ତ୍ରିନିଦାଦ ଟବାଗୋର ନୂଆ ରାଷ୍ଟ୍ରଦୂତ ଅରୁଣ କୁମାର ସାହୁ

ତ୍ରିନିଦାଦ ଟବାଗୋର ନୂଆ ରାଷ୍ଟ୍ରଦୂତ ଅରୁଣ କୁମାର ସାହୁ

Share :

ସ୍ବତନ୍ତ୍ର ପ୍ରତିନିଧି କ୍ୟାରିବୀୟ ଦ୍ବୀପଦେଶ ତ୍ରିନିଦାଦ ଆଣ୍ଡ ଟବାଗୋର ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଆଇଏଫଏସ ଅଧିକାରୀ ଅରୁଣ କୁମାର ସାହୁ। ୧୯୯୬ ବ୍ୟାଚର ଏହି ଆଇଏଫଏସ ଅଧିକାରୀ ଜଣେ କୁଶଳୀ କୂଟନୀତିଜ୍ଞ ତଥା ଜଣାଶୁଣା ଲେଖକ ଓ ବକ୍ତା ଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଏବେ ସେ କାନାଡ଼ାରେ ଉପ ରାଷ୍ଟ୍ରଦୂତ ପଦରେ କାର୍ଯ୍ୟ କରୁଛନ୍ତି। କାନାଡ଼ାରେ ଏହି ପଦବୀରେ ଯୋଗଦେବା ପୂର୍ବରୁ ଶ୍ରୀ ସାହୁ ଭାରତର ବିଦେଶ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଏବଂ ଭାରତୀୟ ସାଂସ୍କୃତିକ ବ୍ୟାପାର ପରିଷଦର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସେହିପରି ସେ ବେଜିଂ, ଲଣ୍ଡନ ଓ ତେହରାନରେ ଥିବା ଭାରତୀୟ ଦୂତାବାସରେ ମଧ୍ୟ ଦକ୍ଷତାର ସହିତ କାର୍ଯ୍ୟ ସଂପାଦନ କରିଛନ୍ତି। ଶ୍ରୀ ସାହୁ ନୂଆଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରୁ ଭାଷାତତ୍ତ୍ବରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେହିପରି ସେ ଲଣ୍ଡନର କିଙ୍ଗ’ସ କଲେଜରୁ ଆଧୁନିକ ବିଶ୍ବରେ ଯୁଦ୍ଧ ବିଷୟରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ସମ୍ବଲପୁରର ଚନ୍ଦ୍ରଶେଖ ଜିଲ୍ଲା ସ୍କୁଲ ଏବଂ ରେଭେନ୍ସା କଲେଜିଏଟ୍ ସ୍କୁଲରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଉଭୟ ଓଡ଼ିଅ ଓ ଇଂରାଜୀ ଭାଷାରେ ଜଣେ ଦକ୍ଷ ଲେଖକ ହିସାବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଓଡ଼ିଆ ଭାଷାରେ ପ୍ରକାଶିତ ତାଙ୍କର ଦୁଇଟି ଗଳ୍ପ ସଂକଳନ ଆକାଶର ଲୁହ ଏବଂ ଚିରା ମଲାଟ ପାଠକୀୟ ସ୍ବୀକୃତି ହାସଲ କରିଛି। ଶ୍ରୀ ସାହୁଙ୍କ ମୂଳ ଘର ଓଡ଼ିଶାର ଦେବଗଡ଼। ସେହି ଜିଲ୍ଲାର ସେ ପ୍ରଥମ ଭାରତୀୟ ସାଧାରଣ ସେବା ଅଧିକାରୀ। ତାଙ୍କ ବାପା ବନମାଳୀ ସାହୁ ଜଣେ ପ୍ରତିଷ୍ଠିତ କବି ଏବଂ ମାତା ହେଉଛନ୍ତି ସ୍ବର୍ଗତ ସରୋଜିନୀ ସାହୁ। ତାଙ୍କ ବଡ଼ଭାଇ ଡାକ୍ତର ସୁଧାଂଶୁ ଶେଖର ସାହୁ ଭିଏସଏସ ମେଡିକାଲ କଲେଜ, ବୁର୍ଲାର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ତାଙ୍କ ପତ୍ନୀ ସସ୍ମିତା ମିଶ୍ର ରେଭେନ୍ସା ଓ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ଏବେ ଜଣେ ପେସାଦାର ଚିତ୍ରଶିଳ୍ପୀ ଏବଂ ଚିତ୍ରକଳାର ଐତିହାସିକ ଭାବେ କାର୍ଯ୍ୟରତ। ତାଙ୍କ ଶ୍ବଶୁର ଓ ଶାଶୁ ହେଉଛନ୍ତି ପୁରୀ ନିବାସୀ ଇଂଜିନିଅର ସତ୍ୟବାଦୀ ମିଶ୍ର ଓ ଉର୍ମିଳା ମିଶ୍ର। ସାମାନ୍ୟକଥନ.କମ୍‌କୁ ନିଜ ପ୍ରତିକ୍ରିୟା ଜଣେଇ ଶ୍ରୀ ସାହୁ କହିଛନ୍ତି, ‘ମୁଁ ଯୁଆଡ଼େ ଥିଲେ ବି ଓଡ଼ିଶା ଓ ଓଡ଼ିଶାର ଲୋକମାନ ସଦାସର୍ବଦା ମୋ ହୃଦୟରେ ରହିଛନ୍ତି।’

Share :