ବିଧାନସଭାରେ ଭାଷା ଆଇନ ଉପରେ ଆଲୋଚନା ଦାବୀ

ବିଧାନସଭାରେ ଭାଷା ଆଇନ ଉପରେ ଆଲୋଚନା ଦାବୀ

Share :

    ସ୍ବାଧୀନତା ପରେ ଲୋକଙ୍କ ଭାଷାରେ ଲୋକଙ୍କ ଶାସନ ପ୍ରତିଷ୍ଠା କରିବା ପଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଣୟନ କରିଥିଲେ । ଏହି ଆଇନ କାର୍ଯ୍ୟକାରୀ ନହେବା ହେତୁ ଓଡ଼ିଶାର ଲୋକେ ଏବେ ବି ନିଜ ମାତୃଭାଷାରେ ଶାସନର ସୁବିଧା, ନ୍ୟାୟ ପାଇ ପାରୁ ନାହାନ୍ତି । ଓଡ଼ିଆ ଭାଷା ଓଡ଼ିଆ ଲୋକଙ୍କ ପାଇଁ ଜୀବନ ଜୀବିକାର ଭାଷା ହୋଇନଥିବାରୁ, ଓଡ଼ିଆ ପିଲାମାନେ ଓଡ଼ିଆ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି ଭଳି ଚାଲିଲେ ଆଗାମୀ ପଚାଶ ବର୍ଷ ମଧ୍ୟରେ ଓଡ଼ିଆ ଭାଷା ମରିଯିବ । ତେଣୁ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ ଆଗାମୀ ବିଧାନ ସଭା ଅଧିବେଶନରେ ସରକାରୀ ଭାଷା ଆଇନ ଉପରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଦାବୀ କରାଯାଇଛି । ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ସାଂସଦ ବୈଷ୍ଣବ ପରିଡାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ୯ ନମ୍ବର ୟୁନିଟ୍ ସ୍ଥିତ ବୁଦ୍ଧ ମନ୍ଦିର ସଭାକକ୍ଷରେ ଆୟୋଜିତ ‘୧୯୫୪ ଓଡ଼ିଶା ସରକାରୀ ଭାଷା ଅଧିନିୟମର ବର୍ତ୍ତମାନ ସ୍ଥିତି ଓ ଏହାର କାର୍ଯ୍ୟକାରିତା ପାଇଁ ବିଧାନସଭାରେ ଆଲୋଚନା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କର କହିଲେ ରାଜନୈତିକ ଇଚ୍ଛା ଶକ୍ତି ଓ ଓଡ଼ିଆ ଜାତୀୟତା ବୋଧର ଅଭାବରୁ ଏହି ଐତିହାସିକ ଆଇନ କାର୍ଯ୍ୟକାରୀ ହୋଇପାରିନି । ଭାରତର ଅନ୍ୟ ରାଜ୍ୟମାନଙ୍କରେ ନିଜ ମାତୃଭାଷା ପ୍ରତି ଆଦର ବଢ଼ୁଥିଲା ବେଳେ ଓଡ଼ିଶାରେ ଇଂରେଜୀର ପ୍ରଭାବ ବଢ଼ିବଢ଼ି ଚାଲିଛି । ଏହା ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ପ୍ରତି ଘୋର ଅପମାନ । ବିଶିଷ୍ଟ ଆଇନଜ୍ଞ ଧରଣୀଧର ନାୟକ କହିଲେ, ଆଜିକାର ଭୋଟ ସର୍ବସ୍ବ ରାଜନୀତିରେ ସରକାର ଓ ରାଜନୈତିକ ଦଳାମାନେ ନିଜର ମାତୃଭାଷା ପ୍ରତି ଗୁରୁତ୍ବ ଦେଉ ନାହାନ୍ତି । ଯେଉଁ ଦିନ ଓଡ଼ିଶାର ଲୋକେ କହିବେ, ଭାଷା ନାହିଁ ତ ଭୋଟ ନାହିଁ, ସେହିଦିନ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହେବ । ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ ଓଡ଼ିଆ ଭାଷାର ଅବକ୍ଷୟକୁ ରୋକିବାକୁ ହେଲେ ସରକାରୀ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ସହିତ ରାଜ୍ୟରେ ଆରମ୍ଭ ହୋଇଥିବା ଭାଷା ଆନ୍ଦୋଳନକୁ ଆଉରି ତୀବ୍ରତର କରିବାକୁ ଆହ୍ବାନ ଦେଇଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଲେ ଯେ ଆଗାମୀ ବିଧାନସଭା ଅଧିବେଶନରେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳମାନେ ଏହି ଐତିହାସିକ ଆଇନରେ ଆବଶ୍ୟକ ସଂଶୋଧନ ଆଣି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କଲେ ଓଡ଼ିଶାବାସୀ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବେ । ସଭାପତି ସାଂସଦ ପରିଡ଼ା ତାଙ୍କ ଅଭିଭାଷଣରେ ଓଡ଼ିଆମାନେ ନିଜ ପାରିବାରିକ, ସାମାଜିକ ଜୀବନରେ ଓଡ଼ିଆ ଭାଷାକୁ ବ୍ୟବହାର କରିବା ସହିତ ସରକାରଙ୍କ ଉପରେ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ଚାପ କରିବାକୁ ନିବେଦନ କରିଥିଲେ । ଆଲୋଚନାଚକ୍ରରେ ବିଷୟବସ୍ତୁ ଉପରେ ଆଲୋଚନା ପାଇଁ ପୂର୍ବତନ ବିଚାରପତି ହୃଦୟବଲ୍ଲଭ ଦାସ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସମ୍ମିଳନୀର ସାଧାରଣ ସଂପାଦକ ବିଜୟ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପସଭାପତି ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶାରେ ବିଭିନ୍ନ ଜିଲ୍ଲାରୁ ତିନିଶହରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀ, ଲେଖକ, ସାହିତ୍ୟିକ ଓ ଭାଷାପ୍ରେମୀ ଏଥିରେ ଯୋଗ ଦେଇଥିଲେ । ସମ୍ମିଳନୀର ସଂପାଦକ ଅମିତାଭ ଖିଲାର, ସରୋଜ ବିଶ୍ବାଳ, ନୀଳମାଧବ ସାହୁ, ଦୀପକ ବେହେରା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

Share :