ଓଡ଼ିଶା ଭୋଟର କେତେ ଚାଲାକ?

ଓଡ଼ିଶା ଭୋଟର କେତେ ଚାଲାକ?

Share :

ସରଳ କୁମାର ଦାସ ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ରାଜ୍ୟମାନଙ୍କରେ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥି ମଧ୍ୟରୁ ଓଡ଼ିଶାକୁ ବାଦ ଦେଲେ ବାକି ତିନୋଟି ରାଜ୍ୟରେ ବିଧାନସଭାରେ ଅଧିକ ଆସନ ପାଇଥିବା ଦଳ ସ୍ୱାଭାବିକ ଭାବେ ଲୋକସଭାରେ ମଧ୍ୟ ଆନୁପାତିକ ଭାବେ ଅଧିକ ଆସନ ପାଇଲେ। ତେବେ ଓଡ଼ିଶା ନିର୍ବାଚନ ଫଳରୁ ବିଜେଡି ରାଜ୍ୟ ବିଧାନସଭାରେ ସଫଳତା ପାଇଲେ ମଧ୍ୟ ଓ ବିଜେପି ଲୋକସଭାର ୮ଟି ଆସନ ଦଖଲ କରିବାକୁ ଜାତୀୟ ଗଣ ମାଧ୍ୟମର ପ୍ରତିଷ୍ଠିତ ନିର୍ବାଚନ ବିଶ୍ଳେଷକମାନେ ଏଠାକାର ମତଦାତାଙ୍କ ବିଭାଜିତ ମତଦାନ (ସ୍ପ୍ଲିଟ ଭୋଟିଂ) ବା କୌଶଳଗତ ମତଦାନ (ଟାକ୍ଟିକାଲ ଭୋଟିଂ)କୁ ପ୍ରଶଂସା କରିବା ସହ ଓଡିଶା ଭଳି ଏକ ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ରାଜ୍ୟର ମତଦାତା ଏ ଭଳି ପରିପକ୍ୱତା ଦେଖାଇଥିବାରୁ ବିସ୍ମିତ ହୋଇଥିଲେ। ଜଣେ ମତଦାତା ବିଧାନସଭା ପାଇଁ ଗୋଟିଏ ଦଳକୁ ଓ ଲୋକସଭା ପାଇଁ ଆଉ ଗୋଟିଏ ଦଳକୁ ଭୋଟ ଦେବାରେ ମତଦାତାର ବିଭାଜିତ ଆଚରଣକୁ ବିଭାଜିତ ମତଦାନ କୁହାଯାଇଥାଏ। ଗୋଟିଏ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀମାନେ ପାଇଥିବା ସମୁଦାୟ ଭୋଟ ତୁଳନାରେ ଲୋକସଭା ପ୍ରାର୍ଥୀ ବେଶି ବା କମ ଭୋଟ ପାଇଥିଲେ ସେଠାରେ ସମ ପରିମାଣରେ ବିଭାଜିତ ମତଦାନ ତାଙ୍କ ସପକ୍ଷରେ ବା ବିପକ୍ଷରେ ଯାଇଛି ବୋଲି କୁହାଯାଇପାରେ। ତେବେ ଓଡିଶାରେ ଏହି ନିର୍ବାଚନରେ କ’ଣ ଏକ ବଡ଼ ଧରଣର ବିଭାଜିତ ମତଦାନ ହୋଇଛି ? ସାଧାରଣତଃ, ଲୋକସଭା ଆସନ ବିଜୟ ପାଇଁ ଯେ କୌଣସି ଦଳକୁ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ଅନ୍ତତଃ ୩ରୁ ୪ଟିରେ ଜୟଲାଭ କରିବାକୁ ହୋଇଥାଏ। ଏହି ମାନ୍ୟତା ଆଧାରରେ ଏଥର ବିଜେଡିର ୧୨ ଜଣ ଓ ବିଜେପିର ୩ ଜଣ ସାଂସଦ ବିଜୟ ଲାଭ କରଛନ୍ତି। ବିଜେଡି ବିଜୟ ଲାଭ କରିଥିବା ପ୍ରତିଟି ଆସନରେ ଅନ୍ତତଃ ପକ୍ଷେ ୫ ଜଣ ବିଧାୟକ ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେପି ଅକ୍ତିଆର କରିଥିବା ମୟୂରଭଞ୍ଜ ଆସନରୁ ୫ ଜଣ, ସମ୍ୱଲପୁର ଆସନରୁ ୩ ଜଣ ଓ ବାଲେଶ୍ୱର ଆସନରୁ ୩ ଜଣ ବିଧାୟକ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବିଜେପି ଜିତିଥିବା ଅବଶିଷ୍ଟ ୫ଟି ଲୋକସଭା ଆସନ ମଧ୍ୟରୁ ସୁନ୍ଦରଗଡ଼ରେ ୨ଟି, କଳାହାଣ୍ଡି ଓ ବଲାଙ୍ଗିରରେ ଗୋଟିଏ ଲେଖାଏଁ ବିଧାନସଭା ଆସନ ଜିତିଛି। ତେବେ ବରଗଡ଼ ଏବଂ ଭୁବନେଶ୍ୱରରେ କୌଣସି ଆସନ ପାଇ ନ ଥିବା ସତ୍ତ୍ବେ ଏଠାରେ ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରି ସମସ୍ତଙ୍କୁ ଚମତ୍କୃତ କରିଛନ୍ତି। ଭୁବନେଶ୍ୱର ଆସନରେ ବିଜେପିର ଅପରାଜିତା ଷଡଙ୍ଗୀଙ୍କ ଜିତିବା ପଛରେ ବିଭାଜିତ ମତଦାନ କାମ କରିଛି ବୋଲି ଅନେକଙ୍କ ଧାରଣା। ଏହି ଆସନରୁ ସେ ୪.୮୬ ଲକ୍ଷ ଭୋଟ ପାଇ ମାତ୍ର ୨୩ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି। ଏହି ଲୋକସଭା ଅନ୍ତର୍ଗତ ୭ ଜଣ ବିଜେପି ବିଧାୟକ ପ୍ରାର୍ଥୀ ପାଇଥିବା ପ୍ରାୟ ୨.୯୧ ଲକ୍ଷ ଭୋଟ ଅପେକ୍ଷା ଅପରାଜିତା ପ୍ରାୟ ୨ ଲକ୍ଷ ଅଧିକ ଭୋଟ ପାଇଛନ୍ତି। ଅନ୍ୟ ପକ୍ଷରେ ବିଜେଡିର ସାଂସଦ ପ୍ରାର୍ଥୀ ଦଳର ୭ ଜଣ ବିଧାୟକ ପ୍ରାର୍ଥୀ ପାଇଥିବା ମୋଟ ୪.୮୨ ଲକ୍ଷ ଭୋଟ ଅପେକ୍ଷା ପ୍ରାୟ ୧୯ ହଜାର କମ ଭୋଟ ପାଇଛନ୍ତି। କଂଗ୍ରେସ ସମର୍ଥିତ ସିପିଏମ ପ୍ରାର୍ଥୀଙ୍କୁ ମାତ୍ର ୨୩ ହଜାର ଭୋଟ ମିଳି ଥିବାରୁ କଂଗ୍ରେସ ପାଇଥିବା ଲକ୍ଷାଧିକ ବିଧାୟକ ପ୍ରାର୍ଥୀଙ୍କ ଭୋଟ ସିପିଏମ ପ୍ରାର୍ଥୀଙ୍କ ସପକ୍ଷରେ ନ ଯାଇ ଅପରାଜିତାଙ୍କ ନିକଟକୁ ଯାଇଥିବାର ସ୍ପଷ୍ଟ ସୂଚନା ମିଳୁଛି। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କେହି ପ୍ରାର୍ଥୀ ନଥିଲେ ଓ ବିଜେଡି ପ୍ରାର୍ଥୀଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଜଣେ ସ୍ୱାଧୀନ ପ୍ରାର୍ଥୀ ପାଇଥିବା ୪୪ ହଜାର ଭୋଟ ଲୋକସଭା ପାଇଁ ଭାସମାନ (ଫ୍ଲୋଟିଂ) ଭୋଟ ପାଲଟି ଯିବାରୁ ତାହା ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନିକଟକୁ ଯାଇଛି ଓ ସେଥିରୁ ବିଜେପି ପ୍ରାର୍ଥୀ ପ୍ରାୟ ୨୬ ହଜାର ଭୋଟ ପାଇଥିବା ଜଣା ପଡୁଛି। ଅର୍ଥାତ, ଉପରୋକ୍ତ ମତେ ଅପରାଜିତା ପାଇଥିବା ଲକ୍ଷାଧିକ ଭୋଟ ପସନ୍ଦ ଅଭାବରେ ତାଙ୍କ ନିକଟକୁ ଯାଇଛି, ବିଭାଜିତ ମତଦାନ ପାଇଁ ନୁହେଁ। ତେବେ ଏକାମ୍ର, ଭୁବନେଶ୍ୱର ମଧ୍ୟ ଓ ଖୋର୍ଦ୍ଧା ଭଳି ସହରାଂଚଳ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାନସଭା ପ୍ରାର୍ଥୀ ପାଇଥିବା ୨.୧୩ ଲକ୍ଷ ଭୋଟରୁ ବିଜେଡିର ଲୋକସଭା ପ୍ରାର୍ଥୀଙ୍କ ନିକଟକୁ ମାତ୍ର ୧.୭୩ ଲକ୍ଷ ଭୋଟ ଯାଇଥିବାରୁ ଏହି ଅଂଚଳର ପ୍ରାୟ ୪୦ ହଜାର ମତଦାତା ବିଭାଜିତ ମତଦାନ କରିଥିବାର ସ୍ପଷ୍ଟ ସୂଚନା ମିଳୁଛି। ଭୁବନେଶ୍ୱରରେ ୨୦୧୪ରେ ମଧ୍ୟ ବିଜେପିର ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ୫୪ ହଜାର ଅଧିକ ବିଭାଜିତ ମତ ମିଳିଥିଲା ବେଳେ ବିଜେଡିର ଲୋକସଭା ପ୍ରାର୍ଥୀଙ୍କ ବିପକ୍ଷରେ ୨୮ ହଜାର କମ ଭୋଟ ମିଳିଥିଲା। ତେବେ ଗତ ଥର କଂଗ୍ରେସର ବିଧାୟକ ପ୍ରାର୍ଥୀମାନେ ପାଇଥିବା ପ୍ରାୟ ୧.୪୬ ଲକ୍ଷ ଭୋଟ ଦଳର ଲୋକସଭା ପ୍ରାର୍ଥୀଙ୍କ ନିକଟକୁ ଯାଇଥିଲା। ହୁଏତ କଂଗ୍ରେସ ଭୁବନେଶ୍ୱର ଆସନରେ ପ୍ରାର୍ଥୀ ଦେଇଥିଲେ, ଅପରାଜିତା ପରାଜିତ ହେବାର ସମ୍ଭାବନା ବଢି ଯାଇଥାନ୍ତା। ବରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସାତୋଟି ଯାକ ବିଧାନସଭା କ୍ଷେତ୍ର ମଧ୍ୟରୁ କୌଣସିଟିରେ ବିଜେପି ଜୟ ଲାଭ କରି ନଥିଲେ ମଧ୍ୟ ବିଧାୟକ ପ୍ରାର୍ଥୀମାନେ ୪.୫୫ ଲକ୍ଷ ଭୋଟ ପାଇଛନ୍ତି। ସେଠାରେ ଦଳୀୟ ଲୋକସଭା ପ୍ରାର୍ଥୀ ୫.୮୫ ଲକ୍ଷ ଭୋଟ ଅର୍ଥାତ ୧.୩୦ ଲକ୍ଷ ଅଧିକ ଭୋଟ ପାଇଛନ୍ତି। ଅନ୍ୟ ପକ୍ଷରେ ବିଜେଡିର ସାତୋଟି ଯାକ ଆସନରେ ବିଜୟୀ ପ୍ରାର୍ଥୀମାନେ ୬.୩୦ ଲକ୍ଷ ଭୋଟ ପାଇଥିଲେ ବି ଏହାର ଲୋକସଭା ପ୍ରାର୍ଥୀ ୫.୧୩ ଲକ୍ଷ ଭୋଟ ଅର୍ଥାତ ୧.୧୭ ଲକ୍ଷ କମ ଭୋଟ ପାଇଛନ୍ତି। କଂଗ୍ରେସର ବିଧାନସଭା ପ୍ରାର୍ଥୀମାନେ ୧.୨୧ ଲକ୍ଷ ଭୋଟ ପାଇଥିଲେ ମଧ୍ୟ ସେଥିରୁ ଦଳୀୟ ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ୧.୦୪ ଲକ୍ଷ ଭୋଟ ଯାଇଛି। ତେଣୁ ଏହି ନିର୍ବାଚନ ମଣ୍ଡଳୀରେ ଏକ ବଡ଼ ଧରଣର ବିଭାଜିତ ମତଦାନ ହୋଇଛି, ଯେଉଁଥିରେ ବିଜେଡି ଓ କଂଗ୍ରେସର ଲକ୍ଷାଧିକ ମତଦାତା ବିଜେପି ସପକ୍ଷରେ ମତଦାନ କରଛନ୍ତି। ତେବେ ଏହି ଆସନରେ ୨୦୧୪ ନିର୍ବାଚନରେ ବିଜେପିର ଲୋକସଭା ପ୍ରାର୍ଥୀ ପରାଜିତ ହୋଇଥିଲେ ବି ତାଙ୍କ ସପକ୍ଷରେ ପ୍ରାୟ ୨୫ ହଜାର ଅଧିକ ବିଭାଜିତ ଭୋଟ ମିଳିଥିବା ବେଳେ ଜିତିଥିବା ବିଜେଡି ଲୋକସଭା ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରାୟ ୪୫ ହଜାର କମ ବିଭାଜିତ ଭୋଟ ମିଳିଥିଲା। ବିଜେପି ଜିତିଥିବା ସୁନ୍ଦରଗଡ଼, କଳାହାଣ୍ଡି ଓ ବଲାଙ୍ଗୀରରେ ଦଳ ସପକ୍ଷରେ ଯଥାକ୍ରମେ ପ୍ରାୟ ୧.୧୫ ଲକ୍ଷ, ୧.୦୬ ଲକ୍ଷ ଓ ୮୪ ହଜାର ବିଭାଜିତ ମତ ଯାଇଛି। ଏପରିକି ଦଳ ହାରିଥିବା କଟକ ଓ କେନ୍ଦ୍ରାପଡ଼ା ଆସନରେ ମଧ୍ୟ ଦଳ ସପକ୍ଷରେ ଯଥାକ୍ରମେ ୧.୦୭ ଲକ୍ଷ ଓ ୯୬ ହଜାର ବିଭାଜିତ ମତ ମିଳିଛି। ବିଭାଜିତ ମତଦାନର ସବୁଠାରୁ ବିସ୍ମୟକର ଉଦାହରଣଟି ଦେଖିବାକୁ ମିଳିଛି କୋରାପୁଟ ସଂସଦୀୟ କ୍ଷେତ୍ରରେ, ଯେଉଁଠାରେ ଉଭୟ ‘ମୋଦି ମ୍ୟାଜିକ’ ଓ ‘ନବୀନ ମ୍ୟାଜିକ’ ଫେଲ୍ ମାରି କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେଠାରେ କଂଗ୍ରେସ ମାତ୍ର ଗୋଟିଏ ବିଧାନସଭା ଆସନରେ ବିଜୟ ଲାଭ କରିଛି। ଅନ୍ୟ ପକ୍ଷରେ ବିଜେଡି ୫ଟି ବିଧାନସଭା କ୍ଷେତ୍ରରେ ଜୟଯୁକ୍ତ ହୋଇଥିଲେ ମଧ୍ୟ ଲୋକସଭା ଆସନକୁ ନିଜ ଦଖଲକୁ ନେବାରେ ଅସମର୍ଥ ହୋଇଛି। ଏଠାରେ ବିଧାନସଭା ପ୍ରାର୍ଥୀ ଭାବେ ଲଢିଥିବା ବିଭିନ୍ନ ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟର ବିଭାଜିତ ମତଦାନ ଲୋକସଭା ନିର୍ବାଚନର ଫଳକୁ କଂଗ୍ରେସ ସପକ୍ଷରେ ନେବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ବିଶେଷ କରି ରାୟଗଡା ବିଧାନସଭା କ୍ଷେତ୍ରର ବିଜୟୀ ସ୍ୱାଧୀନ ପ୍ରାର୍ଥୀ ପାଇଥିବା ଭୋଟର ସିଂହଭାଗ କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବାରୁ ତାଙ୍କ ବିଜୟ ସୁନିଶ୍ଚିତ ହୋଇଛି। ଅଧିକାଂଶ କ୍ଷେତ୍ରରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀମାନେ ପାଇଥିବା ଭୋଟ ଦଳୀୟ ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ଅନୁରୂପ ଭାବେ ଯାଇନାହିଁ। କେନ୍ଦ୍ରାପଡ଼ା ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ବିଧାନସଭା ପ୍ରାର୍ଥୀ ପାଇଥିବା ଭୋଟ ଅପେକ୍ଷା ପ୍ରାୟ ୮୫ ହଜାର କମ ଭୋଟ ପାଇଛନ୍ତି ଓ ସେଗୁଡିକ ସିଧାସଳଖ ବିଜେପି ନିକଟକୁ ଯାଇଥିବା ପରି ଜଣା ପଡୁଛି। ଭୁବନେଶ୍ୱର, ଆସ୍କା ଓ ମୟୂରଭଞ୍ଜ ଆସନରେ କଂଗ୍ରେସ ସମର୍ଥିତ ଦଳର ଲୋକସଭା ପ୍ରାର୍ଥୀଙ୍କ ନିକଟକୁ ଦଳୀୟ ଭୋଟ ସମ୍ପୂର୍ଣ୍ଣ ହସ୍ତାନ୍ତର (ଟ୍ରାନ୍ସଫର) ହୋଇନାହିଁ। ଭୁବନେଶ୍ୱରର ସିପିଏମ ପ୍ରାର୍ଥୀ ମାତ୍ର ୨୩ ହଜାର ଭୋଟ ଓ ଆସ୍କାର ସିପିଆଇ ପ୍ରାର୍ଥୀ ୬୦ ହଜାର ଭୋଟ ପାଇବାରୁ ଜଣା ପଡୁଛି ହୁଏତ ଏଠାରେ କଂଗ୍ରେସର ଅଧିକାଂଶ ମତଦାତା ଏହି ଦଳଗୁଡିକୁ କଂଗ୍ରେସର ‘ସ୍ୱାଭାବିକ ମିତ୍ର’ (ନାଚୁରାଲ ଆଲାଏ) ଭାବେ ଗ୍ରହଣ କରି ପାରିନାହାନ୍ତି। ପ୍ରକାରାନ୍ତରେ, ରାଜ୍ୟରେ କଂଗ୍ରେସ ମତଦାତାଙ୍କ ବିଭାଜିତ ମତ ପ୍ରାୟତଃ ବିଜେଡି ବିରୋଧୀ ହୋଇଛି, ଯଦ୍ଦ୍ୱାରା ବିଜେପି ଅଧିକ ଲାଭବାନ ହୋଇଛି। ୨୦୧୪ ସାଧାରଣ ନିର୍ବାଚନରେ କିଛି ଆସନରେ ବିଜେପି ସପକ୍ଷରେ ସୀମିତ ଭାବେ ବିଭାଜିତ ମତଦାନ ହୋଇଥିଲେ ମଧ୍ୟ ସେହି ଆସନଗୁଡିକରେ ବିଜେପି ଜିତି ନଥିବାରୁ ତାହା ଚର୍ଚ୍ଚାର ପରିଧି ଭିତରକୁ ଆସି ନଥିଲା। ଏଥର ୨୧ଟି ଯାକ ଲୋକସଭା ଆସନରେ ବିଜେପି ସପକ୍ଷରେ ୧୪.୬୦ ଲକ୍ଷ ବିଭାଜିତ ମତଦାନ ହୋଇଛି। କନ୍ଧମାଳ ଆସନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସର୍ବନିମ୍ନ ୧୨ ହଜାର ବିଭାଜିତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବୋଚ୍ଚ ୧.