ରାଇଗଡ଼ରେ ଗୁଞ୍ଜରିତ ହେଲା ଓଡ଼ିଆ ନବଜାଗରଣର ବାର୍ତ୍ତା

ରାଇଗଡ଼ରେ ଗୁଞ୍ଜରିତ ହେଲା ଓଡ଼ିଆ ନବଜାଗରଣର ବାର୍ତ୍ତା

Share :

ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶାର ଭୌଗୋଳିକ ଓ ରାଜନୀତିକ ସୀମା ନିର୍ଦ୍ଧାରିତ ହୋଇସାରିଛି। ଏବେ ତାହାକୁ ବଦଳାଇବା ସମୟ ଓ ତୀବ୍ର ଆନ୍ଦୋଳନର ଅପେକ୍ଷା ରଖେ। କିନ୍ତୁ ଓଡ଼ିଆ ଏକ ସୀମାହୀନ ସଂସ୍କୃତି। ଓଡ଼ିଆ ଓଡ଼ିଆଙ୍କ ସଂସ୍କୃତି କେବଳ ଓଡ଼ିଶା ଭିତରେ ସୀମୀତ ନୁହନ୍ତି। ସେମାନେ ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମ ବଙ୍ଗ ଆଦି ରାଜ୍ୟରେ ମୂଳ ବାସିନ୍ଦା ଭାବେ ରହିଯାଇଛନ୍ତି। ବିଶ୍ବର ଯେଉଁ କୋଣରେ ଥିଲେ ବି ଓଡ଼ିଆର ଗୋତ୍ର ବଦଳି ନାହିଁ। ତାହାର ଡିଏନଏ ନିର୍ମଳ ଅଛି। ଓଡ଼ିଆ ସଂସ୍କୃତିର ଏହି ଡିଏନକୁ ପ୍ରଦୂଷଣମୁକ୍ତ ଓ ନିର୍ମଳ ରଖିବା ପାଇଁ ବିଶ୍ବ ଓଡ଼ିଆ ସମୁଦାୟ ନିରନ୍ତର ସତର୍କ ଓ ସଚେତନ ରହିବା ଜରୁରୀ। ଛତିଶଗଡ଼ ରାଇଗଡ଼ ସହରରେ ଓଡ଼ିଆ ସାଂସ୍କୃତିକ ସେବା ସମିତି ତରଫରୁ ଅନୁଷ୍ଠିତ ଉତ୍କଳ ଦିବସ ସମାରୋହରେ ଉଦବୋଧନ ଦେବା ଅବସରରେ ବହୁ ବକ୍ତା ଏହି ମତ ପ୍ରଦାନ କରିଛନ୍ତି। ବିବିଧ ପ୍ରାକୃତିକ ସଂପଦର ପ୍ରାଚୁର୍ଯ୍ୟ, ନଅ ପ୍ରକାର କୃଷିଭିତ୍ତିକ ପାଣିପାଗ, ଷାଠିଏରୁ ଅଧିକ ପ୍ରକାର ଅନନ୍ୟ ଜନଜାତି, ବିଶ୍ବ ବିରଳ ଖାଦ୍ୟ ଓ ବସ୍ତ୍ର ସମ୍ଭାର, ସମୁନ୍ନତ ସ୍ଥାପତ୍ୟ ଓ ଶିଳ୍ପ କଳା, ପ୍ରାଚୀନ ଭାଷା, ଶାନ୍ତି ଓ ଅହିଂସାର ପ୍ରାଚୀନ ପୀଠ ଆଦି ଭାରତର ଓଡ଼ିଆ ଭାଷୀ ଅଂଚଳର ବିଶ୍ବ ବିଦିତ ବୈଶିଷ୍ଟ୍ୟ। ଏହି ବୈଶିଷ୍ଟ୍ୟର ସୁରକ୍ଷା ଓ ବିକାଶ ପ୍ରତ୍ୟେକ ଓଡ଼ିଆଙ୍କର ପରମ କର୍ତ୍ତବ୍ୟ ହେବା ଉଚିତ। ଓଡ଼ିଆମାନେ ବିଶ୍ବର ଯେଉଁ କୋଣରେ ରହିଲେ ବି ନିଜର ଭାଷା, ସଂସ୍କୃତି, ସାହିତ୍ୟ, ଐତିହ୍ୟକୁ ନେଇ ସ୍ବାଭିମାନୀ ହେବା ଉଚିତ। ନିଜ ଉତ୍ତର ପିଢ଼ିଙ୍କୁ ନିଜର ପୂର୍ବସୁରୀଙ୍କର ଦରିଆପାରି ବାଣିଜ୍ୟ ପରମ୍ପରା, ଶିକ୍ଷା ଓ ଦର୍ଶନର ବିଶ୍ବବିଦ୍ୟାଳୟ, ପାରମ୍ପାରିକ ଜ୍ଞାନକୌଶଳ, ସମୃଦ୍ଧ ସ୍ବାସ୍ଥ୍ୟଚର୍ଯ୍ୟା