ମହିଳାଙ୍କ ଦୁଃଖ ନବୀନ, ନବୀନଙ୍କ ଚିହ୍ନ ଶଙ୍ଖ!

ମହିଳାଙ୍କ ଦୁଃଖ ନବୀନ, ନବୀନଙ୍କ ଚିହ୍ନ ଶଙ୍ଖ!

Share :

ସ୍ବତନ୍ତ୍ର ପ୍ରତିନିଧି ୨୦୧୬ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ପ୍ରିୟପାତ୍ର ବିଜେଡି ନେତା ତଥା ଭୁବନେଶ୍ବର ମେୟର ଦୁଇଟି କାରଣରୁ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲେ। ସେହି ମାସରେ ୟୁଟୁବର ଏକ ସେକ୍ସ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେଥିରେ ମେୟର ଅନନ୍ତ ନାରାୟଣ ଜେନା ଓ ଅନ୍ୟ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସହିତ ଅନ୍ତରଙ୍ଗ ଖେଳ କରୁଥିଲେ। ସେହି ମହିଳା ଜଣକ କାଳେ ଚିତ୍ରରେ ଥିବା ଅନ୍ୟ ପୁରୁଷ ଜଣଙ୍କର ପତ୍ନୀ। ଏହି ଭିଡ଼ିଓ ଭାଇରାଲ ହେବା ପରେ ଗଣମାଧ୍ୟମରେ ନାନା କଥା ପ୍ରକାଶ ପାଇଥିଲା। ସେହି ଭିଡ଼ିଓ ପାଇଁ କୁଆଡ଼େ ଋଷି ନାମକ ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା। ମାତ୍ର, ପରେ ସେହି ହତ୍ୟାକାଣ୍ଡକୁ ଆତ୍ମହତ୍ୟା ରୂପ ଦିଆଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ମଧ୍ୟ ମେୟର ଅନନ୍ତ ନାରାୟଣ ଜେନାଙ୍କର ହାତ ଥିଲା ବୋଲି ସେତେବଳେ ଚର୍ଚ୍ଚା ହୋଇଥିଲା। ଚର୍ଚ୍ଚା ଅନୁସାରେ ଭିଡ଼ିଓରେ ରହିଥିବା ମହିଳାଙ୍କ ଝିଅଙ୍କ ସହିତ ନିହତ ଋଷିର ପ୍ରେମ ସଂପର୍କ ଥିଲା। କିନ୍ତୁ ଏହି ସଂପର୍କକୁ ଝିଅଙ୍କ ପରିବାର ବିରୋଧ କରୁଥିଲେ। ପରେ ମହିଳାଙ୍କ ଏହି ଭିଡ଼ିଓ ଭାଇରାଲ ହେବା ପରେ ସଂପୃକ୍ତ ଛାତ୍ର ଋଷିଙ୍କୁ ସନ୍ଦେହଜନକ ଅବସ୍ଥାରେ ମୃତ ଠାବ କରାଯାଇଥିଲା। ପୁଲିସ କହିଲା ଯେ ସେ ଅତ୍ୟଧିକ ନିଶାଦ୍ରବ୍ୟ ଖାଇ ଆତ୍ମହତ୍ୟା କରିଛି। ଏଭଳି ଭିଡ଼ିଓ ଓ ହତ୍ୟାକାଣ୍ଡ ପାଇଁ ସେତେବେଳେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭାବମୂର୍ତ୍ତି ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା। ସମସ୍ତେ ବିଶ୍ବାସ କରୁଥିଲେ ଯେ ନବୀନବାବୁ ସ୍ବଚ୍ଛତାରେ ବିଶ୍ବାସ କରୁଥିବାରୁ ମେୟରଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବେ ଓ ଏଭଳି ଘଣଟାର ନିରପେକ୍ଷ ତଦନ୍ତ କରାଇବେ। ମାତ୍ର ତାହା ହୋଇନଥିଲା। ନବୀନ ପଟ୍ଟନାୟକ ଓ ଅନନ୍ତ ନାରାୟଣ ଜେନା ଏହି ସେକ୍ସ ଭିଡ଼ିଓ ଓ ଋଷି ହତ୍ୟାକାଣ୍ଡ ମାମଲାରେ ଗୋଟିଏ ପଟରେ ରହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ରାଜ୍ୟର ଗୃହ ମନ୍ତ୍ରୀ। ପୁଲିସ ପ୍ରଶାସନ ତାଙ୍କ ହାତରେ। ପୁଲିସ ସବୁ ଘଟଣା ଚପାଇଦେଲା। ମେୟର ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସୁରକ୍ଷା କବଚରେ ରହିଲେ। ଏବେ ସେହି ଅନନ୍ତ ନାରାୟଣ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ କରିଛନ୍ତି। ମହିଳା ସଶକ୍ତିକରଣ, ମା’କୁ ସମ୍ମାନ ଓ ସ୍ବଚ୍ଛତାର ଏହା ଏକ ଅପୂର୍ବ ନିଦର୍ଶନ ନିଶ୍ଚୟ! ୨୦୧୧ ନଭେମ୍ବର ୨୮ ତାରିଖର ପିପିଲି ଅନ୍ତର୍ଗତ ଅର୍ଜୁନଗୋଦା ଗାଁର ଜଣେ ଝିଅକୁ ବିଜୁ ଜନତା ଦଳର ୪ ଜଣ ସମର୍ଥକ ଯୁବକ ଗଣଧର୍ଷଣ କଲେ। ଏଥିରେ ଝିଅଟି ଭୀଷଣ ଭାବେ ଆହତ ଓ ଅସୁସ୍ଥ ହେଲା। ବିଜେଡି ଗୁଣ୍ଡାମାନେ ଝିଅର ପରିବାରକୁ ଧମକଚମକ ଦିଆଗଲା। ପୁଲିସ ସବୁ ଜାଣି ବି ନୀରବ ରହିଲା। ଶେଷରେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ୨୦୧୨ ଜାନୁଆରୀ ୯ ତାରିଖରେ ସ୍ଥାନୀୟ ପୁଲିସ ଏତଲା ଦରଜ କରି ତଦନ୍ତ ଆରମ୍ଭ କଲା। ଅଭିଯୁକ୍ତମାନେ ସ୍ଥାନୀୟ ବିଜେଡି ନେତା ତଥା ତତ୍କାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସୁରକ୍ଷାରେ ଅନେକ ଦିନ ଯାଏଁ ଆତ୍ମଗୋପନ କରିଥିଲେ। ଶେଷରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେବା ପରେ ସେମାନେ ଧରାପଡ଼ିଲେ। ହେଲେ, ଦୀର୍ଘ ୭ ମାସ କାଳ ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରି ହାରିଗଲା ଝିଅଟି। ଜୁନ ମାସରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହେଲା। ସେହି ଘଟଣା ବେବିନା ଗଣଧର୍ଷଣ ଓ ହତ୍ୟା ମାମଲା ଭାବରେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହି ଘଟଣା ନେଇ ପ୍ରବଳ ଜନମତ ସୃଷ୍ଟି ହେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ପରେ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ କହିଥିଲେ। ସେ ତାହା କରିଥିଲେ। କିନ୍ତୁ ଘଟଣା ନେଇ ଚର୍ଚ୍ଚା ଥମିଯିବା ପରେ ପୁଣି ଥରେ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ କରିଥିଲେ ନବୀନ ପଟ୍ଟନାୟକ। ବେବିନା ଗଣଧର୍ଷଣ ଓ ହତ୍ୟା ଘଟଣାର ୭ ବର୍ଷ ପରେ ଉପଯୁକ୍ତ ପ୍ରମାଣ ଅଭାବରୁ ଅଦାଲତ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ। ଅଦାଲତଙ୍କ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରୀ ପ୍ରଦୀପ ମହାରଥୀ ଖୁସି ପ୍ରକାଶ କରି କହିଲେ ଯେ ଅଭିଯୁକ୍ତମାନଙ୍କୁ ନ୍ୟାୟ ମିଳିଲା, ବେବିନାକୁ ମଧ୍ୟ ନ୍ୟାୟ ମିଳିଲା! ତାଙ୍କର ଏହି ବୟାନ ମଧ୍ୟ ରାଜ୍ୟ ରାଜନୀତିରେ ବିବାଦ ଓ ବିତର୍କର କାରଣ ହେଲା। ଜନମତ ସଂଗଠିତ ହେବାରୁ ନବୀନ ପଟ୍ଟନାୟକଙ୍କ ସ୍ବାର୍ଥ ପାଇଁ ମହାରଥୀ ନିଜ ମନ୍ତ୍ରୀପଦର ବଳିଦାନ ଦେଲେ। ଏବେ ସେହି ପ୍ରଦୀପ ମହାରଥୀଙ୍କୁ ବିଜୁ ଜନତା ଦଳର ପିପିଲି ପ୍ରାର୍ଥୀ କରିଛନ୍ତି ନବୀନବାବୁ। ଏହା ମଧ୍ୟ ତାଙ୍କର ମହିଳାଙ୍କୁ ସମ୍ମାନ, ମହିଳା ସଶକ୍ତିକରଣ ଓ ସ୍ବଚ୍ଛ ଶାସନର ଅନ୍ୟ ଏକ ଉଜ୍ଜ୍ବଳ ନିଦର୍ଶନ! ୨୦୧୭ ଫେବୃଆରୀ ମାସରେ ଜଣେ ମହିଳାଙ୍କୁ ପ୍ରତାରିତ କରିଥିବା କାରଣରୁ ବିଜେଡିର ତାଳଚେର ବିଧାୟକ ବ୍ରଜ ପ୍ରଧାନ ରାଜ୍ୟ ସାରା ଆଲୋଚନାର ବିଷୟ ହେଲେ। ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୧୪ ମସିହାରେ ତାଙ୍କ ମୋବାଇଲ୍‌ରୁ ଏକ ରଂଗ୍‌ ନମ୍ବରକୁ କଲ୍‌ ହୋଇଗଲା। ସେ କ୍ଷମା ମାଗି ଫୋନ୍‌ କାଟିଦେଲେ। କିନ୍ତୁ ପରେ ସେହି ନମ୍ବରରୁ ତାଙ୍କ ନିକଟକୁ ଫୋନ୍‌ ଆସିଲା ଓ ସେହି ଲୋକ ନିଜକୁ ତାଳଚେର ବିଧାୟକ ଭାବେ ପରିଚୟ ଦେଲେ। ଏହା ପରେ ବିଭିନ୍ନ ସମୟରେ ସେହି ବିଧାୟକ ସଂପୃକ୍ତ ମହିଳାଙ୍କ ସହିତ କଥା ହେଉଥିଲେ। ସୁଯୋଗ ଦେଖି ସେ ତାଙ୍କ ସହିତ ଦୈହିକ ସଂପର୍କ ରଖିଲେ ଓ ବିବାହ ମଧ୍ୟ କଲେ। ମାତ୍ର, କେଇ ବର୍ଷ ଧରି ତାଙ୍କୁ ଉପଭୋଗ କରିବା ପରେ ବିଧାୟକ ବ୍ରଜ ପ୍ରଧାନ ସଂପୃକ୍ତ ମହିଳାଙ୍କଠାରୁ ଦୂରେଇ ଗଲେ। ଉଭୟଙ୍କ ସଂପର୍କ ନେଇ ଏକ ହ୍ବାଟ୍ସଅପ୍‌ ବାର୍ତ୍ତାଳାପ ମଧ୍ୟ ସେ ସମୟରେ ଭାଇରାଲ ହୋଇଥିଲା। ଏନେଇ ଏକ ପୋଷ୍ଟର ବି ତାଳଚେର ସହର ସାରା ଛାଇ ହୋଇଯାଇଥିଲା। ତାହା ବିରୋଧରେ ବିଧାୟକ ଏତଲା ଦାଏର କରିଥିଲେ। ପରେ ସେହି ମହିଳା ଏହି ଅଭିଯୋଗ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖାଦେଇ ନାହାନ୍ତି କି ତାଙ୍କ ଅଭିଯୋଗ ଉପରେ ବିଚାର କରିନାହାନ୍ତି। ପୁଲିସ ପ୍ରଥମେ ତାଙ୍କ ଏତଲା ଗ୍ରହଣ କରିନାହିଁ। ସେଥିପାଇଁ ସେ ଅଦାଲତର ଆଶ୍ରୟ ମଧ୍ୟ ନେଇଛନ୍ତି। ଶେଷରେ ମହିଳା ଥାନା ତାଙ୍କ ଏତଲା ଦରଜ କରିଥିଲେ ବି ଶାସକ ଦଳ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏତେ ପରେ ମଧ୍ୟ ବିଜେଡି ବିଧାୟକ ସଂପୃକ୍ତ ମହିଳାଙ୍କୁ ନିଜର ପତ୍ଦୀ ଭାବେ ସ୍ବୀକାର କରିନାହାନ୍ତି। ବରଂ ସେ ଓ ବିଜେଡି ସମର୍ଥକମାନେ ମିଶି ମହିଳାଙ୍କର ଚରିତ୍ର ସଂହାର କରିଛନ୍ତି। ଏହି ବିବାଦ ପରେ ଆଶା କରାଯାଉଥିଲା ମହିଳା ସଶକ୍ତିକରଣ କଥା ପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବ୍ରଜ ପ୍ରଧାନଙ୍କୁ ଟିକଟ ଦେବେ ନାହିଁ। କିନ୍ତୁ ତାହା ହୋଇନାହିଁ। ନିଜେ ନବୀନ ପଟ୍ଟନାୟକ ପୁଣି ଥରେ ବ୍ରଜ ପ୍ରଧାନଙ୍କୁ ତାଳଚେର ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ କରିଛନ୍ତି। ନବୀନ ପଟ୍ଟନାୟକ ସରକାରରେ ଏହିଭଳି ଅନେକ ଘଟଣା ଘଟିଛି ଯାହା ତାଙ୍କର ମା’କୁ ସମ୍ମାନ ଓ ମହିଳା ସଶକ୍ତିକରଣ ସ୍ଲୋଗାନ ମିଥ୍ୟା ଓ ପ୍ରତାରଣ ବ୍ୟତିତ କିଛି ନୁହେଁ ବୋଲି ପ୍ରମାଣିତ କରିଛି। କେବଳ ଏଇ ତିନିଟି ମାମଲା ନୁହେଁ, ଶିକ୍ଷୟତ୍ରୀ ଇତିଶ୍ରୀ ଓ କୁନ୍ଦୁଲିର ଝିଅ ମଧ୍ୟ ଏ ସରକାରଠାରୁ ନ୍ୟାୟ ନପାଇ ମୃତ୍ୟୁବରଣ କରିଛନ୍ତି। ଇତିଶ୍ରୀଙ୍କୁ ଜୀଅନ୍ତା ଜଳାଇ ଦିଆଯାଇଛି, କୁନ୍ଦୁଲି ଝିଅ ସରକାରୀ ଲୋକଙ୍କ ଅପମାନ ସହ୍ୟ କରି ନପାରି ଆତ୍ମହତ୍ୟା କରିଛି। ଏଭଳି ଅନେକ ଘଟଣା ନବୀନ ପଟ୍ଟନାୟକ ଏବଂ ତାଙ୍କ ସରକାରକୁ ମହିଳା ବିରୋଧୀ ସାବ୍ୟସ୍ତ କରିବା ପରେ ନିର୍ବାଚନରେ ତାହା ଦଳ ବିରୋଧରେ ଯିବାର ଆଶଙ୍କା କରି ବିଜେଡି ସଭାପତି ୨୦ ବର୍ଷ ଶାସନରେ ରହିଲା ପରେ ନିର୍ବାଚନର ଅଳ୍ପ କେଇଦିନ ପୂର୍ବରୁ ମହିଳା ସଂରକ୍ଷଣ କଥା ଉଠାଇ ଅଶିକ୍ଷିତ, ଅଳ୍ପଶିକ୍ଷିତ ମହିଳାମାନଙ୍କୁ ଭଣ୍ଡଇବାକୁ ଚେଷ୍ଟା କରିଛନ୍ତି। ୨୦୧୦ ମସିହାରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ଗୃହୀତ ନହେବାରୁ ତାହା ଆଇନରେ ପରିଣତ ହୋଇନାହିଁ। ମହିଳା ସଂରକ୍ଷଣ ନେଇ କେବଳ ସଂସଦରେ ହିଁ ଆଇନ ପ୍ରଣୀତ ହୋଇପାରିବ। ବିଜେଡି ଏମପିମାନେ ସଂସଦରେ ଏ ବିଷୟ ନଉଠାଇ ରାଜ୍ୟରେ ଏହାକୁ ପ୍ରସଙ୍ଗ କରିବା ଅର୍ଥହୀନ, ଯଦିଓ ଉଦ୍ଦେଶ୍ୟପୂର୍ଣ୍ଣ। ଏହି ନିହିତ ରାଜନୀତିକ ଉଦ୍ଦେଶ୍ୟ ନେଇ ନବୀନ ପଟ୍ଟନାୟକ ରାଜ୍ୟର ୨୧ ଲୋକସଭା ଆସନରୁ ୭ ଆସନରେ ମହିଳା ପ୍ରାର୍ଥୀ ଲଢ଼ାଇଛନ୍ତି। ପୁଣି ସେମାନଙ୍କ ମଧ୍ୟରେ ଅର୍ଦ୍ଧାଧିକ ହେଲେ ଶିକ୍ଷା ଓ ସଚେତନତାରେ ଅତ୍ୟନ୍ତ ଦୁର୍ବଳ, ଯେଉଁମାନେ ଜିତିଲେ ବି ଲୋକସଭାରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିପାରିବେ ନାହିଁ। ଏପରିକି ମହିଳା ସଶକ୍ତିକରଣ ନେଇ ମଧ୍ୟ ସେମାନେ ଲୋକସଭାରେ ଆଲୋଚନା କରିବା ସନ୍ଦେହଜନକ। କାରଣ ବିଜେଡିର ପୂର୍ବ ମହିଳା ସାଂସଦମାନେ ଲୋକସଭା ବିତର୍କରେ ଭାଗ ନେଇ ନିଜ ଅଜ୍ଞାନତାର ପ୍ରମାଣ ଦେଇଛନ୍ତି। ନବୀନବାବୁ ଏଥର ନିର୍ବାଚନରେ ସୁଶ୍ରୀ ଶ୍ରୀମୟୀ ମିଶ୍ର, ସୁଲୋଚନା ଦାସ, ସୁଲତା ଦେଓ, ସିପ୍ରା ମଲ୍ଲିକ, କସ୍ତୁରୀ ମହାପାତ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସଂଯୁକ୍ତା ମହାନ୍ତି, ସୁନନ୍ଦା ଶତପଥୀଙ୍କ ପରି ଉଚ୍ଚ ଶିକ୍ଷିତ ଓ ବିଭିନ୍ନ ବିଷୟରେ ଜ୍ଞାନ ଅର୍ଜନ କରିଥିବା ମହିଳାମାନଙ୍କୁ ଦଳୀୟ ପ୍ରାର୍ଥୀ କରି ମହିଳା ସଶକ୍ତିକରଣ ପ୍ରତି ସମ୍ମାନ ପ୍ରଦର୍ଶନ କରିନାହାନ୍ତି। ଅପରନ୍ତୁ, ଯେଉଁ ମହିଳାମାନେ କିଛି ଜାଣି ନାହାନ୍ତି ବା ଖୁବ ଅଳ୍ପ ଜାଣିଛନ୍ତି, ଯେଉଁମାନଙ୍କର ନେତୃତ୍ବ ନେବାର ଦକ୍ଷତା ନାହିଁ, ଯେଉଁମାନେ ବାବୁ ଓ ନେତାଙ୍କର ବଚସ୍କର ହୋଇରହିବେ କେବଳ ସେଇମାନଙ୍କୁ ବାଛିବାଛି ଦଳୀୟ ପ୍ରାର୍ଥୀ କରିଛନ୍ତି। ସେମାନଙ୍କ ମଧ୍ୟରେ ଚାକିରି ମନୋଭାବାପନ୍ନ ଦାସଭାବ ସଂପନ୍ନ ମହିଳାଙ୍କ ସଂଖ୍ୟା ଅଧିକ।

Share :