ଖବରର କବର ଖୋଳନା, ସାମ୍ବାଦିକ!

ଖବରର କବର ଖୋଳନା, ସାମ୍ବାଦିକ!

Share :

ମାୟାଧର ନାୟକ ନିର୍ବାଚନ ମଇଦାନରେ ଟିକେଟ ବୁଭୁକ୍ଷୁ ଦଳୀୟ ପ୍ରାର୍ଥୀମାନଙ୍କର ଫମ୍ପା ପ୍ରତିଶ୍ରୃତିକୁ ଜଣେ ସଚ୍ଚା ସାମ୍ୱାଦିକ କେବେହେଲେ ଜାତି ଉଦ୍ଦେଶ୍ୟରେ ଉଦବୋଧନ ବୋଲି ତା’ କଲମ ଦ୍ୱାରା ମିଥ୍ୟାପାଠର ପରମ୍ପରା ସୃଷ୍ଟି ନକରୁ। ଆମେ ଖବରକାଗଜର ପ୍ରଥମପୃଷ୍ଠାକୁ ପ୍ରଦୂଷିତ କରିଚାଲୁଥିବା ରାଜନୈତିକ ଆସ୍ଫାଳନଗୁଡିକୁ ଆଜିର ଆହ୍ୱାନ ରୂପେ - କେତେଦିନ ଢୋଲ ପିଟି ଚାଲୁଥିବା? ଆଜିର ରାଜନୀତି ଏକପ୍ରକାର ମୂଲ୍ୟବୋଧହୀନ ଆଖଡାବାଜି କହିଲେ କିଛି ଭୁଲ ହେବନାହିଁ। ଅଥଚ ଏହି ଆଖଡାବାଜିର ନାନା ମୁଦ୍ରାଗୁଡିକୁ ରଙ୍ଗରୂପଦେଇ ପୁଟଚଢାଇ ବ୍ରେକିଂନ୍ୟୁଜ୍ ବା ଆଜିର ଖାସ୍‌ ଖବର ବୋଲି କହିବାକୁ ସାମ୍ୱାଦିକର କଲମ କୁଣ୍ଠିତ ହେଉନାହିଁ। ସେ ନିଜେ ବିଚାରୁ ନାହିଁ ଯେ ଏହି ଜନସ୍ୱାର୍ଥର ଜହ୍ଲାଦମାନଙ୍କୁ ସମାଜର ନାୟକ ଭାବରେ ଚିତ୍ରଣ କରି ସେ କେବଳ ସାମ୍ୱାଦିକତାର ସମ୍ୱିଧାନ ପ୍ରତି ପ୍ରତ୍ୟେକ ମୁହୂର୍ତ୍ତରେ ଚରମ ଅବମାନନା ପ୍ରଦର୍ଶନ ପୂର୍ବକ ଛୁରିକାଘାତ କରିଚାଲିଛି। ଜଣେ ଅସଲ ସାମ୍ୱାଦିକ କିନ୍ତୁ କେବେ କାହାର ବୋଲକରା ନୁହେଁ। ଯେଉଁଦିନ ସେ ଅବୋଲକରା ହେବାର ପଣ ନେବ ସେଇଦିନ ହିଁ ଆମେ ସାମ୍ପ୍ରତିକ ପରିସ୍ଥିତିର ଅସଲପାଠ ଶୁଣିପାରିବା। ସବୁ ସାମ୍ୱାଦିକ ଭାଇଭଉଣୀ ଅବୋଲକରା ହେବା ଉଚିତ୍, ହେବା ଉଚିତ୍ ମଧ୍ୟ ଜଣେ ଜଣେ ଆତ୍ମନିର୍ବାଚିତ ଜନପ୍ରତିନିଧି। ବର୍ତ୍ତମାନ ସମୟରେ କ୍ଷମତା ଆଉ ଅର୍ଥ ହାସଲ ପାଇଁ ନୀତିନୈତିକତାହୀନ ଟଣାଟଣି, ଭିଡାଭିଡି, ଡିଆଁଡିଇଁ ରାଜନୀତିର ନୟାନ୍ତ ଘୋଡ଼ାଦୌଡ଼ ଗୁଡ଼ିକ କେବେହେଲେ ଖବର ନୁହେଁ। ଖବରର ଖଣି ହେଉଛି - ଦୀପ ତଳର ଅନ୍ଧାର ଭିତରେ ହଜି ଯାଉଥିବା ଏ ଦେଶ ଓ ପ୍ରଦେଶର ହଜାର ହଜାର ଗାଁ, ଲକ୍ଷ ଲକ୍ଷ ଅପନ୍ତରା ଆଉ କୋଟି କୋଟି ଆଶାହତ ମଣିଷର ଦୀର୍ଘନିଶ୍ୱାସ। ଆମକୁ ଭାଷଣ ଶୁଭୁଛି, କାନରେ ପଡୁଛି ଶାସନର ଇସ୍ତାହାର, ଗଦାଗଦା ଫମ୍ପା ପ୍ରତିଶ୍ରୃତି - ଅଥଚ ଏ ସବୁ ବୁକୁଫଟା ବେଦନାଭରା ଦୀର୍ଘନିଃଶ୍ୱାସର ଚାପାସ୍ୱର ଶୁଭିପାରୁ ନାହିଁ। କେଉଁଦିନ ଆମ ସାମ୍ୱାଦିକତା ଏଇସବୁ ଚାପା ନିଃଶ୍ୱାସର ସ୍ୱର ଶୁଣି ସାରା ସମାଜକୁ ଶୁଣେଇବାକୁ ଆଗଭର ହେବ? ଏହା ହେଉଛି ସବୁଠାରୁ ବଡ ବିଡମ୍ୱନା ଯେ ଯେଉଁମାନଙ୍କ ଦ୍ୱାରା ଖଡ଼ା ଶିଝିବ ନାହିଁ ସେମାନେ ଆଜି ମଂଚମଣ୍ଡପରେ ଖାଡ଼ାହୋଇ ଯାହାସବୁ ଲମ୍ୱାଲମ୍ୱା ବିବୃତି ଶୁଣାଇ ଅକାଳ କୁହୁଡ଼ି ସୃଷ୍ଟି କରିଚାଲିଛନ୍ତି - ସେ ବିବୃତିକୁ ବିଜ୍ଞପ୍ତ କରିବା ହିଁ ଆଜି ହୋଇପଡିଛି ସାମ୍ୱାଦିକର ସାଧାରଣ ବୃତ୍ତି। ବହୁ ସାମ୍ୱାଦିକ ସମ୍ମିଳନୀ ଦେଶ-ପ୍ରଦେଶର ବିଭିନ୍ନ ରାଜଧାନୀ ଓ ବିଭିନ୍ନ ସହରରେ ଆୟୋଜିତ ହୁଏ। ସେଠି ବହୁସମସ୍ୟା, ବହୁସ୍ୱର, ବହୁଶଦ୍ଦ ପ୍ରତିଧ୍ୱନିତ ହୁଏ। ଏପରିକି ଶ୍ରମିକ, କୃଷକ, ଶିକ୍ଷକ ଓ ଦାପ୍ତରିକ ନାନା ହରତାଳଠାରୁ ଆରମ୍ଭକରି ପଟୁଆରର ନାରାବାଜିରେ ଦୁଲୁକି ଉଠିଥାଏ ରାଜଧାନୀ ଗୁଡ଼ାକର ରାଜରାସ୍ତା। ମୋର ଗୋଟିଏ ପ୍ରଶ୍ନ, ଆମ ନମ୍ୱରି ଖବରକାଗଜ ଗୁଡ଼ାକର ସମ୍ୱାଦଦାତାଏ କେବେହେଲେ ଏ ରାଜଧାନୀରୁ ଯାଇ ରାଜ୍ୟର କୌଣସି ଅଜଣାଅଶୁଣା ଗାଁରେ ଖବରଟିଏ ପାଇବା ପାଇଁ ଖୋଲତାଡ଼ କରନ୍ତି କି? ସାମ୍ପ୍ରତିକ ପରିସ୍ଥିତି ଏକ ପ୍ରଶ୍ନକଂଟକିତ ଉତ୍କଟ ପରିସ୍ଥିତି। ଯୁଆଡ଼େ ଚାହିଁଲେ ସିଆଡ଼େ କେବଳ ଧୁ ଧୁ ମରୀଚିକା।