ମଣିମା ଶୁଣିମା ହେଉ

ମଣିମା ଶୁଣିମା ହେଉ

Share :

ମାୟାଧର ନାୟକ ପୃଥିବୀର ସୁପ୍ରସିଦ୍ଧ ଶ୍ରୀଜଗନ୍ନାଥଧାମ ପୁରୀର ପୁରପଲ୍ଲୀ ସାଂଘାତିକ ସାମୁଦ୍ରିକ ତୋଫାନ ‘ଫଣୀ’ର ତୁମୂଳ ତୋଡ଼ରେ ଆମୂଳଚୂଳ ନିଶ୍ଚିହ୍ନ ହୋଇଯାଇଛି। ବେଳାଭୂମିରୁ ଆରମ୍ଭ କରି ବସତିବ୍ୟାପୀ ବିସ୍ତୃତ ଭୌଗୋଳିକ ସ୍ଥିତି ସଂପୂର୍ଣ୍ଣ ସଂକଟାପନ୍ନ। ପୁରୀ ଜିଲ୍ଲାର ୧୧ଟି ବ୍ଲକ ଅବସ୍ଥା ଅବର୍ଣ୍ଣନୀୟ - ଅତି ଉଦ୍‌ବେଗଜନକ। ସବୁଠୁ ବେଶୀ ପୁରୀ ସହର, ସଦର, ବ୍ରହ୍ମଗିରି, ସତ୍ୟବାଦୀ, କୋଣାର୍କ, ନିମାପଡ଼ା ପ୍ରମୁଖ ଅଞ୍ଚଳକୁ କାଁ ଭାଁ ବିଜୁଳି ଯାଇଛି। ପ୍ରାୟ ୯୦ ଭାଗ ଅଞ୍ଚଳ ଏବେ ବି ବିଜୁଳି, ପାଣି ପାଇଁ ଡହଳବିକଳ। ଯେଉଁ କେତେକ ସ୍ୱଳ୍ପସୀମିତ ଅଞ୍ଚଳକୁ ବିଜୁଳି ଯାଇଛି - ସୁଇଚ ଅନ୍ କଲେ ଘରେ ଥିବା ଫ୍ୟାନ, ଟିଭି, ଏସି, ୱାସିଙ୍ଗ ମେସିନ ପୋଡ଼ିଯାଉଛି। ଲକ୍ଷଲକ୍ଷ ଟଙ୍କାର ଘରକରଣା ସମେତ ବିଭିନ୍ନ ପ୍ରୟୋଜନ ସାମଗ୍ରୀ ବରବାଦ। ବିଜୁଳି ବିଭାଗ ଯେନତେନ ପ୍ରକାରେଣ ବିଜୁଳି ଦେବାରୁ ଏଭଳି ମାରାତ୍ମକ ମନୁଷ୍ୟକୃତ ଦୁର୍ଘଟଣା ଘଟୁଛି। ‘ଫଣୀ’ ପରେପରେ ବିଜୁଳି ଯୋଗାଣଜନିତ ଏପ୍ରକାର କ୍ଷତିର ଅପ୍ରତ୍ୟାଶିତ ତଥା ଅଭାବିତ କାଣ୍ଡ ବର୍ତ୍ତମାନ ପୁରୀର ଅଭାବୀ ଅଧିବାସିନ୍ଦାମାନଙ୍କୁ ଆହୁରି ଉତ୍କଟ ପରିସ୍ଥିତି ମଧ୍ୟକୁ ଟାଣିଆଣିଛି। ଯେଉଁଠି ବିଜୁଳି ନାହିଁ - ସେଠି ସଂଧ୍ୟା ପରଠାରୁ ମଧ୍ୟ ଗଳିରାସ୍ତାର ଅର୍ଗଳିଗୁଡ଼ାକରେ ଚାଲିଛି ରୀତିମତ ରାହାଜାନି। କରାଳ ରାତ୍ରୀର ଅନ୍ଧକାରରେ ଲୁଟେରାଦଳ ମାତି ପଥଚାରୀମାନଙ୍କୁ ସର୍ବସ୍ୱାନ୍ତ କରିଦେଉଛନ୍ତି। ହଜାରହଜାର ତେଲୁଗୁ ମତ୍ସ୍ୟଜୀବୀ ପରିବାର ହତାଶ - ଡଙ୍ଗା ଭାଙ୍ଗିଛି - ସାମାନ୍ୟ ପବନ ବୋହିଲେ ସମୁଦ୍ରକୁ ଯାଉନାହାଁନ୍ତି। ହୋଟେଲଶିଳ୍ପ ଶତପ୍ରତିଶତ ବିପର୍ଯ୍ୟସ୍ତ। ଭୟତ୍ରସ୍ତ ପର୍ଯ୍ୟଟକ ଏବେ ପୁରୀ ପ୍ରତି ପୂର୍ଣ୍ଣବିମୁଖ। ସାକ୍ଷୀଗୋପାଳ ନଡ଼ିଆ, ଚନ୍ଦନପୁର ପାନର ଦିନେ ପ୍ରଚୁର ପ୍ରସିଦ୍ଧି ଥିଲା - ଦେଶବିଦେଶକୁ ରପ୍ତାନି ହେଉଥିଲା। ଆଜି ସବୁ ମୂଳପୋଛ। ଏବେ ପୁରୀବାସୀ ବାହାରୁ ନଡ଼ିଆ ଆମଦାନୀ କରିବେ। ପାନଖଣ୍ଡେ ପାଇଁ ହାତ ପତାଇବେ ଅନ୍ୟତ୍ର। ଏଣେ କୂଅ ପୋଖରୀ ନଈରେ ଗଛପତ୍ର ପଡ଼ି ପାଣି ପୂରା ପଚିସାରିଲାଣି। ଅନେକ ସ୍ଥାନରେ ଘେରିରହିଥିବା ଦୁର୍ଗନ୍ଧମୟ କଳାପାଣିଦ୍ୱାରା ପୁରୀର ମାନଚିତ୍ର ପାଲଟିଯାଇଛି ଗୋଟାଏ ନିଆରା ନର୍କର ନକ୍ସା! ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି ପାନୀୟଜଳ। ଦୂଷିତ ଜଳ ଯୋଗୁ ଚର୍ମରୋଗ, ପେଟରୋଗରେ ଲୋକେ ଆକ୍ରାନ୍ତ। ସରକାର ବର୍ତ୍ତମାନ କିଂକର୍ତ୍ତବ୍ୟବିମୂଢ଼। ଏପର୍ଯ୍ୟନ୍ତ ରିଲିଫ ସହାୟତା ଆଶାଜନକ ଭାବରେ ଯୋଗାଇ ଦେଇ ପାରୁନାହାନ୍ତି। ଯେଉଁ ଅନୁଷ୍ଠାନମାନେ ରିଲିଫ ସାମଗ୍ରୀ ନେଇ ପୁରୀ ଯାଉଛନ୍ତି ଦଳବଦ୍ଧ ଦୁବୃର୍ତ୍ତମାନଙ୍କ ଦ୍ୱାରା ବାଟରୁ ବାଟମାରଣା। ପୁଲିସ ସୁରକ୍ଷା ଦେଇପାରୁନି। ପ୍ରାୟ ଟିଣଛପର, ଆଜବେଷ୍ଟସ୍, ଚାଳଛପର ଘର ଆକାଶକୁ ଆଁ କରିରହିଛି। ବର୍ଷା ହେଲେ ଅବସ୍ଥା ସଂଗୀନ। ଏପର୍ଯ୍ୟନ୍ତ ସରକାରୀ କଳର କାର୍ପଟଦାରମାନଙ୍କ ହିସାବତାଲିକାରେ କ୍ଷୟକ୍ଷତିର ସଠିକ ଆକଳନ ହୋଇପାରୁନି। ବିପନ୍ନଲୋକେ ଚାହିଁ ରହିଛନ୍ତି - ସରକାରୀ କଳ କେବେ ଆସି କ୍ଷୟକ୍ଷତି ଆକଳନ କରିବେ। ଆଖିରେ ଲୁଣିପାଣି ମାରି ଖାସ୍ ଏହି ଅପେକ୍ଷାରେ ଉଜୁଡ଼ା ସଂସାରକୁ ସଜାଡ଼ୁ ନାହାଁନ୍ତି। ବିପନ୍ନ ବର୍ଗର ଅଣ୍ଟିରେ କାଣୀକଉଡ଼ିଟାଏ ନାହିଁ। ଏକପ୍ରକାର କପର୍ଦ୍ଦକଶୂନ୍ୟ କାଙ୍ଗାଳ କହିଲେ ଚଳେ। ଆଗରୁ ଥିଲାବାଲାମାନେ ବିପିଏଲ ରେସନକାର୍ଡ, ଏ.ପି.