କାହା କପାଳରେ ବୋଳାଯିବ ଏସବୁ କଳଙ୍କ?

କାହା କପାଳରେ ବୋଳାଯିବ ଏସବୁ କଳଙ୍କ?

Share :

ରାଜନୀତିକ ପ୍ରତିନିଧି ବିଜେଡି ୩୩ ପ୍ରତିଶତ ଲୋକସଭା ଆସନରେ ମହିଳାଙ୍କୁ ନିର୍ବାଚନ ଲଢାଉଥିବା ଦାବି କରୁଥିବା ବେଳେ ୧୯ ବର୍ଷ ଶାସନରେ ରାଜ୍ୟର ମହିଳାମାନଙ୍କ ସ୍ଥିତି କେତେ ଦୟନୀୟ ରହିଛି ତାହାର ପରିସଂଖ୍ୟାନ ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର। ଗୋଟିଏ ବର୍ଷରେ ୫୦ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଦର୍ଶାଇ ସେ ପ୍ରଶ୍ନ କରିଛନ୍ତି ଯେ ଏହି ମହିଳାମାନଙ୍କର ଉତ୍ପୀଡ଼ନକାରୀଙ୍କୁ ଦଣ୍ଡ ନଦେଇ ନବୀନ ସରକାର ମହିଳାମାନଙ୍କର ସଶକ୍ତିକରଣ କରିଛନ୍ତି କି? ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଡ. ସାମନ୍ତ ସିଂହାର କହିଛନ୍ତି ଯେ, ୧୯ ବର୍ଷ ଶାସନରେ ରାଜ୍ୟରେ ମହିଳାଙ୍କ ସମ୍ମାନ, ସୁରକ୍ଷା, ବିକାଶ ଓ ପ୍ରଗତିରେ ଭାଗିଦାରୀ ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ସମ୍ୱେଦନହୀନତା କାରଣରୁ ରସାତଳଗାମୀ ହୋଇଛି। ଏଥିପାଇଁ ରାଜ୍ୟର ମହିଳା ଓ ପ୍ରତ୍ୟେକ ସମ୍ୱେଦନଶୀଳ ଓଡିଶାବାସୀ ୧୯ ବର୍ଷ ବହୁତ ହୋଇଗଲା ରାଜ୍ୟ ସରକାର ବଦଳିବା ଦରକାର, ଏହି ସ୍ୱରରେ ସ୍ୱର ମିଳାଇ ପରିବର୍ତନ ଅଭିଯାନରେ ସାମିଲ ହୋଇଛନ୍ତି। ସମାଜର ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ଆଦିବାସୀ ଝିଅମାନଙ୍କ ସହ ରାଜ୍ୟ ସରକାର ଧୋକା କରିଛନ୍ତି। ରାଜ୍ୟ ସରକାର ଖୋଦ୍ ବିଧାନସଭାରେ ସ୍ବୀକାର କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟମାନଙ୍କରେ ୧୨ ଜଣ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ସନ୍ତାନ ପ୍ରସବ ମଧ୍ୟ କରିଛନ୍ତି। ୨୦୧୭-୧୮ ବର୍ଷରେ ୪୪୫ ଅନୁସୂଚିତ ଜାତି ଓ ଜନଜାତିର ମହିଳା ଦୁଷ୍କର୍ମର ଶୀକାର ହୋଇଥିବା ରାଜ୍ୟ ସରକାର ବିଧାନସଭାରେ ଲିଖିତ ଉତର ଦେଇଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କର ସମ୍ୱେଦନଶୀଳତାକୁ ସ୍ପର୍ଶ କରିବାକୁ କାହିଁକି ବିଫଳ ହୋଇଛି ? ସରକାରୀ ତଥ୍ୟ ଅନୁସାରେ ସାରା ଦେଶରେ ମହିଳାଙ୍କୁ ଅସଦାଚାରଣ ମାମଲାରେ ଓଡିଶା ଦେଶର ୧ ନମ୍ୱର ସ୍ଥାନରେ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଥିବା ସର୍ବଶେଷ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟରୋ ରିପୋର୍ଟ ଅନୁସାରେ ସାରା ଦେଶରେ ଏହି ହାର ୧୩.