ମୌସୁମୀ

ମୌସୁମୀ

Share :

ରାଧାମୋହନ ଗଡ଼ନାୟକ (ଏ ସନ ବହୁ ବିଳମ୍ବରେ ଓଡ଼ିଶାକୁ ମୌସୁମୀ ଆସିଛି। ଚାରି ଆଡ଼େ ହା-ହା-କାର ମଧ୍ୟରେ ଆଜି ବାଦଲ-ଭରା ଆକାଶରୁ ମେଘର ମହ୍ଲାର ଶୁଣିଲା ପରେ ମହାନ କବିଙ୍କର ଏଇ କବିତାକୁ ପୁଣି ଥରେ ଓଡ଼ିଆ ପ୍ରାଣଙ୍କୁ ପରଷି ଦେବାକୁ ଉଚିତ ମଣିଲି। ସଂପାଦକ।) ତୂର୍ଣ୍ଣ ଗତିର ହିଲ୍ଲୋଳେ ଆଜି ପୂର୍ଣ୍ଣ ବଳେ ଧାଇଁ ଆସିଅଛି ମୌସୁମୀ ମୁହିଁ ସୃଷ୍ଟି ପରେ। ପ୍ରବାହେ ମୋହର କୃଷ୍ଣ ବାଦଲ ଦେଇଚି ଖୋଲି, ମଣୁଚ କି ମତେ ଆଲୁଳିତ କେଶ ବିଲୁଳିତ ବେଶ ଦୈତ୍ୟ ବୋଲି? ଡରୁଚ କି ମତେ? ଡାକୁଅଛି ମୁଁ ଯେ ମନ୍ଦ୍ର ଭାଷେ, ହସି ଦେଉଅଛି ବଜ୍ର-ବିଜୁଳି-ଅଟ୍ଟହାସେ, ବରିଷ ଦେଉଚି ତୁମୂଳ କରକା ତୀବ୍ରତର ମତାଇ ଦେଉଚି ଅକାଳ ପ୍ରଳୟ ବର୍ଷା ଝଡ଼। ଡରନି ମତେ ରେ ଡରନି ମତେ ରେ ମର୍ତ୍ତ୍ୟ ଜୀବ, ରୁଦ୍ର ସିନା ଏ ମୂର୍ତ୍ତି ମୋହର ମୁହିଁ ତ ଶିବ! ନୀଳ ସୁନ୍ଦର ମହାସିନ୍ଧୁର ଉରସ ପରେ ଦୋଳୁଥିଲି ମୁହିଁ ହରଷ ଭରେ। ଊର୍ମି-ସହୀର ଚିକୁରେ ଚିବୁକେ, ପୀରତିର ରସ-ହାସ-କୌତୁକେ ଲଗାଇ ପାଣି, କହି ଉଠୁଥିଲି, ‘ରାଣୀ ଗୋ ରାଣୀ!’ ପ୍ରଣୟ-ମୁଗ୍ଧା କଳ ଉଚ୍ଛ୍ବାସେ କହି ଉଠୁଥିଲା ରସ ଉଲ୍ଲାସେ, ‘ପ୍ରିୟ ହେ ପ୍ରିୟ, ଆହୁରି ଦିଅ ସେ ମଦିର ପରଶ ଆହୁରି ଦିଅ!’ ଲୋଟି ପଡ଼ି ତା’ର ନଗନ ଜଘନ ବକ୍ଷ ପରେ ଫେନ-ହାସ ତା’ର ପିଇ ପିଇ ଓଠ-ଚୁମ୍ବନରେ ହେଉଥିଲି ରସ-ରଙ୍ଗେ ଭୋଳ, ତପତ କାହାର ନିଃଶ୍ବାସ, ବୁକୁ ବେଦନାର ଉଚ୍ଛ୍ବାସ ସହସା ବାଜିଲା ଅଙ୍ଗେ ମୋର। ଚଂଚଳ ମୁହିଁ ଚକିତେ ଫେରି ଅନାଇ ଦେଖିଲି ଦୃଷ୍ଟି