ଶିକ୍ଷା ମାନ ହ୍ରାସ ପାଇଁ ସରକାର ଦାୟୀ!

ଶିକ୍ଷା ମାନ ହ୍ରାସ ପାଇଁ ସରକାର ଦାୟୀ!

Share :

ଶିକ୍ଷା ପ୍ରତିନିଧି ରାଜ୍ୟ ସରକାର ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାପନ ମାଧ୍ୟମରେ ନିଯୁକ୍ତି ଦେଇଥିଲେ ମଧ୍ୟ ସେମାନଙ୍କୁ ଯୋଗ୍ୟତା ଆଧାରରେ ନିୟୋଜିତ ନକରି ମନଇଛା କାର୍ଯ୍ୟ କରାଇବା ଓ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଚାକିରୀ କରୁଥିବା ଶିକ୍ଷକମାନଙ୍କୁ ଦରମା ନ ଦେଇ ସାଧାରଣ ଶ୍ରମିକଠାରୁ କମ୍ ଦରମା ମାସିକ ମାତ୍ର ୬୫୧୨ ଟଙ୍କା ଦେଇ ଖଟାଇବା ଏବଂ ସେମାନଙ୍କଠାରୁ ଗୁଣାତ୍ମକ ଶିକ୍ଷା ଆଶା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଏଡ୍ ଶିକ୍ଷକ ସଂଗଠନ ଅଭିଯୋଗ କରିଛି। ସରକାରଙ୍କ ଏତାଦୃଶ କାର୍ଯ୍ୟର ପ୍ରତିବାଦରେ ଆୟୋଜିତ ଏକ କର୍ମଶାଳାରେ ଯୋଗଦେଇ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ ଜଣାଇଛନ୍ତି ଯେ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ସରକାର ଓଟିଇଟି-୨ ପରୀକ୍ଷା କରାଇ ବିଏଡ୍ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ। କିନ୍ତୁ ନିଯୁକ୍ତି ପରେ ସେମାନଙ୍କୁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପଢ଼ାଇବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି। କାରଣ ସରକାର ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ଶିକ୍ଷକ ମଣ୍ଡଳୀ ବ୍ୟବସ୍ଥା ଏବେଯାଏଁ କାର୍ଯ୍ୟକାରୀ କରିନାହାନ୍ତି। ଜଣେ କମ୍ ଯୋଗ୍ୟତା ସମ୍ପନ୍ନ ଶିକ୍ଷକ ଅଧୀନରେ ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକମାନେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଥିଲା ବେଳେ ଯୋଗ୍ୟ ଶିକ୍ଷକମାନଙ୍କୁ ସେମାନଙ୍କ ପଦମର୍ଯ୍ୟାଦା ଓ ସମ୍ମାନ ମିଳୁନାହିଁ। ରାଜ୍ୟର ପ୍ରାଥମିକ ଶିକ୍ଷାର ଭାର ବହନ କରୁଥିବା ୭୦ ହଜାରରୁ ଊର୍ଦ୍ଧ୍ୱ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ / କନିଷ୍ଠ ଶିକ୍ଷକମାନେ ଅତ୍ୟନ୍ତ ନିଷ୍ଠାର ସହ ନିଜର ଚାକିରୀରେ ସ୍ଥାୟୀ ହେବାପାଇଁ ମନପ୍ରାଣ ଦେଇ ଶିକ୍ଷଣ କାର୍ଯ୍ୟ କରୁଥିଲା ବେଳେ ସେମାନଙ୍କୁ ସରକାର ହତାଦର କରୁଛନ୍ତି। କେବଳ ମାତ୍ର ନିଯୁକ୍ତି ଦେଇ ଦରମା ଦେବାକଥା ଭୁଲିଯାଉଛନ୍ତି ସରକାର । ରାଜ୍ୟର ସମସ୍ତ ବର୍ଗର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଦରମା ପ୍ରଦାନ କରିଥିଲେ ମଧ୍ୟ କନିଷ୍ଠ ଶିକ୍ଷକମାନଙ୍କୁ ଟଙ୍କାଟିଏ ବି ବର୍ଦ୍ଧିତ ଦରମା ପ୍ରଦାନ କରିନାହାଁନ୍ତି। ପ୍ରତିଥର ବେତନ କମିଶନ ବୃଦ୍ଧି ଆଧାରରେ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକମାନଙ୍କ କଥା ବିଚାର କରାଯାଇ ଦରମା ବୃଦ୍ଧି କରାଯାଉଥିବା ବେଳେ ଚଳିତଥର ସରକାର ଏଥିପ୍ରତି ଆଦୌ ବିଚାରକୁ ନ ନେଇ ସେମାନଙ୍କୁ ସାଧାରଣ ଦିନ ମଜୁରୀଆଙ୍କ ପାଇଁ ସରକାରୀ ନିର୍ଦ୍ଧାରିତ ଦୈନିକ ମଜୁରୀଠାରୁ ମଧ୍ୟ କମ୍ ଦରମା ପ୍ରଦାନ କରୁଛନ୍ତି। ନିଜ ଘରଠାରୁ ୫୦୦ ରୁ ୭୦୦ କିମି ଦୂରରେ କାମ କରୁଥିବା କନିଷ୍ଠ ଶିକ୍ଷକମାନେ କେବଳ ଚାକିରୀ ଚାଲିଯିବା ଭୟରେ ବାଧ୍ୟହୋଇ କାମ କରୁଛନ୍ତି ଓ ପ୍ରତିବାଦ କରିବାର ସାହସ ଜୁଟାଇ ପାରୁନାହାଁନ୍ତି। ଏ କ୍ଷେତ୍ରରେ ସରକାର ପେଟକୁ ଦାନା ନ ଦେଇ ଗୁଣାତ୍ମକ ଶିକ୍ଷା ଆଶା କରିବା କେତେଦୂର ସମୀଚିନ ତାହା ବିଚାର କରିବାର ସମୟ ଉପନୀତ ହୋଇଛି। ଯେତେଦିନ ଯାଏ ସରକାର ଶିକ୍ଷକମାନଙ୍କୁ ଉପଯୁକ୍ତ ପଦମର୍ଯ୍ୟାଦା ପ୍ରଦାନ କରିନାହାଁନ୍ତି, ସେତେଦିନ ଯାଏ ଶିକ୍ଷାର ମାନବୃଦ୍ଧି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହେଉଥିବ। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଶିକ୍ଷକମାନଙ୍କୁ ସର୍ବଶ୍ରେଷ୍ଠ ପଦମର୍ଯ୍ୟାଦା ଦିଆଯାଉଥିବା ବେଳେ ଓଡ଼ିଶାରେ ଶିକ୍ଷକମାନଙ୍କୁ ଚୁକ୍ତି, ଠିକା ପଦବୀରେ ନିଯୁକ୍ତି ଦେଇ ସେମାନଙ୍କ ଦରମା ନିର୍ଦ୍ଧାରଣ ନକରି ବରଂ ଉଚ୍ଚ ଯୋଗ୍ୟତାଧାରୀ ବିଏଡ୍ ଶିକ୍ଷକମାନଙ୍କୁ ପ୍ରାଥମିକ ଶ୍ରେଣୀମାନଙ୍କରେ ପଢ଼ାଇବାକୁ ବାଧ୍ୟ କରିବାର କୁତ୍ସିତ ପରମ୍ପରା ସୃଷ୍ଟି କରି ଶିକ୍ଷକପଦବୀକୁ ଅପଦସ୍ଥ କରୁଛନ୍ତି। ଏତଦ୍‌ବ୍ୟତୀତ ବିଭିନ୍ନ ବିଦ୍ୟାଳୟକୁ ନିକଟସ୍ଥ ଉଚ୍ଚ ବିଦ୍ୟାଳୟ ସହିତ ମିଶ୍ରଣ କରୁଥିଲେ ମଧ୍ୟ ସଠିକ୍ ବ୍ୟବସ୍ଥା