ଏହା ଲୀଳା ନା କିଳା?

ଏହା ଲୀଳା ନା କିଳା?

Share :

ଦେବେନ୍ଦ୍ର ପୃଷ୍ଟି ପାଞ୍ଜି ଓ ପରମ୍ପରା ଅନୁସାରେ ଆଜି ସୁନାବେଶ ନୁହେଁ। ଏଥିପାଇଁ ତିଥି ଥିଲା ଗତକାଲି। ଏ ସଂପର୍କରେ ସାମାଜିକ ଗଣମାଧ୍ୟମ ଫେସବୁକ୍‌ରେ ବନ୍ଧୁ ଶ୍ରୀକୁମାର ଶୁକ୍ଳାଙ୍କର ଏକ ଆଲେଖ୍ୟ ଉପରେ ଏକାଧିକ ମନ୍ତବ୍ୟ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ପାଞ୍ଜି ଓ ହଜାର ହଜାର ବର୍ଷର ପରମ୍ପରା ଉଲ୍ଲଙ୍ଘନ କରି ଏକାଦଶୀରେ ସୁନାବେଶ ନକରି ଦ୍ବାଦଶୀରେ କରିବା ଶ୍ରୀମନ୍ଦିର କି ଉତ୍କଳୀୟ ସଂସ୍କାର ନୁହେଁ। ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଭା ଦ୍ବାରା ଅନୁମୋଦିତ ପାଞ୍ଜି ଅନୁସାରେ ଜୁଲାଇ ୧୨ ତାରିଖ ମିଥୁନ ୨୮ ଦିନ ଥିଲା ହରିଶୟନ ଏକାଦଶୀ। ଏକାଦଶୀ ଦିନ ହିଁ ସୁନାବେଶ ହେବା କଥା। ଜୁଲାଇ ୧୩ ତାରିଖ ମିଥୁନ ୨୯ ଦିନ ହେଉଛି ଦ୍ବାଦଶୀ, ଗରୁଡ଼ ଶୟନ, ଚତୁର୍ମାସ୍ୟା ବ୍ରତ ଓ ଅଶୁଦ୍ଧ କାଳ ଆରମ୍ଭ। ତେଣୁ ଅଶୁଦ୍ଧ କାଳରେ ସୁନାବେଶ କାହାର ଲାଭ ପାଇଁ ଉଦ୍ଦିଷ୍ଟ ଓ ଏହା କାହାର କ୍ଷତି କରିବ ତାହା ବିଚାର୍ଯ୍ୟ। ଶ୍ରୀକୁମାର ଶୁକ୍ଳା ଜୁଲାଇ ୧୨ ତାରିଖ ଫେସ୍‌ବୁକ୍‌ରେ ଲେଖିଛନ୍ତି, ‘ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ହୁଏ। ଠିକ ସେହିଭଳି ଆଷାଢଶୁକ୍ଳ ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କୁ ରଥ ଉପରେ ସୁନାବେଶ କରାଯାଏ। ଏକଥା ସମସ୍ତେ ଜାଣନ୍ତି। ଆଜି ବାହୁଡାରେ ଏକାଦଶୀ ପଡ଼ିଥିଲା। ରାଜ୍ୟର ସମସ୍ତ ପଞ୍ଜିକାରେ ବାହୁଡା଼ ଯାତ୍ରା ଓ ସୁନାବେଶ ବୋଲି ଉଲ୍ଲେଖ ରହିଛି। ତଦନୁଯାୟୀ ଆଜି ଶ୍ରୀକ୍ଷେତ୍ରରେ ତିନି ରଥ ଉପରେ ଠାକୁରମାନଙ୍କର ଏକାଦଶୀ ନୀତି କରାଯାଇଛି। ତେବେ ଆସନ୍ତାକାଲି ଦ୍ୱାଦଶୀରେ ସୁନାବେଶ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନର ଏଭଳି ଏକ ନିଷ୍ପତି ଶ୍ରୀମନ୍ଦିରର ନୀତି ଓ ପରମ୍ପରାକୁ ବିରୁଦ୍ଧାଚରଣ କରୁଛି। ତେବେ ଅତୀତରେ କୌଣସି ବିଶେଷ ପରିସ୍ଥିତି ଯୋଗୁ ରଥଯାତ୍ରା ଅଥବା ସୁନାବେଶ ଅନ୍ୟ କୌଣସି ତିଥିରେ ହୋଇଥିବାର ଦୃଷ୍ଟାନ୍ତ ଥାଇପାରେ। ମାତ୍ର ତାହାକୁ ନଜିର କରି ପରମ୍ପରାକୁ ଉଲଂଘନ କରିବା କେତେଦୂର ଯଥାର୍ଥ ତାହା ବିଚାରଯୋଗ୍ୟ। ବରଂ ଅତୀତରେ ଅନେକଥର ବାହୁଡ଼ା ଦିନ ରଥ ଉପରେ ସୁନାବେଶ କରାଯାଇଛି। ଏପରିକି ବାହୁଡ଼ା ଦିନ ଏକାଦଶୀ ପଡ଼ିଥିଲା। ଅଥଚ ତିନୋଟି ଯାକ ରଥ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନପାରି ଅଧାବାଟରେ ଅଟକି ରହିଥିଲା। ମାତ୍ର ସେଇଦିନ ଏକାଦଶୀ ପଡ଼ିଥିବାରୁ ପରମ୍ପରା ଅନୁଯାୟୀ ରଥ ଉପରେ ଠାକୁରମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା।’ ସେହି ପୋଷ୍ଟର ତଳେ ପୁଣି ଥରେ ନିଜର ମନ୍ତବ୍ୟ ରଖିଛନ୍ତି ଶ୍ରୀକୁମାର ଶୁକ୍ଳା, ‘ଆଜି ସୁନାବେଶ ହେବ ବୋଲି ପାଞ୍ଜିକାରୁ ପଢି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅଗଣିତ ଶ୍ରଦ୍ଧାଳୁ ପୁରୀ ଆସି ନିରାଶ ମନରେ ଫେରିଥିଲେ। ଯଦି ଦ୍ୱାଦଶୀରେ ସୁନାବେଶ କରିବାର ଥିଲା ତେବେ ଶ୍ରୀମନ୍ଦିର ପ୍ରଶାସନ ବହୁପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଏନେଇ ବିଜ୍ଞାପନ ଦେବା ଉଚିତ ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଞ୍ଜିକା ପ୍ରକାଶନ ପୂର୍ବରୁ ପାଞ୍ଜିକାକାରମାନେ ସେମାଙ୍କର ପାଣ୍ଡୁଲିପିକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥାନ୍ତି। ପ୍ରଶାସନର ପଣ୍ଡିତମାନେ କିଭଳି ଯାଞ୍ଚ କରିଥିଲେ ଓ ଏଦିଗରେ ରାଜ୍ୟର ଅଗଣିତ ଜଗନ୍ନାଥ ପ୍ରେମୀ ଓ ଜଗନ୍ନାଥ ସଂସ୍କୃତି ଗବେଷକମାନେ କାହିଁକି ନୀରବ ତାହା ବୁଝାପଡୁନି।’ ସେହି ପୋଷ୍ଟରେ ତଳକୁ ଜୁଲାଇ ୧୩ ତାରିଖ ଦିନ ଅନ୍ୟ ଏକ ଧାଡ଼ିରେ ଲେଖିଛନ୍ତି, ‘ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ରରେ ହେବାକୁ ଥିବା ସୁନାବେଶ ସମୟରେ ଜଗନ୍ନାଥ ସଂସ୍କୃତି ଉପରେ ଟିଭିରେ ଅନର୍ଗଳ ଭାଷଣ ଦେଉଥିବା ପଣ୍ଡିତମାନେ ଆଜିର ଦିନକୁ ଏକାଦଶୀ ନ ଦ୍ଵାଦଶୀ ବୋଲି କହୁଛନ୍ତି