୨୦୦ କିମି ବେଗରେ ବହିବ ଫଣି

୨୦୦ କିମି ବେଗରେ ବହିବ ଫଣି

Share :

ସ୍ବତନ୍ତ୍ର ପ୍ରତିନିଧି ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଅତି ଭୟଙ୍କର ସାମୁଦ୍ରିକ ଝଡ ଫଣି ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୪ କିମି ବେଗରେ ଉତ୍ତରପଶ୍ଚିମ ଦିଗରେ ଗତିକରି ବୁଧବାର ସକାଳ ୮.୩୦ ସୁଦ୍ଧା ୧୪.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୩.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ପୁରୀଠାରୁ ୬୬୦ କିମି ଦୂର ଦକ୍ଷିଣ-ଦକ୍ଷିଣପଶ୍ଚିମ ଓ ବିଶାଖାପାଟଣାଠାରୁ ୪୦୦ କିମି ଦୂର ଦକ୍ଷିଣ-ଦକ୍ଷିଣପୂର୍ବରେ ପହଂଚିଛି। ଆଗାମୀ ୧୨ ଘଂଟା ମଧ୍ୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାପରେ ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପୂର୍ବ ମୋଡ଼ ନେଇ ମେ ୩ ଅପରାହ୍ନ ସୁଦ୍ଧା ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟଦେଇ ପୁରୀର ଦକ୍ଷିଣରେ ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଘଂଟା ପ୍ରତି ୧୭୦-୧୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିଲାବେଳେ ଏହା ସର୍ବାଧିକ ଘଂଟା ପ୍ରତି ୨୦୦ କିମିରେ ପହଂଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମେ ୨ରେ ଓଡିଶାର ଦକ୍ଷିଣ ଉପକୂଳର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ ୩ରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି। ମେ ୪ରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ଉତ୍ତର ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟାର ପ୍ରଭାବରେ ମେ ୨ ରେ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପବନର ବେଗ ଘଂଟା ପ୍ରତି ୪୦-୫୦ କିମି ବେଗରେ ଆରମ୍ଭ ହୋଇ ୬୦ କିମିରେ ପହଂଚିବ। ମେ ୩ ସକାଳୁ ପବନର ବେଗ ବୃଦ୍ଧି ପାଇ ଘଂଟାପ୍ରତି ୬୦-୭୦ କିମି ଓ ପରେ ୮୫ କିମିରେ ପହଂଚିବ। ସଂଧ୍ୟାବେଳକୁ ଓଡିଶା ଉପକୂଳରେ ପବନର ବେଗ ଆହୁରି ବୃଦ୍ଧି ପାଇ ଘଂଟାପ୍ରତି ୧୭୫-୧୮୫ କିଲୋମିଟର ବେଗରେ ପହଂଚିବ ଏବଂ ସର୍ବାଧିକ ଘଂଟାପ୍ରତି ୨୦୫ କିମି ଛୁଇଁବ। ମେ ୨ରୁ ୪ ମଧ୍ୟରେ ଓଡିଶା ଉପକୂଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବ ଏବଂ ପ୍ରାୟ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବ। ଝଡ ସ୍ଥଳଭାଗ ଛୁଇଁବା ସମୟରେ ଜୁଆରର ଉଚ୍ଚତା ବୃଦ୍ଧି ପାଇବ ଏବଂ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାମାନଙ୍କର ତଳିଆ ଅଂଚଳକୁ ସମୁଦ୍ର ପାଣି ମାଡ଼ି ଆସିବାର ସମ୍ଭାବନା ରହିଛି। ମେ ୧ରୁ ୪ ମଧ୍ୟରେ ସମୁଦ୍ର ମଧ୍ୟକୁ ଢ଼ଙ୍ଗା ନେଇ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଯେଉଁମାନେ ପୂର୍ବରୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରିଆସିବା ପାଇଁ ସତର୍କ କରାଯାଇଛି। ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ ସମ୍ଭାବ୍ୟ ବାତ୍ୟା ଫଣିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବାତ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ବଜାୟ ରଖିବା ସହିତ ଲୋକମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ବିଭାଗ ପ୍ରସ୍ତୁତ। ଏ ନେଇ ଆବଶ୍ୟକୀୟ ପ୍ରସ୍ତୁତି ସହିତ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି। ସମସ୍ତ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କର ଛୁଟି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ଏବଂ ଯେଉଁମାନେ ଛୁଟିରେ ଅଛନ୍ତି ତୁରନ୍ତ କାର୍ଯ୍ୟରେ ଯୋ ଦେବାକୁ କୁହାଯାଇଛି। ଆବଶ୍ୟକୀୟ ଔଷଧ, ସାପକାମୁଡା