେ ତାହା ବିଜେଡି ଉତ୍ତର ଦେବା ଦରକାର। ସମ୍ପାଦକ, ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି

Share :