ତାକୁ ଶୁଣିବାକୁ ବାକି ରହିଲା? ଯଦି ଆଜି ଦ୍ଵାଦଶୀରେ ସୁନାବେଶ ବୋଲି କହିବେ ତେବେ ପୂର୍ବରୁ କେଉଁ କେଉଁ ଦ୍ୱାଦଶୀରେ ରଥ ଉପରେ ସୁନାବେଶ କରାଯାଇଥିଲା, ତାକୁ ମଧ୍ୟ କହିବେ। ବଡ଼ ଏକାଦଶୀରେ ରଥ ଉପରେ ଠାକୁରଙ୍କର ସୁନାବେଶ ଦର୍ଶନ କଲେ ଭକ୍ତ ଅଶେଷ ପୁଣ୍ୟ ଅର୍ଜନ କରିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ତେବେ ସେହି ପୁଣ୍ୟ କଅଣ ଦ୍ୱାଦଶୀରେ ମିଳିପାରିବ କି ନାହିଁ, ଏନେଇ ଟିଭିରେ ପଣ୍ଡିତମାନଙ୍କର ମତାମତ ଶୁଣିବା ଲାଗି ଅନେକ ଶ୍ରଦ୍ଧାଳୁ ଅତି ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ଯାହା ଶାସ୍ତ୍ରୀୟ ମତରେ ଯୁକ୍ତିଯୁକ୍ତ ତାକୁ ସଠିକ ବୋଲି କହିବାର ସତସାହାସ ରଖି ନପାରି ଯଦି ପ୍ରସଙ୍ଗକୁ ବୁଲେଇ ବଙ୍କେଇ କହିବାକୁ ଚେଷ୍ଟା କରୁଛନ୍ତି ବୋଲି ଲୋକେ ଅନୁଭବ କରିବେ ତେବେ ନିଜକୁ ଯେତେବଡ଼ ଶାସ୍ତ୍ରଜ୍ଞ କହିଲେ ମଧ୍ୟ ଲୋକେ ସେମାନଙ୍କର ଭାଷଣ ଉପରେ ଗୁରୁତ୍ୱ ଦେବେନି। ଏହା ଅପ୍ରିୟ ହେଲେ ବି ସତ୍ୟ।’ ‘ମତେ ଯାହା ଲାଗୁଚି, ଏଥର ବାହୁଡ଼ା ଦିନ ଏକାଦଶୀ ପଡୁଥିବା ଜାଣି ମନ୍ଦିର ପ୍ରଶାସନ ଘାବରେଇ ଯାଇଥିବ। ସୁନାବେଶକୁ କିଭଳି ପରଦିନ କରାଯାଇପାରିବ ସେଥିଲାଗି ପ୍ରଶାସନ କିଛି ସେବକଙ୍କୁ ହାତ କରି ସେମାନଙ୍କ ମୁହଁରେ ଦ୍ୱାଦଶୀରେ ସୁନାବେଶ ହୋଇପାରିବ ବୋଲି କୁହାଇଛନ୍ତି। ବାହୁଡ଼ାରେ ସନ୍ଧ୍ୟା ସାଢ଼େ ୫ ଟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଯିବ ବୋଲି କଳ୍ପନା କରିପାରିନଥିବେ। ଯଦି କରିପାରିଥାନ୍ତେ ତେବେ ରଥ ଲାଗିବାର ୨ ଘଣ୍ଟା ମଧ୍ୟରେ ରଥ ଚାରିପଟେ ବାରିକେଡ଼୍‌ କରିପାରିଥାନ୍ତେ ଓ ସେହିଦିନ ସୁନାବେଶ କରାଯାଇ ପାରିଥାନ୍ତା। ଯଦି ପ୍ରଶାସନ ବାହୁଡ଼ା ଏକାଦଶୀରେ ସୁନାବେଶ କରିବାକୁ ସକ୍ଷମ ହୋଇଥାନ୍ତା ତେବେ ଶ୍ରୀମନ୍ଦିର ନୀତି ଓ ପରମ୍ପରା ରକ୍ଷା ହେବା ସହିତ ପ୍ରଶାସନ ନିଜର ଦକ୍ଷତାର ପରିଚୟ ଦେଇପାରିଥାନ୍ତା। ଗୋଟେ କଥା ଅଛି, ଯିଏ ଡରିଗଲା ସିଏ ମରିଗଲା ବୋଲି ବୁଝିବାକୁ ପଡ଼ିବ।’ ଶ୍ରୀକୁମାରଙ୍କ ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରି ବିନୟ ମିଶ୍ର ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ସାଧାରଣତଃ ତିଥି ଯଦି ସୂର୍ଯ୍ୟୋଦୟ ସମୟ ପୂର୍ଵରୁ ଆରମ୍ଭ ହୋଇଥାଏ ସେହିଦିନ ସେହି ତିଥି ଶ୍ରୀମନ୍ଦିରରେ ପାଳିତ ହୁଏ। ହରିଶୟନ ଏକାଦଶୀ ୧୨ ତାରିଖ ସୂର୍ଯ୍ୟୋଦୟ ପୂର୍ଵରୁ ଆରମ୍ଭ ହୋଇ ପରଦିନ ଅର୍ଥାତ୍ ୧୩ ତାରିଖ ସୂର୍ଯ୍ୟୋଦୟ ପର ପର୍ଯ୍ୟନ୍ତ ପ୍ରାୟ ଦିନ ୯ଟା ପର୍ଯ୍ୟନ୍ତ ଥିଲା। ତାପରେ ଦ୍ଵାଦଶୀ। ତେଣୁ ଏକାଦଶୀ ଦୁଇ ଦିନ ପାଳନ ହେଉଛି। ସ୍ମାର୍ତ୍ତ ଓ ପରମାର୍ଥ ଦୁଇଟି ମତ ଅଛି। ଵୈଷ୍ଣଵ ମାନେ ୧୨ ତାରିଖ ଦିନ ପାଳିଛନ୍ତି ପରମାର୍ଥ ମତରେ। ଶ୍ରୀମନ୍ଦିରରେ ସ୍ମାର୍ତ୍ତ ମତରେ ୧୩ ତାରିଖରେ ପାଳିତ ହେଉଛି। ଦୁଇଟି ଯାକ ଦିନ ସୂର୍ଯ୍ୟୋଦୟ ସମୟକୁ ଏକାଦଶୀ ଥିଵାହେତୁ।’ ତେବେ, ଏ ଲେଖକ ଏସବୁ ପଢ଼ିଲା ପରେ ଓଡ଼ିଶା କୋହେନୂର ପ୍ରେସ ପଞ୍ଜିକାରେ କେଉଁ ଦିନ କି ତିଥି ପଡ଼ିଛି ଜାଣିବାକୁ ଆଗ୍ରହୀ ହେଲା। ଏହାର ପ୍ରଚ୍ଛଦ ପଟରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ପୁରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ୮୪ ବର୍ଷ ଧରି ପ୍ରଚଳିତ ଓଡ଼ିଶାର ସର୍ବପରିଚିତ ବହୁ ପୁରାତନ ସୁପ୍ରତିଷ୍ଠିତ ଓ ବିଶୁଦ୍ଧ ପଞ୍ଜିକା। ଶ୍ରୀମନ୍ଦିର ତରଫରୁ ଅନୁମୋଦିତ ଏହି ପାଞ୍ଜି ଅନୁସାରେ ମିଥୁନ ୨୮ ଦିନ ଜୁଲାଇ ୧୨ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୨୧ ଦିନ ଥିଲା ହରିଶୟନ ଏକାଦଶୀ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଦ୍ୟ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଓ ସୁନାବେଶ। ପରଦିନ ଅର୍ଥାତ ମିଥୁନ ୨୯ ଦିନ ଜୁଲାଇ ୧୩ ତାରିଖ ହେଉଛି ଗରୁଡ଼ ଶୟନ ଓ ସୁନାବେଶ। ପାଞ୍ଜିରେ ଗାଢ଼ କଳା ଅକ୍ଷରରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ହରିଶୟନ ଚୁତର୍ମାସ୍ୟା ଜନିତ ଅଶୁଦ୍ଧ କାଳ ଆରମ୍ଭ। ଏହାର