ଭୋଗକୁ ବ୍ରହ୍ମାଣ୍ଡ ନିଅଣ୍ଟ

ଭୋଗକୁ ବ୍ରହ୍ମାଣ୍ଡ ନିଅଣ୍ଟ

Share :

ଦେବେନ୍ଦ୍ର ପୃଷ୍ଟି   ସୀମା ଟପିଲାଣି ବସ୍ତୁବାଦୀ ମଣିଷର ଉପଭୋଗ | ବିଶ୍ବର ଅର୍ଦ୍ଧାଧିକ ମଣିଷ ଯାହା ଉତ୍ପାଦନ କରୁଛନ୍ତି ତା’ଠାରୁ ଢେର ଅଧିକ ଉପଭୋଗ କରୁଛନ୍ତି | ଆଉ ଦଳଟିଏ ବିଲ୍କୁଲ କିଛି ଉତ୍ପାଦନ ନକରି ଉପଭୋଗ କରୁଛନ୍ତି | ଥୋକେ ଏମିତି ବି ଅଛନ୍ତି ଯେଉଁମାନେ ଉପଭୋଗ ତ’ ଅଧିକ କରୁଛନ୍ତି, ପ୍ରକୃତିର ଉତ୍ପାଦନ ପ୍ରକିୟାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି | ଏଭଳି ସ୍ଥିତିରେ ପୃଥିବୀର ଉତ୍ପାଦନ ଓ ମଣିଷର ଉପଭୋଗ ମଝରେ ବ୍ୟବଧାନ ବଢ଼ି ବଢ଼ି ଚାଲିଛି | ଏବେ ବୈଜ୍ଞାନିକମାନେ ହିସାବ କରି କହିଲେଣି ଯେ ବର୍ତ୍ତମାନ ହାରରେ ମଣିଷ ପାଇଁ ବର୍ଷକୁ ଦେଢ଼ଟି ପୃଥିବୀ ଦରକାର ହେଉଛି | 2030 ବେଳକୁ ମଣିଷର ଉପଭୋଗ ପାଇଁ ବାଷିର୍କ ଦୁଇଟି ପୃଥିବୀ ବି ନିଅଣ୍ଟ ପଡ଼ିବ ! ପୃଥିବୀର ପରିପୋଷଣୀୟତା ଉପରେ କାମ କରୁଥିବା ଗୋଟିଏ ସଂସ୍ଥା ହେଉଛି ଗ୍ଲୋବାଲ୍ ଫୁଟ୍ପ୍ରିଣ୍ଟ ନେଟ୍ବାର୍କ|  ଏହି ସଂସ୍ଥା ପୃଥିବୀର ପ୍ରକୃତି, ଏହାର ଉତ୍ପାଦନ ଓ ମାନବିକ ଉପଭୋଗ ସଂପର୍କରେ ଗବେଷଣା ପାଇଁ ଖ୍ୟାତି ଅର୍ଜନ କରିଛି | ଏହି ସଂସ୍ଥା ଏବେ ଯେଉଁ ତଥ୍ୟ ପ୍ରକାଶ କରିଛି ତାହା ଲୋଭୀ ମଣିଷକୁ କୃପଣ ନକରି ପାରେ,  କିନ୍ତୁ ଉପଭୋଗ କ୍ଷେତ୍ରରେ ମଣିଷ କୃପଣ ହେବା ଦରକାର ବୋଲି ଏକ ଚେତନା ସୃଷ୍ଟିରେ ସହାୟକ ହୋଇପାରେ| | ତା’ ନହେଲେ ମଣିଷ ପାଇଁ ଏଇ ଗୋଟିଏ ପୃଥିବୀ ଅଣ୍ଟିବ ନାହିଁ | ଆଉ 15 ବର୍ଷ ପରେ ମଣିଷକୁ ହୁଏତ ନିଜର ଆବଶ୍ୟକତା ମେଣ୍ଟାଇବାକୁ ମଙ୍ଗଳ କି ବୃହସ୍ପତି ଉପରର ନିର୍ଭର କରିବାକୁ ପଡ଼ିବ | ସେତେବେଳେ ପୃଥିବୀର ଅଭାବୀ ମଣିଷକୁ ଆକାଶମାର୍ଗରୁ ଖସୁଥିବା ରିଲିଫ୍ ସାମଗ୍ରୀକୁ ଅପେକ୍ଷା କରିବାକୁ ହେବ | ମଙ୍ଗଳ କି ବୃହସ୍ପତିରୁ ପଦାର୍ଥ ଖସିଲେ ତାହାକୁ ଝାମ୍ପିନେବାକୁ ହେବ | ପ୍ରତି ବର୍ଷ ପୃଥିବୀ କେତେ ଉତ୍ପାଦନ କରୁଛି ଓ ମଣିଷ କେତେ ଉପଭୋଗ କରୁଛି ତା’ ଭିତରେ ପରିସଂଖ୍ୟାନ ଗତ ବ୍ୟବଧାନ ବଢ଼ିବଢ଼ି ଚାଲିଛି | ଗ୍ଲୋବାଲ୍ ଫୁଟ ପ୍ରିଣ୍ଟ ନେଟ୍ବାର୍କ ବା ଜିଏଫ୍ଏନ୍ ହିସାବ କରି କହିଛି ଯେ 1970 ସୁଦ୍ଧା ପୃଥିବୀର ଉତ୍ପାଦନ ଓ ମଣିଷର ଉପଭୋଗ ମଧ୍ୟରେ ଭାରସାମ୍ୟ ରହିଥିଲା | ଅର୍ଥାତ ପୃଥିବୀର ଉତ୍ପାଦନଠାରୁ ମଣିଷର ଉପଭୋଗ ଆଦୌ ବଢ଼ି ନଥିଲା | କିନ୍ତୁ ତା’ ପରଠୁଁ ମଣିଷର ଉପଭୋଗର ମାତ୍ରା ବଢ଼ି ବଢ଼ି ଚାଲିଛି | ବର୍ଷକୁ ବର୍ଷ ଉପଭୋଗର ମାତ୍ରା ଏତେ ବଢ଼ି ଯାଉଛି ଯେ ପୃଥିବୀର ଉତ୍ପାଦନ କୁଳଉ ନାହିଁ | ଏହି ସଂସ୍ଥାର ହିସାବ ଅନୁଯାୟୀ 2014 ମସିହାରେ ଅଗଷ୍ଟ 19 ତାରିଖ ସୁଦ୍ଧା ମଣିଷ ପୃଥିବୀର ସମସ୍ତ ଉତ୍ପାଦନକୁ ଖାଇ ସାରିଥିଲା | 2015 ବର୍ଷରେ କିନ୍ତୁ ଆହୁରି 6 ଦିନ ପୂର୍ବରୁ ପୃଥିବୀର ଉତ୍ପାଦନ ଶେଷ ହୋଇଥିଲା|  ଅର୍ଥାତ ୨୦୧୫ ବର୍ଷ ଅଗଷ୍ଟ 13 ତାରିଖ ସୁଦ୍ଧା ପୃଥିବୀ ବର୍ଷକୁ ଯେତିକି ଉତ୍ପାଦନ କରିଥାନ୍ତା ମଣିଷ ତାହା ଉପଭୋଗ କରିସାରିଛି | ଏହି ହିସାବରେ ଏବେ ମଣିଷର ଗୋଟିଏ ବର୍ଷର ଉପଭୋଗ ପାଇଁ ଦେଢ଼ଟି ପୃଥିବୀ ଦରକାର ହେଉଛି | କାରଣ ପୃଥିବୀ ବର୍ଷକରେ ଯାହା ଉତ୍ପାଦନ କରୁଛି ମଣିଷ ତାହାକୁ 8 ମାସରେ ଶେଷ କରିଦେଉଛି | ମଣିଷର ଉପଭୋଗର ମାତ୍ରା ଏହି ଗତିରେ ଗଡ଼ି ଚାଲିଲେ 2030 ବେଳକୁ ମଣିଷ ପାଇଁ ଦୁଇଟି ପୃଥିବୀ ଦରକାର ହେବ | ସେତେବେଳେ କ’ଣ କରାଯିବ ? ଭୋଗବାଦୀଙ୍କୁ ଏହି ପ୍ରଶ୍ନ ବୋଧହୁଏ ଘାରିଛି ! ଆଉ ସେଇଥିପାଇଁ ସେମାନେ ଚନ୍ଦ୍ର, ମଙ୍ଗଳ, ବୃହସ୍ପତି ଆଡ଼େ ଆଖି ପକେଇଛନ୍ତି | ମହାକାଶରେ ଖସି ପଡ଼ୁଥିବା ଉଲ୍କାରେ କି ଧାତୁ ଓ ଖଣିଜ ପଦାର୍ଥ ରହିଛି ତାହାର ମଧ୍ୟ ସନ୍ଧାନ କରାଯାଉଛି | ସୂର୍ଯ୍ୟ, ସାଗର ଓ ନକ୍ଷତ୍ରମାନଙ୍କରୁ କିପରି ଶକ୍ତି ଓ ସଂପଦ ଆହରଣ କରାଯିବ ତା’ ଉପରେ ଗବେଷଣା ଚାଲିଛି | ଆଣ୍ଟାର୍କଟିକାର ବରଫ ତଳେ କ’ଣ କ’ଣ ଗଚ୍ଛିତ ରହିଛି ତାହା ଠାବ କରିବାକୁ ଅଭିଯାନ ଚାଲିଛି | ଶକ୍ତି ଓ ସାଧନର ନୂଆ ସୂତ୍ର ନିମିଳିଲେ ଭୋଗବିଳାସ ଚାଲିବ କେମିତି ? ଭୋଗକୁ ତ’ ବ୍ରହ୍ମାଣ୍ଡ ନିଅଣ୍ଟ ! ସମ୍ଭବତଃ ଏମିତି ଦିନେ ହେବ ବୋଲି ଆଶଙ୍କା କରିଥିଲେ ପ୍ରାଚୀନ ଭାରତର ଯୁଗଦ୍ରଷ୍ଟା ଋଷିମାନେ | ସେଥିପାଇଁ ସେମାନେ ଭୋଗ ଅପେକ୍ଷା ତ୍ୟାଗ ଉପରେ ଗୁରୁତ୍ବ ଦେଉଥିଲେ ଏବଂ ଭୋଗ ପାଇଁ ପରିପୋଷଣୀୟ ନୀତି ନିର୍ଦ୍ଧାରଣ କରିଥିଲେ | ଈଶା ଉପନିଷଦର ପ୍ରଥମ ଶ୍ଳୋକରେ ସେମାନେ ରଚନା କରିଯାଇଛନ୍ତି ଏକ ଅନନ୍ତ ଅକ୍ଷୟ ପୃଥିବୀ ପାଇଁ ଭୋଗର ନିୟମ- ଈଶାବାସ୍ୟମିଦମ ସର୍ବମ ଯତ୍କିଞ୍ଚନ୍ନଜଗତ୍ୟାଜଗତ, ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧ କସ୍ୟସ୍ବିଦ୍ ଧନମ୍ | ଏ ଚଳମାନ ଓ ଅଚଳମାନ ବିଶ୍ବର ଯାହା କିଛି ଅଛି ତାହା ସମସ୍ତ ହେଉଛି ଈଶ୍ବରଙ୍କର | ତେଣୁ ତୁମେ ତ୍ୟାଗ କରି ଭୋଗ କର, ଅନ୍ୟର ସଂପଦ ଉପରେ ଲୋଭ ଦୃଷ୍ଟି ପକାଅ ନାହିଁ | ଏକ ପରିପୋଷଣୀୟ ବିଶ୍ବ ପାଇଁ ଏହା ହିଁ ଭୋଗ ଓ ଉପଭୋଗର ନୀତି ହେବା ନିହାତି ଜରୁରୀ |

Share :