ପ୍ରତିଶ୍ରୁତି ପୂରଣ ହେବ ତ?

ପ୍ରତିଶ୍ରୁତି ପୂରଣ ହେବ ତ?

Share :

ଡି ଶୁଭମ୍ କୁହାଯାଏ ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ପାଂଚ ବରଷ..ବୋଧହୁଏ ଏହା ଏକ ଅପ୍ରିୟ ସତ ଉବାଚ। ପାଂଚବର୍ଷରେ ଥରେ ଆସୁଥିବା ଏ ନିବାର୍ଚନ ଜନତାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଜନାତା ହିଁ ନେତାଙ୍କ ଭାଗ୍ୟ ନିର୍ଦ୍ଧାରକ। ବିଗତ ପାଂଚ ବର୍ଷରେ କରିଥିବା କାର୍ଯ୍ୟର ମୂଲ୍ୟାୟନ କରାଯାଏ ଇଭିଏମରେ। ତେଣୁ ପୁଣିଥରେ ନିର୍ବାଚନ ରଣାଙ୍ଗନରେ ଉପନୀତ ନେତାଏ ଜନତାଙ୍କୁ ଦିଅନ୍ତି ନାନାଦି ପ୍ରତିଶ୍ରୁତି। ହେଲେ ଦେଖିବାର କଥା ଏସବୁ ପ୍ରତିଶ୍ରୁତିର ପ୍ରତିଫଳନ ସଠିକ୍ ଭାବେ ପୂରଣ ହେଉଛି ତ? ଏସବୁର ଚିତ୍ର ମେ ୨୩ରେ ଲୋକଲୋଚନକୁ ଆସିବ। ଆଉ ଏସବୁର ନିଷ୍ପତ୍ତି ନେବେ ଜନତା ଜନାର୍ଦ୍ଦନ। ଜନାଦେଶ ହିଁ ହେବ ଶ୍ରେଷ୍ଠାଦେଶ। ଏହା ହିଁ ଗଣତନ୍ତ୍ରର ସ୍ୱାତନ୍ତ୍ର୍ୟ। ବିଗତ ୨ ମାସ ନିବାର୍ଚନ ମାହୋଲ ଏତେ ସରଗରମ ଥିଲା ଯେ ଗାଁମାନଙ୍କରେ କେବଳ ନେତାମାନେ ହିଁ ଦିଶୁଥିଲେ। ପ୍ରଚାରର ପରିସୀମା ଏତେ ବିଶାଳ ଥିଲା ଯେ ରୌଦ୍ରତାତାପ ବି ବାଧୁ ନଥିଲା। ଆଉ ସେପଟେ ନେତାଙ୍କର ମେଂଚାଏ ପ୍ରତିଶ୍ରୁତି ଜନତାଙ୍କ ମୁଖରେ ଚେନାଏ ହସ ଫୁଟାଉଥିଲା। ଲୋକେ ସେଇ କେଇ ପଦ କଥାରେ ଆମୋଦିତ ହୋଇଯାଉଥିଲେ। ଭାବୁଥିଲେ ବୋଧହୁଏ ଏଥର ନେତା ଆମ ସୁଖଦୁଃଖର ସାଥୀ ହେବେ। ବିପଦବେଳେ ପାଖରେ ଠିଆ ହେବେ। ହେଲେ ଏସବୁ କଥା ତ ସମୟ କହିବ କିଏ ପାଖରେ ରହିବ କିଏ ନାହିଁ। ଏ ପରିପ୍ରେକ୍ଷୀରେ ଜନତା ଇଭିଏମରେ ତ ବଟନ୍ ଦବେଇ ସାରିଲେଣି ..ଏବେ ଖାଲି ଫଳାଫଳକୁ ଅପେକ୍ଷା। ସବୁ ପ୍ରାର୍ଥୀ ବହୁ ବ୍ୟବଧାନରେ ବିଜୟଲାଭ କରିବେ ବୋଲି ବି ଦୃଢୋକ୍ତି ପ୍ରକାଶ କଲେଣି। କିନ୍ତୁ ନେତାଏଁ ଯେଉଁ ପ୍ରତିଶ୍ରୁତି ଗୁଡ଼ିଏ ଲୋକଙ୍କୁ ଦେଖେଇ ଦେଇଗଲେ ସେସବୁକୁ ପାଳନ କରିବା ସେମାନଙ୍କ କର୍ତ୍ତବ୍ୟ। ନିର୍ବାଚନ ଋତୁ ଆସିଲେ ନେତାଙ୍କର ଦେଖାମିଳେ। କେନ୍ଦ୍ରାୟ ନେତାଙ୍କ ସୁଅ ଛୁଟେ। ବଡ଼ବଡ଼ ସଭାର ଆୟୋଜନ ହୁଏ। ନେତାଙ୍କ ଭାଷଣବାଜି ଓ ପ୍ରତିଶ୍ରୁତିର ଡିଣ୍ଡିମ ଆବାଜ ଶୁୂଣି