ମେଲି- ତମାଳ ତାଳୀର କାନନିକା ଛାଡ଼ି ବଳାକାରାଶି ମହାସିନ୍ଧୁର ବନ୍ଧୁର ବୁକେ ପଡ଼ୁଚି ଝାସି। ଧରଣୀର ତଳ ଖର ଉତ୍ତାପେ ଉଠୁଚି ଭରି ଶସ୍ୟ ଶସ୍ପ ପୁଷ୍ପ ବିତାନ ଯାଉଚି ଜଳି ଧୂଳିର କୁହେଳି କୁହୁଳି କୁହୁଳି ଥରକୁ ଥର ଧୂମ ଧୂସର କରି ଦେଉଅଛି ଗଗନତଳ। ଶୈବଳିନୀର ସୈକତ ବୁକେ ରସର ରେଖା ଶୁଖି ଯାଇଅଛି- ଯାଉନି ଦେଖା। ନୀଳ ସୁନ୍ଦର ଶଇଳ ପୁଞ୍ଜ, ଫୁଲ୍ଲ ବିକଚ ଅଟବୀ କୁଞ୍ଜ ପ୍ରଳୟ ଭଳି- ଦାବ ଦହନରେ ଯାଉଚି ଜଳି। ତୃଷ୍ଣା-କାତର ଚାତକ-କଣ୍ଠ ଯାଉଚି ଫାଟି ଆଁ କରି ଏବେ ଶୂନ୍ୟେ ଚାହିଁଚି ଦୀର୍ଣ୍ଣ ମାଟି। ମାଟିର ଭକତ ଅମ୍ବରେ ଚାହିଁ ବାରକୁ ବାର ଢାଳି ଦେଉଅଛି ହା-ହା-କାର। ସକଳ ଦେଖି ମୁହିଁ ନଦେଖୁଣୁ ପ୍ରେୟସୀ ମୋହର କହିଲା, ‘ଏକି?’ ମୁଁ କହିଲି, ‘ଥାଅ, ଚାଲିଲି ଏବେ।’ ସେ କହି ଉଠିଲା, ‘ମୁଁ ଯିବି ତେବେ। ମୁହିଁ କି କେବଳ ଜୀବନର ତୁମ ନର୍ମମୟୀ? ହୋଇ ପାରିବିନି କର୍ମ-ସହୀ? ହେ ମୋର ପ୍ରିୟ, ସଙ୍ଗେ ନିଅ।’ ବିପୁଳ-ପୁଲକ-ପରଶ ଭରେ ମୁଁ ହରଷ ଭରେ ପ୍ରିୟାରେ ମୋହର ଆଶ୍ଳେଷି ନେଲି ଉରସ ପରେ। ଆଉ ତ କାହିଁ, ଘନ ବନ୍ଧନ ଫିଟିଲା ନାହିଁ! ଦିଓଟି ଜୀବନ ମିଶି ଯାଇ ଆଜି ମିଶ୍ରରାଗେ ଧାଇଁ ଅସିଅଛି ମୌସୁମୀ ମୁହିଁ ଧରଣୀ ଭାଗେ। ନମ୍ର ନୁହଇ କମ୍ର ନୁହଇ ନୁହଇ ଧୀର ଉଗ୍ର ମୁଁ ଆଜି ବ୍ୟଗ୍ର ମୁଁ ଆଜି ଅଗ୍ରସର! ସାଗର ବକ୍ଷୁ ବହି ଆଣିଅଛି ସଲିଳଧାରା ଦୂର ଦିଗନ୍ତୁ ଉଡ଼ାଇ ଆଣିଚି ବାରିଦମାଳା। ପୀଡ଼ିତ ପ୍ରାଣର ମଙ୍ଗଳ ଲାଗି ଜୀବନ ଦେଇ ଦୁର୍ଦ୍ଦିନ ମୁହିଁ, ସୃଷ୍ଟିର ତଳେ ଦୁର୍ଦିନ ମୁହିଁ ଆଣୁଚି ଏଇ...।

Share :