ଘରେ କାମ କରୁନି ମୁଖ୍ୟମନ୍ତ୍ରୀଙ୍କ ୫-ଟି!

ଘରେ କାମ କରୁନି ମୁଖ୍ୟମନ୍ତ୍ରୀଙ୍କ ୫-ଟି!

Share :

ସ୍ବତନ୍ତ୍ର ପ୍ରତିନିଧି ପ୍ରାୟ ୨୦ ବର୍ଷ ଶାସନ କ୍ଷମତାରେ ରହିବା ପରେ ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରଶାସନକୁ ୩ଟି ମନ୍ତ୍ରୀ ଦେଇଥିଲେ। ସେତେବେଳେ ଏହି ୩ଟି ଥିଲା- ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି ଓ ଟିମ୍‌ ୱାର୍କ। ନିର୍ବାଚନ ପରେ ସେଥିରେ ସେ ଆଉ ଦି’ଟି ଟି ଯୋଡ଼ିଛନ୍ତି। ସେ ଦୁଇଟି ହେଲା ଟାଇମ୍‌ ଓ ଟ୍ରାନ୍ସଫର୍ମେସନ। ଏମିତି ୫ଟି ମନ୍ତ୍ର ଜପ ବା ପାଳନ କରିବାକୁ ସେ ତାଙ୍କର ପ୍ରାଶାସନିକ ସହଯୋଗୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ତାଙ୍କର ଏହି ମନ୍ତ୍ରୀ ତାଙ୍କ ନିଜ ଅଧୀନରେ ଥିବା ଗୃହ ବିଭାଗରେ କାମ କରୁଛି କି ନାହିଁ ମୁଖ୍ୟମନ୍ତ୍ରୀ କେବେ ତାହାର ସମୀକ୍ଷା କରିଛନ୍ତି କି ନାହିଁ ଜଣାନାହିଁ। ୧. ପୁଲିସ ବିଭାଗ କି ଟେକ୍ନୋଲୋଜିରେ ତଦନ୍ତ କରେ କେଜାଣି ଦୋଷୀ କେବେ ଧରା ପଡ଼େ ନାହିଁ। ଅନେକ ମାମଲାରେ ଦୋଷୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି। ପିପିଲି ଅଞ୍ଚଳର ବେବିନା ଦୁର୍ଷ୍କମ ଓ ହତ୍ୟାକାଣ୍ଡର ମାମଲାରୁ ଓଡ଼ିଶାର ଗୃହ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଟେକ୍ନୋଲୋଜି ମନ୍ତ୍ରର ଶକ୍ତି କେତେ ତାହା ଜଣାପଡ଼େ। ଗୃହ ବିଭାଗ ଅପରାଧୀଙ୍କୁ ଧରିବାକୁ ଟେକ୍ନୋଲୋଜି ବ୍ୟବହାର କରେ କି ଅପରାଧୀଙ୍କୁ ଛାଡ଼ିବା ପାଇଁ ତାହା ଦେଖିବାର କଥା। ମୁଖ୍ୟମନ୍ତ୍ରୀ ବୋଧହୁଏ ଅପରାଧୀଙ୍କୁ ଛାଡ଼ିବାକୁ ଜ୍ଞାନକୌଶଳ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ତାଙ୍କ ଅଧୀନସ୍ତ ପୁଲିସବାବୁମାନେ, କୁନ୍ଦୁଲି ପୀଡ଼ିତା ଘଟଣାରେ। କୋରାପୁଟର କୁନ୍ଦୁଲି ଅଞ୍ଚଳର ନାବାଳିକ ଝିଅଙ୍କୁ ଗଣଦୁଷ୍କର୍ମ କରାଗଲା। କିନ୍ତୁ ତାହାର ଦୁଷ୍କର୍ମକାରୀ ଧରା ପଡ଼ିଲେ ନାହିଁ। ଓଲଟି ତା’କୁ ଦୁଷ୍କର୍ମ କରାଯାଇ ନଥିଲା ବୋଲି ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରର ବାବୁମାନଙ୍କଠାରୁ ଆରମ୍ଭ କରି ଫରେନ୍ସିକ ଲାବୋରେଟୋରିର ବାବୁମାନେ ଏକଜୁଟ ହୋଇଗଲେ ଓ କୁନ୍ଦୁଲି ପୀଡ଼ିତାର ଚଡ଼ିର ଫରେନ୍ସିକ ଯାଞ୍ଚ ରିପୋର୍ଟ ବଦଳାଇ ଦିଆଗଲା। ଏହା ଧରାପଡ଼ିବାରୁ ଶେଷରେ ଓଡ଼ିଶାର ଟେକ୍ନୋଲୋଜିକୁ ବିଶ୍ବାସ ନକରି ଅନ୍ୟ ରାଜ୍ୟର ଟେକ୍ନୋଲୋଜି ଉପରେ ଭରସା କରାଗଲା ଓ ସେଠାରୁ ଇଚ୍ଛାନୁସାରେ ରିପୋର୍ଟ ଆଣି ସରକାର ନିଜର ସତୀତ୍ବ ପରୀକ୍ଷା ଦେଲେ। ୨. ଓଡ଼ିଶା ପୁଲିସର ଟିମ୍‌ ୱାର୍କ ମଧ୍ୟ ପ୍ରଶଂସନୀୟ। ଏଠି ପୁଲିସ ଏଭଳି ଦଳବଦ୍ଧ ଭାବେ କାର୍ଯ୍ୟ କରେ ଯେ ଶାସକ ଦଳର ହିତ ଛାଡ଼ି ଅନ୍ୟ କେଉଁ ଦଳର ହିତ କଥା ବିଲ୍‌କୁଲ୍‌ ଚିନ୍ତା କରେ ନାହିଁ। ଏପରିକି ଶାସକ ଦଳର ସ୍ବାର୍ଥ ନଥିଲେ ନାଗରିକମାନଙ୍କ କଥା ମଧ୍ୟ ପୁଲିସ ଭୁଲିଯାଏ। ପୁଲିସ ଏଠାରେ ଦଳବଦ୍ଧ, ମାନେ ବିଜେଡିବଦ୍ଧ। ଆଉ ପୁଲିସବାବୁମାନଙ୍କ ଦଳବଦ୍ଧ କାମ ବା ଟିମ୍‌ ୱାର୍କର ପରିଚୟ ମିଳିସାରିଛି ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ ହୋଇଥିବା ଭିଜିଲାନ୍ସ ମକଦ୍ଦମାରୁ। ପ୍ରକାଶ ମିଶ୍ରଙ୍କୁ ମିଛୁଟାରେ ବଦନାମ କରି ତାଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ନଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ପୁଲିସ ଯେପରି ଦଳବଦ୍ଧ ଭାବେ କାର୍ଯ୍ୟ କଲା ତାହା ପ୍ରକୃତରେ ପ୍ରଶଂସନୀୟ। ଓଡ଼ିଶା ପୁଲିସ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ବଦନାମ ହେଉ ସେଥିରେ ମୁଖ୍ୟମନ୍ତ୍ରୀ ବା ତାଙ୍କ ଦପ୍ତରର କେଉଁ ବାବୁଙ୍କର କ’ଣ ଯାଏ? ୩. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ତାଙ୍କ ଅଧୀନସ୍ତ ପୁଲିସ ପ୍ରଶାସନ ମଧ୍ୟ ବାହାରକୁ ବେଶ୍‌ ସ୍ବଚ୍ଛ। ଭିତର ପୋଷାକ ମଇଳା। ଓଡ଼ିଶା ପୁଲିସର ସ୍ବଚ୍ଛତା ପ୍ରମାଣ କ’ଣ ପୂର୍ବତନ ଡିଜି ପୁଲିସଙ୍କ ବିରୋଧରେ ଦୁର୍ନୀତି ମାମଲା ଦାଏର ହେବା? ଓଡ଼ିଶା ପୁଲିସର ସ୍ବଚ୍ଛତା କ’ଣ ଭଦ୍ରକ ଜେଲ୍‌ରୁ ଡକାୟତଙ୍କୁ ଖସାଇବାରେ ସହାୟକ ସାଜି ସସ୍‌ପେଣ୍ଡ ହୋଇଥିବା ପୁଲିସ ବାବୁଙ୍କୁ ପରବର୍ତ୍ତୀ ସମୟରେ ଡିଜି କରିବା? ଓଡ଼ିଶା ପୁଲିସର ସ୍ବଚ୍ଛତାର ପ୍ରମାଣ ଏବେ ଏବେ ମିଳିଛି ମାଲକାନଗିରିରେ। ମାଲକାନଗିରି ସଦର ଥାନାର ଭାରପ୍ରାପ୍ତ ଅଧିକାର ଏକ ମାମଲାରେ ୧ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ। ମାମଲା ଧରାପଡ଼ିବାରୁ ବାଧ୍ୟ ହୋଇ ପୁଲିସ ଡିଜି ତାଙ୍କୁ ସସ୍‌ପେଣ୍ଡ କଲେ। ଧରା ପଡ଼ି ନଥିଲେ ସେ ନିଶ୍ଚୟ ସ୍ବଚ୍ଛ ରହିଥାନ୍ତେ। ଚିଟ୍‌ ଫଣ୍ଡ ଠକେଇରେ ଧରାପଡ଼ିଥିଲେ ଜଣେ ପୁଲିସ। ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରି ଧରା ପଡ଼ିଥିଲେ ଅନ୍ୟ ଜଣେ ପୁଲିସ। ଡକାୟତି, ଲୁଟ୍‌, ହତ୍ୟା, ଚୋରିମାଲ୍‌ ଚୋରି ଆଦି କେଉଁ ଅପରାଧର ଅଭିଯୋଗ ଓଡ଼ିଶା ପୁଲିସ ବିରୋଧରେ ନାହିଁ ମୁଖ୍ୟମନ୍ତ୍ରୀ ଟିକେ କହିବେ କି? ୪. ଆଉ ମୁଖ୍ୟମନ୍ତ୍ରୀଙ୍କ ଟାଇମ ବା ସମୟ ମନ୍ତ୍ରଟି ମଧ୍ୟ ତାଙ୍କ ପୁଲିସକୁ ସଂପୂର୍ଣ୍ଣ ଉଦବୁଦ୍ଧ କରିଛି! ସେଥିପାଇଁ ଗୋଟେ ଗୋଟେ ମାମଲାର ତଦନ୍ତ ଏତେ ଦିନ ଗଡ଼ି ଯାଉଛି ଯେ ଅପରାଧୀମାନେ ପ୍ରମାଣ ନଷ୍ଟ କରି ଆରାମରେ ଖସି ଯାଉଛନ୍ତି। ରାୟଗଡ଼ା ଟିକିରି ଅଞ୍ଚଳର ଜଣେ ଶିକ୍ଷୟିତ୍ରୀକୁ ପୋଡ଼ି ମାରିଦିଆଗଲା। ଓଡ଼ିଶା ପୁଲିସ ସେ ମାମଲାର ତଦନ୍ତକୁ ଏମିତି ସମୟାନୁବର୍ତ୍ତୀ ଭାବେ ପରିଚାଳନା କଲେ ଯେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଗଲା। ପ୍ରମାଣ ସବୁ ନଷ୍ଟ ହୋଇଗଲା। ଶେଷରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତଭାର ସିବିଆଇ ନେଲା। ହେଲେ ସେତେବେଳକୁ ବର୍ଷ ବିତି ଯାଇଥିଲା। ଆଉ କିଛି ପ୍ରମାଣ ନଥିଲା। ଅଭିଯୁକ୍ତର ଟେର୍‌ ବି ପାଇଲାନି ସିବିଆଇ। ୫. ଟ୍ରାନ୍ସଫର୍ମେସନ ବା ରୂପାନ୍ତରଣ/ପରିବର୍ତ୍ତନ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ମନ୍ତ୍ର। ତାଙ୍କ ଅଧୀନରେ ପୁଲିସ କ’ଣ କମ୍‌ ବଦଳିଛି? କମ୍‌ ରୂପ ବଦଳାଇଛି? ୨୦୧୧ ଅକ୍ଟୋବର ମାସରେ ସମ୍ବଲପୁରର ଜଣେ ମହିଳା ଜୟଶ୍ରୀ ମିଶ୍ର ନିଖୋଜ ହୋଇଗଲେ। ତାଙ୍କ ବଡ଼ ଝିଅର ବାହାଘର ଆଗରେ ଥିଲା। ସାନ ଝିଅ ବିଜୟିନୀ ମିଶ୍ର ଥାନାରେ ଏତଲା ଦେଲେ। ପୁଲିସବାବୁ ଷ୍ଟ୍ରେସନ ଡାଏରି କରି ତଦନ୍ତ ଗଡ଼ାଇଦେଲେ। ବାରମ୍ବାର ଦାବି କରିବାକୁ କୁହାଗଲା କେଉଁ ଆଡ଼େ କା ସାଙ୍ଗରେ ପଳାଇଥିବ! ଝିଅ ବିଜୟିନୀର ନିଷ୍ଠାପର ଉଦ୍ୟମ ଯୋଗୁଁ ଶେଷରେ ୮ ବର୍ଷ ପରେ ଜଣାପଡ଼ିଲା ଯେ ଜୟଶ୍ରୀ ମିଶ୍ରଙ୍କୁ ତାଙ୍କ ସଂପର୍କୀୟ ହତ୍ୟା