ବେକାରୀ ହଟେଇବା ପାଇଁ ନବୀନବାବୁଙ୍କୁ ଆଉ ୧୫୦ ବର୍ଷ ଦରକାର!

ବେକାରୀ ହଟେଇବା ପାଇଁ ନବୀନବାବୁଙ୍କୁ ଆଉ ୧୫୦ ବର୍ଷ ଦରକାର!

Share :

ଦେବେନ୍ଦ୍ର ପୃଷ୍ଟି ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଲା ପରେ ରାଜ୍ୟର ବେକାର ଯୁବକଯୁବତୀଙ୍କ ପାଇଁ ପଯ୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦ୍ରୁତ ଶିଳ୍ପାୟନର ଅଭିଯାନ ଆରମ୍ଭ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତାଙ୍କର ନିରବିଚ୍ଛିନ୍ନ ନିର୍ବାଚନ ବିଜୟ ଓ କ୍ଷମତା ଉପଭୋଗ ସହିତ ତାଳ ଦେଇ ଶିଳ୍ପାୟନ ମଧ୍ୟ ଆଗେଇ ଚାଲିଛି। ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ବା ଏକକ ଅନୁମୋଦନ କର୍ତ୍ତୃପକ୍ଷ, ମେମୋରାଣ୍ଡମ ଅଫ୍‌ ଅଣ୍ଡରଷ୍ଟାଣ୍ଡିଂ (ଏମଓୟୁ) ବା ବୁଝାମଣା ପତ୍ର, ମେକ୍‌ ଇନ୍‌ ଓଡ଼ିଶା ଆଦି ଅନେକ ବାଟରେ ଶିଳ୍ପପତିମାନଙ୍କୁ ଓଡ଼ିଶା ଡାକି ଆଣୁଛନ୍ତି ନବୀନ ସରକାର। ଶିଳ୍ପପତିମାନେ ରାଜ୍ୟର ଜମି, ଜଳ, ଜଙ୍ଗଲ ଓ ଖଣି ଆଦି ନେଇ ଲକ୍ଷଲକ୍ଷ କୋଟି ଟଙ୍କାର ମୁନାଫା ଅର୍ଜନ କରୁଛନ୍ତି। ଅଥଚ ଓଡ଼ିଶାର ବେକାରୀ ଦୂର ହେବା ପରିବର୍ତ୍ତେ ସେମାନଙ୍କ ଲାଭ ସହିତ ତାଳ ଦେଇ ବଢ଼ି ଚାଲିଛି ବେକାରୀଙ୍କ ସଂଖ୍ୟା। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ରାଜ୍ୟରେ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ କେତେ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଲାଣି, ସେମାନେ କେତେ ଟଙ୍କାର ପୁଞ୍ଜି ନିବେଶ କରିବାକୁ ପ୍ରତିଶ୍ରୁତି ଦେଲେଣି ଓ ସେସବୁ ପ୍ରକଳ୍ପରେ କେତେ ଲୋକଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ଅଛି ବୋଲି ଜାଣିବାକୁ ଚାହିଁଥିଲେ। ଶିଳ୍ପମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ୧୯.୭.୨୦୧୯ ତାରିଖରେ ରାଜ୍ୟ ବିଧାନସଭାରେ ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଶିଳ୍ପାୟନ ଜରିଆରେ ରାଜ୍ୟର ବେକାରୀ ସମସ୍ୟାର ସମାଧାନ ସମ୍ଭବ ନୁହେଁ। ମନ୍ତ୍ରୀ ମିଶ୍ରଙ୍କ ହିସାବ ଅନୁସାରେ ରାଜ୍ୟରେ ଜଣେ ଶିକ୍ଷିତ ବେକାର ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେଲେ ଶିଳ୍ପ କ୍ଷେତ୍ରରେ ୨ କୋଟି ଟଙ୍କାର ପୁଞ୍ଜି ନିବେଶ ଦରକାର। ରାଜ୍ୟର ବେକାର ସଂଖ୍ୟା ଏବେ ପ୍ରାୟ ୩୦ ଲକ୍ଷ। ଏ ସମସ୍ତ ବେକାରଙ୍କ ପାଇଁ ଶିଳ୍ପ କ୍ଷେତ୍ରରେ ନିଯୁକ୍ତ କରିବାକୁ ହେଲେ ପ୍ରାୟ ୬୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଦରକାର। ନବୀନବାବୁଙ୍କ ୨୦ ବର୍ଷର କାର୍ଯ୍ୟକାଳ ଭିତରେ ରାଜ୍ୟରେ ସମୁଦାୟ ୧୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ସେଥିରେ ୪.