ଗୋଟିଏ ଧାଡ଼ି ପରେ ଲେଖାଯାଇଛି ଯେ ଅଦ୍ୟ ଗରୁଡ଼ ଶୟନ ସୁନାବେଶ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଓ ଜୀଉମାନଙ୍କର ରଥରେ ସୁନାବେଶ। ଏ ଦି’ ଧାଡ଼ି କିନ୍ତୁ ହାଲୁକା କଳା ଅକ୍ଷରେ ଲେଖାଯାଇଛି। ଏଥିରୁ କେଉଁଟା ଠିକ ତାହା ମୁକ୍ତି ମଣ୍ଡପ ପଣ୍ଡିତ ମହାସଭା ନିର୍ଣ୍ଣୟ କରିବା ଉଚିତ। ବିନୟବାବୁ ଯାହା କହିଛନ୍ତି ସ୍ମାର୍ତ୍ତ ଓ ପରମାର୍ଥ ମତରୁ କେଉଁଟି ଅଧିକ ଗ୍ରହଣୀୟ? ପୁଣି ଅଶୁଦ୍ଧ କାଳରେ ସୁନାବେଶ କେତେ ଠିକ? ହରିଶୟନ କରିବା ସମୟରେ ସୁନାବେଶର ଅର୍ଥ କ’ଣ? ଜଗନ୍ନାଥ ମହାପ୍ରଭୁଙ୍କର ହରିଶୟନ ଏକାଦଶୀରେ ରଥରେ ସୁନାବେଶ ହୁଏ ନା ଗରୁଡ଼ ଶୟନ ତିଥିରେ? ଏସବୁ ପ୍ରଶ୍ନର ଉପରେ ପଣ୍ଡିତ ମଣ୍ଡଳୀ ବିଚାର କରିବା ଉଚିତ। ଶ୍ରୀମନ୍ଦିର ପ୍ରଶାସନ ଯଦି ପଣ୍ଡିତ ମଣ୍ଡଳୀ ସହିତ ବିଚାର ବିମର୍ଶ କରି ଅଶୁଦ୍ଧ କାଳରେ ସୁନାବେଶ କରିବାକୁ ନିଷ୍ପତ୍ତି ନେଇଥାନ୍ତି ତେବେ ତାହା ସର୍ବସାଧାରଣଙ୍କ ଗୋଚରାର୍ଥେ ବିଜ୍ଞପିତ କରିବା ଉଚିତ। ପ୍ରବଚକ ସଂପ୍ରଦାୟ ଯଦି ଏହାକୁ ବି ଶ୍ରୀଜଗନ୍ନାଥଙ୍କ ଲୀଳା ଭାବରେ ଗ୍ରହଣ କରିବେ ତେବେ ବି ଅନେକ ଲୋକ ତାହାକୁ ଗ୍ରହଣ କରିବେ। ଶ୍ରୀଜଗନ୍ନାଥ ପରମ୍ପରାରେ କେଉଁଟା କାହା ପାଇଁ ଲୀଳା ଓ କେଉଁଟା କାହା ପାଇଁ କିଳା ତାହା ନିର୍ଦ୍ଧାରିତ ହୋଇନାହିଁ। ଶାସନ ଓ ସେବାୟତ ପାଇଁ ଯେଉଁଟା ଲୀଳା ସେଇଟା ଲୋକଙ୍କ ପାଇଁ କିଳା ମଧ୍ୟ ହୋଇପାରେ। ନବକଳେବର ଅନ୍ୟାଚାର, ଦାରୁ ସନ୍ଧାନୀଙ୍କ ଶଗଡ଼ ଛାଡ଼ି ଏସୟୁଭି ଯାତ୍ରା, ବ୍ରହ୍ମ ବିଭ୍ରାଟ ଆଦି ଅନେକ ବିବାଦ ଉଠି ପୁଣି ଚପିଗଲାଣି। ଓଡ଼ିଆ ଜାତି ଜଗନ୍ନାଥଙ୍କ ସେବାପୂଜାରେ ହେଉଥିବା ବାରମ୍ବାର ବିଭ୍ରାଟକୁ ବି ସହ୍ୟ କରିଯାଉଛି। ଏପରିକି ରତ୍ନ ଭଣ୍ଡାର ଚାବି ହଜିବା ଓ ଚାବି ହଜିବା ବିବାଦ ସହିତ ରତ୍ନ ହଜିବାର ସନ୍ଦେହକୁ ମଧ୍ୟ ମନରେ ଚାପି ରଖି ସନ୍ଦିଗ୍ଧ ଶାସକଙ୍କୁ ପୁଣି ଥରେ ନିର୍ବାଚିତ କରୁଛି। ଏସବୁ ଘଟଣାରୁ ଜଗନ୍ନାଥଙ୍କ ମାହାତ୍ମ୍ୟ ବଢ଼ୁଛି କି ଛିଡ଼ୁଛି ତାହା ମଧ୍ୟ ବିଚାରଣୀୟ।

Share :