ଇଂଜେକ୍ସନଠାରୁ ଆରମ୍ଭ କରି ସାଲାଇନ, ହାଲୋଜେନ ବଟିକା ଆଦି ମହଜୁଦ ରଖିବାକୁ କୁହାଯାଇଛି। ଅଣପ୍ରଭାବିତ ଅଂଚଳମାନଙ୍କରୁ ପ୍ରଭାବିତ ଅଂଚଳମାନଙ୍କରେ ଡାକ୍ତର ଆଦି ମୁତୟନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ଦରକାର ପଡିଲେ ମେଡିକାଲ କଲେଜ ଓ ହସପିଚାଲ ମାନଙ୍କରୁ ମଧ୍ୟ ଡାକ୍ତରୀ ଦଳକୁ ପ୍ରଭାବିତ ଅଂଚଳମାନଙ୍କରେ ମୁତୟନ କରାଯିବ। ଆମ୍ୱୁଲାନ୍ସ ସମେତ ଭ୍ରାମ୍ୟମାଣ ଚିକିତ୍ସକ ଦଳ ପ୍ରସ୍ତୁତ ରହିବେ ଏବଂ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯିବା ପାଇଁ ତୁରନ୍ତ ଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ରାଜ୍ୟସ୍ତରରୁ ଜିଲ୍ଲା ଓ ବ୍ଲକ୍ସ୍ତର ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ନୋଡାଲ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି। ବିଦ୍ୟୁତ ସରବରାହ ବ୍ୟାହତ ହେଲେ ପାୱାର ବ୍ୟାକ୍‌ ଅପ୍‌ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳାମାନଙ୍କ ତାଲିକା ଅନୁଯାୟୀ ପ୍ରସବ ଦିନକୁ ଦୃଷ୍ଟିରେ ରଖି ସେମାନଙ୍କୁ ମା'ଗୃହରେ ଆଣି ରଖିବା କିମ୍ୱା ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ପଠାଇବା କାର୍ଯ୍ୟ ଆରମ୍ଭ କରାଯାଉଛି। ବାତ୍ୟା ପରବର୍ତ୍ତୀ ସମୟରେ ପାନୀୟ ଜଳ ଉତ୍ସଗୁଡିକର ତୁରନ୍ତ ବିଶୋଧନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମ୍ୟାଲେରିଆ, ଡାଏରିଆ, ଡେଙ୍ଗୁ ଆଦି ସଂପର୍କରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ଏବଂ କୌଣସି ସ୍ଥାନରେ ଯେପରି ମହାମାରୀ ଦେଖା ନଯାଏ ସେ ନେଇ ସଜାଗ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏ ସବୁ ସଂପର୍କରେ ପ୍ରତି ଦିନ ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ ପ୍ରଦାନ କରିବା ନିମନ୍ତେ କୁହାଯାଇଛି। ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ଏବଂ ପରବର୍ତ୍ତୀ ସମୟରେ ଲୋକମାନେ କଣ କରିବା ଉଚିତ ଓ କଣ ନକରିବା ଉଚିତ ସେ ନେଇ ଗଣମାଧ୍ୟମ ଜରିଆରେ ସଚେତନ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ବିଭାଗକୁ ପରାମର୍ଶ ଦେଇଛନ୍ତି। ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦକୁମାର ମେହେର୍ଦ୍ଦା , ସ୍ୱତନ୍ତ୍ର ଶାସନ ସଚିବ ଡାଃ ଲିଙ୍ଗରାଜ ମିଶ୍ର, ଅତିରିକ୍ତ ସଚିବ ଶରତ କୁମାର ମିଶ୍ର, ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମସଚିବ ଯାମିନୀ ଷଢଙ୍ଗୀ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ସୁଶୀଲ କୁମାର କର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାଃ ବିଜୟଲକ୍ଷ୍ମୀ ଗୁରୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ପଢ଼ା ଓ ପରୀକ୍ଷା ବାତିଲ ଫଣିର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ସ୍କୁଲରେ ପାଠପଢ଼ା ଓ ପରୀକ୍ଷା ବାତିଲ କରିଦେଇଛନ୍ତି। ବାତ୍ୟା ଫେରିଗଲା ପରେ ବାତିଲ ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ। ଆଚରଣବିଧି କୋହଳ ଫଣି ଦୃଷ୍ଟିରୁ ରାଜ୍ୟର ୧୧ଟି ଉପକୂଳ ଜିଲ୍ଲାରେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ କୋହଳ କରାଯାଇଛି। ଏସବୁ ଜିଲ୍ଲା ହେଲା ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ଖୋର୍ଦ୍ଧା ଓ ନୟାଗଡ଼। ସେହିପରି ଫଣିରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଇଭିଏମ ସୁରକ୍ଷିତ ରଖିବା ପାଇଁ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଇଭିଏମଗୁଡ଼ିକୁ ଅଧିକ ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଇଭିଏମଗୁଡ଼ିକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି।

Share :