ସୁପ୍ରିମ କୋର୍ଟରେ ନବୀନ ସରକାରଙ୍କ ମିଥ୍ୟାପାଠର ପ୍ରତିବାଦ

ସୁପ୍ରିମ କୋର୍ଟରେ ନବୀନ ସରକାରଙ୍କ ମିଥ୍ୟାପାଠର ପ୍ରତିବାଦ

Share :

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକକୁ ପାଳନ କରିବା ବାହାନାରେ ଓଡ଼ିଶା ସରକାର ମନୋମୁଖୀ ଭାବେ ନାକଚ କରାଯାଇଥିବା ଜଙ୍ଗଲ ଅଧିକାର ଦାବୀଗୁଡ଼ିକୁ ପୁନଃ ବିଚାର ନକରି ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରି ସୁପ୍ରିମ କୋର୍ଟଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରିଛନ୍ତି। ଏହାର ପ୍ରତିବାଦ କରି ରାଜ୍ୟସ୍ତରୀୟ ଗ୍ରାମସଭା ସମୂହ, ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶା (ସି.ଏସ.୍ଡ଼ି.) ଓ ଭୂମି ଅଧିକାର ଆନ୍ଦୋଳନ ପକ୍ଷରୁ ଜୁଲାଇ ୨୨ ତାରିଖରେ ଦେଶବ୍ୟାପୀ ପ୍ରତିବାଦ ଅବସରରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ଅନୁସୂଚିତ ଜାତି ଅଞ୍ଚଳରେ ଆଦିବାସୀ ଜମି ହସ୍ତାନ୍ତର ରୋକିବା ପାଇଁ ପ୍ରଣୀତ ଆଇନ-୧୯୫୬/ (ରେଗୁଲେସନ-୨) ବଳବତ୍ତର ଥିବାବେଳେ ଗତ ୧୨ ଏପ୍ରିଲ୍, ୨୦୧୯ରେ ଓଡ଼ିଶା ହାଇକୋର୍ଟ ଏକ ମକଦ୍ଦମା (ଡବ୍ଲୁପି(ସି) ନଂ ୧୪୭୩୩/୨୦୦୬ର ବିଚାର କରି ଏପରି ଆଇନ୍ ବିରୁଦ୍ଧ ରାୟ ଦେଇଛନ୍ତି ଯାହା କାର୍ଯ୍ୟକାରୀ କରାଗଲେ ଆଇନ୍ର ମୂଳ ଲକ୍ଷ୍ୟ ବିଡ଼ମ୍ୱିତ ହେବ ବୋଲି ସଂଗଠନଗୁଡ଼ିକ ଅଭିଯୋଗ କରି ଏହାର ସମୀକ୍ଷା କରିବା ପାଇଁ ଆବଦେନ କରିବାକୁ ଓଡ଼ିଶା ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ-୨୦୦୬ ବିରୋଧରେ କିଛି କର୍ପୋରେଟ ସପକ୍ଷବାଦୀ ଓ ଆଦିବାସୀ ବିରୋଧୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ବିଚାର କଲାବେଳେ ଓଡ଼ିଶା ସରକାର ସୁପ୍ରିମ କୋର୍ଟଙ୍କୁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ନାକଚ ହୋଇଥିବା ମୋଟ ୧,୪୮,୮୭୦ ବ୍ୟକ୍ତିଗତ ଦାବି ମଧ୍ୟରୁ ୧,୨୨,୨୫୦ ଜଣ ଆଦିବାସୀ ଓ ୨୬,୬୨୦ ଜଣ ଅନ୍ୟ ପାରମ୍ପରିକ ବନବାସୀଙ୍କର ତଥ୍ୟ ପ୍ରଦାନ କରିଥିଲେ। ଏହି ଦାବୀଗୁଡ଼ିକର ସ୍ଥିତି ଉପରେ ଶୁଣାଣୀ କରି ଗତ ଫେବୃୟାରୀ ୨୮ ତାରିଖରେ ସୁପ୍ରିମ କୋର୍ଟ ତାଙ୍କର ୧୩ ଫେବୃୟାରୀ ୨୦୧୯ରେ ଦେଇଥିବା ଜଙ୍ଗଲ ଜମିରୁ ଉଚ୍ଛେଦ ଆଦେଶ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବା ସହିତ ରାଜ୍ୟ ସରକାରଙ୍କୁ ସବିଶେଷ ସତ୍ୟପାଠ ୧୨ ଜୁଲାଇ ୨୦୧୯ ସୁଦ୍ଧା ଦାଖଲ କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ଓଡ଼ିଶା ସରକାର ସୁପ୍ରିମ କୋର୍ଟରେ ସତ୍ୟପାଠ ବଦଳରେ ଏକ ମିଥ୍ୟାପାଠ ଦାଖଲ କରିଛନ୍ତି। ପ୍ରଶାସନିକ କଳ ଦ୍ୱାରା ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଆଇନର ପ୍ରକ୍ରିୟାକୁ ଉଲ୍ଲଙ୍ଘନ କରି ସରକାରୀ ପଦାଧିକାରୀମାନେ ଦାବିଦାରମାନଙ୍କ ଉପରେ ଚାପ ପ୍ରୟୋଗ କରି ପୂର୍ବରୁ ଛପା ହୋଇଥିବା ଫର୍ମାଟରେ ସେମାନଙ୍କର ଦସ୍ତଖତ ନେଇ ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକୁ ପ୍ରାୟୋଜିତ ଭାବରେ ନାକଚ କରିଛନ୍ତି। ଗ୍ରାମସଭାକୁ ସମ୍ପୂର୍ଣ୍ଣ ଅଣଦେଖା କରି ବେଆଇନ ଭାବେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣୀର ଆୟୋଜନ କରାଯାଉଛି, ଯାହାଜଙ୍ଗଲ ଅଧିକାର ଆଇନର ବିରୋଧୀ। ଅନେକ ଜିଲ୍ଲାରେ ଆଦିବାସୀ ଦାବିଦାରମାନଙ୍କ ପାଖକୁ ଦୀର୍ଘ ୭୫ ବର୍ଷ ଧରି ଜଙ୍ଗଲଜମି ଅଧିକାର କରିଥିବା ପ୍ରମାଣ ନଥିବା ହେତୁ ନାକଚ ହୋଇଥିବାର ନୋଟିସ୍ ପଠାଯାଇଛି। ଯଦିଓ ଆଇନଗତ ଭାବେ ୧୩ ଡିସେମ୍ୱର, ୨୦୦୫ ମସିହା ପୂର୍ବରୁ ଆଦିବାସୀମାନେ ଚାଷ ଓ ବାସ କରୁଥିଲେ ଦାବିଦାର ପାଇଁ ଯୋଗ୍ୟ ଅଟନ୍ତି। ଦାବି ଦାଖଲ ପରେ କ୍ଷେତ୍ର ଯାଞ୍ଚ ନକରି ଓ ଜମି ଚିହ୍ନଟ ନ କରି ଉପଖଣ୍ଡ ଓ ଜିଲ୍ଲାସ୍ତରରୁ ଦାବିଦାର ମାନଙ୍କ ପାଖକୁ ପଠା ଯାଇଥିବା ନୋଟିସ୍‌ରେ ଅଣ ଜଙ୍ଗଲ କିସମ ଜମିରେ ଦଖଲ ହେତୁ ନାକଚ କରାଯାଇଥିବା କାରଣ ଦର୍ଶାଯାଇଛି। ବିଭିନ୍ନ ଗଣସଂଗଠନମାନଙ୍କର ନେତୃବୃନ୍ଦ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ପିଏମଜି ଛକରେ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ଭୂମି ଅଧିକାର ଆନ୍ଦୋଳନ ତଥା ସିଏସ୍‌ଡିର କାର୍ଯ୍ୟକର୍ତ୍ତା ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସିଏସ୍‌ଡିର ରାଜ୍ୟ ଆବାହକ ଗୋପିନାଥ ମାଝୀ, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଆଦିବାସୀ ନେତ୍ରୀ ଆନ୍ନା କୁଜୁର, ସିଏସ୍‌ଡି ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ପ୍ରଦୀପ ସାହୁ, ଡଃ ଶ୍ରୀଚରଣ ବେହେରା, ଅଖିଳ ଭାରତ ଜନମଞ୍ଚର ମହେନ୍ଦ୍ର ପରିଡ଼ା, ଆରପିଆଇ ନେତା ଶେଖ ଅବଦୁଲ ୱାଲି, ଓଡ଼ିଶା ନାରୀ ସମାଜର କାର୍ମୀ ବେସ୍ରା, ଆଦିବାସୀ ଅଧିକାର ମଞ୍ଚର ଚାମ୍ୱୁରୁ ସୋରେନ, ମାନବିକ ଅଧିକାର କର୍ମୀ ସୁଜାତା ଦାସ, ଭୂମି ଅଧିକାର ଆନ୍ଦୋଳନର ରାଧାକାନ୍ତ ସେଠୀ, ଭିଟାମାଟି ସୁରକ୍ଷା ଅଭିଯାନର ବିଜୟ ସ୍ୱାଇଁ, ସାମାଜିକ ସଂଗଠନ ଅମୂଲ୍ୟ ସ୍ୱାଇଁ, ବୀରବର ନାୟକ, ମହମ୍ମଦ ସୁକୁରୁ, ତପନ ପାଢୀ ଓ ବିଭିନ୍ନ ଗ୍ରାମସଭା ସମୂହ ପକ୍ଷରୁ ଜିରିମିୟ ସୁନାମାଝି, ଧୋବା ଦଳବେହେରା, ଶରତ ମଲ୍ଲିକ, ସଞ୍ଜୟ ନାୟକ, ଶ୍ରୀଦେବୀ ମଲ୍ଲିକ, ଆଦିବାସୀ ନେତା ସାଲ ମାଣ୍ର୍ଡି, ସମ୍ୱାରୁ ମଣ୍ଡଳ ପ୍ରମୁଖ ଉଦବୋଧନ ଦେଇ ଜଳ, ଜମି, ଜଙ୍ଗଲ ଓ ଜୀବନ ଜୀବିକା ସଂଗ୍ରାମକୁ ଅଧିକ ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ। ଦୁଇଟି ପ୍ରତିନିଧି ଦଳ ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସଂଶୋଧନ ନିୟମର ୨୦୧୨ର ନିୟମ ୧୨ (କ) ଉପଧାରା ୧୧ (୧) ଓ (୨) ଅନୁସାରେ ବୈଷୟିକ ଜ୍ଞାନ, ପ୍ରଯୁକ୍ତି ବିଜ୍ଞାନ ଓ ନିର୍ଦ୍ଦିଷ୍ଟ ପ୍ରମାଣକୁ ବାଧ୍ୟତାମୂଳକ କରି କାହାକୁ ତା'ର ଅଧିକାରରୁ ବଞ୍ଚିତ ନକରିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ସରକାର ମନଇଚ୍ଛା ତଥା ଜୋର ଜବରଦସ୍ତ ଭାବେ ଦାବିଗୁଡ଼ିକୁ ନାକଚ କରିଛନ୍ତି। ଗ୍ରାମସଭାର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପ୍ରଭାବିତ କରି ଆଇନର ପ୍ରକ୍ରିୟାକୁ ଉଲଂଘନ ଓ ଅଣଦେଖା କରାଯାଉଛି, ଯାହା ଜଙ୍ଗଲ ଜମିରୁ ଲୋକଙ୍କୁ ହଟାଇ ଦେଶର ପ୍ରାକୃତିକ ସମ୍ୱଳକୁ କମ୍ପାନୀମାନଙ୍କ ହାତକୁ ସହଜରେ ଟେକି ଦେବା ପାଇଁ ଉଦ୍ଦିଷ୍ଟ। ଆଇନର ପ୍ରକ୍ରିୟାକୁ ଅଣଦେଖା କରି ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଗଲା ପରେ ମଧ୍ୟ କେବଳ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପରେ ଗ୍ରାମସଭାକୁ ନାକଚ ନୋଟିସ ୍ତରବରିଆ ଭାବେ ପଠା ଯାଉଛି, ଯାହା ସରକାରଙ୍କ ଖାମଖିଆଲ ଓ ଜାଣିଶୁଣି ଗ୍ରାମସଭାର କ୍ଷମତାକୁ ଲଗାତର ଭାବେ ଉଲଂଘନ କରିବା ସହ ପୁନଶ୍ଚ ଆଦିବାସୀମାନଙ୍କ ପ୍ରତି ଆଉ ଏକ ଐତିହାସିକ ଅନ୍ୟାୟ କରାଯାଉଥିବାର ପ୍ରମାଣ କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ଗ୍ରାମସଭା ସମୂହ, ଓଡ଼ିଶା, ଭୂମି ଅଧିକାର ଆନ୍ଦୋଳନ ଏବଂ ସି.ଏସ୍.ଡ଼ି. ଓଡ଼ିଶା ଦାବି କରନ୍ତି ଯେ, (୧) ଗ୍ରାମସଭାର କ୍ଷମତାକୁ ସମ୍ମାନ ଦେବା ସହ ସୁପ୍ରିମ କୋର୍ଟକୁ ଓଡ଼ିଶା ସରକାର ଅଧିକ ସମୟ ମାଗି ନାକଚ ହୋଇଥିବା ସମସ୍ତ ଜଙ୍ଗଲ ଅଧିକାର ଦାବୀ ଉପରେ ଗ୍ରାମସଭା ଜରିଆରେ ପୁନଃ ପ୍ରକ୍ରିୟା ଆରମ୍ଭ କରାଯାଉ, (୨) ଅନୁସୂଚିତ ଅଞ୍ଚଳରେ ଆଦିବାସୀମାନଙ୍କ ଜମି ହସ୍ତାନ୍ତର ରୋକିବା ପାଇଁ ଉଦ୍ଦିଷ୍ଟ ଆଇନ୍ ରେଗୁଲେସନ (ଓସାଟିପ୍‌ ୧୯୫୬)ର ଉଲ୍ଲଙ୍ଘନ ବନ୍ଦ କରାଯାଉ ଏବଂ ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଆଇନ୍ ବିରୋଧୀ ରାୟର ସମୀକ୍ଷା ପାଇଁ ଓଡ଼ିଶା ସରକାର ହାଇକୋର୍ଟ ନତୁବା ସୁପ୍ରିମକୋର୍ଟରେ ଅବିଳମ୍ୱେ ଆବେଦନ କରନ୍ତୁ ଏବଂ (୩) ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ କମିଟି ନକ୍ସା ତିଆରି, ଜମି ମାପ, କ୍ଷେତ୍ର ଯାଞ୍ଚ ଇତ୍ୟାଦି କ୍ଷେତ୍ରରେ ଗ୍ରାମସଭାକୁ ସମ୍ପୂର୍ଣ୍ଣ ସହଯୋଗ କରି ଗ୍ରାମ ସଭାର ନିଷ୍ପତ୍ତି ଓ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ସମ୍ମାନ ଦେବା ସହିତ ଏହି ପ୍ରକ୍ର୍ରିୟାକୁ ସରକାରୀ କର୍ମଚାରୀ ମାନଙ୍କ ପ୍ରଭାବରୁ ମୁକ୍ତ କରାଯାଉ।

Share :