୯୬ ଲକ୍ଷ ହୋଇଛି। ଓଡିଶାର ଅଧିକାଂଶ ସହରାଂଚଳରେ ବିଜେପି ସପକ୍ଷରେ ବିଭାଜିତ ମତଦାନ ହୋଇଥିବା ଜଣା ପଡୁଛି। ବିଭାଜିତ ମତଦାନ ଯୋଗୁ କେବଳ ଯେ ବିଜେପି ଲାଭବାନ ହୋଇଛି ତାହା ନୁହେଁ, ବିଜେଡି ଓ କଂଗ୍ରେସ ଦଳ ମଧ୍ୟ ଏହା ଦ୍ୱାରା ଉଭୟ ଲାଭ ଓ କ୍ଷତି ସହିଛନ୍ତି। ୬ଟି ଆସନରେ ବିଭାଜିତ ମତଦାନ ବିଜେଡି ସପକ୍ଷରେ ଯାଇଥିବା ବେଳେ ୧୫ଟିରେ ବିପକ୍ଷରେ ଯାଇଛି ଓ ମୋଟ ଉପରେ ଏହିପରି ଭାବେ ୩.୮୭ ଲକ୍ଷ ଭୋଟ ଦଳ ବିପକ୍ଷରେ ଯାଇଛି। ଦଳର କନ୍ଧମାଳ ପ୍ରାର୍ଥୀଙ୍କ ସପକ୍ଷରେ ସର୍ବାଧିକ ୪୩ ହଜାର ବିଭାଜିତ ମତଦାନ ହୋଇଥିବା ବେଳେ ବରଗଡ଼ ପ୍ରାର୍ଥୀଙ୍କ ବିପକ୍ଷରେ ସର୍ବାଧିକ ୧.୧୬ ଲକ୍ଷ ମତଦାନ ହୋଇଛି। ସେହିପରି କଂଗ୍ରେସ ଦଳ ସପକ୍ଷରେ ୭ଟି ଆସନରେ ବିଭାଜିତ ମତଦାନ ହୋଇଥିବା ବେଳେ ୧୪ଟିରେ ବିପକ୍ଷରେ ହୋଇଛି ଓ ୪.୫୩ ଲକ୍ଷ ଭୋଟ ଦଳ ଓ ସମର୍ଥିତ ଦଳ ପ୍ରାର୍ଥୀଙ୍କ ବିପକ୍ଷରେ ଯାଇଛି। କୋରାପୁଟ ଆସନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସର୍ବାଧିକ ୪୨ ହଜାର ବିଭାଜିତ ମତଦାନ ହୋଇଛି ଓ ଭୁବନେଶ୍ୱରରେ ଦଳ ସମର୍ଥିତ ସିପିଏମ ପ୍ରାର୍ଥୀଙ୍କ ବିପକ୍ଷରେ ସର୍ବାଧିକ ୧.୧୮ ଲକ୍ଷ ମତଦାନ ହୋଇଛି। ବିଭାଜିତ ମତଦାନ ସୁନିଶ୍ଚିତ କରିବା ପାଇଁ ସ୍ଥଳ ବିଶେଷରେ ଦଳୀୟ ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଓ ଦଳଗୁଡିକ ତରଫରୁ କୌଶଳଗତ ମତଦାନ (ଟାକ୍ଟିକାଲ ଭୋଟିଂ)କୁ ପରୋକ୍ଷରେ ପ୍ରଶ୍ରୟ ଦିଆ ଯାଇଥିବା ସମ୍ଭାବନାକୁ ଏଡ଼ାଇ ହେବନାହିଁ। ଏହି ବିଭାଜିତ ମତଦାନ ବିଭିନ୍ନ ଦଳ ପାଇଁ ସତର୍କ ଘଂଟିର ସୂଚନା ଦେଇଛି ଓ ରାଜନୈତିକ ଦଳଗୁଡିକ ପାଇଁ ଏଥିରୁ ମିଳିଥିବା ବଡ଼ ଶିକ୍ଷାଟି ହେଉଛି କେବଳ ସାଧାରଣ ମେଂଟଟିଏ କରି ନୁହେଁ ବରଂ କୌଶଳଗତ ମେଂଟ (ଟାକ୍ଟିକାଲ ଆଲାଏନ୍ସ) କରି ହୁଏତ ଏହାକୁ ପ୍ରତିହତ କରାଯାଇପାରେ। ଓଡିଶାରେ ଏହି ବିଭାଜିତ ମତଦାନ ଶାସକ ବିଜେଡି ଦଳର କ୍ଷତିସାଧନ କରିଥିଲେ ମଧ୍ୟ ଲୋକସଭା ନିର୍ବାଚନ ଏକ ସଙ୍ଗେ ହୋଇ ନଥିଲେ ତେଲେଙ୍ଗାନାର ଟିଆରଏସ ଦଳ ଭଳି ହୁଏତ ଦଳକୁ ଅଧିକ କ୍ଷତି ସହିବାକୁ ପଡିଥାଆନ୍ତା। ଭୁବନେଶ୍ୱର, ମୋ-୯୪୩୭୦୩୮୦୧୫

Share :