୬ ପ୍ରତିଶତ ଥିବା ବେଳେ ଓଡିଶାରେ ଏହା ୩୧.୧ ପ୍ରତିଶତ ହୋଇଛି। ସେହିଭଳି ମହିଳାଙ୍କ ବିରୋଧରେ ଧର୍ତ୍ତବ୍ୟ ଅପରାଧ ମାମଲାରେ ଓଡିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ଦେଶରେ ଏହା ୫୫.୨ ଥିବାବେଳେ ଓଡିଶାର ୮୪.୫ ରହିଛି। ଏହି ତଥ୍ୟ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ଏହା କୌଣସି ମନଗଢା ଅଭିଯୋଗ ନୁହେଁ। ଧର୍ଷଣ ମାମଲାରେ ଗତ କିଛି ବର୍ଷ ମଧ୍ୟରେ ଓଡିଶା ରେକର୍ଡ କରିଛି। ଏହି ଦୁଷ୍କର୍ମ ଓ ଗଣଦୁର୍ଷ୍କମରେ ନାବାଳିକାମାନେ ଅଧିକ ମାତ୍ରାରେ ଶିକାର ହୋଇଛନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ହାର ୬୩ ପ୍ରତିଶତରୁ ଅଧିକ ରହିଛି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ଦୁଷ୍କର୍ମକାରୀଙ୍କୁ ମନ୍ତ୍ରୀମାନେ ସୁରକ୍ଷା ଦେବା ରାଜ୍ୟର ଗଣମାଧ୍ୟମର ଶୀରୋନାମା ହୋଇଥିଲା। ଯାଜପୁର ଜିଲ୍ଲାରେ ଗରିବଙ୍କ ପକ୍କା ଘର ଦେବାକୁ କହି ନବୀନଙ୍କ ପ୍ରିୟ ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ସମର୍ଥକଙ୍କ ଦ୍ୱାରା ବିଜେଡି କାର୍ଯ୍ୟାଳୟରରେ ମହିଳାଙ୍କୁ ଦୁଷ୍କର୍ମ ଗଣମାଧ୍ୟମର ଶୀରୋନାମା ହୋଇଥିଲା। ସେହି ବିଧାୟକଙ୍କ ଦ୍ୱାରା ମହିଳା କମିଶନ ସଦସ୍ୟା ତିଳୋତ୍ତମା ନାୟକଙ୍କୁ ଦୁର୍ବ୍ୟବହାର ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ୨୦୧୮ ଜାନୁଆରୀରୁ ୨୦୧୯ ଜାନୁଆରୀ ମଧ୍ୟରେ ରାଜ୍ୟରେ ଘଟିଥିବା ବହୁଚର୍ଚ୍ଚିତ ୫୦ଟି ମାମଲାର ତାଲିକା ପ୍ରକାଶ କରି ଡକ୍ଟର ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ଯେ ଏହି ୫୦ଟି ପରିବାରକୁ ମହିଳା ସମ୍ମାନର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ କ’ଣ କହିବେ ଆପଣମାନେ ଖୁସି ତ? ଜାନୁଆରୀ ୨୦୧୮ରୁ ଜାନୁଆରୀ ୧୯ ମଧ୍ୟରେ ଘଟିଥିବା ବହୁଚର୍ଚ୍ଚିତ ଦୁଷ୍କର୍ମ ଘଟଣା ୧. ୧୫ ଜାନୁଆରୀ ( ଦଶରଥପୁର)- ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ଜଣେ ମହିଳାଙ୍କୁ ବିଜୁ ପକ୍କା ଘର ଦେବା ବାହାନାରେ ପାର୍ଟି ଅଫିସକୁ ଡାକି ଜଣେ ବିଜେଡି