ସାମାଜିକ କର୍ମୀଙ୍କୁ ନିର୍ମମ ନିର୍ଯାତନାର ପ୍ରତିବାଦ

ସାମାଜିକ କର୍ମୀଙ୍କୁ ନିର୍ମମ ନିର୍ଯାତନାର ପ୍ରତିବାଦ

Share :

ସାମାଜିକ କର୍ମୀ ତପନ ପାଢୀଙ୍କୁ ପାଣିକୋଇଲି ଥାନାରେ ନିର୍ଘାତ ମାଡ଼ ଓ ନିର୍ମମ ନିର୍ଯାତନା ଦେଇ ଗୁରୁତର କରିବା ପରେ ତାଙ୍କୁ ଜେଲ୍ ପଠାଯିବା ପ୍ରତିବାଦରେ ୨୦୧୯ ମାର୍ଚ୍ଚ ୨୭ ତାରିଖ ଗୁରୁବାର ସିଭିଲ୍ ସୋସାଇଟି ସଂଗଠନ ସମୂହ ତରଫରୁ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ମାର୍ଚ୍ଚ ୧୭ ତାରିଖରେ ତପନଙ୍କୁ ଚୌଦାର ଘରୁ ତାଙ୍କୁ ପାଣିକୋଇଲି ଥାନା ପୁଲିସ୍ କୌଣସି ସୂଚନା ନ ଦେଇ ଉଠାଇ ନେଇଥିଲା। ଥାନାରେ ଦୁଇ ଦିନ ଧରି ତାଙ୍କୁ ନିଜେ ଆଇଆଇସି ଅଜୟ ଜେନା ଓ ଅନ୍ୟ କର୍ମଚାରୀମାନେ ଶାରୀରିକ ନିର୍ଯାତନା ଦେଇଥିଲେ। ମାଡ଼ ମାରିବା ପାଇଁ ପ୍ଲାଷ୍ଟିକ ପାଇପ୍ ବ୍ୟବହାର କରାଯାଇଥିଲା। ମାର୍ଚ୍ଚ ୨୧ ତାରିଖରେ ସିଭିଲ୍ ସୋସାଇଟି ପକ୍ଷରୁ ଏକ ପ୍ରତିନିଧି ଦଳ ତାଙ୍କୁ ଯାଜପୁର ସବ୍ ଜେଲରେ ଭେଟିବା ପରେ ଏହି କଥା ସାମ୍ନାକୁ ଆସିଥିଲା। ଏହାପରେ ରାଜ୍ୟର ସାମାଜିକ କର୍ମୀ ଓ ମାନବାଧିକାର କର୍ମୀଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ମାର୍ଚ୍ଚ ୨୩ରେ ଏକ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଥିଲେ। କମିଶନଙ୍କ ନିର୍ଦ୍ଦେଶକକ୍ରମେ ମାର୍ଚ୍ଚ ୨୬ ତାରିଖରେ ମାନବାଧିକାର କମିଶନଙ୍କ ତଦନ୍ତ ବିଭାଗ ଏଡିଜିଙ୍କ ଟିମ୍ ଜେଲରେ ତପନଙ୍କୁ ଭେଟିବା ସହିତ ପୁଲିସ୍ ଏସପି ଓ ପାଣିକୋଇଲି ଥାନାରେ ତନାଘନା କରିଛନ୍ତି। ଏତେ ସବୁ ସତ୍ତ୍ବେ ଥାନା ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯାନୁଷ୍ଠାନ ନ ହେବା ଦୁର୍ଭାଗ୍ୟଜନକ ବୋଲି ସିଭିଲି ସୋସାଇଟି ପକ୍ଷରୁ ପ୍ରଦୀପ ପ୍ରଧାନ ପ୍ରକାଶ କରିଛନ୍ତି। ସାରା ରାଜ୍ୟରେ ସୂଚନା ଅଧିକାର କର୍ମୀ ଓ ମାନବ ଅଧିକାର କର୍ମୀଙ୍କ ଉପରେ ନିର୍ଯାତନା ଓ ପୁଲିସର ମିଥ୍ୟା ମାମଲା ବଢି ଚାଲିଛି। ଏ ନେଇ ପୁଲିସ୍ ପ୍ରଶାସନ ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ତପନ ପାଢୀଙ୍କୁ ଜେଲରୁ ଖଲାସ କରିବା ସହିତ ପାଣିକୋଇଲି ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି। ରାଜ୍ୟର ବିଭିନ୍ନ ଅଂଚଳରୁ ସାମାଜିକ କର୍ମୀମାନେ ଏକାଠି ହୋଇ ପୁଲିସ୍ର ବର୍ବରତାଙ୍କୁ ନିନ୍ଦା କରିବା ସହିତ ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ସ୍ୱର ମିଳାଇଛନ୍ତି। ଏହି ପ୍ରତିବାଦରେ ଲୋକଶକ୍ତି ଅଭିଯାନର ମୁଖ୍ୟ ପ୍ରଫୁଲ ସାମନ୍ତରାୟ, ସାମ୍ୱାଦିକ ସୁଭାଷ ପଟ୍ଟନାୟକ, ଓଡିଶା ସାମ୍ୱାଦିକ ୟୁନିଅନର ସଭାପତି ପ୍ରସନ୍ନ ମହାନ୍ତି, ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ, ପ୍ରଦୀପ୍ତ ନାୟକ, ଭଜମନ ବିଶ୍ୱାଳ, ସଂଯୁକ୍ତା ପାଣିଗ୍ରାହୀ, ରଂଜୁଲତା ମହାପାତ୍ର, ପ୍ରତାପ ସାହୁ, ଅଶୋକ ନନ୍ଦ, ଅରୁଣ କୁମାର ଦିହୁଡି, ବିଶ୍ୱନାଥ ପାତ୍ର, ରଂଜନ କୁମାର ଦାଶ, ଜିତେନ୍ଦ୍ର ସାହୁ, ପ୍ରକାଶ ସାମନ୍ତସିଂହାରଙ୍କ ସହ ରାଜ୍ୟର ବିଭିନ୍ନ ଅଂଚଳରୁ ସାମାଜିକ କର୍ମୀମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

Share :