ଅସହିଷ୍ଣୁତାରେ ଆକ୍ରାନ୍ତ ପ୍ରସ୍ତାବିତ ଓଡିଆ ବିଶ୍ବବିଦ୍ୟାଳୟ

ଅସହିଷ୍ଣୁତାରେ ଆକ୍ରାନ୍ତ ପ୍ରସ୍ତାବିତ ଓଡିଆ ବିଶ୍ବବିଦ୍ୟାଳୟ

Share :

ଡକ୍ଟର ସୁବ୍ରତ କୁମାର ପୃଷ୍ଟି ରାଜ୍ୟ ସରକାରଙ୍କ ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଗ୍ରହ ଓଡିଆ ଜାତି ପାଇଁ ଏକ ଶୁଭ ଲକ୍ଷଣ | ଏହି ବିଶ୍ବବିଦ୍ୟାଳୟକୁ ପୂର୍ବରୁ ବହୁ ଓଡିଆ ବିରୋଧ କରୁଥିଲେ, ମାତ୍ର ସେମାନେ ଏବେ ଓଡିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ବୁଝିପାରି ଦୃଢ ସମର୍ଥନ କରୁଛନ୍ତି | ଅଥଚ ଆଶ୍ଚର୍ଯ୍ୟର କଥା ଯେଉଁମାନେ ଦୀର୍ଘ ଦଶନ୍ଧି ଧରି ଏହାକୁ ସମର୍ଥନ କରି ଓଜସ୍ବିନୀ ଭାଷଣ ଦେଉଥିଲେ, ସେମାନେ ଏବେ ଏହାକୁ ବିରୋଧ କଲେଣି | ଓଡିଆତ୍ବକୁ ଦୀର୍ଘ ୫୦ ବର୍ଷ ଧରି ହତ୍ୟାକରି ଏବେ ଏହାର କର୍ଣ୍ଣଧାର ସାଜିବାକୁ ପ୍ରୟାସ କରୁଥିବା ଜଣେ ସାଂସଦ ତଥା ତାଙ୍କ ପ୍ରରୋଚନାରେ କିଛି ଓଡିଆ ଅଧ୍ୟାପକଙ୍କ ଖୋଲାଖୋଲି ବିରୋଧାତ୍ମକ ମନ୍ତବ୍ୟ ସରକାରୀ କଳର ନକରାତ୍ମକତାକୁ ବେଶ ସୁହାଇଛି | ବିଶେଷକରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଗବେଷଣା ଓ ଉନ୍ନୟନ କେନ୍ଦ୍ରଠାରେ ଓଡିଆ ବିଶ୍ବବିଦ୍ୟାଳୟ ସମ୍ପର୍କୀତ ବିଚାରବିମର୍ଶ କର୍ମଶାଳା ମାଧ୍ୟମରେ ଏହାର ରୂପରେଖ ବିଷୟକ ଆଲୋଚନାରେ ସଂପୃକ୍ତ ସାଂସଦଙ୍କ ବିରୋଧୀ ଭୂମିକା ସହିତ ଦୈନିକ ସମାଜ ପୃଷ୍ଠାରେ ଜଣେ ପ୍ରଫେସରଙ୍କ ‘ଓଡିଆ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ‘ ଆଲେଖ୍ୟ ଏହାର ଦୃଷ୍ଟାନ୍ତ ମାତ୍ର | ତେବେ ଏ ବିରୋଧାଭାସ ଯେ ନିଜର ଅଜ୍ଞତା ଓ ଅସୂୟାଭିତ୍ତିକ, ତାହା ସେମାନଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଅନୁମେୟ | ଏ ପ୍ରସଙ୍ଗରେ ସମ୍ମାନନୀୟ ପ୍ରଫେସର ଏବଂ ସରକାରଙ୍କଦ୍ବାରା ୧୯୫୪ ଭାଷା ଆଇନ କାର୍ଯ୍ୟକାରିତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଓଡିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ବେସରକାରୀ ସଦସ୍ୟ ଥିବା ସଂପୃକ୍ତ ସାଂସଦଙ୍କ ବକ୍ତବ୍ୟ ଆଲୋଚନା ସାପେକ୍ଷ | ପ୍ରଫେସରଙ୍କ ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ପ୍ରମୁଖ ୨ଟି ହେଲା ‘୧- ସରକାର ଓଡିଆ ଭାଷା ପାଇଁ କିଛି କରୁନାହାନ୍ତି, ୨- ଓଡିଆ ପଢାଇବା ପାଇଁ ଉପଯୁକ୍ତ ଶିକ୍ଷକ/ ଅଧ୍ୟାପକ ନାହାନ୍ତି | ୬୦ ବର୍ଷ ଧରି ସମସ୍ତ ସରକାରଙ୍କ ଦ୍ବାରା ଓଡିଆ ଭାଷା ଅବହେଳିତ ହୋଇଛି | ବିଶିଷ୍ଟ ସାହିତ୍ୟିକ ଏବଂ ରାଜନୀତିଜ୍ଞ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ ‘ଏହା କାହିଁକି କାର୍ଯ୍ୟକାରୀ ହେଲା ନାହିଁ ବା ହୋଇପାରିଲା ନାହିଁ, ତାର କାରଣ ନିର୍ଣ୍ଣୟ କରିବା କଠିନ ନୁହେଁ | ଆଜି ଯେପରି ଓଡିଶା ସଚିବାଳୟର କେନ୍ଦ୍ରଭୂମିରେ କେତେକ ଅନୁର୍ବର ଅଞ୍ଚଳ ରହିଅଛି, ଓଡିଶା ପ୍ରଦେଶର ଗଠନ ଦିନୁ ଏଯାବତ ପ୍ରାୟ ତାହା ହିଁ ହୋଇଅଛି | ଏହି ଅନୁର୍ବରତାରେ କିନ୍ତୁ ଓଡିଆ ଭାଷାର ଦୁର୍ବାଙ୍କୁର ଉଧେଇବାର ନୁହେଁ | ଏହା ବ୍ୟତୀତ ଯେଉଁ କେତେକ ପଣ୍ଡିତମନ୍ୟ ଓଡିଶାର ବେବର୍ତ୍ତା ଓ ପରିଚ୍ଛା ପଣରେ ରହିଛନ୍ତି, ସେମାନେ ଏକ ହୀନମନ୍ୟତାରେ ମଧ୍ୟ ଓଡିଆକୁ ପ୍ରଶାସନିକ ଭାଷା କରାଇ ଦେଉନାହାନ୍ତି |‘ ୧୯୬୬ ମସିହାରେ ଲିଖିତ ଏହି କଥନକୁ ପ୍ରଫେସର କେତେଥର ପଢିଥିବେ ବା ନିଜ ପଢା ସମୟରେ ଉତ୍ତରପିଢ଼ିକୁ ସୂଚାଇଥିବେ, ତାହା ଭିନ୍ନ କଥା, ମାତ୍ର ସଚିବାଳୟର ଭୂମି ଏବେ ସୁଦ୍ଧା ଅନୁର୍ବର ରହିଛି ବୋଲି ସେ ଅନୁଭବ କରୁଥିବାରୁ ଓଡିଆ ଭାଷା ସୁରକ୍ଷା ପାଇଁ ପରିଣତ ସମୟରେ ବାହାରିଛନ୍ତି | ଭଲକଥା, ମାତ୍ର  ଏହାର କାରଣ ଯେ ସେ ଏବଂ ତାଙ୍କ ଭଳି ଶିକ୍ଷାବିତମାନଙ୍କ ଦ୍ବାରା ପ୍ରସ୍ତୁତ ଓ ପ୍ରଦତ୍ତ ଦାୟିତ୍ବହୀନ ଶିକ୍ଷା ବ୍ୟବସ୍ଥା ଯୋଗୁଁ ହୋଇଛି, ତାହା ସ୍ବୀକାର କରି ଏହାର ନିରାକରଣ ବିଷୟରେ ମତ ଦେଇଥିଲେ ଭଲ ହୋଇଥାନ୍ତା | ସୁରେନ୍ଦ୍ରବାବୁଙ୍କ କଥନିକାର ବେବର୍ତ୍ତା ଓ ପରିଚ୍ଛା ସାଜି ନିଜର ଅଜ୍ଞାନତା ଘୋଡାଇବାକୁ ଯାଇ ପିଲାଙ୍କ ଜ୍ଞାନ ପରଖିବା ସୁଯୋଗରେ ବିଭିନ୍ନ ଶ୍ରେଣୀ ପରୀକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିଭଳି ମାର୍କ କଟାଯାଇ ଓଡିଆ ବିଷୟ ପ୍ରତି ନିରୁତ୍ସାହିତ କରାଯାଇଛି, ତାହା ସମସ୍ତେ ଜାଣନ୍ତି | ଏପରିକି ଅଧ୍ୟାପକ ବା ଯେକୌଣସି ଶିକ୍ଷକ ପଦବୀରେ ନିଜ ମୂଢ ସମର୍ଥକଙ୍କୁ ନିଯୁକ୍ତି କରିବାପାଇଁ ଏମାନେ କିପ୍ରକାର କଳ, ବଳ, କୌଶଳ ଖଂଜିଥାନ୍ତି, ତାହା ମଧ୍ୟ ଓଡିଶାବାସୀଙ୍କୁ ଅଜଣା ନୁହେଁ | ତେଣୁ ଏମଏ ପାଠ୍ୟକ୍ରମ ପଢ଼ାଇବା ପାଇଁ ଉପଯୁକ୍ତ ଶିକ୍ଷକ ନାହାନ୍ତି କହି କାନ୍ଦିବାର କୌଣସି ଅର୍ଥ ନାହିଁ | କହିଲେ ଭୁଲ ହେବ ନାହିଁ ଯେ, ଶିକ୍ଷା, ପ୍ରଶାସନ, ନ୍ୟାୟ ବ୍ୟବସ୍ଥାରେ ଏମାନଙ୍କଦ୍ବାରା ଶିକ୍ଷାପ୍ରାପ୍ତ କଳଙ୍କିତ ଭସ୍ମାସୁର ଏ ଜାତିକୁ ଓ ଏ ଜାତିର ଭାଷାକୁ ହତ୍ୟା କରିବା ପାଇଁ ଏବେ ସବୁ ପ୍ରକାରର ଉଦ୍ୟମ କରୁଛନ୍ତି | ତେଣୁ ନିଜ ପାପକୁ ଘୋଡାଇବାକୁ ଯାଇ ଧର୍ମବକ ସାଜିଲେ ଯେ ଏମାନଙ୍କୁ ସାଧାରଣ ଓଡିଆ ସହଜରେ ବିଶ୍ବାସ କରିନେବେ, ତାହା ଭାବିବା ଭ୍ରମାତ୍ମକ | ସେହିଭଳି ଓଡିଆ ବିଶ୍ବବିଦ୍ୟାଳୟ ସ୍ଥାପନା ଓଡିଆ ଶିକ୍ଷା ବ୍ୟବସ୍ଥାପାଇଁ ଏକ ଜରୁରୀ ଆବଶ୍ୟକତା | ଏହି ଆବଶ୍ୟକତା କଣ, ତାହା ଜାଣି ନ ଥିବା ଲୋକେ ଏହାକୁ ବିରୋଧ କରିବାରେ ଲାଗିଛନ୍ତି | ସ୍ବୟଂସମ୍ପୂର୍ଣ୍ଣ ଓଡିଆ ବିଶ୍ବବିଦ୍ୟାଳୟ ଗବେଷଣା ଓ ଭାଷାଭିତ୍ତିକ ହେବାର ଅର୍ଥ ଓଡିଆକୁ ଜ୍ଞାନବିଜ୍ଞାନ ଓ ରୋଜଗାରର ଭାଷା ଭାବରେ ପ୍ରତିଷ୍ଠିତ କରାଇବା | ଏହା ଓଡିଆ ଭାଷା ଓ ସାହିତ୍ୟର ନୂତନ ଶିକ୍ଷା ଦିଗନ୍ତ ଉନ୍ମୋଚନ କରିବା ସହିତ ଆଜିପର୍ଯ୍ୟନ୍ତ‘ ବାଣିଜ୍ୟ, ବିଜ୍ଞାନ, ଯାନ୍ତ୍ରିକବିଦ୍ୟା, ଚିକିତ୍ସା, ପ୍ରଯୁକ୍ତିବିଦ୍ୟା ଆଦି ଆଧୁନିକ ଶିକ୍ଷା ବ୍ୟବସ୍ଥାର ସମସ୍ତ ବିଭବ ଓଡିଆରେ ପଢାଯିବ | ଜ୍ଞାନ ନିଜ ଭାଷାରେ ପାଇବା ପରେ ନିଯୁକ୍ତି ପାଇଁ ଯୋଗାଯୋଗର ଭାଷା ଭାବରେ ୧୦ଟି ଅନ୍ତର୍ଜାତିକ ଓ ୧୦ଟି ଭାରତୀୟ ଭାଷା ମଧ୍ୟରୁ ୨ଟି ଭାଷାରେ ଏମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ଅର୍ଥାତ ଭାରତ ପାଇଁ ଆବଶ୍ୟକ ଥିବା ବିଦେଶୀ ଭାଷା ଯଥା ଆରବିକ, ଋଷ, ଜର୍ମାନ, ମାଣ୍ଡାରିନ ଆଦି ଭାଷା ଶିଖିଲେ ସେହିସବୁ ଦେଶରେ ବ୍ୟାପକ ନିଯୁକ୍ତିର ସୁଯୋଗ ଥିବାରୁ ଆମ ଓଡିଆ ପିଲାଙ୍କ ନିଯୁକ୍ତି ପଥ ଆହୁରି ସରଳ ଓ ସୁଗମ ହେବ, ଯାହା ଫଳରେ ସ୍ବଦେଶ ଓ ବିଦେଶ ସହିତ ନିଜ ଜନ୍ମଭୂମିରେ ନିଯୁକ୍ତି ପାଇଁ କୌଣସି ଅସୁବିଧା ହେବ ନାହିଁ | ଓଡିଶାରେ ଉଚ୍ଚଶିକ୍ଷା ପାଇଁ ପ୍ରାୟ ୩୦ଟି ସରକାରୀ, ବେସରକାରୀ ବିଶ୍ବବିଦ୍ୟାଳୟ ତଥା ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ରହିଛି |ଏହି ସବୁ ବିଶ୍ବବିଦ୍ୟାଳୟର ଶିକ୍ଷାମାଧ୍ୟମ ହେଉଛି ଇଂରାଜୀ | ଏହା ମାତ୍ର ୧୩% ବିଦ୍ୟାର୍ଥୀଙ୍କୁ ଉଚ୍ଚଶିକ୍ଷା ଦେଇପାରୁଛି | ଏହି ୧୩%ରୁ ୪୦ ଭାଗ ଓଡିଶା ବାହାର ପିଲା | ଯେଉଁ କେତେକ ଓଡିଆ ପିଲା ସଫଳ ହେଉଛନ୍ତି, ସେମାନଙ୍କ ସଂଖ୍ୟା ମାତ୍ର ୧% ଅର୍ଥାତ ରାଜ୍ୟର ୯୯ ଭାଗ ପିଲା ଉଚ୍ଚଶିକ୍ଷା ଓ ଭଲ ନିଯୁକ୍ତିରୁ ବଞ୍ଚିତ ହେବାର ମୂଳ କାରଣ ହେଉଛି ବିଦେଶୀ ଭାଷାର ବୋଝ | ଏହି ବୋଝରୁ ମୁକ୍ତ କରି ଓଡିଶା ପାଇଁ କେବଳ ଉଚ୍ଚ ଶିକ୍ଷିତ ଓଡିଆ ପିଲା ପ୍ରସ୍ତୁତ କରିବା ହେବ ଓଡିଆ ବିଶ୍ବବିଦ୍ୟାଳୟର ମୂଳଲକ୍ଷ୍ୟ | ଏହି ଅନୁଷ୍ଠାନରେ ଉଚ୍ଚଶିକ୍ଷାରୁ ବଞ୍ଚିତ ପ୍ରାୟ ୯୯ ଭାଗ ପିଲାମାନଙ୍କ ମଧ୍ୟରୁ  କିଛି ଏଠାରେ ପଢିବେ | ଏମାନଙ୍କ ମଧ୍ୟରୁ ଇଂରାଜୀରେ ଦକ୍ଷ ନ ହୋଇ ବୃତ୍ତିରେ ଦକ୍ଷ ହୋଇ ୧୦୦ ଜଣ ଡାକ୍ତର ବା ଇଂଜିନିୟର ଯଦି ଓଡିଶାରେ ନିଯୁକ୍ତି ପାଇବେ, ତଦ୍ବାରା ଶିକ୍ଷା କିମ୍ବା ବୃତ୍ତିରେ କୌଣସି ଆଞ୍ଚ ଆସିବ ନାହିଁ. ବରଂ ବୃତ୍ତିରେ ସ୍ବଚ୍ଛତା ଆସିବା ଫଳରେ ସାଧାରଣ ଲୋକେ ଏହାର ସୁଫଳ ପାଇବେ | ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ରେଳବାଇ, ପ୍ରାଶାସନିକ ସେବା, କେନ୍ଦ୍ରୀୟ କର୍ମଚାରୀ ନିଯୁକ୍ତି ସେବା ଭଳି ସମସ୍ତ ନିଯୁକ୍ତିଭିତ୍ତିକ ପ୍ରତିଯୋଗିତାମୂଳକ ପରୀକ୍ଷା, ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା, ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ଆଦି ପ୍ରାଦେଶିକ ଭାଷାରେ ହେଉଥିବାରୁ ଓଡିଆ ଭାଷାରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନ ଥିବା ଫଳରେ ବହୁ ମେଧାବୀ ପିଲା ଓଡିଆରେ ଏହି ସବୁ ପରୀକ୍ଷା ଦେଇପାରୁ ନାହାନ୍ତି | ଅଥଚ ଅନ୍ୟ ରାଜ୍ୟର ପିଲାମାନେ ଇଂରାଜୀ ସହିତ ନିଜ ଭାଷାରେ ପରୀକ୍ଷା ଦେଇ ଦୁଇ ପ୍ରକାରର ସଫଳତା ପାଇପାରୁଛନ୍ତି | ଏହାର ଏକମାତ୍ର କାରଣ ହେଉଛି ସେହି ସବୁ ରାଜ୍ୟର ଉଚ୍ଚଶିକ୍ଷା ଓ ଗବେଷଣା ନିଜ ଭାଷାରେ କରିବା ପାଇଁ ପ୍ରତିଷ୍ଠା ହୋଇଥିବା ସ୍ବତନ୍ତ୍ର ଭାଷାଭିତ୍ତିକ ବିଶ୍ବବିଦ୍ୟାଳୟ | ୧୯୬୨ରେ ସ୍ଥାପିତ ପଂଜାବୀ ବିଶ୍ବବିଦ୍ୟାଳୟ କଳା, ବିଜ୍ଞାନ, ବାଣିଜ୍ୟ, ଚିକିତ୍ସା, ପ୍ରଯୁକ୍ତି ବିଦ୍ୟା, ଯାନ୍ତ୍ରିକବିଦ୍ୟା ଆଦି ୬୫ଟି ବିଭାଗ ସ୍ଥାପନ କରି କେବଳ ପଂଜାବୀ ଭାଷାରେ ଶିକ୍ଷାଦାନ କରୁଛି | ଏହି ବିଶ୍ବବିଦ୍ୟାଳୟର ମୂଳ ପରିସରରେ ୯୦୦୦ ବିଦ୍ୟାର୍ଥୀଓ ୫୦୦ ଶିକ୍ଷକ ଥିବାବେଳେ ୫ଟି ଆଞ୍ଚଳିକ କେନ୍ଦ୍ର, ୬ଟି ପଡୋଶୀ କ୍ୟାମ୍ପସ, ୧୬୬ଟି ଅନୁବନ୍ଧିତ କଲେଜ ରହିଛି | ଆଜି ସମସ୍ତେ ସ୍ବୀକାର କରିବେ ଯେ ଭାରତରୁ ସବୁଠାରୁ ଅଧିକ ଲୋକ ବିଦେଶ ଯାଇଥାନ୍ତି | ପଂଜାବ ପ୍ରଦେଶରୁ କାହିଁ ସେଠାରେ ପଂଜାବୀ ଭାଷାରେ ଉଚ୍ଚଶିକ୍ଷା ପ୍ରଦାନ ବ୍ୟବସ୍ଥା ତ କୌଣସି ବାଧା ସୃଷ୍ଟି କରିପାରି ନାହିଁ! ସେହିପରି ତାମିଲ, ତେଲୁଗୁ, କନ୍ନଡ, ଗୁଜୁରାଟି, ବଙ୍ଗାଳୀ, ମରାଠୀ, ମାଲାୟାଲମ, ଏପରିକି ହିନ୍ଦୀ ଭାଷାରେ ସ୍ବତନ୍ତ୍ର ଭାଷାଭିତ୍ତିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ସେହିସବୁ ରାଜ୍ୟର ଭାଷା, ସଂସ୍କୃତି, ସାହିତ୍ଯ, ଇତିହାସ ଉପରେ ବ୍ୟାପକ ଗବେଷଣା କରାଯିବା ସହିତ ଯୁଗୋପଯୋଗୀ ବିଷୟ ନିଜ ଭାଷାରେ ଶିକ୍ଷା ପ୍ରଦାନ କରାଯାଇ ଇଂରାଜୀ ପ୍ରତିସ୍ପର୍ଦ୍ଧାରେ ଅନ୍ତର୍ଜାତିକ ଭାଷା ଭାବରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି | ଓଡିଆ ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ଭାବରେ ଶାସ୍ତ୍ରୀୟମାନ୍ୟତା ପାଇବା ପରେ ଆମ ବୁଦ୍ଧିଜୀବୀ, ଶିକ୍ଷାବିତ, ଆଗଧାଡିର ରାଜନେତା ଗଣ ଓଡିଆଭାଷାକୁ ଜ୍ଞାନର ଭାଷା କରିବା ପାଇଁ ଉଦ୍ୟମ କରିବା ବଦଳରେ ଓଡ଼ିଆ ଭାଷାର ସ୍ଥିତି ନିମ୍ନ, ନିମ୍ନ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ କିପରି ଅଛି ତାହା ଉଚ୍ଚସ୍ତରୀୟ କମିଟି ଦ୍ବାରା ବିଚାର ଓ ପ୍ରତିକାର କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ଅତି ପିଲାଳିଆମି | ଏହି ସମସ୍ୟା ଆମେ ସମସ୍ତେ ଜାଣିଛନ୍ତି ତଥା ସ୍ବୟଂ ପ୍ରଫେସର ମଧ୍ୟ ବର୍ତ୍ତମାନର ସରକାର ଓଡିଆ ବିରୋଧୀ ବୋଲି ବାରମ୍ବାର କହିଛନ୍ତି | ବିଶେଷକରି ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଓଡିଆକୁ ଭାଗଭାଗ କରିବାପାଇଁ କୋଶଳୀ-ସମ୍ବଲପୁରୀ, ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦର ଭାଷା ଭାବରେ ସ୍ବୀକୃତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖିବା, ଓଡିଆ ବିଶ୍ବବିଦ୍ୟାଳୟ ଦାବି ସମୟରେ ଜାଭିଅର ବିଶ୍ବବିଦ୍ୟାଳୟ ଅଗ୍ରାଧିକାର ଭିତ୍ତିରେ ପ୍ରତିଷ୍ଠା କରିବା ଏବଂ ଉର୍ଦ୍ଦୁଭାଷାରେ ଆବଶ୍ୟକ ସ୍ନାତକ ପିଲା ନ ଥିବା ସତ୍ତ୍ବେ ଓଡିଶାର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ ଉର୍ଦ୍ଦୁ ବିଭାଗ ଖୋଲିବା ସହିତ ସ୍ବତନ୍ତ୍ର ଉର୍ଦ୍ଦୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା, ପିଲା ହେଉ ନାହାନ୍ତି କହି ଓଡିଆ ମାଧ୍ୟମର ୧୫ ହଜାର ସ୍କୁଲ ବନ୍ଦ କରିବା ସହ ବିଭିନ୍ନ କାରଣ ଦର୍ଶାଇ ଅସ୍ଥାୟୀ ଶିକ୍ଷକ ଛଟେଇ କରିବା ତଥା ଏହାର ପ୍ରତିସ୍ପର୍ଦ୍ଧାରେ ଇଂରାଜୀ ମାଧ୍ୟମ ସ୍କୁଲକୁ ଉତ୍ସାହିତ କରିବାକୁ ଯାଇ ମଡେଲ ସ୍କୁଲ ନାମରେ ପ୍ରତି ବ୍ଲକରେ ସରକାରୀ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିବା, ୫୦ ହଜାର ପିଲାଙ୍କୁ ବେସରକାରୀ ଇଂରାଜୀ ସ୍କୁଲରେ ପଢାଇବା ପାଇଁ ସଂପୃକ୍ତ ସ୍କୁଲକୁ ପିଲାପିଛା ୨୫ ହଜାର ଟଙ୍କା ପ୍ରଦାନ କରିବା ଭଳି ଓଡିଆ ମାରଣ କାର୍ଯ୍ୟ କରୁଥିବାବେଳେ ଏହା ବିରୋଧରେ ସଂପୃକ୍ତ ସାଂସଦ ଓ ପ୍ରଫେସର ମହୋଦୟ ପାଟି ନ ଫିଟାଇ ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ବିରୋଧ କରିବା  ସେମାନଙ୍କ ଓଡିଆ ଅସ୍ମିତା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି | ପୁଣି ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ କେବଳ କିଛି ଘୋଷଣା ନୁହେଁ, ଭାଷା ପ୍ରଶିକ୍ଷିତ କର୍ମଚାରୀର ଆବଶ୍ୟକତା ରହିଛି |  ଏହି କର୍ମଚାରୀ ଓଡିଆରେ ଉଚ୍ଚଶିକ୍ଷାପ୍ରାପ୍ତ ହୋଇଥିଲେ ଏମାନଙ୍କୁ ଓଡିଆରେ କାମ କରିବା ପାଇଁ କୌଣସି ଅଭିଧାନ, ବିଦ୍ବାନ ବା ଉପର ଅଧିକାରୀଙ୍କ ନିର୍ଦ୍ଦେଶ ଦରକାର ପଡିବ ନାହିଁ | ତେଣୁ ଏହିସବୁ ଓଡିଆ କର୍ମଚାରୀ ସୃଷ୍ଟି ତଥା ଶାସ୍ତ୍ରୀୟ ମାନ୍ୟତା ପରେ ଓଡିଆ ଭାଷାରେ ସମସ୍ତ ପ୍ରକାରର ଗବେଷଣା କାର୍ଯ୍ୟ ପାଇଁ ଆବଶ୍ୟକ ଥିବା ଭାଷାଭିତ୍ତିକ ବିଶ୍ବବିଦ୍ୟାଳୟର ଅଭାବ ପୂରଣ କରିବ ପ୍ରସ୍ତାବିତ ଗବେଷଣା ଭିତ୍ତିକ ଓଡିଆ ବିଶ୍ବବିଦ୍ୟାଳୟ | ଘୋଡାକୁ ପାଣି ପିଆଇବା ଭାରି କଷ୍ଟ | ଓଡିଆ ଭାଷା ସଂଗ୍ରାମ ସମିତି ଆଜି ଘୋଡା ରୂପକ ରାଜ୍ୟ ସରକାରଙ୍କୁ ଓଡିଆରେ ସରକାରୀ କାମ କରାଇବା ସହିତ, ଶିକ୍ଷା, ଶାସନ, ଆଇନ, ଚିକିତ୍ସା, ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଆ ଭାଷାର ବହୁଳ ବ୍ୟବହାର କିପରି କରାଯିବ, ସେ ବିଷୟରେ ଆବଶ୍ୟକ ପଦକ୍ଷେପ ଅତି ସତର୍କତାର ସହିତ ନେଉଥିବାବେଳେ ଓଡିଶାର ବୁଦ୍ଧିଜୀବୀ, ଶିକ୍ଷାବିତ ଏହାକୁ ସମର୍ଥନ କରିବା ପରିବର୍ତ୍ତେ ବିନା କାରଣରେ ପ୍ରତିବନ୍ଧକ ସୃଷ୍ଟି କରି ସରକାର ଓ ସରକାରୀ ଅଧିକାରୀଙ୍କ ପାଇଁ ଗୋଳିଆ ପାଣି ସୃଷ୍ଟି କରିବା ସେମାନଙ୍କ ଭାଷା ଅସହିଷ୍ଣୁତା ବ୍ୟତୀତ ଆଉ କିଛି ହୋଇ ନ ପାରେ |

Share :