କର୍ମୀ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ୨. ୨୨ ଜାନୁଆରୀ (କୁନ୍ଦୁଲି)- ଗତ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଜଣେ ନବମ ଶ୍ରେଣୀର ଛାତ୍ରୀ ଫଟୋ ଉଠାଇ ଫେରୁଥିବା ସମୟରେ ଦୁର୍ବୃତ୍ତଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ଦୀର୍ଘ ସମୟ ଧରି ନ୍ୟାୟ ନମିଳିବାରୁ ଜାନୁଆରୀ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ। ୩. ୨୩ ଜାନୁଆରୀ (ବାଣପୁର)- ଦୁଷ୍କର୍ମର ଶିକାର ଦଶମ ଶ୍ରେଣୀର ଜଣେ ନାବାଳିକା ପୁଲିସରେ ଅଭିଯୋଗ ପରେ ମଧ୍ୟ ଉଚିତ ନ୍ୟାୟ ନପାଇ ଗତ ୨୩ ଜାନୁଆରୀରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା। ୪. ଜାନୁଆରୀ ୨୭ (ବୌଦ୍ଧ)- ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର କୁଡିବାହାଳି ଗାଁର ଏକ ନବମ ଶ୍ରେଣୀର ଦିବ୍ୟାଙ୍ଗ ଝିଅ ତା ପିଇସିଙ୍କ ସହ ଶୌଚ କରିବାକୁ ଯାଇଥିବା ବେଳେ ଗାଁର ଦୁଇ ଯୁବକ ନାବାଳିକା ଜଣଙ୍କୁ ଉଠାଇନେଇ ଦୁଷ୍କର୍ମର ଶିକାର ହୋଇଥିଲେ। ୫. ମାର୍ଚ୍ଚ ୧୩ (ସାଲେପୁର)- ସାଲେପୁରରେ ଜଣେ ନାବାଳିକାକୁ ଥଣ୍ଡା ପାନୀୟରେ ନିଶା ମିଶାଇ ଦିଆଯାଇ ଛାତ୍ରୀ ଜଣକ ସହ ଦୁଷ୍କର୍ମ କରାଯାଇଥିଲା ଏବଂ ଅଭିଯୁକ୍ତ ଜଣକ ତାହାର ଭିଡ଼ିଓ ରେକର୍ଡ଼ିଂ କରି ବ୍ଲାକମେଲ୍ କରିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ୬. ମାର୍ଚ୍ଚ ୨୩ (ମୋହନା)- ଗଜପତି ଜିଲ୍ଲା ମୋହନାରେ ଜଣେ ୧୫ ବର୍ଷୀୟ ନାବାଳିକା ତା ପଡ଼ୋଶୀ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା। ଥାନାରେ ବହୁ ବିଳମ୍ୱରେ ମାମଲା ରୁଜୁ ହୋଇଥିଲା। ୭. ଏପ୍ରିଲ ୧୩ (ନୀଳଗିରି)- ବାଲେଶ୍ୱର ନୀଳଗିରିରେ ଜଣେ ୪ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଅଭିଯୁକ୍ତ ଯୁବକ ଚକୋଲେଟର ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା। ୮. ଏପ୍ରିଲ ୧୩ (ସୋରୋ)- ନୀଳଗିରି ଘଟଣାର ସମାନ ଦିନ ବାଲେଶ୍ୱର ସୋରୋ ଅଂଚଳରେ ସପ୍ତମ ଶ୍ରେଣୀର ଜଣେ ଝିଅ ସ୍ଥାନୀୟ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ। ୯. ଏପ୍ରିଲ ୨୦ (ନୀଳଗିରି)- ଏହି ଘଟଣାର ଠିକ ୭ ଦିନ ପରେ ସେହି ନୀଳଗିରି ଅଂଚଳରେ ୨୦ ତାରିଖ ଦିନ ବିଳମ୍ୱିତ ରାତିରେ ତେଣ୍ଡା