କରି ପୋତି ଦେଇଥିଲେ। ଆଠ ବର୍ଷ ପରେ ପୋତାଯାଇଥିବା ଜାଗାରୁ ତାଙ୍କର କଙ୍କାଳ ଉଦ୍ଧାର ହୋଇଛି। ଜୟଶ୍ରୀଙ୍କ ଝିଅ ବିଜୟିନୀ ଯଦି ପାଠ ପଢ଼ୁଆ ଝିଅ ହୋଇ ନଥାନ୍ତେ? ସେ କେଉଁ ନିପଟ ମଫସଲ ଗାଁର ଗରୀବ ଘରର ପିଲା ହୋଇଥାନ୍ତେ? ସେ ପୁଲିସକୁ କେତେ ଚିଠି ଲେଖିଥାନ୍ତେ? କେତେ ଥର କଟକ, ଭୁବନେଶ୍ବର ଦୌଡ଼ିଥାନ୍ତେ? କେମିତି ନ୍ୟାୟ ପାଇଥାନ୍ତେ? ୬. ଓଡ଼ିଶା ପୁଲିସର ଦକ୍ଷତାର ପରିଚୟ ଦେଇଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନାର ଗୋଟିଏ ମାମଲା। ଜଙ୍ଗଲରୁ ପୁଲିସ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପାଇଲା। ପୁଲିସ ତା’ ନାଁ ଦେଲା ରାଇମଣି। ଆଉ ରାଇମଣିର ହତ୍ୟାକାଣ୍ଡ ପାଇଁ ତା’ର ସ୍ବାମୀ ଓ ଶ୍ବଶୁରଙ୍କୁ ଗିରଫ କଲା। କୋର୍ଟରେ ପୁଲିସବାବୁ ବୟାନ ଦେଲେ ଯେ ଅପରାଧୀମାନେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି। ତେଣୁ ସେମାନଙ୍କର ଜାମିନ ନାମଞ୍ଜୁର ହେଲା ଓ ସେମାନେ ଜେଲ୍‌ରେ ରହିଲେ। କିନ୍ତୁ ବାପପୁଅ ବାରମ୍ବାର କହୁଥାନ୍ତି ସେମାନେ ନିର୍ଦ୍ଦୋଷ, ସେମାନେ କାହାକୁ ମାରି ନାହାନ୍ତି। ଶେଷରେ ପୁଲିସ ଖାତାରେ ନିହତ ମହିଳା କଟକରେ ମିଳିଲେ, ସଶରୀରେ, ଜୀବନ୍ତ ଅବସ୍ଥାରେ। ବିନା ଦୋଷରେ କିନ୍ତୁ ବାପପୁଅ ୩ ମାସ ଜେଲ୍‌ରେ ରହିସାରିଲେଣି। ଏଭଳି ଘଟଣା ନବୀନବାବୁଙ୍କ ପୁଲିସ ପ୍ରଶାସନରେ କମ୍‌ ନୁହେଁ। ଖୋଜି ବସିଲେ ଶହଶହ ମିଳିବ। କେଉଁଠି ନକ୍ସଲ ସନ୍ଦେହରେ ଅଟୋରେ ଘର ଫେରନ୍ତା ନିରୀହ ଶ୍ରମିକମାନଙ୍କୁ ହତ୍ୟା କରାଯାଉଛି ତ କେଉଁଠି ପୁଅକୁ ଫୋନ କରୁଥିବା ବାପାମା’ଙ୍କୁ ନକ୍ସଲ ସଜେଇ ଏନକାଉଣ୍ଟର କରାଯାଉଛି। ୭. ପୁଲିସ ବାହିନୀରେ ଏବେ ଏକ ପଞ୍ଚମାଂଶ ପଦବୀ ଖାଲି। ମଞ୍ଜୁରପ୍ରାପ୍ତ ପ୍ରାୟ ୮୩ ହଜାର ପଦରୁ ୧୬ ହଜାର ଉପରେ ଖାଲି। ଏଥିରେ ପୁଲିସ କେମିତି ଟାଇମ ଭିତରେ ଟ୍ରାନ୍ସପ୍ୟାରେନ୍ସି ରଖି ଟେକ୍ନୋଲୋଜି ବ୍ୟବହାର କରି ଟିମ୍‌ ୱାର୍କ ଜରିଆରେ ଟ୍ରାନ୍ସଫର୍ମେସନ କରିବ? ସରକାରଙ୍କ ଶ୍ବେତପତ୍ର ଅନୁସାରେ ରାଜ୍ୟରେ ଏବେ ଦିନକୁ ୭ଟି ଧର୍ଷଣ ଓ ୪ଟ ହତ୍ୟାକାଣ୍ଡ ଘଟୁଛି। ଏଇଟା ରାଜ୍ୟ ସରକାରଙ୍କର ଟ୍ରାନ୍ସଫର୍ମେସନ ହୋଇଥିବ କି ଆଉ!

Share :