ଅଭିଯୋଗ ଶୁଣିବ କିଏ? ଶୂନ୍ୟ ପ୍ରକୋଷ୍ଠ?

ଅଭିଯୋଗ ଶୁଣିବ କିଏ? ଶୂନ୍ୟ ପ୍ରକୋଷ୍ଠ?

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର ମହାନଗରର ସମସ୍ୟା ସଂପର୍କରେ ଅନେକ ଥର ଅନେକ ବିଷୟ ନେଇ ଆଲୋଚନା ହୁଏ। ସହରବାସୀଙ୍କୁ ପ୍ରତିଦିନ ସକାଳୁ କିନ୍ତୁ ଯେଉଁ ବହୁମୁଖୀ ସମସ୍ୟା ସହ ପରିଚିତ ହେବାକୁ ହୁଏ ତା’ର ସମାଧାନ କିଏ କରିବ, କାହାକୁ କହିବ ଏହି ପ୍ରଶ୍ନ ସଂପ୍ରତି କୋଟିଏ ଟଙ୍କାର। ମହାନଗର ଆଜି ବାପା, ମା’ ଛେଉଣ୍ଡ ପରି ହତଶ୍ରୀ। ଏହି ସହରର ଚେହେରାକୁ ବିଦୀର୍ଣ୍ଣ କରିଦେଇ ଲକ୍ଷଲକ୍ଷ ଲୋକଙ୍କ ସହ କିଏ ଖେଳୁଛି ଓ କାହିଁକି ଏମିତି ଖେଳୁଛନ୍ତି ଏହା ନିଶ୍ଚୟ ଅନୁଶୀଳନୀୟ। ସହରର ଲୋକ ପ୍ରତିନିଧି ବିଧାୟକ ଓ ଏଠାକାର ସାଂସଦ ବିଧାନସଭାରେ ଓ ସଂସଦରେ ସ୍ୱର ଉଠାଉଛନ୍ତି। କିନ୍ତୁ ସ୍ଥାନୀୟ ସମସ୍ୟା ଓ ତା’ର ସମାଧାନ ପାଇଁ ମହାନଗରକୁ ଜନ ପ୍ରତିନିଧି ଶୂନ୍ୟ କରିଦେବାର ୭ ମାସ ବିତିଯାଇଛି ଏବଂ ବିନା ମେୟର ଓ ବିନା କର୍ପୋରେଟରରେ ବଡ଼ବଡ଼ ବାବୁମାନେ ଆଧିପତ୍ୟ ବିସ୍ତାର କରି ଲୋକଙ୍କ ବହୁଗୁଣିତ ସମସ୍ୟା ଓ ଦୁ୍ର୍ଦ୍ଦିନକୁ ଉପଭୋଗ କରିବା ନିଶ୍ଚୟ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ। ବ୍ରହ୍ମପୁର ମହାନଗର କାର୍ଯ୍ୟାଳୟ ଦୁଇଟି ଆଇଏଏସ୍ ଅଫିସରଙ୍କ ଅଧୀନରେ ଅଛି। ଗୋଟିଏ ପଟେ ଜିଲ୍ଲାପାଳଙ୍କ ତଦାରଖ ଜିଲ୍ଲା ସହ ବ୍ରହ୍ମପୁରକୁ ଏବଂ ଅନ୍ୟ ପଟରେ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ହାତରେ ସହରଭାଗ୍ୟ। ଏଇ ଦୁଇ ଆଇଏଏସ୍ ଅଫିସରଙ୍କୁ ଦେଖା କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠ ଅଛି। କିନ୍ତୁ ଶୁଣିବାକୁ ଦୁଃଖ କିଏ ନାହାନ୍ତି। ବାବୁମାନେ ଗାଡ଼ିରେ ଆସନ୍ତି ବୁଲନ୍ତି ପଇନ୍ତରା ମାରି ସାମ୍ୱାଦିକ ସମ୍ମିଳନୀ ଡକାଇ ଗୋଲାପୀ ଚିତ୍ରର ତାଲିକା ଧରି ଶୁଣାଇ ଦିଅନ୍ତି। ଲେଖନୀମାନେ ତାହା ଅବିଳମ୍ୱେ କାଗଜରେ ଥୋଇ ଦିଅନ୍ତି ମଧ୍ୟ କିନ୍ତୁ ସହରର ସମସ୍ୟା ଯେମିତି ସେମିତି ରହିଥାଏ। ମହାନଗର ସାରା ଖୋଲା ଅପରିସ୍କାର ଆବର୍ଜନା ମଇଳା କୁଣ୍ଠ ମଳ ପୁତିଗନ୍ଧମୟ ପରିବେଶ ସହ ଟ୍ରାଫିକର ଅସହ୍ୟ ଯନ୍ତ୍ରଣା। ଜରାଜୀର୍ଣ୍ଣ ୧୫୦ ବର୍ଷର ସହର। ଅକୁହା ବେଦନା ଭିତରେ ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା। ବ୍ରହ୍ମପୁରରେ ଆତ୍ମ ପ୍ରଜ୍ଞାପନର ସ୍ୱର ମାତ୍ର ସଂଗଠନ। ଏମାନଙ୍କ ନାମ ଓ କାମରେ ବଡ଼ ବ୍ୟବଧାନ। ଯିଏ ଯା’ର ସ୍ୱାର୍ଥ ପାଇଁ ଅଫିସରଙ୍କ ପାଖକୁ ଯାଇ ଦୁଃଖ ଜଣାଇବାର ବାହାନା କରନ୍ତି। ସହରର ସବୁ ସଂଗଠନ କେବେ ଗୋଟିଏ ସ୍ୱରରେ କିଛି କହିବାର ନମୁନା ନାହିଁ। ଯଦି ଅଛି ସାମୟିକ ଏବଂ ସ୍ୱାର୍ଥ ଜନିତ। ସଂଗଠନଙ୍କ ଦ୍ୱାର ଆର୍‌ଡିସି ଅଫିସର ଫାଟକ ପର୍ଯ୍ୟନ୍ତ। ଆର୍‌ଡିସି ଅଫିସ ମହାନଗରର ଅଭିଯୋଗ ପ୍ରକୋଷ୍ଠ କି? ଏଇ କଥା ମଧ୍ୟ ସହରବାସୀ ଅନୁଭବ କରି ପ୍ରଶ୍ନ ଉଠାଇଛନ୍ତି। ସହର ବାଟ ଘାଟ ନାଳନର୍ଦ୍ଦମାର ପାଣିର ଘନ ଅସ୍ତରଣ। ମହାନଗର ନିଗମର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଯାହାକି ଶେଷହେବାର ନାଁ ନେଉଛି। ଏଥିରୁ ସଠିକ୍ ଭାବେ ଅନୁମାନ କରାଯାଏ ଯେ ସରକାରଙ୍କ ରାଜସ୍ୱ ହଡ଼ପ କରିବାର ଏହା ଏକ ନୂତନ ପ୍ରୟାସ କହିଲେ କିଛି ଭୁଲ ହେବ ନାହିଁ। ଜାନିବିଲି ଜଳଯୋଗାଣ ପରିକଳ୍ପନା ନିଷ୍ପ୍ରଭ ହୋଇଯାଇଛି। ପଥ ପଥର ଯନ୍ତ୍ରଣା ପାଣି ଯୋଜନାର ଛାଇ ପରି ରୂପଟିଏ ତିଆରି ହୋଇଛି। ଡ୍ରେନ ସବୁ ଭାଙ୍ଗି ଦିଆଯାଇ ସେଠାରେ ନାଳପାଣି ପାଟି ଭାସୁଛି। ପରିମଳ ପର୍ଯ୍ୟାବରଣ ପ୍ରଦୂଷଣର ପେଡ଼ି ହେଉଛି ବଜାର ସଂଲଗ୍ନ ରାସ୍ତା। ସେଇ ରାସ୍ତା କଡ଼ରେ ବିଷାକ୍ତ ଗନ୍ଧର ରାଜୁତି। ସହର ଭିତରେ କୌଣସି ଅଜଣା ରାଇଜର ଲୋକ ଆସିଲେ ଏହି ସହରକୁ ନାକଟେକି ମୁହଁ ଫେରାଇ ନିଅନ୍ତି। ବଡ଼ବଡ଼ କଥା କହି ଶ୍ରେଷ୍ଠ ବ୍ରହ୍ମପୁରର ନାରା ଆଜି ଆଉ ଶୁଭୁନି। ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଦାୟିତ୍ୱ ମୋର କହି ଭୋଟ ରାଜନୀତିର ଖେଳ କେବଳ ଖେଳିବାରେ ମାହିର। ଅଫିସରମାନେ କେବେ ବି ସହରର ସମସ୍ୟା ସମାଧାନ କରିପାରିବେ ନାହିଁ। ଯେଉଁ ପର୍ଯ୍ୟନ୍ତ ଜନପ୍ରତିନିଧି ଲୋକଙ୍କ ସ୍ୱର ନେଇ ରଡ଼ି ନ ଛାଡ଼ିବେ। ଜନ ପ୍ରତିନିଧିମାନେ ଗୋଡ଼ ଟଣାଟଣି ହୋଇ ନିଜ କଥା ଓ ନିଜ ବିଚାରରେ ନୀରବ ଏବଂ ସମସ୍ତଙ୍କ ଆଖି ମହାନଗର ନିର୍ବାଚନର ତାରିଖକୁ। ଏଭିତରେ ସହରର ଚିତ୍ର ଓ ଏଠାକାର ବିବର୍ଣ୍ଣ ଅବସ୍ଥା କିଏ କହିବ ଓ କାହାକୁ କହିବ? ଏହା ଏକ ଅସମାହିତ ପ୍ରଶ୍ନ। ଆଜି ସହର ସାରା ଚର୍ଚ୍ଚା ଚାଲିଛି ଏଠାରେ ବାବୁମାନେ ଅସମର୍ଥ। ମହାନଗର