ଅଂଚଳରେ ଧାନ କ୍ଷେତ ଜଗିବା ଉଦ୍ଦେଶ୍ୟରେ ଜଣେ ମହିଳା ଆଦିବାସୀ ମଞ୍ଚା ଉପରେ ଶୋଇଥିବା ବେଳେ ଜଣେ ଫରେଷ୍ଟ ଗାର୍ଡ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୧୦. ଏପ୍ରିଲ ୧୮ (ଠାକୁର ମୁଣ୍ଡା)- ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାଠାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇ ମୁମୂର୍ଷ ଅବସ୍ଥାରେ ରାସ୍ତାକଡରେ ଫିଙ୍ଗିଦେଇଥିଲେ ଦୁଷ୍କର୍ମକାରୀ। ଯାହା ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି କରିଥିଲା ଏବଂ ଉତ୍ତ୍ୟକ୍ତ ଲୋକମାନେ ଠାକୁରମୁଣ୍ଡା ଥାନା ଘେରାଉ କରିଥିଲେ। ୧୧. ଏପ୍ରିଲ ୨୧ (ସାଲେପୁର)- ସାଲେପୁରର ଜଣେ ଛଅ ବର୍ଷର ନାବାଳିକା ଚକୋଲେଟ ଆଣିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲା। ପରେ ପୀଡିତା ଜଣକ ସ୍ଥାନୀୟ ସ୍କୁଲ ପରିସରରୁ ମୁମୂର୍ଷ ଅବସ୍ଥାରେ ମିଳିଥିଲା। ପ୍ରାୟ ସପ୍ତାହରୁ ଅଧିକ କାଳ କଟକ ବଡ଼ ମେଡିକାଲରେ ସଂଘର୍ଷ କରିବା ପରେ ପୀଡିତା ଜଣକ ଆଖି ବୁଜିଥିଲେ। ୧୨. ଏପ୍ରିଲ ୨୫ (ଜଗତସିଂହପୁର)- ଜଗତସିଂହପୁର ପୌରାଂଚଳରେ ୧୧ ଓ ୧୪ ବର୍ଷର ଦୁଇ ଜଣ ନାବାଳକ ଜଣେ ପ୍ରଥମ ଶ୍ରେଣୀର ନାବାଳିକାକୁ ଥଣ୍ଡାପାନୀୟ ଦେବା ନାଁରେ ନିକଟରେ ଥିବା ପ୍ରାଥମିକ ସ୍କୁଲକୁ ଡାକି ନେଇ ଦୁଷ୍କର୍ମ କରିଥିଲେ। ୧୩. ମେ ୭ (ପିପିଲି)- ଆମ୍ୱ ଖାଇବାକୁ ଡାକି ନେଇ ଜଣେ ଯୁବକ ୭ ବର୍ଷର ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିଲା। ୧୪. ମେ ୮ (ବ୍ରହ୍ମଗିରି)- ଚକୋଲେଟ ଓ କିଛି ଖୁଚୁରା ପଇସାର ପ୍ରଲୋଭନ ଦେଖାଇ ୯ ବର୍ଷର ଜଣେ ମାନସିକ ଅନଗ୍ରସର ନାବାଳିକାକୁ ସେହି ଗ୍ରାମର ଜଣେ ବ୍ୟକ୍ତି ଗାଁ ନିକଟସ୍ଥ ଏକ ଜଙ୍ଗଲକୁ ଡାକିନେଇ ଦୁଷ୍କର୍ମ କରିଥିଲା। ୧୫. ମେ ୧୪ (ରାଉଲକେଲା)- ରାଉଲକେଲା ସେକ୍ଟର-୬ ରେ ରହୁଥିବା ଜଣେ ବିବାହିତା ନାରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଘରେ ସ୍ୱାମୀ ନଥିବା ସମୟରେ ୪ ଜଣ ଅଭିଯୁକ୍ତ ଏହିଭଳି କାଣ୍ଡ ଘଟାଇଛନ୍ତି। ୧୬. ୦୪ ଜୁନ (ଖଜୁରିପଡା)- କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଂଚଳରେ ଜଣେ ୧୫ ବର୍ଷର ନାବାଳିକା ହାଟରୁ ଫେରୁଥିବା ବେଳେ ୨ ଜଣ ଯୁବକ ଜଙ୍ଗଳକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ୧୭. ୧୬ ଜୁନ (ବେତନଟି)- ମୟୂରଭଞ୍ଜ ଜିଲା ବେତନଟି ଅଂଚଳରେ ଜଣେ ୮ ବର୍ଷର ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରାଯାଇଥିଲା। ୧୮. ୧୬ ଜୁନ (ଘୁ.