ବିଧି, ସାହସ ଓ ବୀରତ୍ବ ସଂପର୍କରେ ସୂଚେଇବା ଦରକାର। ନିଜ ନିଜ ଭିତରେ ରହିଥିବା ଛୋଟଛୋଟ ବିବାଦକୁ ଭୁଲି ସମଗ୍ର ବିଶ୍ବର ଓଡ଼ିଆମାନେ ଗୋଟିଏ ପତାକାତଳେ ଏକଜୁଟ ହେଲେ ଓଡ଼ିଆ ଅସ୍ମିତାର ପୁନର୍ଜାଗରଣ ହୋଇପାରିବ, ଓଡ଼ିଶାର ପ୍ରାକୃତିକ ସଂପଦ ଲୁଟେରାଙ୍କ କବଳରୁ ସୁରକ୍ଷିତ ରହିପାରିବ ଏବଂ ଓଡ଼ିଆ ଜନସମୁଦାୟ ଭାରତ ତଥା ବିଶ୍ବର ଗୁରୁ ଆସନ ଅଳଂକୃତ କରିପାରିବ। ସମାରୋହରେ ମୁଖ୍ୟ ଅତିଥି ଭାବେ ଅଭିଭାଷଣ ପ୍ରଦାନ କରି ଏହି କଥା କହିଥିଲେ ସାମାନ୍ୟକଥନ.କମ୍‌ର ସଂପାଦକ ଦେବେନ୍ଦ୍ର ପୃଷ୍ଟି। ସେହିପରି ଅନ୍ୟତମ ଅତିଥି ତଥା ଛତିଶଗଡ଼ର ବିଶିଷ୍ଟ ଡାକ୍ତର ଏବଂ ସମାଜସେବୀ ପ୍ରକାଶ ମିଶ୍ର ବିଦେଶରେ ପ୍ରବାସୀ ଓଡ଼ିଆଙ୍କ ଓଡ଼ିଆତ୍ବର ଜାଗରଣ ପାଇଁ ଆହ୍ବାନ ଦେଇଥିବାବେଳେ ସଭାରେ ସଭାପତି ଅଭିଭାଷଣ ପ୍ରଦାନ କରି ପ୍ରତାପ ରାଉତ କହିଥିଲେ ଯେ ବିଚ୍ଛିନ୍ନାଂଚଳରେ ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅଧିକ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ସଂପାଦକ ସିଦ୍ଧାର୍ଥ ମହାନ୍ତି ବିବରଣୀ ପାଠ କରିଥିଲେ। ବିଶିଷ୍ଟ ସାହିତ୍ୟିକ ପ୍ରଭାତ ତ୍ରିପାଠୀ ଓଡ଼ିଆଙ୍କର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ସଂପର୍କରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ଅନୁବାଦ ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଭାତ ତ୍ରିପାଠୀଙ୍କୁ ରାଇଗଡ଼ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେହିପରି ବିଶିଷ୍ଟ ସମାଜସେବୀ ତଥା ଚିକିତ୍ସା ବିଜ୍ଞାନୀ ଡାକ୍ତର ପ୍ରକାଶ ମିଶ୍ର, ଡାକ୍ତର ସୁଚିତ୍ରା ତ୍ରିପାଠୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ସଂସ୍ଥା ତରଫରୁ ପ୍ରକାଶ ପାଇଥିବା ଏକ ବିଶେଷ ସ୍ମରଣିକା ଲୋକାର୍ପିତ ହୋଇଥିଲା। ଏଣିକି ଓଡ଼ିଶାର ମୁଖ୍ୟ ପର୍ବଗୁଡ଼ିକୁ ରାଇଗଡ଼ରେ ପାଳନ କରିବା ପାଇଁ ଉପସ୍ଥିତ ପ୍ରମୁଖ ଓଡ଼ିଆ ବ୍ୟକ୍ତିତ୍ବମାନେ ସହମତି ପ୍ରକାଶ କରିଥିଲେ। ଜିନ୍ଦଲ, ହିଣ୍ଡାଲ୍‌କୋ, ଏନଟିପିସି, ଭାରତୀୟ ରଳବାଇ, ନଲ୍‌ୱା, ଏସଇସିଏଲ, ମୋନେଟ, ଆରକେଏମ ପାୱାର ଏବଂ ବିଭିନ୍ନ ବ୍ୟାଙ୍କରେ କାର୍ଯ୍ୟରତ ଓଡ଼ିଆମାନେ ଏକଜୁଟ ହୋଇ ପ୍ରାଚୀନ ଉତ୍କଳର ଗୌରବଗାନ କରିବା ସହିତ ବର୍ତ୍ତମାନ ଓଡ଼ିଶାର ଶୋଚନୀୟ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ସଂସ୍ଥାର ସଭାପତି ପ୍ରତାପ ରାଉତ ଏବଂ ସଂପାଦକ ସିଦ୍ଧାର୍ଥ ମହାନ୍ତିଙ୍କ ସମେତ ଡକ୍ଟର ନିର୍ମଳ ମଲ୍ଲିକ, ଲୋକନାଥ ଦେଓ, ମନୋରଞ୍ଜନ ପରିଡ଼ା, ଉମେଶ ଚନ୍ଦ୍ର ମିଶ୍ର, ବିଦ୍ୟୁତ ଦାଶ, ଗଙ୍ଗେଶ ପାଣିଗ୍ରାହୀ, ପୀୟୂଷ ପରିଜା, ରତିକାନ୍ତ ପରିଡ଼ା, ତପନ ପଣ୍ଡା, ସତ୍ୟବତ ସାହୁ, ସଞ୍ଜୀବ ପ୍ରଧାନ, ଅଶୋକ ମହାପାତ୍ର ଓ ଶିଶିର ପଣ୍ଡା ପ୍ରମୁଖ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ସମାରୋହ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସମାରୋହରେ ଓଡ଼ିଶା ନୃତ୍ୟ ପରିବେଷଣ କରିଥିଲେ ଗୁରୁ ଦେବେନ୍ଦ୍ର ବେହେରା ଓ ଶ୍ରୀମତୀ ସସ୍ମିତା ମଲ୍ଲିକ। ସେହିପରି ରସରକେଲି ଓ ରଙ୍ଗବତୀ ନୃତ୍ୟ ପରିବେଷଣ କରିଥିଲେ ଶ୍ରୀମତୀ ସସ୍ମିତା ମଲ୍ଲିକ, ଶ୍ରୀମତୀ ଲଭଲି ପଣ୍ଡା, ଶ୍ରୀମତୀ ଦିପ୍ତିମୟୀ ପଣ୍ଡା, ଶ୍ରୀମତୀ ମଧୁସ୍ମିତା ପ୍ରଧାନ ଓ ସୁଶ୍ରୀ ରାଇନା ରାଉତରାୟ। ପୁଲୱାମା ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଚ୍ଚକୋଟୀର ନୃତ୍ୟାଭିନୟ ପ୍ରଦର୍ଶନ କରିଥିଲେ ଗୁରୁ ଦେବେନ୍ଦ୍ର ବେହେରା ଓ ସାଥୀ। ଏସବୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଦିତି ବହିଦାର, ଭାଗ୍ୟଦର୍ଶୀ ବେହେରା, ଅଜୟ ବନ୍‌ସାଲ, ଶୁଭମ ଦୁବେ, ଗନିଷ୍ଠ ପ୍ରମୁଖ ମଧ୍ୟ ଅଂଶଗ୍ରହଣ କରିଥିଲେ। ବେଲପାହାଡ଼ର ଗୁଞ୍ଜନ ଅର୍କେଷ୍ଟ୍ରା ବହୁ ନୂଆ ଓ ପୁରୁଣା ଓଡ଼ିଆ ଗୀତ ପରିବେଷଣ କରିଥିଲେ। ସମାରୋହ ଆରମ୍ଭରେ ଓଡ଼ିଆଙ୍କର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ ଆୟୁଷ୍ମାନ ସଂସ୍କାର ପାଣିଗ୍ରାହୀ ଏବଂ ସାଥୀ।

Share :