ଯେଉଁଠି ଠିଆହୋଇ ଟେକାଟିଏ ପକାଇଲେ ଯାହା ମୁଣ୍ଡରେ ବାଜିବ ସେମାନଙ୍କ ଭିତରୁ ୯୯ ଜଣ କ୍ଷମତା, ଅର୍ଥ, ସ୍ୱାର୍ଥ ମୋହରେ ପାଗଳ। ସମସ୍ତେ ମରୀଚିକା ପଛରେ ନୟାନ୍ତ ହୋଇ ଧାଇଁଛନ୍ତି। ଅଥଚ ଆମ ସାମ୍ୱାଦିକତାର ବିଧାନ କି ସମ୍ୱିଧାନରେ ସେଇ ମରୀଚିକାକୁ ସ୍ୱୀକାର କରି ସତ୍ୟପ୍ରକାଶ ପାଇଁ ଉଦ୍ୟମ ବା ଉଦଯୋଗ ନାହିଁ। ଦିନେ ଉତ୍କଳମଣି ଗୋପବନ୍ଧୁଙ୍କର ଗୋଟିଏ ଶିରୋନାମା ‘ସତ୍ୟ ହୋଇଥିଲେ ସାଂଘାତିକ’ ସେଦିନର ବ୍ରିଟିଶ ଭାରତୀୟ ବ୍ୟବସ୍ଥାକୁ ମଧ୍ୟ ଦୋହଲାଇ ଦେଇଥିଲା। ଆଜି ବହୁ ସାଂଘାତିକ ସତ୍ୟ ଆମ ନାକଆଗରେ ନିଜର ଅହଂପ୍ରମତ୍ତ ଅସ୍ତିତ୍ୱ ପ୍ରଦର୍ଶନ କରି ଚାଲିଥିଲେ ହେଁ ଆମ ସାମ୍ୱାଦିକମାନଙ୍କ ଭିତରେ କେଉଁଠି ହେଲେ ଗୋଟାଏ ଗୋପବନ୍ଧୁକୁ ଟର୍ଚ୍ଚ ଜଳାଇ ସୁଦ୍ଧା ଆମେ ଖୋଜିପାଉ ନାହଁୁ। ଦୁଃଖ ଓ କ୍ଷୋଭର ବିଷୟ ଯେ ସାମ୍ୱାଦିକର ବିଚକ୍ଷଣତା ସାମ୍ପ୍ରତିକ ପରିସ୍ଥିତିରେ ପାଲଟି ଯାଇଛି ଖୁଚୁରା ରାଜନୈତିକ କାର୍ପଟଦାରମାନଙ୍କର ବଚସ୍କରତା। ଆଉ ଗୋଟାଏ ସାଂଘାତିକ ସତ୍ୟ - ଆମ ଅର୍ଥନୀତିର ଆର ଦୃଶ୍ୟ। ବର୍ତ୍ତମାନ ଆପଣମାନେ ଲକ୍ଷ୍ୟ କରୁଥିବେ ଜନସମାଜରେ ମୁଷ୍ଟିମେୟ ଧନାର୍ଢ୍ୟ ଗୋଷ୍ଠୀ ନିଜର ମୁରବୀଗିରି ଜବରଦସ୍ତ ଜାହିର କରିବାରେ ବ୍ୟସ୍ତ। ଏବେ ଆମ ଅର୍ଥନୀତିର ଅନ୍ଧକାରରେ ଜୁଳୁଜୁଳିଆ ପୋକପରି ଉଡ଼ି ବୁଲିଲେଣି କିଛି ଏନ୍‌ଆର୍‌ଇ ବା ପ୍ରବାସୀ ଭାରତୀୟ ଅଧିବାସୀ। ଏମାନେ ଏ ଦେଶର ଆଦିବାସୀ - ଅଧିବାସୀ କି ଅନ୍ତେବାସୀ ନହେଇ ସୁଦ୍ଧା ସେପାରି ଆକାଶରୁ ଉଡ଼ା ଚଢ଼େଇ ପରି ଏପାରିରେ ପହଂଚିଯାଇ ବେଶ୍ କିଛିଟା କିଚିରିମିଚିରି ଶୁଣାଇଚାଲନ୍ତି। ଆମ ଏଠାକାର ଖବରକାଗଜ ଏଇସବୁ ଛିଣ୍ଡାଅଛିଣ୍ଡା କିଚିରିମିଚିରି ଗୁଡାକୁ କଳକଣ୍ଠସ୍ୱର ଶୁଣିଲା ପରି ପିଇ ଚାଲନ୍ତି। ଏଇସବୁ ଆଜିର ପ୍ରବାସୀ ଭାରତୀୟଙ୍କୁ କେବେହେଲେ କୌଣସି ସାମ୍ୱାଦିକ ସେମାନଙ୍କ ଦେଶପ୍ରେମକୁ ନେଇ ପ୍ରଶ୍ନ ଉଠାଇବାର ପରିସ୍ଥିତି ସୃଷ୍ଟି କରିଛନ୍ତି କି? ବରଂ ଦେଶପ୍ରେମ ନୁହେଁ ଦୌଲତପ୍ରେମ ହିଁ ଏମାନଙ୍କୁ ଭାରତୀୟରୁ ପ୍ରବାସୀ ହେବାକୁ ପ୍ରବୃତ କରିଛି। ଏବେ ଏମାନେ ନିଜ ନିଜର ସଂଚିତପୁଞ୍ଜି ବା ପକେଟ୍‌ପୁରା ହାତପାଣ୍ଠିରୁ କେଇମୁଠା ଖର୍ଚ୍ଚ କରି ଏ ଦେଶର ବିଭିନ୍ନ ଅର୍ଥନୈତିକ କାରବାରର ଅଂଶୀଦାର ହୋଇପାରିଛନ୍ତି। ଓଡିଶା ସମେତ ଅନ୍ୟ ରାଜ୍ୟରେ କେଉଁଠି ଜମି, ଜଙ୍ଗଲ, ଜଳ, ଖଣି, ପାହାଡ଼ପର୍ବତ, ସମୁଦ୍ର ଅଛି, ସେ ସବୁକୁ ଅକ୍ତିଆର କରିବାପାଇଁ ଆମ ମହାମାନ୍ୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ‘ଲଲିପପ୍’ ଦେଖାଇ କିମିଆଁ କରି ହାତେଇ ନେଉଛନ୍ତି। ପ୍ରତିଶ୍ରୃତିର ଲମ୍ୱାଲମ୍ୱା ଫର୍ଦ୍ଦ ବାଂଟି ଖବରକାଗଜ ଓ ଟେଲିଭିଜନ୍ରେ ଚଳଚ୍ଚିତ୍ର ଓ କ୍ରୀଡ଼ାବିତ୍ ତାରକାମାନଙ୍କୁ ବିଜ୍ଞପ୍ତି ମାଧ୍ୟମ କରାଇ ସମସ୍ତଙ୍କୁ ବିଭ୍ରାନ୍ତ କରୁଛନ୍ତି। ସବୁ ହାତେଇଲା ପରେ ପ୍ରତିଶ୍ରୃତି ପ୍ରତାରଣାରେ ପରିଣତ ହେଉଛି। ଆମ ସମ୍ପଦ ଦେଶୀବିଦେଶୀ ଶିଳ୍ପପତିଙ୍କୁ ଟେକିଦେଇ ଆମେ କ୍ଷୁଧା, ରୋଗ, ଶୋକ, ଅଭାବ, ଅନଟନ, ଶୋଷଣ, କଷଣ, ଅନ୍ୟାୟ, ଅତ୍ୟାଚାର ସହ୍ୟକରି ମୁଣ୍ଡରେ ହାତମାରି କାନ୍ଦୁଛେ। ଏବେ ଦେଶର ବଡ଼ ବଡ଼ ମହାନଗରୀଠୁ ଆରମ୍ଭକରି ବିଭିନ୍ନ ପ୍ରଦେଶର ରାଜଧାନୀରେ ଗୁଡ଼ିଏ ହସପିଟାଲ ଆଉ ବିରାଟବିରାଟ ନସିଂହୋମର ମାୟାଜାଲ ବିସ୍ତାରିତ ହୋଇପାରିଛି। ରୋଗ ଚିକିତ୍ସା ଆଳରେ ମୋଟା ଅଙ୍କର ଟଙ୍କାରେ ଏକପ୍ରକାର ବିଭୀଷିକାମୟ ବ୍ୟବସାୟ ଏ ସବୁ ମାୟାଜାଲ ଦ୍ୱାରା ନିତିଦିନ ନିୟନ୍ତ୍ରିତ ହେଉଛି। ମଣିଷର ଜୀବନକୁ ନେଇ ଖେଳ ଚାଲିଛି। କିନ୍ତୁ ଏ ଖେଳ ଶେଷ ହେବାପାଇଁ କୌଣସି ସାମ୍ୱାଦିକ ରେଫରୀର ହ୍ୱିସିଲଟିଏ ମଧ୍ୟ ମାରିବାକୁ ରାଜି ନୁହେଁ। ନେତା ବୋଲାଉଥିବା ତଥାକଥିତ ରାଜନୈତିକ ବେପାରୀମାନେ ବି ଏଇ ଅଘଟଣକୁ ଆଖିରେ ଦେଖି ଅଦେଖା ଆଉ କାନରେ ପୁରାଇ ଅଶୁଣା। ପାଟି ଫିଟାଇ କିଛି ଶଦ୍ଦ ଏ ସଂପର୍କରେ କହିବାକୁ ଏବଯାଏ ଏମାନେ ପ୍ରସ୍ତୁତ ହୋଇନାହାଁନ୍ତି, ଯେଉଁମାନେ କି ଜଣେ ଜଣେ ବଡବଡ ବିବୃତିବୀର। ତା’ହେଲେ ଖବର କେଉଁଠୁ ମିଳିବ? କିଏ କହିବ? ଏ କଥା ଆଜିର ସାମ୍ୱାଦିକମାନେ ଟିକେ ବିଚାର କରିବେ କି? ଆଉ ଗୋଟିଏ ଦିଗ - ଆହୁରି କୁହୁଡିଆ। ଏଠି ମନ୍ଦିରରେ ପୁଜାପାଠ ହୁଏ, ମସଜିଦ୍‌ରେ ଆଜାନର ଆବାଜ୍‌ ଉଠେ, ଚର୍ଚ୍ଚରେ ଦୀପ ଜଳାଇ ପ୍ରଭୁଙ୍କ ଯୀଶୁଙ୍କ ନାମରେ ନୀରବତା ପାଳନ କରାଯାଏ। କିନ୍ତୁ କେଉଁଠି ତ ମଣିଷ ପାଇଁ କୌଣସି ପ୍ରାର୍ଥନାର ସ୍ୱର ଆରମ୍ଭ ହୁଏନି। ସାମ୍ୱାଦିକର କ’ଣ ମଣିଷ ପାଇଁ ଏ ପ୍ରାର୍ଥନାର ସ୍ୱରକୁ ଲକ୍ଷକୋଟି କଣ୍ଠରେ ପ୍ରତିଧ୍ୱନିତ କରାଇବାର କର୍ତ୍ତବ୍ୟକୁ ବରାବର ମନେରଖିବାର କଥା ନୁହେଁ? ସାଧାରଣ ଜ୍ଞାନରେ ଖବର ବା ନ୍ୟୁଜ୍ କହିଲେ - ଆମେ ଚାରି ଦିଗର ହାଲଚାଲକୁ ବୁଝୁ। ନ୍ୟୁଜ୍ ଏ ଶଦ୍ଦଟି ଭିତରେ ନର୍ଥକୁ ପ୍ରଥମ ଅକ୍ଷର ଏନ୍., ଇଷ୍ଟରୁ ପ୍ରଥମ ଅକ୍ଷର ଇ, େୱଷ୍ଟରୁ ପ୍ରଥମ ଅକ୍ଷର ଡବ୍ଲ୍ୟୁ, ଓ ସାଉଥରୁ ପ୍ରଥମ ଅକ୍ଷର ଏସ୍‌ ମିଶାଇ ନ୍ୟୁଜ୍। ଅଥଚ ଆଜିର ଏ ନ୍ୟୁଜ ବା ଖବର ହେଉଛି ମିଶାଣ ନୁହେଁ ବରଂ ଗୋଟାଏ ଫେଡାଣ। ବ୍ୟଜ୍ଞାତ୍ମକ ଭାବରେ କହିବାକୁ ପଡୁଛି ଯେ ବର୍ତ୍ତମାନ ଏ ଚାରି ଦିଗରେ ଘୋଟିଯାଇଥିବା ଘନକୁହୁଡି ହିଁ ଆଜିର ଖବରକୁ ଗୋଟାଏ କବରରେ ପରିଣତ କରିଛି। ଖବରକାଗଜଗୁଡାକରେ ଆମେମାନେ ପ୍ରତିଦିନ ସକାଳୁ ଏଇ ଖବରର କବର ପରିଦର୍ଶନ କରିଥାଉଁ ହିଁ କେବଳ। ସକାଳୁ ସକାଳୁ ଆମ ଚା’ରେ ଚିନି ପଡିଥାଉ କି ନପଡିଥାଉ, କିନ୍ତୁ ଏ ଖବର ଗୁଡାକରେ ନିଶ୍ଚିତ ଭାବରେ ମିଛର ମସଲାଗୁଡିକ ଫେଂଟା ହୋଇଥିବ। ଯିଏ ଯେତେ ମିଛର ମସଲା ମିଶାଇ ଏ ସବୁ ଖବରର ସ୍ୱାଦକୁ ସ୍ୱାଦିଷ୍ଟ କରିଦେଇପାରିଲା ସେ ଏ ଦେଶରେ ନାମୀ ସାମ୍ୱାଦିକ ବୋଲାଇଲା। ପ୍ରତ୍ୟେକ ସଚ୍ଚା ସାମ୍ୱାଦିକଙ୍କୁ ମୋର ବିନୀତ ନିବେଦନ ଯେ - ସେମାନେ କେହି ଏ ପ୍ରକାର ନକଲ ଧାରାର ନାମୀସାମ୍ୱାଦିକ ହେବାକୁ ମନ ବଳାନ୍ତୁ ନାହିଁ। ସେମାନଙ୍କର ମନକୁ ସେମାନେ ଉତ୍ସର୍ଗ କରିଦିଅନ୍ତୁ ଜନ ଓ ଗଣ ଉଦ୍ଦେଶ୍ୟରେ। ତା’ହେଲେ ଯାଇ ସେ’ଦିନ ହିଁ ଭାରତୀୟ ସାମ୍ୱାଦିକତା ଜନ ଓ ଗଣଦରବାରରେ ଏକ ସତ୍ୟବଦ୍ଧ, ସଂକଳ୍ପବଦ୍ଧ ଜାତୀୟ ସଂଗୀତ ଗାନ କରିବାର ନ୍ୟାଯ୍ୟ ଦାବୀ ହାସଲ କରିପାରିବ। ଯାଜପୁରରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

Share :