ଉଦୟଗିରି)- କନ୍ଧମାଳ ଜିଲା ଘୁ.ଉଦୟଗିରିରେ ୧୫ ତାରିଖ ବିଳମ୍ୱିତ ରାତିରେ ଜଣେ ମହିଳା ଗୃହରକ୍ଷୀ ନିଜ ଘରେ ଥିବା ବେଳେ ଭାରତୀୟ ସେନା ବିହାର ରେଜିମେଂଟରେ କାର୍ଯ୍ୟରତ ଯବାନ ଟୁଲୁ ପ୍ରଧାନ ଘରେ ପଶି ମାଡ଼ ମାରିବା ସହ ବଳାତ୍କାର କରିଥିଲୋ। ୧୯. ୧୯ ଜୁନ (କୋରେଇ)- ଯାଜପୁର ଜିଲା କୋରେଇ ବ୍ଲକରେ ଜଣେ ନାବାଳିକାକୁ ଦୁର୍ବୃତ୍ତମାନେ ଦୁଷ୍କର୍ମ ପରେ ହତ୍ୟା କରି କୋରେଇ ଥାନା ନିକଟସ୍ଥ ପୋଖରୀରେ ଫିଙ୍ଗିଦେଇଥିଲେ। ୨୦. ୧୯ ଜୁନ( ବିଂଝାରପୁର)- ଯାଜପୁର ଜିଲା ବିଂଝାରପୁରରେ ଜଣେ ଯୁବତୀଙ୍କୁ ଗୁରିଆ ସେଠୀ ନାମକ ଯୁବକ ଯାଜପୁର ଟାଉନ ଡାକି ନେଇ ତାଙ୍କ ସାଙ୍ଗମାନଙ୍କ ସହ ନିଶା ଔଷଧ ଦେଇ ଦୁଷ୍କର୍ମ କରିଥିଲେ। ୨୧. ୨୬ ଜୁନ(ବେତନଟି)- ମୟୁରଭଞ୍ଜ ଜିଲା ଖଡିଶାଳ କଲୋନି ସାହିରେ ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ଦ୍ୱାରା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍ତ୍ତି କରାଯାଇଥିଲା। ୨୨. ୨୬ ଜୁନ (ଛେଣ୍ଡିପଦା)- ଅନୁଗୁଳ ଜିଲା ଛେଣ୍ଡିପଦାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ସେହି ଭିଡିଓକୁ ଭାଇରାଲ କରାଯାଇଥିଲା। ୨୩. ୦୬ ଜୁଲାଇ (ବାଲେଶ୍ୱର)- ବାଲେଶ୍ୱର ଜିଲା ବସ୍ତାଠାରେ ଜଣେ ୧୨ ବର୍ଷର ନାବାଳିକା ଦୁଷ୍କର୍ମ ପରେ ଅନ୍ତଃସତ୍ତ୍ବା ହୋଇଥିଲେ। ପ୍ରଥମେ ପୋଲିସ ଧମକଚମକ ଦେଇ ଯୁବତୀଙ୍କ ବୟାନ ବଦଳାଇଦେଇଥିଲେ ଏବଂ ଡାକ୍ତରିମାଇନା ନକରିବାକୁ ମଧ୍ୟ ପୀଡିତାକୁ ବାଧ୍ୟ କରାଇଥିଲେ। ପୀଡିତା ଅନ୍ତଃସତ୍ତ୍ବା ଥିବା ଜଣାପଡିବା ପରେ ନାରୀ ସଙ୍ଘ ଘଟଣାର ପୁନଃ ତଦନ୍ତ ପାଇଁ ଦାବି କରିଥିଲେ ଏବଂ ନ୍ୟାୟ ନମିଳିଲେ ଆ୍ମାହୂତି ଦେବେ ବୋଲି ନାବାଳଇକା ଜଣକ ଚେତାବନୀ ଦେଇଥିଲେ। ୨୪. ୩୦ ଜୁଲାଇ (ଧାମନଗର)- ଭଦ୍ରକ ଜିଲା ଧାମନଗର ଥାନା ଦଇତାପୁର ପଂଚାୟତ ତାଳସିଠା ଅଂଚଳରେ ମାଆକୁ ଶିଳପୁଆରେ ଛେତି ମାରିବା ସହ ୧୬ ବର୍ଷର ଝିଅକୁ ବଳାତ୍କାର ହୋଇଥିଲା। ୨୫. ୦୧ ଅଗଷ୍ଟ (ରାଉରକେଲା)- ରାଉରକେଲା ବନ୍ଧମୁଣ୍ଡା-ବିଶ୍ରା ରାସ୍ତା କଡରେ ଜଣେ ମାତାଲ ଯୁବକ ଜଣେ ମାନସିକ ଭିନ୍ନକ୍ଷମଙ୍କୁ ଦୁଷ୍କର୍ମ କରିଥିଲା। ପୁଲିସ ଏଭଳି ସମ୍ୱେଦନଶୀଳ ଅଘଟଣକୁ ହାଲୁକା ଭାବେ ନେଇ ପୀଡିତାଙ୍କୁ ସେଠାରୁ ଛାଡିଦେଇ ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ନେଇଯାଇ କିଛି ସମୟ ପରେ ଛାଡିଦେଇଥିଲା। ୨୬. ୧୦ ଅଗଷ୍ଟ (ରାଉରକେଲା)- ରାଉରକେଲା ବିଶ୍ରା ଥାନା ରତାଖଣ୍ଡି ଗାଁ ଜଙ୍ଗଲରେ ଜଣେ ଆଦିବାସୀ ନାବାଳିକାକୁ ୪ ଜଣ ସାଙ୍ଗ ଗଣଦୁଷ୍କର୍ମ କରିଥିଲେ। ପୀଡିତାଙ୍କୁ ଏତଲା ଦେବା ପାଇଁ ଥାନାରୁ ଥାନା ଦୌଡ଼ିବାକୁ ପଡିଥିଲ॥ ୨୭. ୧୧ ଅଗଷ୍ଟ (କୋରେଇ)- ଯାଜପୁର ଜିଲା କୋରେଇଠାରେ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁର୍ବୃତ୍ତମାନେ ପାଇଟି ଦେବାକୁ କହି ରାତିସାରା ଗଣଦୁଷ୍କର୍ମ କରିଥିଲେ ଓ ତାକୁ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ। ୨୮. ୨୨ ଅଗଷ୍ଟ (ବ୍ୟାସନଗର)- ଯାଜପୁର ଜିଲ୍ଲା ବ୍ୟାସନଗରରେ ଜଣେ ୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ୨୯. ୨୩ ଅଗଷ୍ଟ (କୁଆଖିଆ)- ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଂଚଳରେ ଜଣେ ଯୁବତୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ କରାଯାଇଥିଲା। ମାମଲାର ରଫାଦଫା ପାଇଁ ଗାଁରେ କଙ୍ଗାରୁ କୋର୍ଟ ବସାଇ ଯୁବତୀଙ୍କ ବାପା ଉପରେ ଚାପ ପକାଯଇଥିବା ଚର୍ଚ୍ଚା ହୋଇଥିଲା। ଏମିତିକି ପ୍ରଭାବଶାଳୀ ବ୍ୟକ୍ତିମାନେ ପୀଡିତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ୩୦. ୦୯ ସେପ୍ଟେମ୍ୱର (ବେତନଟି)- ମୟୂରଭଞ୍ଜ ଜିଲା ବେତନଟି ଅନ୍ତର୍ଗତ ବୈଶିଙ୍ଗା ଥାନା ଅଧୀନ ଟିକାୟତପୁର ତଳସାହିରେ ୧୨ଟା ସମୟରେ ଜଣେ ବିବାହିତା ଆଦିବାସୀ ମହିଳାଙ୍କ ଘରେ ପଶି ୪ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ୩୧. ୨୨ ସେପ୍ଟେମ୍ୱର (କୋଟଗଡ)- କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ହାଟପଦା ସାହିରେ ୯ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରି ମୃତ ଦେହକୁ ବିଲରେ ଫିଙ୍ଗିଦେଇଥିଲେ। ସ୍ଥାନୀୟ ଜନସାଧାରଣ ରାସ୍ତାରୋକ କରିଥିଲେ। ୩୨. ୩୦ ସେପ୍ଟେମ୍ୱର (ସିମୁଳିଆ)- ବାଲେଶ୍ୱର ଜିଲା ସିମୁଳିଆଠାରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଲୋକଲଜ୍ଜାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ୩୩. ୧୧ ଅକ୍ଟୋବର (ବୈଶିଙ୍ଗା)- ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନାର ବାଘୁଆ ଗ୍ରାମରେ ନବମ ଶ୍ରେଣୀରେ ପଢୁଥିବା ନାବାଳିକା ଶିକାର ହୋଇ ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ୩୪. ୨୫ ଅକ୍ଟୋବର (ଟାଙ୍ଗୀ)- କଟକ ଜିଲା ଟାଙ୍ଗୀ ଅଂଚଳରେ ଦଶହରା ଛୁଟିରେ ଘରକୁ ଆସିଥିବା ପଂଚମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କୁ ୩୦ ବଷୀର୍ୟ ଜଣେ ଯୁବକ ଅପହରଣ କରି ଦୁଷ୍ମର୍ମ କରିଥିଲେ। ୩୫. ୦୧ ନଭେମ୍ୱର(ପୋଲସରା) -ଗଞ୍ଜାମ ଜିଲ୍ଲା ପୋଲସରାଠାରେ ଘରୁ ଟଙ୍କା ସୁନା ଚୋରି କରିବା ସହ ୮ ବର୍ଷର ନାବାଳିକାକୁ ଦୁଇ ଜଣ ଯୁବକ ବିଲକୁ ନେଇ ଗଣଦୁଷ୍କର୍ମ କରିଥିଲେ। ୩୬. ୦୩ ନଭେମ୍ୱର (କରଞ୍ଜିଆ)- ମୟୂରଭଞ୍ଜ କରଞ୍ଜିଆଠାରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରୀକୁ ଦୁଷ୍କର୍ମ ହୋଇଥିଲା। ୩୭. ୦୩ ନଭେମ୍ୱର (ବଡସାହି)- ବଡସାହି ଥାନା ଅନ୍ତର୍ଗତ ଟିକାୟତପୁର ଗ୍ରାମରେ ଜଣେ ମହିଲା ଭୋଜି ଖାଇବାକ ଯାଇ ଦୁଷ୍କର୍ମର ଶିକାର ହୋଇଥିଲେ। ୩୮. ୩୦ ନଭେମ୍ୱର (ଢେଙ୍କାନାଳ)- ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ଗାଁରେ ଗୁଡ ନ୍ୟୁଜ ଇଣ୍ଡିଆ ନାମକ ଏକ ଆଶ୍ରୟ ଗୃହରେ ୬ ବର୍ଷ ଧରି କେଳେଙ୍କାରୀ ଚାଲିତିବା ଅଭିଯୋଗ ହୋଇଥିଲା। ଅନୁଷ୍ଠାନର ମୁଖ୍ୟଙ୍କ ନାମରେ ଯୌନ ନିର୍ଯାତନାର ଅଭିଯୋଗ କରିଥିଲେ ଦୁଇ ନାବାଳିକା। ୩୯. ୦୧ ଜାନୁଆରୀ (ଝାରସୁଗୁଡା)- ଝାରସୁଗୁଡାରେ ଜିରୋ ନାଇଟରେ ଜଣେ ମହିଳାକୁ ରାସ୍ତାରୁ ଉଠାଇନେଇ ରାତିସାରା ଗଣଦୁଷ୍କର୍ମ କରିଥିଲେ। ୪୦. ୦୩ ଜାନୁଆରୀ (ହିନ୍ଦୋଳ)- ଢେଙ୍କାନାଳ ଜିଲା ହିନ୍ଦୋଲ ବ୍ଲକରେ ସପ୍ତମ ଶ୍ରେଣୀ ପଢୁଥିବା ନାବାଳିକାକୁ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ କରାଯାଇଥିଲା। ୪୧. ୧୦ ଜାନୁଆରୀ (ଗୁଆଲି)- କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଗୁଆଲି ପଂଚାୟତର ନଦିଡିହି ନୂଆଗାଁରେ ୭ ବର୍ଷର ଶିଶୁକନ୍ୟାକୁ ଜଣେ ୧୯ ବର୍ଷର ଯୁବକ ଦୁଷ୍କର୍ମ କରିଥିଲା। ୪୨. ୧୬ ଜାନୁଆରୀ (ବୈଶିଙ୍ଗା)- ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନାର ୧୦ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା। ୪୩. ୧୬ ଜାନୁଆରୀ (ବଡସାହି)-ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଦେଉଳିଆ ନୂଆସାହି ର ୫ ବର୍ଷର ଶିଶୁକନ୍ୟାଟି ଖେଳୁଥିବା ବେଳେ ସେହି ଗ୍ରାମର ୩୫ ବର୍ଷର ଯୁବକ ସାଇକେଲରେ ବସାଇ ଜଙ୍ଗଲକୁ ନେଇଯାଇଥିଲେ ସେଠାରେ ଦୁଷ୍ମର୍ମ କରି ଗୁରୁତର ଅବସ୍ଥାରେ ତାଙ୍କୁ ଘରେ ଛାଡି ଫେରାର ହୋଇଯାଇଥିଲେ। ୪୪. ୧୮ ଜାନୁଆରୀ (ଢେଙ୍କାନାଳ)- ଢେଙ୍କାନାଳ ଜିଲା ସଦର ବ୍ଲକର ଏକ ସେବାଶ୍ରମ ସ୍କୁଲର ଏକ ଅଷ୍ଟମ ଶ୍ରେଣୀ ଛାତ୍ରୀ ୭ ମାସ ଗର୍ଭବତୀ ଥିବା ଜଣାପଡିଥିଲା। ୪୫. ୧୮ ଜାନୁଆରୀ (କଳାହାଣ୍ଡି)- କଳାହାଣ୍ଡି ନର୍ଲା ନବୋଦୟ ସ୍କୁଲର ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିବା ପରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଥିଲା। ପୀଡିତାଙ୍କ ଅବସ୍ଥା ଗୁରୁତର ଥିଲେ ବି ତାକୁ ଡିସଚାର୍ଜ କରାଯାଇ ବାହାରକୁ ପଠାଇ ଦିଆଯାଇଥିଲା। ଏମିତିକି ପୀଡିତାଙ୍କ ଉପରେ ସମସ୍ତ ଦୋଷ ଲଦିବାକୁ ଉଦ୍ୟମ ହୋଇଥିଲା। ୪୬. ୧୮ ଜାନୁଆରୀ (ଯାଜପୁର)- ଯାଜପୁର ଜିଲା ଦାନଗଦି ବ୍ଲକରେ ଜଣେ ଯୁବକ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ନାବାଳିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ୪୭. ୧୮ ଜାନୁଆରୀ (ସମ୍ୱଲପୁର)- ସମ୍ୱଲପୁର ଜିଲା ମହୁଲପାଲି ଥାନାର ତୋରେଇ ଗାଁରେ ଦୁଇ ଭାଇ ଭାଉଣୀ ମେଳା ଦେଖିବାକୁ ଯାଇ ଫେରିବା ସମୟରେ ୪ ଜଣ ଯୁବକ ୧୫ ବର୍ଷୀୟ ଭଉଣୀକୁ ସାନ ଭାଇ ଆଗରେ ଗଣଦୁଷ୍କର୍ମ କଲେ। ୪୮. ୧୯ ଜାନୁଆରୀ (ଧର୍ମଗଡ)- କଳାହାଣ୍ଡି ଜିଲା ଧର୍ମଗଡ ଅଂଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇ ଅନ୍ତଃସତ୍ତ୍ବା ହୋଇଛନ୍ତି। ୪୯. ୨୦ ଜାନୁଆରୀ (ଅନୁଗୁଳ)- ଅନୁଗୁଳ ଜିଲା କାଙ୍ଗୁଲା ଅଂଚଲରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ମଶାଣିକୁ ଫିଙ୍ଗି ଦିଆଯାଇଛି। ୫୦. ୨୧ ଜାନୁଆରୀ (କେନ୍ଦ୍ରାପଡ଼ା) - ପାଟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ୧୦ ଶ୍ରେଣୀ ଛାତ୍ରୀ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି।

Share :