ଏଲ ହାତେଇ ନେଇଛନ୍ତି। ଯେଉଁମାନେ ହାତେଇଛନ୍ତି ସେମାନଙ୍କ ଘରଆଗରେ ବିପିଏଲ ପରିବାର ଲେଖାଗଲେ ଭଦ୍ରଚୋର ଧରାପଡ଼ିଯିବେ। ଏଭଳି ଦୁଃଖଦ ଦାରୁଣ ସମୟରେ ସୁଦ୍ଧା ଥୋକେ ଅମଣିଷଙ୍କଆଡୁ ପୁରୀରେ ଅନୈତିକ ଲାଭପାଇଁ ଛକାପଂଝା ଚାଲିଛି। ପୁରୀରେ ଆଗକୁ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉପୁଜିଲାଣି। ଆସନ୍ନ ଦୁର୍ଭିକ୍ଷରୁ ରକ୍ଷା ପାଇବାକୁ ହେଲେ ବିପନ୍ନମାନଙ୍କୁ ସହାୟତା ଦେବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର େସ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ପୁରୀକୁ ଡକାଇ ଘରେଘରେ ରିଲିଫ ପହଞ୍ଚାନ୍ତୁ। ଏପରିକି ବିଶେଷ ପ୍ରୟୋଜନରେ ମିଲିଟାରୀ ବାହିନୀକୁ ଡକାଇ ପୁରୀଜିଲ୍ଲାକୁ ରକ୍ଷା କରନ୍ତୁ। ୧୯୯୩ ମହାରାଷ୍ଟ୍ରର ‘ଲାଟୁର’ ଭୂମିକଂପବେଳେ ଗୁଜୁରାଟ କେୟାନଗର, ସୁରଟରେ ପ୍ଲେଗ ହୋଇଥିଲା। ଅବଶ୍ୟ ସେଠାକାର ସରକାର ସମ୍ଭାଳିନେଲେ। ବ୍ରିଟିଶ ରିଲିଫକୋର୍ଡ଼ରେ ପୂଟଚଢ଼ାଇ ତଥାକଥିତ ସ୍ୱାଧୀନଭାରତରେ ଚଳାଯାଉଛି - ଯାହା ଫଳରେ ସାହାଯ୍ୟପ୍ରଦାନରେ ଧୁଆମୂଳା ଅଧୁଆମୂଳା ସବୁ ସମାନ। ପୁରୀର ସର୍ବନାଶବେଳେ ଓଡ଼ିଶା ରାଜନୀତିର ଏ ପୁଷମାସକୁ ଆମେ ହଜମ କରିବା କଷ୍ଟକର। ଏପର୍ଯ୍ୟନ୍ତ ବିଜୁଳି ଶ୍ରୀମନ୍ଦିର ବଡ଼ଦାଣ୍ଡ ସମେତ ଶ୍ରୀନଅରକୁ ଯାଇଛି - ବାକି କେତେକ ସ୍ଥାନକୁ ମଧ୍ୟ ଯାଇଛି - ଯେଉଁଠି ବିଦ୍ୟୁତ୍ ସଂଯୋଗମାତ୍ରେ ହିଁ ସବୁ ପୋଡ଼ିଯାଉଛି, ଜଳିଯାଉଛି ବୋଲି ତୁଣ୍ଡବାଇଦ ସାରା ଓଡ଼ିଶାରେ ବର୍ତ୍ତମାନ ବାଜିଲାଣି। ବଡ଼ ସାଂଘାତିକ ଶୋଚନୀୟ ପରିସ୍ଥିତି ସହ ପୁରୀବାସୀ ବର୍ତ୍ତମାନ ବଞ୍ଚିବାର ଲଢ଼େଇ କରିଚାଲିଛନ୍ତି। ସତ କହିବାକୁ ଗଲେ ଅଚିନ୍ତନୀୟ କ୍ଷୟକ୍ଷତିର ଅକାଳ ପ୍ରାକୃତିକ ଆତଙ୍କବାଦୀ ‘ଫଣୀ’ ଫେରିଯିବା ପରର ଏ ହଳାହଳମୟ ଫଳାଫଳ ପୁରୀବାସୀଙ୍କ ପିଠିରେ ବେଡ଼ି ଉପରେ କୋରଡ଼ାମାଡ଼ ପରି ମନେହେଉଛି। ଏ ଭୟଙ୍କର ପରିସ୍ଥିତିର ମୁକାବିଲା କରିବା ଦିଗରେ ସରକାରୀ ଶାସନକଳ ବା ଆମର କଚ୍ଛପୀୟ ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ବିଫଳ - ଯଦିଓ ହଜାରହଜାର କୋଟି ଟଙ୍କାର ଦାନ-ଅନୁଦାନରାଶିରେ ସରକାରଙ୍କ ଭଣ୍ଡାର ଏବେ ଭରପୂର। ଆଜି ସମୁଦ୍ରର ବିବର୍ଣ୍ଣ ବେଳାଭୂମିରେ ବିପର୍ଯ୍ୟୟଗ୍ରସ୍ତ ପୁରୀର ଜନଜୀବନ କେବଳ ନିରାଶାର ବାଲି ସାଉଁଟୁଛି ମାତ୍ର। ମନେପଡ଼ିଯାଉଛି ଗୋପବନ୍ଧୁଙ୍କର ପୁରୁଣାପଦରୁ କରୁଣକୋମଳ ଧାଡ଼ି ଦୁଇଟି - ‘ଜୀବନ କି ଖାଲି / ନିରାଶାର ବାଲି / ମରୁମରୀଚିକା ସେନେହପ୍ରୀତି / ତେବେ କି ଆଶାରେ / କହ ଏ ସଂସାରେ / ପରଲାଗି ନର ମରୁଛି ନିତି?’ ଏପରି ବିଡ଼ମ୍ୱିତ ପରିସ୍ଥିତିରେ ଆଜାଦୀ ଠେଙ୍ଗାବାହିନୀର ମେଜର ଜେନେରାଲ ଭାବରେ ଗଜପତି ମହାରାଜଙ୍କୁ ମୁଁ ସବିନୟ ଅନୁରୋଧ କରୁଛି ଯେ - ହେ ମଣିମା - ଆଜିର ପରିବର୍ତ୍ତିତ ପଟ୍ଟଭୂମିରେ ଆପଣ ଓଡ଼ିଶାର ରାଜନୈତିକ ଶାସକ ନହୋଇ ପାରନ୍ତି - ମାତ୍ର ଓଡ଼ିଆ ମହାଜାତିର ଅବଚେତନରେ ଆପଣ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚଳନ୍ତି ପ୍ରତିନିଧି ଓ ଐତିହାସିକ ମହାନ ସୂର୍ଯ୍ୟବଂଶର କୁଳଚନ୍ଦ୍ରମା ଭାବରେ ଆମ ବିଶ୍ୱାସର ବେଦୀପୀଠରେ ଆପଣ ହିଁ ହେଉଛନ୍ତି ଏ ନିଖିଳ ଓଡ଼ିଆ ଜନସମୁଦାୟର ନିତ୍ୟନମସ୍ୟ ସାଂସ୍କୃତିକ ଶାସକ। ଏହିଦୃଷ୍ଟିରୁ ‘ଫଣୀ’ପୀଡିତ ପୁରୀର ଜଣେ ବି ସାଧାରଣ ଗୃହସ୍ଥର ଉଜୁଡ଼ା ସଂସାରରେ ଯେତେଦିନଯାଏ ସରକାର ପାଣିବିଜୁଳି ଯୋଗାଣର ସୁବନ୍ଦୋବସ୍ତ କରାଇ ନପାରିଛନ୍ତି, ଯେତେଦିନଯାଏ ଭଙ୍ଗାକୁଡ଼ିଆର ଦୀନଦୁର୍ଗତ ଦାସିଆ ବାଉରିମାନେ ନଡ଼ିଆ ଖଣ୍ଡେ ପାଇପାରୁନାହାନ୍ତି - ସେତେଦିନଯାଏ ଆପଣ ଏ ପାତରଅନ୍ତର ନୀତିରେ ବଜାୟ ରହିଥିବା ସରକାରୀ ପାଣିବିଜୁଳିକୁ ଶ୍ରୀନଅରରେ ସ୍ଥାନ ଦେବାକୁ ନିଜ ତରଫରୁ ମନା କରିଦିଅନ୍ତୁ। ଓଡ଼ିଶାର ସର୍ବମାନ୍ୟ ଗଜପତିଙ୍କୁ ଏହା ଆଜାଦୀ ଠେଙ୍ଗାବାହିନୀ ପକ୍ଷରୁ ମୋର ଅନ୍ତରାତ୍ମାର ନିବେଦନ। ଯାଜପୁରରୋଡ୍, ଯାଜପୁର ଫୋନ - ୯୮୬୧୦୩୪୧୬୩

Share :