ପ୍ରତୀକ୍ଷାଳୟ ନା ଧୋବାତୁଠ!

ପ୍ରତୀକ୍ଷାଳୟ ନା ଧୋବାତୁଠ!

Share :

ସତ୍ୟଜିତ ସାମନ୍ତରାୟ ଦେଶ ପ୍ରଗତି ପଥରେ ଦ୍ରୁତ ଅଗ୍ରସର ହେଉଥିବା ବେଳେ ବଢୁଥିବା ରାସ୍ତା ଦୁର୍ଘଟଣା ଓ ଗାଡ଼ି ମୋଟର ସଂଖ୍ୟାକୁ ଆଖି ଆଗରେ ରଖି ରାସ୍ତାର ମାନ ବୃଦ୍ଧି କରାଯାଉଛି। ଲୋକଙ୍କ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ପ୍ରାଧିକରଣ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ମଧ୍ୟ କରୁଛନ୍ତି। ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ପ୍ରଶାସନ ନିକଟରୁ ଆବଶ୍ୟକ ସାର୍ଟିଫିକେଟ ହାସଲ କରିବା ପରେ ଟୋଲ ଆଦାୟ କରିବାର ଅନୁମତି ଲାଭ କରିବା ପରେ ପ୍ରାଶାସନିକ ଉଦାସୀନତା ଅଥବା ଅବହେଳା ଯୋଗୁ ରାସ୍ତା ନିର୍ମାଣକୁ ଅଧାରେ ଛାଡ଼ି ଆଉ ଦେଖା ଦେଉନାହିଁ। କାହିଁକି ପ୍ରଶାସନ ଏହି ସଂସ୍ଥା ପ୍ରତି ଉଦାର ମନୋଭାବ ପ୍ରଦର୍ଶନ କରୁଛି ଏନେଇ ପ୍ରଶ୍ନ କରିଛନ୍ତି ଅନେକ ବୁଦ୍ଧିଜିବୀ। ଯଦି ଟୋଲ ଆଦାୟକୁ ବନ୍ଦ କରିଦିଆ ଯାଇପାରନ୍ତା ତେବେ ଏହି ସଂସ୍ଥା ନିଶ୍ଚୟ ଆସି ରାସ୍ତା ନିର୍ମାଣ ସଂପୂର୍ଣ୍ଣ କରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏପଟେ ଲୋକମାନେ କିପରି ବିଭିନ୍ନ ଛକ ମାନଙ୍କରେ ବିଶ୍ରାମ ନେବେ, ସୁବିଧାରେ ବସକୁ ଅପେକ୍ଷା କରି ରହିବେ ତଥା ଖରା ଓ ବର୍ଷାରୁ ରକ୍ଷା ପାଇବେ ସେଥିପାଇଁ ୨୦ ନମ୍ୱର ଜାତୀୟ ରାଜପଥ କଡ଼ରେ ବିଭିନ୍ନ ସ୍ଥାନରେ ଲୁହାରେ ନିର୍ମିତ ଯାତ୍ରୀ ପ୍ରତୀକ୍ଷାଳୟ ବସାଯାଇଛି। କିନ୍ତୁ ଏହି ଯାତ୍ରୀ ପ୍ରତୀକ୍ଷାଳୟଗୁଡିକର ନା ରହିଛି ଛାତ ନା ଏହାକୁ ସଂପୂର୍ଣ୍ଣ କରାଯାଇଛି‍! ଏଗୁଡ଼ିକ କେବଳ ବିଲ୍‌ ଉଠାଇବା ପାଇଁ ଲୋକ ଦେଖାଣିଆ ରାସ୍ତା କଡ଼ରେ ପକାଇ ପ୍ରହସନ କରିଥିବା ଅନେକ କହୁଛନ୍ତି। ଏହି ଯାତ୍ରୀ ପ୍ରତୀକ୍ଷାଳୟଗୁଡ଼ିକର ଆବଶ୍ୟକ ସୁବିଧା ସୁଯୋଗ ରାସ୍ତା ନିର୍ମାଣକାରୀ ସଂସ୍ଥା ଯୋଗାଇ ନଥିବା ହେତୁ ଏଗୁଡ଼ିକ ଏବେ ଲୋକମାନଙ୍କର ଲୁଗା ସୁଖାଇବା ଜାଗା ପାଲଟିଛି। ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଅଧିକାରୀ, ଜିଲାପାଳ, ଏସପି, ରାଜନେତା ଏପରିକି କେନ୍ଦୁଝରର ମନ୍ତ୍ରୀ ମଧ୍ୟ ଯାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ରାସ୍ତା କିପରି ସଂପୂର୍ଣ୍ଣ ହେବ ବା ଯାତ୍ରୀମାନଙ୍କର ଏହି ପ୍ରତୀକ୍ଷାଳୟଗୁଡିକ ବ୍ୟବହାର ଉପଯୋଗୀ ହେବ ସେକଥା କାହାର ନଜରକୁ ଆସୁନାହିଁ। ଯଦି ରାସ୍ତା ନିର୍ମାଣକାରୀ ସଂସ୍ଥା ରାସ୍ତା ଓ ପ୍ରତୀକ୍ଷାଳୟ ଗୁଡିକୁ ସଂପୂର୍ଣ୍ଣ କରୁନାହିଁ ତେବେ ତାକୁ କାହିଁକି କଳା ତାଲିକା ଭୁକ୍ତ କରାଯାଉନାହିଁ କିମ୍ୱା ତାକୁ ବଦଳାଇ ଅନ୍ୟ ସଂସ୍ଥାକୁ ହସ୍ତାନ୍ତର କରାଯାଉ ନାହିଁ ବୋଲି ଲୋକମାନେ ପ୍ରଶ୍ନ କଲେଣି।

Share :