୬୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଏହି ହାରରେ ଶିଳ୍ପ ଓ ପୁଞ୍ଜି ନିବେଶ ହେଲେ ରାଜ୍ୟର ବର୍ତ୍ତମାନ ବେକାର ଥିବା ଯୁବକଯୁବତୀଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବାକୁ ଅନ୍ୟୁନ ଆଉ ୧୫୦ ବର୍ଷ ଲାଗିବ। ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନ ଥିଲା, ଶିଳ୍ପ ମନ୍ତ୍ରୀ ଅନୁଗ୍ରହ କରି କହିବେ କି ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ପ୍ରତଳନ ହେବା ଦିନଠାରୁ ଏବେ ସୁଦ୍ଧା କେତେକ ସଂଖ୍ୟକ ଶିଳ୍ପ ସଂସ୍ଥାକୁ ଅନୁମୋଦନ ଦିଆଯାଇଛି, ସଂପୃକ୍ତ ଶିଳ୍ପ ସଂସ୍ଥାର କେତେକ ପୁଞ୍ଜି ବିନିଯୋଗରେ କେତେ କର୍ମନିଯୁକ୍ତିର ପ୍ରତିଶ୍ରୁତି ଥିଲା ତା’ର କ୍ଷେତ୍ରୱାରି ଓ ବର୍ଷୱାରି ବିବରଣୀ ପ୍ରଦାନ କରିବେ କି? ସେହିପରି ମଞ୍ଜୁରପ୍ରାପ୍ତ ପ୍ରକଳ୍ପ ମଧ୍ୟରୁ କେତେକ ଶିଳ୍ପ ଉତ୍ପାଦନକ୍ଷମ ହୋଇଛି ଓ ସେସବୁ ଶିଳ୍ପରେ କେତେ ପୁଞ୍ଜି ବିନିଯୋଗରେ କେତେ କର୍ମନିଯୁକ୍ତି ହୋଇଛି ତାହା ପ୍ରକାଶ କରିବେ କି? ମନ୍ତ୍ରୀ କ୍ୟାପ୍ଟେନ ମିଶ୍ରଙ୍କ ଉତ୍ତର ଅନୁସାରେ ୨୦୦୪ ମସିହାରୁ ରାଜ୍ୟରେ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ସେବେଠାରୁ ୨୦୧୯ ଜୁନ୍‌ ମାସ ମଧ୍ୟରେ ଆଲୁମିନା ଓ ଆଲୁମିନିୟମ, ଅଟୋ ଓ ଅଟୋ ପାର୍ଟସ, ସିମେଣ୍ଟ ଓ ସିମେଣ୍ଟ ଉତ୍ପାଦ, ଇସ୍ପାତ, ସୂଚନା ପ୍ରଯୁକ୍ତି, ମାନୁଫାକ୍ଚରିଂ, ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ୍ସ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଲୌହ ଉତ୍ପାଦ, ଶକ୍ତି, ପ୍ଲାଷ୍ଟିକ୍‌, ପେଲେଟ୍‌, ପର୍ଯ୍ୟଟନ, ସ୍ବାସ୍ଥ୍ୟସେବା, ଔଷଧ, କାଗଜ ଓ କାଗଜ ଉତ୍ପାଦ ଆଦି ଅନେକ କ୍ଷେତ୍ରରେ ମୋଟ ୩୩୫ଟି ପ୍ରକଳ୍ପକୁ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏକକ ଅନୁମୋଦନ କର୍ତ୍ତୃପକ୍ଷ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏସବୁ ପ୍ରକଳ୍ପରେ ୫,୩୬,୭୧୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ସେଥିରେ ୩,୦୧,୨୭୩ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଅଟକଳ କରାଯାଇଛି। ଏହା ବ୍ୟତିତ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୯୨ଟି ଶିଳ୍ପ ସଂସ୍ଥା ସହିତ ବୁଝାମଣାପତ୍ର ବା ଏମଓୟୁ ସ୍ବାକ୍ଷର କରିଛନ୍ତି। ଏସବୁ ସଂସ୍ଥାରେ ୫,୬୮,୬୪୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ସେଥିରେ ୧,୬୩,୪୬୮ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଅଟକଳ କରାଯାଇଛି। ଏହିଭଳି ଭାବେ ମୋଟ ଉପରେ ନବୀନ ସରକାରଙ୍କ ଅମଳରେ ୧୧,୦୫,୩୬୧ କୋଟି ଟଙ୍କା ପୁଞ୍ଜି ନିବେଶରେ ପ୍ରତିଷ୍ଠା ହେବାକୁ ଥିବା ୪୨୭ ଶିଳ୍ପାନୁଷ୍ଠାନରେ ୪,୬୪,୭୪୧ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଅଟକଳ କରାଯାଇଛି। ସେଥିରୁ ଏବେ ସୁଦ୍ଧା ୨,୯୭,୩୯୨ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ୧୦୫ ଶିଳ୍ପ ସଂସ୍ଥାରୁ ଉତ୍ପାଦନ ଆରମ୍ଭ ହୋଇଛି। ଏସବୁ ଶିଳ୍ପରେ ମୋଟ ୧,୭୩,୮୨୧ ଜଣ ନିଯୁକ୍ତି ପାଇଛନ୍ତି। ମନ୍ତ୍ରୀଙ୍କର ଏହି ତଥ୍ୟକୁ ତର୍ଜମା କଲେ ସ୍ପଷ୍ଟ ଜଣାଯାଏ ରାଜ୍ୟରେ ଶିଳ୍ପ କାରଖାନା ଜରିଆରେ ବେକାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେଲେ ଗୋଟିଏ ନିଯୁକ୍ତି ପାଇଁ ହାରାହାରି ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରାଜ୍ୟରେ ଏବେ ୩୦ ଲକ୍ଷ ବେକାର। ଏ ସଂଖ୍ୟା ଆଉ ବଢ଼ିବ ନାହିଁ ବୋଲି ଧରି ନିଆଗଲେ ବି ଏ ସମସ୍ତଙ୍କ ପାଇଁ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେଲେ ଅନ୍ୟୁନ ୬୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଦରକାର। ନବୀନବାବୁ ତାଙ୍କର ୨୦ ବର୍ଷ ଭିତରେ ୪ ଲକ୍ଷ ବେକାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ବାକି ୩୦ ଲକ୍ଷ ବେକାରଙ୍କ ପାଇଁ ଏହି ଗତିରେ ଆଉ ୧୫୦ ବର୍ଷ ଲାଗିଯିବ। ତେବେ ନବୀନବାବୁଙ୍କ ଏ ୨୦ ବର୍ଷ ଭିତରେ ବାସ୍ତବରେ ୨ ଲକ୍ଷ ବେକାର ବି ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇ ନାହାନ୍ତି ବୋଲି ମନ୍ତ୍ରୀଙ୍କ ସୂଚନାରୁ ଜଣାପଡ଼ୁଛି। ଥରେ ହିସାବ କଲେ ଯଦି ରାଜ୍ୟର କୃଷି କ୍ଷେତ୍ରରେ ଯଦି ୧ କୋଟି ଟଙ୍କାର ପୁଞ୍ଜି ନିବେଶ ହୁଏ ତେବେ ସେଥିରେ କେତେ ଲୋକ ନିଯୁକ୍ତି ପାଇବେ? ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁସାରେ ଏକ ଏକର ଜମିରେ ଉନ୍ନତ ଜ୍ଞାନକୌଶଳ ଜରିଆରେ ଚାଷ ହେଲେ ସେଥିରେ ୫ ଜଣିଆ ପରିବାର ଆରାମରେ ଚଳିବେ। ରାଜ୍ୟରେ ଚାଷଜମିର ହାରାହାରି ଦର ଏକର ପିଛା ସର୍ବାଧିକ ୧୦ ଲକ୍ଷ ଟଙ୍କା ହେବ। ୨ କୋଟି ଟଙ୍କାରେ ୨୦ ଏକର ଜମି ହେବ। ସେଥିରେ ଯଦି ବିବିଧ ଶସ୍ୟ, ଫଳ ଓ ପରିବା ସହିତ ଗୋପାଳନ ଇତ୍ୟାଦି କରାଯାଏ ତେବେ ସେହି ୨୦ ଏକର ଜମି ଚାଷରେ କେତେ ଲୋକଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିହେବ? ସେଭଳି କାର୍ଯ୍ୟରେ ଜଳ ଓ ବାୟୁ ପ୍ରଦୂଷଣ କେତେ ହେବ? ତଦ୍ବାରା ଓଡ଼ିଶା ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ ନା ନାହିଁ? ନବୀନବାବୁଙ୍କ ମୁଣ୍ଡରେ ଏ ହିସାବ କିଏ ପୂରେଇବ କେଜାଣି! ଓଡ଼ିଶାର ବେକାର ଯୁବକଯୁବତୀମାନେ ବି ନିଯୁକ୍ତି ପାଇଁ ମରୀଚିକା ପଛରେ ଗୋଡ଼େଇବା କେବେ ବନ୍ଦ କରିବେ କେଜାଣି! ମଣିଷ କାମ ମେସିନ କରିବାର ନାଁ ହେଉଛି ଶିଳ୍ପ। ସେଥିରେ ଅଧିକ ମଣିଷଙ୍କ କାମ କମ୍‌ ମେସିନ କରେ। ତେବେ ଶିଳ୍ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ ଅଧିକ ଲୋକଙ୍କ ନିଯୁକ୍ତି ସୁଯୋଗ ନଷ୍ଟ ହୁଏ? ଅଧିକ ଲୋକଙ୍କ ପାଇଁ ଅଧିକ କାମ ଦରକାର। ସେ କାମ ଶିଳ୍ପରେ ସମ୍ଭବ ନୁହେଁ।

Share :