କାହା ଶୋଷ ମେଣ୍ଟେଇଲା ଜାନିବିଲି?

କାହା ଶୋଷ ମେଣ୍ଟେଇଲା ଜାନିବିଲି?

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର ସହରରେ ଶତାବ୍ଦୀର ଶୋଷ ମେଣ୍ଟିବା ପାଇଁ ୨୦୧୪ ମସିହାରେ ଆରମ୍ଭ ହୋଇଥିବା ୪୮୫ କୋଟି ଟଙ୍କାର ଜାନିବିଲି ଜଳଯୋଗାଣ ପ୍ରକଳ୍ପ ପାଇଁ ବ୍ରହ୍ମପୁର ସହରବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି। ପାଣି ମିଳିବା ତ ଦୂରର କଥା ଲୋକେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଏହା ଦ୍ୱାରା ମହାନଗର ନିଗମ ଏବଂ ଏହା ସହ ମଧୁଚନ୍ଦ୍ରିକା ରଖିଥିବା କୁଜି କଣ୍ଟ୍ରାକ୍ଟର ଏବଂ ଆଶାୟୀ କର୍ପୋରେଟରମାନେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍ କରିବାର ବାଟ ଫିଟାଇ ଦେଇଛି। ୨୦୧୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରର ଜଳସମସ୍ୟାକୁ ଆଖି ଆଗରେ ରଖି ଜାନିବିଲି ଋଷିକୂଲ୍ୟା ନଦୀରୁ ବ୍ରହ୍ମପୁରକୁ ଜଳଯୋଗାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବହୁକୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ପୃଥିବୀର ବହୁ ଠିକାଦାରୀ ସଂସ୍ଥା ଆଗଭର ଥିଲେ ମଧ୍ୟ ସରକାର ଏଲ୍‌ ଆଣ୍ଡ ଟି କଂପାନୀ ଉପରେ ସୁନାକଳସ ଢାଳିଥିଲେ। ପ୍ରକଳ୍ପ କାମ ଆରମ୍ଭରୁ ଅତି ଧିମାଗତିରେ ଚାଲିଥିଲେ ମଧ୍ୟରେ ୨୦୧୯ ନିର୍ବାଚନ ପାଖେଇ ଆସିଥିବାରୁ ଏହା ଦ୍ରୁତଗତିରେ ଆଗେଇ ଚାଲିଥିଲା। ଜଳଯୋଗାଣ ପ୍ରକଳ୍ପ ପାଇଁ ସହର ସାରା ମନଇଚ୍ଛା ରାସ୍ତାକୁ ଖୋଳିତାଡ଼ି ଧ୍ୱଂସ ସ୍ତୁପରେ ପରିଣତ କରାଯାଇଥିଲା। ଯେଉଁଠି ଦେଖିବା ଖାଲ, ରାସ୍ତା ଦବିଯିବା ଭଳି ଅବସ୍ଥା ଦେଖିବାକୁ ମଳୁଛି। ସତେ ଯେମିତି ସହର ୨୦ ବର୍ଷ ପଛକୁ ଚାଲିଯାଇଛି। ସହର ଉପରେ ଯେ କୌଣସି ଶତ୍ରୁ ରାଷ୍ଟ୍ର ଯେଭଳି ବୋମା ପକାଇଲା ଭଳି ପରିସ୍ଥିତି ଦୃଷ୍ଟିଗୋଚର ହେଉଛି। ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ନିର୍ବାଚନକୁ ଆଖି ଆଗରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧ୍ୟ ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରତି ୱାର୍ଡ଼ରେ କୋଟି କୋଟି ଟଙ୍କା ବରେ ନୂଆ ରାସ୍ତାକାମ, ନୂଆ ନାଳ, ଆଧୁନିକ ଡ୍ରେନେଜ ପ୍ରଣାଳୀ କରାଯାଇଥିଲା। କିନ୍ତୁ ଏହି କାମଯେ କୃତ୍ରିମ ଉପାୟରେ ନଷ୍ଟ ହୋଇଯିବ ତାହା କେହି ବି ଭାବିନଥିଲେ। ଏଲ୍‌ ଆଣ୍ଡ ଟି କଂପାନୀ ନିର୍ବାଚନ ଥିବାରୁ ନିଜର ବଡ଼ବଡ଼ ମେସିନ୍ ସାହାଯ୍ୟରେ ଯେଉଁଠି ପାରିଲା ସେଠି ନାଳ, ରାସ୍ତାକୁ ଭାଙ୍ଗି ଓପାଡ଼ି ନିଜର ବଡ଼ କଣ୍ଟ୍ରାକ୍ଟରଙ୍କୁ ଖୁସି କରିବା ପାଇଁ ଅତି ନିମ୍ନମାନର ପାଇପ୍ ଲାଇନ୍ ବିଛାଇ ଚାଲିଲା। ପାଇପ୍ ଲାଇନ୍ ବିଛାଇବା ପରେ ଯେଉଁନାଳ କିମ୍ୱା ରାସ୍ତାଗୁଡ଼ିକ ନଷ୍ଟ ହୋଇଛି ସେଥିପ୍ରତି ଦୃଷ୍ଟି ଦେଇନଥିଲା। କିନ୍ତୁ ସହରର ଏଭଳି ଶୋଚନୀୟ ଅବସ୍ଥା ବ୍ରହ୍ମପୁର ମହାନଗର ନିଗମ ପାଇଁ ପୁଷମାସ ସାବ୍ୟସ୍ତ ହୋଇଛି। ପୂର୍ବରୁ ଯେଉଁ ନାଳକାମ, ରାସ୍ତାକାମ ହୋଇଥିଲା ସେଥିରେ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବର୍ତ୍ତମାନ ଏଲ୍‌ ଆଣ୍ଡ ଟି ଦ୍ୱାରା ଯାହା କ୍ଷୟକ୍ଷତି ହୋଇଛି, ତାହା ପୁଣି ବିଏମ୍‌ସି ନିଜର ମଧୁଚନ୍ଦ୍ରିକା ଥିବା କଣ୍ଟ୍ରାକ୍ଟରଙ୍କୁ ଠିକାଦାରୀ ଦେବାକୁ ଅଣ୍ଟା ଭିଡ଼ିବା ଆରମ୍ଭ କରିଲାଣି। ଏହାକୁ ଦେଖିଲେ ଏଲ୍‌ ଆଣ୍ଡ ଟି କଂପାନୀକୁ କାମ ଦେବା ଛ’ ଟଙ୍କାର ଘୋଡ଼ାକୁ ନ’ ଟଙ୍କାର ଦାନା ପରି ମନେ ହେଉଛି। ସେପଟେ ପୂର୍ବରୁ ଯେଉଁ ନାଳକାମ, ରାସ୍ତା କାମଗୁଡ଼ିକ ହୋଇଥିଲା ତାହାର ମାନ ଉପରେ ମଧ୍ୟ କିଏ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବ ନାହିଁ। ତେଣୁ ପୁଣି ବ୍ରହ୍ମପୁର ସହରରେ ନିର୍ବାଚନ ଅନୁଷ୍ଠିିତ ହେବା ପରେ ପ୍ରତି ୱାର୍ଡ଼କୁ ଟଙ୍କା ଆସିବ ଏବଂ କର୍ପୋରେଟର, ବିଏମ୍ସି ପ୍ରଶାସନ ଏବଂ କଣ୍ଟ୍ରାକ୍ଟରମାନେ ପୁଣି ସରକାର କା ମାଲ୍ ଲୁଟିବାରେ ସକ୍ଷମ ହୋଇପାରିବେ। ତେଣୁ ଆଲ୍ଆଣ୍ଡଟି କଂପାନୀକୁ କାମ ଦେଇ ସରକାର ଯେଭଳି ଲାଭବାନ ହେଉଥିବା କଥା ଚିନ୍ତା କରୁଛନ୍ତି ତାହା ଯେ ଅବାସ୍ତବ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ସେପଟରେ ନିର୍ବାଚନ ପାଇଁ ଡେ଼ଡ଼୍ଲାଇନ୍ ପାଇଥିବା ଜାନିବିଲି ପ୍ରକଳ୍ପର ଠିକାଦାର ଏବଂ ତଦାରଖ କରୁିଥବା ନିର୍ବାହୀ ଯନ୍ତ୍ରୀମାନେ ଏଭଳି ଅସ୍ଥାୟୀ ରୂପେ ପାଇପ୍ ଲାଇନ୍ଗୁଡ଼ିକ ବିଛାଇ କୌଣସି ସ୍ଥାନରୁ ପାଣି ଆଣି ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ଦିନ ଦେଲେ ତାହା ଭଗବାନଙ୍କୁ ଜଣା। କାହିଁକି ନା ଜାନିବିଲିରୁ ଜଗଦଳପୁର ୱାଟର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟକୁ ଜଳଯୋଗାଣ ପାଇଁ କିଛି ସ୍ଥାନରେ ପାଇପ୍ ହିଁ ବିଛାଯାଇନଥିବା ଅଭିଯୋଗ ହେଉଛି। ସେପଟେ ପୂର୍ବରୁ କେତେକ ସ୍ଥାନରେ ଅସ୍ଥାୟୀ ପାଇପ୍ ଲାଇନ୍ ପକାଇ କିଛି ସ୍ଥାନରେ ଅସ୍ଥାୟୀ ଜଳଯୋଗାଣ କରି ବାଃ ବାଃ ନେଇଥିବାବେଳେ ପୁଣି ଉକ୍ତ ଅସ୍ଥାୟୀ ପାଇପ୍କୁ ବାହାର କରି ନୂତନ ଭାବେ ପାଇପ୍ ପକାଯାଉଥିବା ଦେଖିବାକୁ ମିଳୁଛି। ଏଥିରୁ ସ୍ପଷ୍ଟ ବାରି ହୋଇଯାଉଛି ଯେ ନିର୍ବାଚନକୁ ଆଖି ଆଗରେ ସରକାର କା ମାଲ୍ ଦରିଆରେ ମେଁ ଡ଼ାଲ ନ୍ୟାୟରେ ଆଲ୍ଆଣ୍ଡଟି କାହାରିକୁ ଖାତିର ନ କରି କାମ କରିଛି। ଏହି ଅସ୍ଥାୟୀ ପାଇପ୍ ଲାଇନ୍ ବିଛାଯିବା ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ପାଇପ୍ ଫାଟି କୃତ୍ରିମ ବନ୍ୟା ସୃଷ୍ଟି ହେବା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଆଲଆଣ୍ଡଟି କଂପାନୀର ଜନୈକ ବଡ଼ ଠିକାଦାର ସହରରେ ପ୍ରତି ୱାର୍ଡ଼କୁ ଭାଗ ଭାଗ କରି କିଛି କୁଜି କଣ୍ଟ୍ରାକ୍ଟରକୁ କାମ ଦେଇଥିବା ଅନୁସନ୍ଧାନରୁ ଜଣାଯାଇଛି। ଏହି କୁଜି କଣ୍ଟ୍ରାକ୍ଟାରମାନେ ନିଜକୁ ସାବାସି ଦେବା ପାଇଁ କାମ ଦ୍ରୁତଗତିରେ କରିବା ଦ୍ୱାରା ରାସ୍ତାଗୁଡ଼ିକର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଗାଡ଼ି ଗଲାବେଳେ କେଉଁଠି ଚକ ଦବି ଯାଉଛି ତ କେଉଁଠି ଲୋକେ ଉକ୍ତ ରାସ୍ତାରେ ତଳେ ପଡ଼ି ଆହତ ହୋଇ ହସ୍ପିଟାଲ୍ ଯିବାକୁ ପଡ଼ୁଛି। ଏ ଦୃଷ୍ଟିରୁ ଦେଖିବାକୁ ଗଲେ ସହରକୁ ସଜାଡ଼ିବାକୁ ପାଇଁ ସରକାରଙ୍କୁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହାଦ୍ୱାରା ଲାଭବାନ ହେଲେ ମହାନଗର ନିଗମ, ନୂତନ ଭାବେ ପଦବୀ ପାଇଥିବା କର୍ପୋରେଟର ଏବଂ ସେମାନଙ୍କ ସହ ମଧୁଚନ୍ଦ୍ରିକା ରଖିଥିବା କଣ୍ଟ୍ରାକ୍ଟରମାନେ। କିନ୍ତୁ ସହରବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ।

Share :