ହତାଶିଆଙ୍କ ହିଂସାକାଣ୍ଡ!

ହତାଶିଆଙ୍କ ହିଂସାକାଣ୍ଡ!

Share :

ସ୍ବତନ୍ତ୍ର ପ୍ରତିନିଧି ପରାଜୟ ଆଶଙ୍କାରେ ବିଜୁ ଜନତା ଦଳର କର୍ମୀମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି କରି ଲୋକମାନଙ୍କୁ ଭୟଭୀତ କରୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ଅଭିଯୋଗ କରୁଛନ୍ତି। ଏପ୍ରିଲ ୧୪ ତାରିଖ ରାତିରେ ଶାସକ ଦଳର ଗୁଣ୍ଡାମାନେ ଖୋର୍ଦ୍ଧା ଅଞ୍ଚଳରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିବା ଘଟଣା ଏହାର ଜ୍ବଳନ୍ତ ଉଦାହରଣ। ଏହି ଦଳର ଜଣେ ପ୍ରାର୍ଥୀଙ୍କୁ ମଧ୍ୟ ଚିକିଟିରେ ଶାସକ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ରାତିରେ ଖୋର୍ଦ୍ଧା ବିଜେପିର ଜଣେ ଆଗଧାନିର ନେତା ମଙ୍ଗୁଳି ଜେନାଙ୍କୁ ନବୀନବାଗଠାରେ ହତ୍ୟା କରାଯାଇଛି। ଏହା ଶାସକ ଦଳର ଗୁଣ୍ଡାମାନଙ୍କର କାମ ବୋଲି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ବିଜେଡିର ଗୁଣ୍ଡା ବାହିନୀ ବାଲଟ୍‌ ଯୁଦ୍ଧରେ ପରାଜୟ ଆଶଙ୍କା କରି ବୁଲେଟ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଛନ୍ତି। ରାଜଧାନୀ ଭୁବନେଶ୍ବରର ଅତି ନିକଟରେ ଥିବା ଖୋର୍ଦ୍ଧା ସହରରେ ଯଦି ପ୍ରତିପକ୍ଷ ନେତାମାନଙ୍କୁ ଏପରି ହତ୍ୟା କରାଯାଉଥାଏ ତେବେ ରାଜ୍ୟର ଅନ୍ୟ ଅଞ୍ଚଳରେ ପରିସ୍ଥିତି କିଭଳି ଥିବ ବୋଲି ପ୍ରଶ୍ନ ଉଠିଛି। ଗତ ପଂଚାୟତିରାଜ ନିର୍ବାଚନରେ ରାଜ୍ୟ ସାରା ଏହିପରି ଭାବେ ୧୭ଟି ରାଜନୀତିକ ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା ବୋଲି ପ୍ରଧାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି ହତାଶାର ହିଂସାତ୍ମକ ପରିପ୍ରକାଶ। କେବଳ ଖୋର୍ଦ୍ଧାରେ ନୁହେଁ, ଇତିମଧ୍ୟରେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ବିଜେଡିର ଗୁଣ୍ଡାରାଜ ବିଷୟରେ ଅନେକ ଅଭିଯୋଗ ଗଦା ହେଲାଣି। ଗଞ୍ଜାମ ଚିକିଟିରେ ବିଜେପି ପ୍ରାର୍ଥୀ ମନୋଜ ଦ୍ୟାନସାମନ୍ତରାୟଙ୍କ ଉପରେ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ତାଙ୍କ ଭଣଜାଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଛି। ଚିକିଟିର ପ୍ରାୟ ୨୦ ଉପରେ ବୁଥ୍‌ରେ ବିଜେଡି ଗୁଣ୍ଡାମାନେ ରିଗିଂ କରିଛନ୍ତି। ବିଜେପି ଏଜେଣ୍ଟମାନଙ୍କୁ ଧମକଚମକ ଦେଇ ସେମାନେ ଭୋଟକେନ୍ଦ୍ରରେ ପୂରାଇ ଦେଇନାହାନ୍ତି। ସେହିପରି କୋରାପୁଟରେ ମଧ୍ୟ ପ୍ରତିପକ୍ଷ ଏଜେଣ୍ଟଙ୍କୁ ଘରେ ବନ୍ଦୀ କରି ରଖିବାର ଅଭିଯୋଗ ହୋଇଛି। ଏହା ବିରୋଧରେ ଉଭୟ ବିଜେପି ଓ କଂଗ୍ରେସ ଦଳ ତରଫରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ସେହିପରି ବଲାଙ୍ଗୀରରେ ରାଜନୀତିକ ହିଂସାକାଣ୍ଡ ଯୋଗୁଁ ଏପ୍ରିଲ ୧୪ ତାରିଖରେ ପୁଲିସକୁ ଫ୍ଲାଗ୍‌ ମାର୍ଚ୍ଚ କରିବାକୁ ପଡ଼ିଛି। ସେଠାରେ ବିଜେଡି ଗୁଣ୍ଡାମାନେ ପ୍ରତିପକ୍ଷ କର୍ମୀଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରିଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଏହାର ପ୍ରତିବାଦ କରିଛନ୍ତି। ମୁହଁ ବଂଚାଇବାକୁ ବିଜେଡି ତରଫରୁ ମଧ୍ୟ ଏହା ବିରୋଧରେ ଏକ ଶୋଭାଯାତ୍ରା ବାହାର କରାଯାଇଛି। ତେବେ ପରାଜୟ ଆଶଙ୍କାରେ ଥିବା ବିଜେଡି କର୍ମୀମାନେ କେଉଁ ମୁହୂର୍ତ୍ତରେ କ’ଣ କରିଦେବାର ଆଶଙ୍କା ଥିବାରୁ ପୁଲିସକୁ ଫ୍ଲାଗ ମାର୍ଚ୍ଚ କରିବାକୁ ପଡ଼ିଛି। ସହରରେ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହୋଇଛି। ଏହିଭଳି ହିଂସାକାଣ୍ଡର ସୂଚନା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଆସିବାରେ ଲାଗିଛି। ରାଜନୀତିକ ସମୀକ୍ଷକଙ୍କ ମତ ଅନୁଯାୟୀ ତୃଣମୂଳ ସ୍ତରରେ ଶାସକ ବିଜୁ ଜନତା ଦଳ ବିରୋଧରେ ଏବେ ସତ୍ତା ବିରୋଧୀ ହାୱା ବହୁଛି। ଏହି ହାୱାରେ ନବୀନ ପଟ୍ଟନାୟକଙ୍କ ସରକାର ପରାସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ଭୋଟ୍‌ହାରରୁ ଏହି ସଂକେତ ମିଳିଛି। ବିଜେଡି ନେତା ଓ କର୍ମୀମାନେ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଭୋଟରଙ୍କୁ ମନୋଭାବ ଠଉରେଇ ସାରିଲେଣି। ରାଜଧାନୀ ଉପକଣ୍ଠରୁ ଚାଷୀମାନଙ୍କୁ ମାଡ଼ମାରି ଫେରାଇ ଦେବା ପରେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିନା ବଜେଟରେ ଘୋଷଣା କରାଯାଇଥିବା କାଳିଆ ଯୋଜନା ଯୋଗୁଁ ଚାଷୀ ବର୍ଗ ଅସନ୍ତୁଷ୍ଟ ବୋଲି ବିଜେଡି ନେତାମାନେ ଚେତି ସାରିଲେଣି। ତେଣୁ ନେତାଙ୍କଠାରୁ ବିଜୟର ବଇନା ନେଇଥିବା ବିଜେଡି କର୍ମୀମାନେ ପରାଜୟ ଆଶଙ୍କାରେ ଏବେ ହତାଶ ହେବାକୁ ଆରମ୍ଭ କରିଛନ୍ତି। କାହାକୁ ଆକ୍ରମଣ କରିବା, କାହାକୁ ହତ୍ୟା କରିବା, ରାଜନୀତିକ ପ୍ରତିପକ୍ଷଙ୍କୁ ଭୋଟକେନ୍ଦ୍ରରେ ପୂରେଇ ନଦେବା, ଇଭିଏମ ମେସିନରେ ଭୋଟ ରିଗିଂ କରିବା ଆଦି ଏହି ମନୋଭାବର ପରିଚାୟକ ବୋଲି ପର୍ଯ୍ୟବେକ୍ଷକମାନେ ଅନୁଶୀଳନ କରୁଛନ୍ତି। ନିର୍ବାଚନ ସମୟରେ ହିଂସାକାଣ୍ଡ ସୃଷ୍ଟି କରିବାକୁ ବିଜେଡି ଗୁଣ୍ଡା ବାହିନୀକୁ ସୁହାଉଛି ଗାଁରେ ଗାଁରେ ମଦ ପ୍ରସାରଣ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର। ଏପ୍ରିଲ ୧୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ଏକ ବେଇଆଇନ ବନ୍ଧୁକ ତିଆରି କାରଖାନା ଧରାପଡ଼ିଛି। ତାହା ପୁଣି ଏକ ସରକାରୀ କ୍ବାର୍ଟରେ ଚାଲିଥିଲା। ଯଦି ରାଜଧାନୀରେ ଏପରି ବେଆଇନ ଅସ୍ତ୍ର କାରବାର ଚାଲିପାରୁଛି ତେବେ ରାଜ୍ୟର ଅନ୍ୟ ଅଞ୍ଚଳ ପରିସ୍ଥିତି ଅନୁମେୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳନାଧୀନ ପୁଲିସ ବିଭାଗ ଦୁଇ ଦଶନ୍ଧି ମଧ୍ୟରେ ଦଳୀୟ ଗୁଣ୍ଡାବାହିନୀ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଥିବାରୁ ସେମାନେ ଏବେ ରକ୍ତମୁଖା ସାଜି ପ୍ରତିପକ୍ଷ ରାଜନେତାଙ୍କ ଉପରେ ଆକ୍ରମଣ କରିବାକୁ ସାହସ ପାଉଛନ୍ତି ବୋଲି ଅଭିଯୋଗ ହେଉଛି।

Share :