ଭାରତୀୟ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ

ଭାରତୀୟ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ

Share :

ଜ୍ୟୋତି ପ୍ରକାଶ ମହାପାତ୍ର ପାଖାପାଖି ୨୩୬ ବର୍ଷ ତଳେ ଜାନୁଆରୀ ୨୯ ତାରିଖରେ ପ୍ରକାଶ ପାଇଥିଲା ଭାରତର ପ୍ରଥମ ଖବରକାଗଜ ‘ବେଙ୍ଗଲ ଗେଜେଟ୍’ | ସେହି ସ୍ମୃତିକୁ ମନେ ପକେଇ ପ୍ରତି ବର୍ଷ ଆମେ ଜାନୁଆରୀ 29 ଦିନଟିକୁ ପାଳନ କରୁ ‘ଭାରତୀୟ ଖବରକାଗଜ ଦିବସ’ ଭାବେ | ଜେମ୍ସ ଅଗଷ୍ଟସ୍ ହିକି ନାମକ ଜଣେ ଇଂରେଜ ନାଗରିକ ଭାରତରେ ଖବରକାଗଜ ସଂସାରର ମୂଳଦୁଆ ପକେଇ ଥିଲେ | ଗଲା ପାଖାପାଖି ଦୁଇଟି ଶତାବ୍ଦୀ ଓ ଆଉ ଗୋଟେ ଅର୍ଦ୍ଧ ଶତାବ୍ଦୀର ଯାତ୍ରା ଭାରତୀୟ ଗଣମାଧ୍ୟମ ସଂସାର ପାଇଁ ବେଶ ରୋମାଂଚକର | ଜାତୀୟତା ଆନ୍ଦୋଳନ ସାଙ୍ଗରେ ଭାରତୀୟ ଗଣମାଧ୍ୟମମ ହାତ ମିଳେଇ ବାଟ ଚାଲିଥିଲା | ବାପୁ ନିଜେ ୫ଟି ଖବରକାଗଜ ପ୍ରକାଶ କରୁଥିଲେ | ସମାଜ ସଂସ୍କାରକର ଭୂମିକା ନିଖୁଣ ଭାବେ ସେଇ ସମୟରେ ନିଭେଇ ଥିଲା ଭାରତୀୟ ଗଣମାଧ୍ୟମ | ତେବେ ଭାରତୀୟ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ- ଦ୍ବନ୍ଦ୍ବାତ୍ମକ | ଏ ସଂପର୍କରେ ଚାର୍ଲସ୍ ଡିକେନ୍ସଙ୍କ ଗୋଟିଏ ବାକ୍ୟକୁ ଉଦ୍ଧାର କରି ଆଉରି ସୁନ୍ଦର ଉଦାହରଣଟେ ଦେଇ ହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ  (ଇଟ ଇଜ ଦି ବେଷ୍ଟ ଅଫ ଦି ଟାଇମ୍ସ, ଇଟ ଇଜ ଦି ର୍ଷ୍ଟ ଅଫ ଦି ଟାଇମ୍ସ- ଏ ଟେଲ୍ ଅଫ୍ ଟୁ ସିଟିଜ୍) | ଗୋଟିଏ ଦିଗରୁ ଦେଖିଲେ ଭାରତୀୟ ଗଣମାଧ୍ୟମର ଚିତ୍ରଟି ଅତ୍ୟନ୍ତ ଉଜ୍ବଳ | ଖବରକାଗଜଗୁଡ଼ିକର ପାଠକ ସଂଖ୍ୟା ବଢିବାରେ ଲାଗିଛି | ଜାତୀୟ ଓ ଆଂଚଳିକ ଖବରକାଗଜର ପ୍ରସାରଣ ବଢୁଛି | ସେମାନେ ଏକାଧିକ ସଂସ୍କରଣ ପ୍ରକାଶ କରୁଛନ୍ତି | ଭାରତରେ ଅବିକା ୭୦,୦୦୦ରୁ ଅଧିକ ଖବରକାଗଜ ପ୍ରକାଶିତ ହେଉଛି | ଭାରତ ପୁଣି ପ୍ରସାରଣ ଦୃଷ୍ଟିରୁ ସବୁଠାରୁ ବଡ଼ ମାର୍କେଟ | ଏଇଠି ଦୈନିକ ୧୦୦ ନିୟୁତ କପି ବିକ୍ରି ହେଉଛି | ଆଜିର ଦିନରେ ୬୯୦ଟି ସାଟେଲାଇଟ୍ ଚ୍ୟାନେଲ୍ ଆମ ଦେଶରେ ରହିଛି | ଯାହା ଭିତରୁ ପାଖାପାଖି ୧୦୦ଟି ହେଉଛି କେବଳ ୨୪ ଘଂଟିଆ ନ୍ୟୁଜ୍ ଚ୍ୟାନେଲ୍ | ଗଣମାଧ୍ୟମ ନୂଆ ବୈଷୟିକ ବିଦ୍ୟାକୁ ଆପଣାଇଛନ୍ତି | ଇଂଟରନେଟ୍ ଚାରିଆଡ଼େ ଛାଇ ଯାଇଛି  | ଉଏବ ପବ୍ଲିକେସନ୍ ସଂଖ୍ୟା ବଢୁଛି | ଟେକ୍ନୋଲୋଜି, କ୍ରମ ବଦ୍ଧିର୍ଷ୍ଣୁ ସାକ୍ଷରତା ଓ ପାଠକ ସଂଖ୍ୟା ବଢୁଥିବା ପ୍ରତିଦ୍ବନ୍ଦିତା ଓ ବଜାରମୁଖୀ ମନୋଭାବ ଗଣମାଧ୍ୟମର ରୂପରେଖ ଓ କକାର୍ଯ୍ୟଶୈଳୀକୁ ବଦଳାଇ ଦେଇଛି | ଅନ୍ୟପକ୍ଷରେ ଦେଖିଲେ ଚିତ୍ରଟି ନୈରାଶ୍ୟଜନକ | ଗଣମାଧ୍ୟମ ସଂସାରରେ କଳାଧନ ନିବେଶ ବଢୁଛି | ବିଲଡର୍, ଖଣି ମାଫିଆ ଖବରକାଗଜ କରି କିମ୍ବା ଚ୍ୟାନେଲ୍ ତିଆରି କରି ତା’କୁ ସୁରକ୍ଷାର ଢାଲ କରିଛନ୍ତି | ଭଲ ଖବର ପାଇଁ ସ୍ଥାନ କମି ଯାଉଛି | ବଜାରମୂଖୀ କାରବାର ଯୋଗୁଁ ଛୋଟ କାଗଜଗୁଡ଼ିକ ବଂଚି ରହିବା କଷ୍ଟକର ହେଉଛି | ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ମାଲିକାନା ମୁଷ୍ଟିମେୟ ଲୋକଙ୍କ ହାତରେ ରହୁଥିବାରୁ ଗଣମାଧ୍ୟମର ସ୍ବାଧୀନତା ଉପରେ ବିପଦ ସୃଷ୍ଟି ହୋଇଛି | ଚାଂଚଲ୍ୟକର ଖବର ପ୍ରକାଶନ ଓ ପ୍ରସାରଣ ଗୋଟେ ନୂଆ ଧାରା ଭାବେ ଛିଡ଼ା ହୋଇଛି | ଲଫାଫା ସାମ୍ବାଦିକତା (ଏନଭଲପ୍ ଜର୍ଣ୍ଣାଲିଜିମ୍) ବା ଅର୍ଥ ବଦଳରେ ଖବର ପ୍ରକାଶ କରିବାର ପ୍ରବଣତା ବଢିବାରେ ଲାଗିଛି | ପେଡ଼୍ ନ୍ୟୁଜ୍ ବଢୁଛି | ସାମ୍ବାଦିକତା କ୍ଷେତ୍ରରେ ଦୁର୍ନୀତି ଓ ବ୍ଲାକ୍ମେଲିଂ ଆସ୍ଥାନ ଜମେଇ ବସି ଯାଇଛି | ଧାରା ସମୟ ସହିତ ଗଣମାଧ୍ୟମରେ ପରିବର୍ତନ ଆସିଛି | ସ୍ବାଧୀନତା ପରେ ଭାରତୀୟ ଗଣମାଧ୍ୟମରେ ଅନେକ ସାକାର ପରିବର୍ତନ ସାମ୍ନାକୁ ଆସିଛି | ନୂଆ ଟେକ୍ନୋଲୋଜି ଆସିଛି | ତାଲିମପ୍ରାପ୍ତ, ସାମ୍ବାଦିକତା ପାଠ ପଢିଥିବା ଯୁବ ଗୋଷ୍ଠୀ ସାମ୍ବାଦିକତାକୁ ନିଜ କ୍ୟାରିଅର୍ କରୁଛନ୍ତି | ଗଣମାଧ୍ୟମ ଲୋକାଭିମୁଖୀ ହେବାକୁ ଚେଷ୍ଟା କରୁଛି | ବିଷୟରେ ଅନେକ ବିବିଧତା ଆସିଛି | ନୂଆଦିଲ୍ଲୀର ଇଣ୍ଡିଆନ୍ ଏକ୍ସପ୍ରେସ୍ ନୂଆପଡ଼ା ଜିଲ୍ଲାର ଖବର ୨୦୧୫ ସ୍ବାଧୀନତା ଦିବସରେ ମୁଖ୍ୟ ଖବର ଭାବେ ନେବା, ତାଆରି ଉଦାହରଣ | ପରିପାଟୀ ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି | ବଡ଼ ବଡ଼ ଫଟୋ, ବ୍ୟଙ୍ଗଚିତ୍ର, କମ୍ପ୍ୟୁଟର ଦ୍ବାରା କରାଯାଇଥିବା ଇନ୍ଫୋଗ୍ରାଫ ଇତ୍ୟାଦିର ବହୁଳ ବ୍ୟବହାର ହେଉଛି | ଏକୁଟିଆ ଫଟୋ (ଷ୍ଟାଣ୍ଡ ଏଲୋନ୍ ଫଟୋ) ପ୍ରକାଶିତ ହେଉଛି ବହୁଳ ଭାବେ | କିଏ ଆଗ ଖବର ଆଣି ଦେବ, ନୂଆ ଖବର ପରିବେଷଣ କରିବ (ବ୍ରେକିଂ ନିଉଜ୍) ସେ ସଂପର୍କରେ ଅଧିକ ଧ୍ୟାନ ଦିଆଯାଉଛି | ସାଧାରଣ ଲୋକଙ୍କ ଭାଷାର ବ୍ୟବହାର ବଢିଛି | ଏକାଧିକର ପ୍ରସାର ମାଧ୍ୟ ପ୍ରକ୍ରିୟା (ମଲଟି ମିଡ଼ିଆ ଅପରେସନ ଓ କ୍ରସ୍ ମିଡ଼ିଆ ଓନରସିପ୍) ସାଙ୍ଗକୁ ସଂପ୍ରତି ଗଣମାଧ୍ୟମର ସମଷ୍ଟିକରଣ (କନଭରଜେନ୍ସ) ଦେଖାଯାଉଛି | ସିଟିଜେନ୍ ଜର୍ଣ୍ଣାଲିଜିମ୍ ବା ନାଗରିକ ସାମ୍ବାଦିକତା ନୂଆ ଶତାବ୍ଦୀ ସାଙ୍ଗରେ ବଢି ଯାଇଛି | ଭବିଷ୍ୟତ ଏଥର ଭବିଷ୍ଯତ କଥା ଦେଖିବା  | ଗଣମାଧ୍ୟମ କ୍ଷେତ୍ରରେ ଭବିଷ୍ୟତ କଳନା କରିବା କଷ୍ଟ | କାରଣ: ଏ କ୍ଷେତ୍ରରେ କାରିଗରୀ ଜ୍ଞାନ ଦ୍ରୁତ ବଦଳୁଛି | ସମାଜ ମଧ୍ୟ ସେଇ ଅନୁସାରେ ବଦଳି ଯାଉଛି | ତଥାପି କେତୋଟି କଥା ଆକଳନ କରାଯାଇପାରେ | ୧. ଗଣମାଧ୍ୟମ ଆହୁରି ଲୋକଙ୍କ ନିକଟବର୍ତୀ ହେବାକୁ ଚେଷ୍ଟା କରିବେ | ଆଂଚଳିକୀକରଣ ବଢିବ | ୨. ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏକା ସାଙ୍ଗରେ ବହୁ ମାଧ୍ୟମକୁ ଆପଣାଇବେ  ଅର୍ଥାତ୍- ଗୋଟିଏ ସଂସ୍ଥା ଖବରକାଗଜ, ନିଉଜ୍ ଚ୍ୟାନେଲ୍, ରେଡ଼ିଓ, ଉଏବ ଓ ମୋବାଇଲ୍ ମାଧ୍ୟମରେ ଖବର ପରିବେଷଣ କରିବାକୁ ଚେଷ୍ଟା କରିବେ | ୩. ଏହା ଫଳରେ ଜଣେ ସାମ୍ବାଦିକର କାମ ବଢିବ | ତା’କୁ ପ୍ରତିଟି କ୍ଷେତ୍ରରେ ତାଲିମପ୍ରାପ୍ତ ହେବାକୁ ପଡ଼ିବ | ଗଣମାଧ୍ୟମର ସମଷ୍ଟିକରଣ ବା ଏକାଧିକ ପ୍ରସାରଣ ମାଲିକାନା ହେତୁ, ସେ ଗୋଟିଏ ଘଟଣା ପାଇଁ ଏକାଥରେ ଖବରକାଗଜ, ଟିଭି, ରେଡ଼ିଓ, ଇଂଟରନେଟ୍ ପାଇଁ ରିପୋର୍ଟିଂ କରିବ | ସାମ୍ବାଦିକକୁ ଅଧିକ ଦକ୍ଷ ଓ କାରିଗରୀ ଜ୍ଞାନରେ ନିପୁଣ ହେବାକୁ ପଡ଼ିବ | ୪. ଇଂଟରନେଟ୍ ଓ ଇ-ପେପର୍ ସଂଖ୍ୟା ବଢିବ ୫. ମୋବାଇଲ୍ ମାଧ୍ୟମମରେ ଖବର ପାଇବାକୁ ଲୋକେ ପସନ୍ଦ କରିବେ  ୬. ସାମ୍ବାଦିକତା ଶିକ୍ଷାନୁଷ୍ଠାନ ସଂଖ୍ୟା ବଢିବ | ତାଲିମପ୍ରାପ୍ତ ଲୋକ ହାତକୁ ଖବର ଯିବ | ୭. ଗଣମାଧ୍ୟମ ସଂସ୍ଥାଗୁଡ଼ିକ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ଆଡ଼କୁ ଢଳିବେ | ଏହା ତାକୁ ଲୋକଙ୍କ ନିକଟବର୍ତୀ କରିବ | ୮. ସିଟିଜେନ ଜର୍ଣ୍ଣାଲିଜିମ୍ ବଢିଲେ ମଧ୍ୟ ଏହା କେବେ ବି ପାରଂପରିକ ସାମ୍ବାଦିକତାର ବିକଳ୍ପ ହୋଇପାରିବ ନାହିଁ | କାରଣ- ଲୋକେ ବିଶ୍ବାସଯୋଗ୍ୟ ଖବର ଖୋଜିବେ  ବିଭିନ୍ନ ସୂତ୍ରରୁ ମିଳୁଥିବା ତଥ୍ୟରୁ ନିର୍ଯାସଟି ପାଇବାକୁ ଚାହିଁବେ | ଭବିଷ୍ୟତରେ ତଥ୍ୟ ପାଇବା ସହଜ ହେବ  ହେଲେ ତଥ୍ୟରୁ ଅର୍ଥ ଖୋଜିବା ଅଧିକ ଆବଶ୍ୟକ ହୋଇ ପଡ଼ିବ | ସାମ୍ବାଦିକତା ବିଭାଗ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ସମ୍ବଲପୁର  ମୋ-9437080048

Share :