ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା ସରକାରଙ୍କ ଖଣି ଓ ଶିଳ୍ପ ପ୍ରୀତି ଯୋଗୁଁ ଉଜୁଡ଼ି ଯାଇଛି ରାଜ୍ୟର ପ୍ରାୟ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କ ସଂସାର। ଦାମୀ ସିଗାରେଟ ଓ ମଦର ବଜାର ପାଇଁ ବିଡ଼ି ଶିଳ୍ପକୁ ନିରୁତ୍ସାହିତ କରିବାକୁ ରାଜ୍ୟ ସରକାର ଚଳାଇଥିବା ଏକ ଚାଲ୍ ମଧ୍ୟ ରାଜ୍ୟର କେନ୍ଦୁପତ୍ର କାରବାରକୁ ସଂକୁଚିତ କରିଚାଲିଛି। ତେବେ ରାଜ୍ୟ ସରକାର ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷାରେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ଫଳରେ କେନ୍ଦୁପତ୍ର ଶ୍ରମିକଙ୍କ ସ୍ବାର୍ଥହାନୀ ଘଟିଛି। ଅନୁସନ୍ଧାନରୁ ଜଣାଯାଇଛି ଯେ ଓଡ଼ିଶାରେ ମୋଟ ୧୯ଟି କେନ୍ଦୁପତ୍ର ବନଖଣ୍ଡରେ ପ୍ରାୟ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳି ଏହି କାରବାର ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାନ୍ତି। ଏହି ବେଉସାରୁ ମିଳୁଥିବା ମଜୁରୀ ଓ ଅନ୍ୟ କେତେକ ସୁବିଧା ଉପରେ ପ୍ରାୟ ୧୦ ଲକ୍ଷ ପରିବାର ନିର୍ଭରଶୀଳ। ମୁଖ୍ୟତଃ ଆଦିବାସୀମାନେ କେନ୍ଦୁପତ୍ର ସଂଗ୍ରହ ଓ ବିପଣନ ସହିତ ଜଡ଼ିତ ଥାଆନ୍ତି। ଏହା ଏକ ଲଘୁ ବନଜାତ ଦ୍ରବ୍ୟ ହୋଇଥିବାରୁ ଏହାର ସଂଗ୍ରହ ଓ ବିପଣନ ଅଧିକାର ମଧ୍ୟ ସଂପୂର୍ଣ୍ଣ ଭାବେ ଆଦିବାସୀମାନଙ୍କର। ତେବେ ଏବେ ବି ଏହା ଉପରେ ସରକାରୀ ନିୟନ୍ତ୍ରଣ ଜାରି ରହିଛି। ରାଜ୍ୟ ସରକାର ଏହି କାରବାର ଉପରେ ଏକଚାଟିଆ ଅଧିକାର ଅବ୍ୟାହତ ରଖିଛନ୍ତି। ୧୯୯୦-୯୫ ମଧ୍ୟରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ରାଜ୍ୟରେ ୪ ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ସଂଗୃହୀତ ହେଉଥିଲା। ୨୦୦୦ ମସିହା ପର୍ଯ୍ୟନ୍ତ ଏହି ଧାରା ବଜାୟ ରହିଥିଲା। କିନ୍ତୁ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରଠୁଁ କ୍ରମାଗତ ଭାବରେ ରାଜ୍ୟ ସରକାରଙ୍କର କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟ ହ୍ରାସ ପାଇଚାଲିଛି। ଏବେ ମାତ୍ର ୧ ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାର କେନ୍ଦୁପତ୍ର କିଣୁ ନଥିବାରୁ ସଂଗ୍ରାହକମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ସରକାର କିଣୁ ନଥିବାରୁ ସଂଗ୍ରାହକମାନେ ପତ୍ର ନଷ୍ଟ କରିବା ଅପେକ୍ଷା ଘରୋଇ ବେପାରୀଙ୍କୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ତେବେ ରାଜ୍ୟ ସରକାରଙ୍କର ଶିଳ୍ପ ଓ ଖଣି ପ୍ରୀତି ଯୋଗୁଁ ଅନେକ ଅଂଚଳରେ କେନ୍ଦୁପତ୍ର ଜଙ୍ଗଲ ପରିମାଣ ଦ୍ରୁତଗତିରେ ହ୍ରାସ ପାଇଛି। ସରକାରଙ୍କ ବାଛବିଚାରହୀନ ଶିଳ୍ପାୟନ ଯୋଗୁଁ କେନ୍ଦୁ ଜଙ୍ଗଲ କମିବା ଫଳରେ ପତ୍ର ତୋଳା ମଧ୍ୟ କମିଯାଇଛି। ୨୦୧୮ ମସିହାରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କ ପାରିଶ୍ରମିକ ବୃଦ୍ଧି କରିଥିଲେ। ସେହି ସମୟରେ ବିଡ଼ା ପିଛା ୧ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ବରୁ ତାହା ୮୦ ପଇସା ଥିଲା। ସେହିପରି ତୋଳାଳିଙ୍କୁ ୧୦୦ ପ୍ରତିଶତି ବୋନସ୍ ଓ ଋତୁକାଳୀନ ଶ୍ରମିକଙ୍କୁ ୨୦ ପ୍ରତିଶତ ବୋନସ ଦେବାକୁ ସରକାର ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ ତୋଳାଳି ଓ ଶ୍ରମିକମାନଙ୍କୁ ବୋନସ୍ ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ପୂର୍ବରୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କୁ ମିଳୁଥିବା ଭତ୍ତା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ବନ୍ଦ ହୋଇଯାଇଛି। ସେମାନଙ୍କୁ ଆଗରୁ ଦିଆଯାଉଥିବା ଜୋତା ବି ଆଉ ଦିଆଯାଉନାହିