ରାଷ୍ଟ୍ରର ସୁରକ୍ଷାରେ ମିଶନ ଶକ୍ତି

ରାଷ୍ଟ୍ରର ସୁରକ୍ଷାରେ ମିଶନ ଶକ୍ତି

Share :

(୨୦୧୯ ମାର୍ଚ୍ଚ ୨୭ ତାରିଖରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ।) ମୋର ପ୍ରିୟ ଦେଶବାସୀ, ଆଜି ୨୭ ମାର୍ଚ୍ଚ, କିଛି ସମୟ ପୂର୍ବରୁ ଭାରତ ଏକ ଅଭୂତପୂର୍ବ ସିଦ୍ଧି ହାସଲ କରିଛି। ଭାରତ ଆଜି ନିଜର ନାମ ମହାକାଶ ମହାଶକ୍ତି-ସ୍ପେସ୍ ପାୱାର- ଭାବେ ଲିପିବଦ୍ଧ କରିଛି। ଏବେ ସୁଦ୍ଧା ବିଶ୍ୱର ତିନୋଟି ଦେଶ- ଆମେରିକା, ରୁଷ ଏବଂ ଚୀନ ଏହି ଉପଲବ୍ଧି ହାସଲ କରିଥିଲେ। ଏବେ ଭାରତ ଚତୁର୍ଥ ଦେଶ ଭାବେ, ଆଜି ଏହି ସିଦ୍ଧି ପ୍ରାପ୍ତ କରିଛି। ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କ ପାଇଁ ଏହାଠାରୁ ବଡ଼ ଗର୍ବର ବିଷୟ ଆଉ କିଛି ହୋଇପାରିବ ନାହିଁ। କିଛି ସମୟ ପୂର୍ବରୁ ଆମର ବୈଜ୍ଞାନିକମାନେ ମହାକାଶରେ, ସ୍ପେସରେ, ତିନି ଶହ କିମି ଦୂର ଏଲଇଓ- ଲୋ ଆର୍ଥ ଅର୍ବିଟ-ରେ ଏକ ଲାଇଭ ସାଟେଲାଇଟକୁ ଧ୍ୱଂସ କରି ଦେଇଛନ୍ତି। ଏଲଇଓ- ଲୋ ଆର୍ଥ ଅର୍ବିଟ୍ରେ ଏହି ଲାଇଭ ସାଟେଲାଇଟ, ଯାହାକି ଏକ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଥିଲା, ଏହାକୁ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର (ଆଂଟି ସାଟେଲାଇଟ ମିସାଇଲ- ଏସ୍ୟାଟ) ଦ୍ୱାରା ଧ୍ୱଂସ କରି ଦିଆଯାଇଛି। ମାତ୍ର ତିନି ମିନିଟରେ, ସଫଳତା ପୂର୍ବକ ଏହି ଅପରେସନକୁ ସମ୍ପୂର୍ଣ୍ଣ କରାଯାଇଛି। ମିଶନ ଶକ୍ତି- ଏହା ଅତ୍ୟନ୍ତ କଠିନ ଅପରେସନ ଥିଲା, ଯେଉଁଥିରେ ଅତ୍ୟନ୍ତ ଉଚ୍ଚକୋଟ୍ଟୀର ବୈଷୟିକ କ୍ଷମତାର ଆବଶ୍ୟକତା ରହିଥିଲା। ବୈଜ୍ଞନିକମାନଙ୍କ ଦ୍ୱାରା ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହାସଲ କରାଯାଇସାରିଛି। ଆମ ସମସ୍ତ ଭାରତୀୟଙ୍କ ପାଇଁ ଏହା ଗର୍ବର ବିଷୟ ଯେ ଏହି ପରାକ୍ରମ ଭାରତରେ ହିଁ ବିକଶିତ ଆଂଟି ସାଟେଲାଇଟ (ଏ-ସ୍ୟାଟ) ମିସାଇଲ ଦ୍ୱାରା ହାସଲ କରାଯାଇଛି। ସର୍ବପ୍ରଥମେ ମିଶନ ଶକ୍ତି ସହ ଜଡ଼ିତ ସମସ୍ତ ଡିଆରଡିଓ ବୈଜ୍ଞାନିକ, ଗବେଷକ ଏବଂ ଅନ୍ୟ ସମ୍ପୃକ୍ତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏହି ଅସାଧାରଣ ସଫଳତାକୁ ହାସଲ କରିବାରେ ଯୋଗଦାନ ଦେଇଛନ୍ତି। ଆଜି ପୁଣି ଏମାନେ ଦେଶର ସମ୍ମାନ ବୃଦ୍ଧି କରିଛନ୍ତି, ଆମେ ଆମ ବୈଜ୍ଞାନିକମାନଙ୍କୁ ନେଇ ଗର୍ବିତ। ମହାକାଶ ଆଜି ଆମ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇପାରିଛି। ଆଜି ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାରେ ଉପଗ୍ରହ ଉପଲବ୍ଧ ଅଛି, ଯାହା ଭିନ୍ନ ଭିନ୍ନ କ୍ଷେତ୍ରରେ ବିକାଶରେ ବହୁମୂଲ୍ୟ ଯୋଗଦାନ ଦେଉଛନ୍ତି, ଯେପରିକି କୃଷି, ପ୍ରତିରକ୍ଷା, ସୁରକ୍ଷା, ବିପର୍ଯ୍ୟୟ ପ୍ରଶମନ, ସଂଚାର, ପାଣିପାଗ, ନାଭିଗେସନ, ଶିକ୍ଷା ଆଦି। ଆମର ଉପଗ୍ରହଗୁଡ଼ିକର ଲାଭ ସମସ୍ତଙ୍କୁ ମିଳୁଛି, ସେମାନେ କୃଷକ ହୁଅନ୍ତୁ, ମତ୍ସ୍ୟଜୀବୀ ହୁଅନ୍ତୁ, ଛାତ୍ରଛାତ୍ରୀ ହୁଅନ୍ତୁ, ସୁରକ୍ଷାବାହିନୀ ହୁଅନ୍ତୁ। ଅନ୍ୟପଟେ ତାହା ରେଳବାଇ ହେଉ, ବିମାନ, ଜଳଜାହାଜର ପରିଚାଳନା ହେଉ, ଏ ସବୁ ସ୍ଥାନରେ ଉପଗ୍ରହର ଉପଯୋଗ କରାଯାଉଛି। ବିଶ୍ୱରେ ସ୍ପେସ ଓ ସାଟେଲାଇଟର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ। ବୋଧହୁଏ ଜୀବନ ଏହା ବିନା ଅଧୁରା ହୋଇଯିବ। ଏପରି ସ୍ଥିତିରେ ଏ ସମସ୍ତ ଉପକରଣର ସୁରକ୍ଷା ସୁଦୃଢ଼ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆଜିର ଆଂଟି ସାଟେଲାଇଟ (ଏ-ସ୍ୟାଟ) ମିସାଇଲ ଭାରତର ସୁରକ୍ଷା ଦୃଷ୍ଟିରୁ ଏବଂ ଭାରତର ବିକାଶ ଯାତ୍ରା ଦୃଷ୍ଟିରୁ ଦେଶକୁ ଏକ ନୂଆ ଦୃଢ଼ତା ପ୍ରଦାନ କରିବ। ମୁଁ ଆଜି ବିଶ୍ୱ ସମୁଦାୟକୁ ମଧ୍ୟ ଏହି ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ ଆମେ ଯେଉଁ ନୂଆ କ୍ଷମତା ହାସଲ କରିଛୁ ତାହା କାହା ବିରୋଧରେ ନୁହେଁ। ଏହା ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ହିନ୍ଦୁସ୍ତାନର ପ୍ରତିରକ୍ଷାତ୍ମକ ପଦକ୍ଷେପ। ଭାରତ ସବୁବେଳେ ମହାକାଶରେ ଅସ୍ତ୍ରଶସ୍ତ୍ରର ପ୍ରତିଦ୍ୱନ୍ଦ୍ୱିତା ବିରୋଧରେ ରହିଆସିଛି ଏବଂ ଏହାଦ୍ୱାରା ଏହି ନୀତିରେ କୌଣସି ପରିବର୍ତନ ଆସିନାହିଁ। ଆଜିର ଏହି ପରୀକ୍ଷଣ କୌଣସି ପ୍ରକାରେ ଅନ୍ତର୍ଜାତୀୟ ଆଇନ ଅଥବା ସନ୍ଧି, ବୁଝାମଣାର ଉଲ୍ଲଙ୍ଘନ କରୁନାହିଁ। ଆମେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଦେଶର ୧୩୦ କୋଟି ନାଗରିକଙ୍କ ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ କରିବାକୁ ଚାହୁଁଛୁ। ଏହି କ୍ଷେତ୍ରରେ ଶାନ୍ତି ଏବଂ ସୁରକ୍ଷାର ପରିବେଶ ବଜାୟ ରଖିବା ଲାଗି ଏକ ଶକ୍ତିଶାଳୀ ଭାରତର ଉପସ୍ଥିତି ଆବଶ୍ୟକ। ଆମର ସାମରିକ ଉଦ୍ଦେଶ୍ୟ ଯୁଦ୍ଧର ସ୍ଥିତି ସୃଷ୍ଟି କରିବା ନୁହେଁ ବରଂ ଶାନ୍ତି ବଜାୟ ରଖିବା। ପ୍ରିୟ ଦେଶବାସୀ, ଭାରତ ମହାକାଶ କ୍ଷେତ୍ରରେ ଯେଉଁ କାର୍ଯ୍ୟ କରିଛି, ତାହାର ମୂଳ ଉଦ୍ଦେଶ୍ୟ ଭାରତର ସୁରକ୍ଷା, ଭାରତର ଆର୍ଥିକ ବିକାଶ ଏବଂ ଭାରତର ବୈଷୟିକ ପ୍ରଗତି ଅଟେ। ଆଜିର ଏହି ମିଶନ ଏ ସ୍ୱପ୍ନକୁ ସୁରକ୍ଷିତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଏହି ତିନୋଟି ସ୍ତମ୍ଭର ସୁରକ୍ଷା ପାଇଁ ଆବଶ୍ୟକ ଥିଲା। ଆଜିର ସଫଳତାକୁ ଆଗାମୀ ସମୟରେ ଏକ ସୁରକ୍ଷିତ ରାଷ୍ଟ୍ର, ସମୃଦ୍ଧ ରାଷ୍ଟ୍ର ଏବଂ ଶାନ୍ତିପ୍ରିୟ ରାଷ୍ଟ୍ର ଦିଗରେ ଆଗେଇ ଚାଲିଥିବା ପଦକ୍ଷେପ ଭାବେ ଦେଖିବା ଆବଶ୍ୟକ। ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଆଗକୁ ବଢ଼ିବା ଏବଂ ନିଜକୁ ଭବିଷ୍ୟତର ଆହ୍ୱାନ ଲାଗି ପ୍ରସ୍ତୁତ କରିବା। ଆମକୁ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଆମ ଲୋକମାନଙ୍କ ଜୀବନସ୍ତରେ ସକାରାତ୍ମକ ପରିବର୍ତନ ଆଣିବା ଲାଗି ଆଧୁନିକ ଜ୍ଞାନକୌଶଳକୁ ଆପଣାଇବାକୁ ହେବ। ସମସ୍ତ ଭାରତବାସୀ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା ଆତ୍ମବିଶ୍ୱାସର ସହିତ କରନ୍ତୁ ଏବଂ ସୁରକ୍ଷିତ ଅନୁଭବ କରନ୍ତୁ, ଏହା ହିଁ ଆମର ଲକ୍ଷ୍ୟ। ମୋର ଆମ ଲୋକମାନଙ୍କ କର୍ମଠତା, ପ୍ରତିବଦ୍ଧତା, ସମର୍ପଣ ଏବଂ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଆମେ ନିସନ୍ଦେହରେ ଏକଜୁଟ ହୋଇ ଏକ ଶକ୍ତିଶାଳୀ, ସୁଖଦ ଏବଂ ସୁରକ୍ଷିତ ଭାରତର ନିର୍ମାଣ କରିବା। ମୁଁ ଏପରି ଭାରତର ପରିକଳ୍ପନା କରୁଛି ଯେଉଁଠାରେ ଦେଶବାସୀ ନିଜ ସମୟଠାରୁ ଦୁଇ ପାଦ ଆଗକୁ ଭାବିପାରୁଥିବେ ଏବଂ ଚାଲିବାର ସାହସ ଜୁଟାଇ ପାରୁଥିବେ। ସମସ୍ତ ଦେଶବାସୀଙ୍କୁ ଆଜିର ଏହି ମହାନ ଉପଲବ୍ଧି ପାଇଁ ଅନେକ ଅନେକ ଅଭିନନ୍ଦନ।

Share :