ଆରଟିଆଇ ଆଇନର ଉପରେ ଅଙ୍କୁଶ ଲାଗିବନି : କେନ୍ଦ୍ର ମନ୍ତ୍ରୀ

ଆରଟିଆଇ ଆଇନର ଉପରେ ଅଙ୍କୁଶ ଲାଗିବନି : କେନ୍ଦ୍ର ମନ୍ତ୍ରୀ

Share :

ପିଆଇବି ନିକଟରେ ଲୋକସଭାରେ ଗୃହୀତ ହେବା ପରେ ସୂଚନା ଅଧିକାର ଆଇନ(ଆରଟିଆଇ) ସଂଶୋଧନ ବିଲ୍‌, ୨୦୧୯ ଜୁଲାଇ ୨୫ ତାରିଖରେ ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଥିଲେ ଯେ ଆରଟିଆଇ ଆଇନର ସ୍ୱାଧୀନତା ଉପରେ ଉପରେ ଅଙ୍କୁଶ ଲଗାଇବାର କୌଣସି ଉଦ୍ଦେଶ୍ୟ ସରକାରଙ୍କର ନାହିଁ। ଆଇନର ସ୍ୱାଧୀନତାରେ କୌଣସି ପ୍ରକାରର ହସ୍ତକ୍ଷେପ କରିବାର ଉଦ୍ଦେଶ୍ୟ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ସୂଚନା ଆୟୁକ୍ତଙ୍କ କାର୍ଯ୍ୟକାଳ ଧାର୍ଯ୍ୟ କରିବା ସମ୍ପର୍କରେ ବିରୋଧୀ ଦଳଗୁଡ଼ିକ କରୁଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇ ସେ କହିଥିଲେ ଯେ ଦୁଇ ବର୍ଷରେ ଥରେ ସୂଚନା ଆୟୁକ୍ତଙ୍କୁ ସରକାର ପରିବର୍ତ୍ତନ କରିବେ ବୋଲି କୌଣସି ବ୍ୟବସ୍ଥା ସଂଶୋଧନରେ ହୋଇନାହିଁ। ନିୟମର ସଂଶୋଧନ ଦ୍ୱାରା ସରକାର କୌଣସି ପ୍ରକାରର ଅଖଣ୍ଡ କ୍ଷମତା ପାଇବେ ନାହିଁ ବୋଲି ସେ ଜୋର ଦେଇ କହିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ସରକାର ସମସ୍ତ ପ୍ରକାରର ପରାମର୍ଶକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ଥିଲେ ଏବଂ ସତ୍ ଉଦ୍ଦେଶ୍ୟ ନେଇ ଏହି ସଂଶୋଧନ କରାଯାଇଛି। ଏହି ବିଲକୁ ସଂସଦର ଚୟନ କମିଟି ନିକଟକୁ ପଠାଇବା ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ ଯେ ଏହା ସଦସ୍ୟମାନଙ୍କର ବିଶେଷାଧିକାର ଏବଂ ବିଲ୍‌ର ଗୁରୁତ୍ୱ ଆଧାରରେ ଏହାକୁ ବିଚାର କରାଯିବାର ଆବଶ୍ୟକତା ରହିଛି। ମନ୍ତ୍ରୀ କହିଥିଲେ ଯେ ସରକାର ସବୁବେଳେ ସର୍ବାଧିକ ପ୍ରଶାସନ ଏବଂ ସର୍ବନିମ୍ନ ସରକାର ନୀତି ଉପରେ ଗୁରୁତ୍ୱାରୋପ କରିଆସିଛନ୍ତି। ଏଥିପାଇଁ ସରକାର ବ୍ୟକ୍ତିଗତ ସତ୍ୟପାଠ (ସେଲÞ ଆଟେଷ୍ଟେସନ) ଏବଂ ସାକ୍ଷାତକାର ଉଚ୍ଛେଦ ଭଳି ପଦକ୍ଷେପ ନେଇଛନ୍ତି। ଏସବୁ କାର୍ଯ୍ୟକ୍ରମ ପଛରେ ସରକାରଙ୍କ ପ୍ରତିବଦ୍ଧତା ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ରହିଛି। ମନ୍ତ୍ରୀ ଆହୁରି କହିଥିଲେ ଯେ ସରକାର ‘ମୋବାଇଲ ଆପ’ର ପ୍ରଚଳନ କରିଛନ୍ତି ଯାହା ମାଧ୍ୟମରେ ନାଗରିକମାନେ ଯେକୌଣସି ସମୟରେ ଆରଟିଆଇ ଦାଖଲ କରିପାରିବେ। ବିଗତ ୫ ବର୍ଷରେ ଅଧିକାଂଶ ସୂଚନା ସର୍ବସାଧାରଣରେ ପ୍ରକାଶ କରାଯାଇସାରିଛି। ଏହି ସଂଶୋଧନ ଅଣାଯିବାର ଉଦ୍ଦେଶ୍ୟ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ ମୁଖ୍ୟ ସୂଚନା ଆୟୁକ୍ତ (ସିଆଇସି) ହେଉଛି ଏକ ବୈଧାନିକ ପଦବୀ ଏବଂ ନିର୍ବାଚନ ଆୟୋଗ ଏକ ସାମ୍ୱିଧାନିକ ପଦବୀ। ତେଣୁ ଭାରତର ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ତଥା ରାଜ୍ୟ ସୂଚନା ଆୟୋଗର କ୍ଷମତା ଭିନ୍ନ ଭିନ୍ନ ଏବଂ ଏହାକୁ ତଦନୁଯାୟୀ ବିବେଚନା କରାଯିବା ଆବଶ୍ୟକ। କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଏହି ସଂଶୋଧନ ଅଣାଯାଇନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରି ଦେଇଥିଲେ। ଆରଟିଆଇକୁ ବ୍ୟବସ୍ଥିତ କରିବାରେ ଏହା ସହାୟକ ହେବ ବୋଲି ସେ କହିଥିଲେ। ଆରଟିଆଇ ଆଇନକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ସେ ଆଶ୍ୱାସନା ଦେଇଥିଲେ। ଜୁଲାଇ ୨୨ ତାରିଖରେ ସୂଚନା ଅଧିକାର ଆଇନ (ସଂଶୋଧନ) ବିଲ ଲୋକସଭାରେ ଗୃହୀତ ହୋଇଥିଲା। ଏହି ସଂଶୋଧନରେ ସୂଚନା ଅଧିକାର ଆଇନ, ୨୦୦୫ରେ କେତେକ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହା ମଧ୍ୟରେ ରହିଛି ମୁଖ୍ୟ ସୂଚନା ଆୟୁକ୍ତ, ସୂଚନା ଆୟୁକ୍ତ, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ସୂଚନା ଆୟୁକ୍ତମାନଙ୍କ କାର୍ଯ୍ୟକାଳ, ଦରମା, ଭତା ଏବଂ ସେବାର ଅନ୍ୟ ନିୟମ ଓ ସର୍ତ୍ତାବଳୀ କେନ୍ଦ୍ର ସରକାର ନିର୍ଦ୍ଧାରିତ ନିୟମ ଅନୁଯାୟୀ ହେବ।

Share :