ବ୍ରହ୍ମପୁର ଚାରିପଟରେ ରାସ୍ତା ନିର୍ମାଣ ପାଇଁ ରିଂ ରୋଡ୍‌ର ଆବଶ୍ୟକତା ଯେତିକି ଗୁରୁତ୍ୱପୂର୍ଣ୍ଣ ଅଧିକ ସଂଖ୍ୟକ ଗାଡ଼ିର ଯାତାୟତ ରାସ୍ତାକୁ ଠିକଣା ଭାବରେ ତିଆରି କରିବା ମଧ୍ୟ ଜରୁରି। ସହର ଭିତର ଦେଇ ଯାଇଥିବା ରାସ୍ତାଗୁଡ଼ିକରେ କେବଳ ହମ୍ପସ୍ ଗଣ୍ଡେ ତିଆରି କରିଦେଇ ବିପଦ ଭିତରକୁ ଗାଡ଼ି ଚାଳକଙ୍କୁ ଠେଲି ଦିଆଯାଇଛି। ମହାନଗର ମଲ୍ ଆଗରେ ଗାଡ଼ିଗୁଡ଼ିକର ଅସମ୍ଭାଳ ଭିଡ଼ ପରିସ୍ଥିତି। ପରିବାର ଧରି ସୁବିଧାରେ ବିପଦମୁକ୍ତ ହୋଇ ଫେରିବା ସହଜ ନୁହେଁ। ବଡ଼ ମେଡ଼ିକାଲ୍ର ପ୍ରବେଶ ପଥକୁ ନେଇ ବିବାଦ ଘନୀଭୂତ। ମୁଖ୍ୟ ଫାଟକ ଖୋଲା ରହେ ଦ୍ୱିତୀୟ ଫାଟକର ଭାଗ୍ୟ ଏବେ ବି ସମୟ ନିର୍ଦ୍ଧାରଣ କରିବ। ଏଣୁ ନୂଆଁ ବସ୍‌ଶ୍ଟାଣ୍ଡଠାରୁ ଗୋଇଲୁଣ୍ଡି ଏବଂ କୋର୍ଟପେଟା ଛକରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଖବର ଆସେ। ଆମ୍ୱୁଲାନସ୍ ଗୁଡ଼ିକ ଦ୍ରୁତଗତିରେ ଯିବା ପାଇଁ ରାସ୍ତାଗୁଡ଼ିକରେ ପଥଚାରୀ ବାଟ ଚାଡ଼ିଦେଲେ ମଧ୍ୟ ଯିବା ଅସମ୍ଭବ କାରଣ ହମ୍ପସ ନିର୍ମାଣ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ। ପ୍ରମୁଖ ଛକଗୁଡ଼ିକରେ ଘଣ୍ଟା ଘଣ୍ଟା ଧରି ବାଟରେ ପରିବା ବେପାରୀଙ୍କ ଭିଡ଼କୁ ରୋକିବାରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ। ଏଣୁ ସକାଳ ସମୟରେ କୌଣସି ଗାଡ଼ି ଚାଳକ ସୁରକ୍ଷିତ ନୁହେଁ। ସହରରେ ନଗର ଚିକିତ୍ସାଳୟକୁ ଛାଡ଼ିଦେଲେ ଚାରୋଟି ଅର୍ବାନ ମହାନଗର ଚିକିତ୍ସାଳୟରେ କୋଟି କୋଟି ଟଙ୍କା ଖର୍ଚ୍ଚ, ଅଥଚ ରୋଗୀମାନେ କେବେ ଚିକିତ୍ସା ପାଇବେ ଠିକଣା ନାହିଁ। ରୋଗୀମାନଙ୍କର ଭିଡ଼ କମାଇବା ପାଇଁ ସହରରେ ଅନେକ ସମ୍ଭାବନା ଅଛି। ଅଥଚ ଠିକ୍ ଯୋଜନାକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ମହାନଗର ବିଫଳ। ବିଫଳତାର କାହାଣୀ ଭିତରେ ସଫଳତାର ଶ୍ରେୟ ଖୋଜି ମହାନଗର ସ୍ୱଚ୍ଛତାର ପୁରସ୍କାର ଯାହା ପାଇଛି ବୋଲି ଡିଣ୍ଡିମ ପିଟି ଆସୁଥିଲା ସେହି ପୁରସ୍କାର ବ୍ରହ୍ମପୁର ମହାନଗର ପ୍ରତି ଏକ ଉପହାସ। ଆଜି ସବୁଠୁ ବଡ଼ ଚିନ୍ତା ବଢ଼ାଇଛନ୍ତି ଏପରି କିଛି ମୁଷ୍ଟିମେୟ ଅଫିସର ଯେଉଁମାନଙ୍କ ପାଇଁ ବ୍ରହ୍ମପୁରର ପରିସ୍ଥିତି ଦୟନୀୟ। ଏହି କାହାଣୀର ଯବନିକା କେବେ ପଡ଼ିବ, ସମୟ କହିବ।

Share :