ଶ୍ରୀମନ୍ଦିରରେ ଲୁହା କଣ୍ଟା ପିଟିବା ବଡ଼ କଥା ନୁହେଁ!

ଶ୍ରୀମନ୍ଦିରରେ ଲୁହା କଣ୍ଟା ପିଟିବା ବଡ଼ କଥା ନୁହେଁ!

Share :

ସ୍ବତନ୍ତ୍ର ପ୍ରତିନିଧି ‘ଘରେ ଫୁଲ ସଜେଇବାକୁ କଣ୍ଟା ପିଟାଯାଉଛି। ଘର କ’ଣ ଭାଙ୍ଗି ଯାଉଛି? ସେମିତି ଶ୍ରୀମନ୍ଦିରରେ ଫୁଲ ସଜେଇବା ପାଇଁ କଣ୍ଟା ପିଟାଯାଇଛି। ଏହା କ’ଣ ବଡ଼ କଥା?’ ଏଥର ଗୁଣ୍ଡିଚାରେ ଶ୍ରୀମନ୍ଦିରରେ ହୋଇଥିବା ଫୁଲସଜା ସଂପର୍କରେ ଏକଥା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପି. କେ. ମହାପାତ୍ର। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ବିନା ଅନୁମୋଦନରେ ଫୁଲ ସଜେଇବା ପାଇଁ ଶ୍ରୀମନ୍ଦିରରେ ବଡ଼ ବଡ଼ ଲୁହା କଣ୍ଟା ପିଟା ଯାଇଥିବା ଅଭିଯୋଗ ହେବାରୁ ଗଣମାଧ୍ୟମରେ ଏହି ପ୍ରତିକ୍ରିୟା ରଖିଛନ୍ତି ମହାପାତ୍ର। ନବୀନ ସରକାରରେ ମହାପାତ୍ର ଜଣେ ପ୍ରଭାବଶାଳୀ ଅଫିସର। ତାଙ୍କର ଭୁବନେଶ୍ବରରେ ନିଶ୍ଚୟ ଘର ଥିବ। ସେ ଘରକୁ ସେ ଭଡ଼ାରେ ଲଗେଇ ସରକାରୀ ଘରେ ରହୁଥିବେ। ତାଙ୍କ ଭଡ଼ାଟିଆ ତାଙ୍କ ଘରେ ହ୍ୟାଙ୍ଗର ଇତ୍ୟାଦି ଟାଙ୍ଗିବାକୁ କଣ୍ଟା ପିଟିବାକୁ ସେ ଅନୁମତି ଦେଇଥିବେ କି ନାହିଁ ସେ ଜାଣିଥିବେ। ତାଙ୍କ ଭଡ଼ାଟିଆ ତାଙ୍କର କୌଣସି ପର୍ବରେ ରାସ୍ତାପଟ କାନ୍ଥରେ ଫୁଲ ଓ ବତୀ ସଜେଇବାକୁ କଣ୍ଟା ପିଟିବା ପାଇଁ ଅନୁମତି ପ୍ରାପ୍ତ ହୋଇଥିବେ କି ନାହିଁ ତାହା ସେ ଜାଣିଥିବେ। ତେବେ କଥା ସେଇଆ ନୁହେଁ। ତାଙ୍କ ଘର ହାଲି ତିଆରି ହୋଇଥିବ। ଶ୍ରୀମନ୍ଦିର କ’ଣ ଏଇ ୧୦-୨୦ ବର୍ଷର ମନ୍ଦିର? ତାଙ୍କ ଘରୁ କ’ଣ ଶ୍ରୀମନ୍ଦିର ପରି ପଥର ଖସୁଛି? ଶ୍ରୀମନ୍ଦିର ସୁରକ୍ଷା କଥାକୁ ଗୁରୁତ୍ବ ନଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ସାଜସଜା ପ୍ରତି ଗୁରୁତ୍ବ ଦେବା କେଉଁ ପରମ୍ପରା ଓ ଗୁଣ୍ଡିଚା ବିଧିର କଥା ତାହା ସେବାୟତ ଓ ଶଙ୍କରାଚାର୍ଯ୍ୟ କହିବା କଥା। ସେମାନେ କିନ୍ତୁ ଏ ସଂପର୍କରେ ଏଯାଏଁ ମତ ଦେଇନାହାନ୍ତି। କେହି ତାଙ୍କୁ ପଚାରି ନାହାନ୍ତି ବୋଧହୁଏ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରାଙ୍କ ରଥଯାତ୍ରାର ଇତିହାସ ସହସ୍ରାଧିକ ବର୍ଷ ପୁରୁଣା। କେବେ କିନ୍ତୁ ରଥଯାତ୍ରା ସମୟରେ ମନ୍ଦିରରେ ଫୁଲ ସଜା ହେଉ ନଥିଲା। ରାଜାଙ୍କ ସମୟରେ ରାଜାଘର ଓ ୧୯୬୦ ପରଠୁଁ ସରକାର ଶ୍ରୀମନ୍ଦିରର କିଛି ଅଂଶକୁ ଚୁନ ଧଉଳେଇଥାନ୍ତି। ଏବର୍ଷ ପ୍ରଥମ ଥର ପାଇଁ ପାଇଁ ଗୁଣ୍ଡିଚା ଦିନ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ପ୍ରାୟ ୨୦ କୁଇଣ୍ଟାଲ ଫୁଲ ଓ ଫଳରେ ସଜା ହୋଇଥିଲା। ଆରକେ ଶର୍ମା ନାମରେ ଦିଲ୍ଲୀର ଜଣେ ବ୍ୟବସାୟୀ ଶ୍ରୀମନ୍ଦିର ପ୍ରଶାସନଠାରୁ ଅନୁମତି ନେଇ ନିଜ ଖର୍ଚ୍ଚରେ ଏହି କାମ କରାଇଥିଲେ। ଏହି ଫୁଲ ଓ ଫଳ ସଜା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ତେଣୁ ରଥଯାତ୍ରା ଦିନ ତାହା ଦର୍ଶନ କରିଥିବା ଅନେକ ଭକ୍ତ ଏଭଳି ସାଜସଜାର ପ୍ରଶଂସା କରିଥିଲେ। ଟିଭି ଧାରା ବିବରଣୀରେ ମଧ୍ୟ ଅନେକ ପ୍ରବକ୍ତା ଏହି ସାଜସଜାର ଉଲ୍ଲେଖ କରିଥିଲେ। ସୂଚନା ଅନୁଯାୟୀ ଶର୍ମା ମହୋଦୟ ନିଜ ଖର୍ଚ୍ଚରେ ଫୁଲ ଓ ଫଳ କିଣି ପ୍ରାୟ ୨୫୦ ଜଣ ଡେକୋରେଟର ବା ସଜେଇବାବାଲା ନିୟୋଜିତ କରି ଏହି କାମ କରାଇଥିଲେ। ଏଥିରେ ତାଙ୍କର କେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବ। ବାହୁଡ଼ା ଓ ସୁନାବେଶ ଦିନ ବି ସେ ଶ୍ରୀମନ୍ଦିର ଓ ଗୁଣ୍ଡିଚାଘରକୁ ଏଭଳି ସଜେଇବେ ବୋଲି ପ୍ରସ୍ତାବ ଦେଇଛନ୍ତି। ଜଣେ ଭକ୍ତ ଭାବରେ ଏହା ଏକ ପ୍ରଶଂସନୀୟ କାର୍ଯ୍ୟ। ସାଧାରଣତଃ ହିନ୍ଦୁ ଚଳଣୀରେ ପୁନେଇପର୍ବରେ ମନ୍ଦିର ଓ ଘର ଆଦିରେ ନାନାଦି ସାଜସଜା କରାଯାଇଥାଏ। ଫୁଲ, ଫଳ, ପତ୍ର ଓ ମୁରୁଜ ସହିତ ବିଦ୍ୟୁତ ଆଲୋକମାଳାରେ ସାଜସଜା ଆକର୍ଷଣୀୟ ଲାଗେ। ଏହି ଦୃଷ୍ଟିରୁ ଗୁଣ୍ଡିଚା ରଥଯାତ୍ରାକୁ ଅଧିକ ଆର୍ଷଣୀୟ କରିବା ପାଇଁ ଶର୍ମା ମହୋଦୟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିବେ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଅଧିକ କଥା ବିଚାର ନକରି ଖୁସିରେ ଏଭଳି କାର୍ଯ୍ୟ ପାଇଁ ଅନୁମତି ଦେଇଥିବେ। ତେବେ, ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିବାଦ ମୂଳରେ ଅଛି ଲୁହାକଣ୍ଟା। ଯେତେବେଳେ ଜଣାପଡ଼ିଲା ଯେ କୁଇଣ୍ଟାଲ କୁଇଣ୍ଟାଲ ଫୁଲ ଓ ଫଳ ସଜେଇବା ପାଇଁ ଶ୍ରୀମନ୍ଦିର ଗୁମୁଟରେ ଅନେକ ବଡ଼ବଡ଼ ଲୁହା କଣ୍ଟା ପିଟା ଯାଇଛି ତାହା ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଦୃଷ୍ଟିକୁ ଆସିଲା। ସେମାନେ ଦେଖିଲେ ନିୟମ ଅନୁଯାୟୀ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇଠାରୁ ଅନୁମତି ନେବା କଥା, ନେଇ ନାହାନ୍ତି କି ଜଣେଇ ନାହାନ୍ତି। ତେଣୁ ଏଏସଆଇ ଓଡ଼ିଶା ମଣ୍ଡଳର ଅଧିକ୍ଷଣ ପ୍ରତ୍ନତତ୍ତ୍ବବିଦ ଏନେଇ ଉଦବେଗ ପ୍ରକାଶ କରିବା ସହିତ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ତାଙ୍କ ରିପୋର୍ଟରେ ସେ କ’ଣ ଉଲ୍ଲେଖ କରିଛନ୍ତି ତାହା ଖୋଲି କହିନାହାନ୍ତି। ତେବେ ସେ ଏତକ କହିଛନ୍ତି ଯେ ମନ୍ଦିର ସ୍ଥିତି ଭଲ ନାହିଁ। ତା’ ଉପରେ ଏଭଳି କଣ୍ଟାପିଟା କାମ ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ଯେହେତୁ ଏଏସଆଇ ଉପରେ ନ୍ୟସ୍ତ ଅଛି ସେହେତୁ ବିଧି ଦୃଷ୍ଟିରୁ ଏ ସଂପର୍କରେ ତାଙ୍କ ଅଫିସ ସହିତ ପରାମର୍ଶ କରାଯାଇ ନିଷ୍ପତ୍ତି ନିଆଯାଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି। ତେବେ ସେ ଯାହା ହେଉ, ବାହାଘରକୁ ସୁନ୍ଦର କରିବା ପାଇଁ ବେଦି ସଜେଇବାର କାହାର ଆପତ୍ତି ନାହିଁ। କିନ୍ତୁ ସଜ୍ଜିତ ବେଦି ଯଦି ବରକନ୍ୟାଙ୍କ ଉପରେ ଗଳି ପଡ଼େ ତେବେ ସମସ୍ତେ ନିଶ୍ଚୟ ସଜେଇବାବାଲାକୁ ନିନ୍ଦା କରିବେ। ଏବେ ଶ୍ରୀମନ୍ଦିର ଫୁଲସଜା ସେଇପରି ଏକ ପ୍ରସଙ୍ଗ ହୋଇଛି।

Share :