ନ କରି ମିଶ୍ରଣ କରାଯାଉଥିବାରୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୁଡ଼ିକ ଖାଲି ପଡୁଥିଲେ ମଧ୍ୟ ଶିକ୍ଷାଦାନ କରିବା ପାଇଁ ଅମଙ୍ଗ ହେଉଛନ୍ତି ଓ ସେହି ବିଦ୍ୟାଳୟର କିରାଣୀମାନେ ମଧ୍ୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନାମଲେଖାଠାରୁ ଆରମ୍ଭ କରି ନାନାଦି କାର୍ଯ୍ୟ କରିବାକୁ ଅରାଜି ହେଉଛନ୍ତି। ଯାହାଫଳରେ ମିଶ୍ରଣର ଅର୍ଥ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଅନେକ ବିଦ୍ୟାଳୟରେ ଭିତ୍ତିଭୂମି ନାହିଁ, କର୍ମଚାରୀ ନାହାଁନ୍ତି, ଶିକ୍ଷକ ଅଭାବ ରହିଛି, ପାଚେରୀ ନାହିଁ, ସଫେଇ କର୍ମଚାରୀ ନାହାଁନ୍ତି। ଶିକ୍ଷକମାନେ ଶିକ୍ଷାଦାନ ବ୍ୟତୀତ ଅନେକ ଗୁଡ଼ିଏ ଅଣଶୈକ୍ଷିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ହେଉଛନ୍ତି। ଫଳରେ ଶିଶୁମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ବେଳେ ଏଭଳି କାର୍ଯ୍ୟ ଘରୋଇ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି। ଯାହାଫଳରେ ଗୁଣାତ୍ମକ ଶିକ୍ଷା ବାଧାପ୍ରାପ୍ତ ହେଉଛି। ଏକଥା ବିଚାର କରିବା ପରିବର୍ତ୍ତେ ସରକାରୀ ଦଳର ବିଧାୟକ ବିଧାନସଭାରେ ଶିକ୍ଷକମାନେ ରାଜନୀତି କରୁଛନ୍ତି ବୋଲି ବିବୃତ୍ତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଉପସଭାପତି ସରୋଜ କୁମାର ପଣ୍ଡା ଅଭିଯୋଗ କରିଛନ୍ତି। ଏତଦ୍‌ବ୍ୟତୀତ ସରକାର ନୂତନ କ୍ୟାଡର ପୁନର୍ଗଠନ ଆଳରେ ବିଜ୍ଞାପନ ଅନୁଯାୟୀ ଟିଜି ପଦବୀରେ ନିଯୁକ୍ତି ପାଇଥିବା ବିଏଡ୍. ଡିଗ୍ରୀ ସହ ଓଟିଇଟି-୨ ଯୋଗ୍ୟତା ହାସଲ କରିଥିବା ଶିକ୍ଷକଙ୍କୁ ସିଧା ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ନକରି ପଦୋନ୍ନତି ଭିତ୍ତିରେ କମ୍ ଯୋଗ୍ୟତାଧାରୀ ଶିକ୍ଷକଙ୍କୁ ଉଚ୍ଚପଦବୀରେ ରଖିବାର ଅପପ୍ରୟାସ କରିଛନ୍ତି, ଯାହାଫଳରେ ଗୁଣାତ୍ମକ ଶିକ୍ଷା ହ୍ରାସ ପାଉଛି ବୋଲି ସଭାପତି ଅଜୟ କୁମାର ଧଳ, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ଆବାହକ ରୂପେଶ କୁମାର ସାହୁ, ସଦାଶିବ ବେହେରା ଓ କାଳନ୍ଦି ଜେନା ପ୍ରମୁଖ ଜଣାଇଛନ୍ତି।

Share :