ମନ କୁଣ୍ଢେମୋଟ ହୋଇଯାଏ। ଲୋକେ ଭାବନ୍ତି ଇଏ ହିଁ ଆମ ସୁଖଦୁଃଖର ଚିରସାଥୀ। ହେଲେ ବହୁତ ସମୟରେ ଏହା ଦେଖାଦେଇଛି ଯେ ନିର୍ବାଚନର ପର୍ବ ସରିଗଲେ ଏମାନଙ୍କ ଦେଖାମିଳେନି। ଆଉ ସେଇ ସମୟରେ ଜଗନ୍ନାଥଙ୍କୁ ଡାକି ମନବୁଝେଇ ଦିଅନ୍ତି ଲୋକମାନେ। ହେଲେ ସେସବୁ ପ୍ରତିଶ୍ରୁତି ପାଣିଗାର ହେଇଯାଏ। ଆଉ ତା’ପରେ ଯାହାକୁ ସେଇଆ ହେଇ ରହିଯାଏ। ଶାସକ ହୁଅନ୍ତୁ କି ବିରୋଧୀ ସଭିଏଁ ବିକାଶର ନାରା ଦେଲେଣି । ଏ ବିକାଶର ଡବଲ ଇଞିନ ଲୋକଙ୍କୁ କେତେ ପ୍ରଭାବିତ କରିପାରିବ ସେଇଟା ଦେଖିବାର ସମୟ। କେବଳ ଶହଶହ କର୍ମୀଙ୍କୁ ନେଇ ବିରାଟ ପଟୁଆରେ ଶୋଭାଯାତ୍ରାଟିଏ କରିଦେଲେ ହବନି ବରଂ ଲୋକଙ୍କୁ ନିଜ ଆଡ଼କୁ ପ୍ରଭାବିତ କରିବାର ଅଛି। ନିଜର ସଚ୍ଚୋଟପଣିଆକୁ ପ୍ରତିପାଦିତ କରିବାର ଅଛି। ଗଣତନ୍ତ୍ରରେ ଜନାଦେଶ ହେଉଛି ମୁଖ୍ୟ। ହେଲେ ପରସ୍ପର ଭିତରେ ନିର୍ବାଚନୀ ହିଂସାକୁ ନେଇ ଗୁଣ୍ଡାଗିରି କରିବାର ଦୃଷ୍ଟାନ୍ତ ସତରେ ନିନ୍ଦନୀୟ। ଏ ନିର୍ବାଚନ ଜନତନ୍ତ୍ର ଉପରେ ଆଧାରିତ। ସେଇଥି ପାଇଁ ତ ପ୍ରତ୍ୟକ୍ଷ ନିବାର୍ଚନକୁ ଶ୍ରେଷ୍ଠ ନିର୍ବାଚନର ଆଖ୍ୟା ଦିଆଯାଏ। ଏବେ ଜଣେ କାମ କରୁଥିବା ଲୋକ ଓଡ଼ିଶା ପାଇଁ ଆବଶ୍ୟକ। ନେତା ଓ ଜନତା ପରସ୍ପରର ପରିପୂରକ। ଜନତାଙ୍କର ସୁଖଦୁଃଖର ସାଥୀ ନେତା। କେବଳ ଭୋଟ ପାଇଁ ପ୍ରଚାର କରି ବସିଗଲେ ହେବନି ବରଂ ସବୁସମୟରେ ଲୋକଙ୍କ ପାଇଁ କାମ କରିବାର ସ୍ପୃହା ଦେଖାଯିବା ଆବଶ୍ୟକ। ଏକମନ ଏକମତ ନେଇ ସଭିଏଁ କାର୍ଯ୍ୟ କରିବା ଆବଶ୍ୟକ। ସୁତରାଂ ଏପରି ସମୟରେ ନେତାଙ୍କୁ ଏକଥା ସ୍ମରଣ ରଖିବାକୁ ହେବ ଯେ ପ୍ରତିଶ୍ରୁତି ଦେବାଟା ଏକ ସାଧାରଣ କଥା ହେଲେ ଏହାକୁ କାର୍ଯ୍ୟରେ ପରିଣତ କରିବା ହିଁ ପ୍ରକୃତ ନେତାର ପରିଚୟ। ବ୍ୟକ୍ତିଗତ ସ୍ୱାର୍ଥର ଉର୍ଦ୍ଧ୍ୱକୁ ଯାଇ ସମୂହ ସ୍ୱାର୍ଥଦିଗରେ ଅଣ୍ଟାଭିଡ଼ିବା ଆବଶ୍ୟକ। ତା’ହେଲେ ଯାଇ ଏ ନିବାର୍ଚନର ଉଦ୍ଦେଶ୍ୟ ସାର୍ଥକ ହେବ। ଜନାଦେଶର ଜୟ ହେବ। ଗଣତନ୍ତ୍ରର ବିଜୟବାନା ଉଡ଼ିବ ଏଥିରେ ଦ୍ୱିମତ ନାହିଁ। ଯୋଗାଯୋଗ- ସମ୍ପାଦକ, ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର, ଭଦ୍ରକ ମୋ - ୯୪୩୮୪୬୭୦୭୯

Share :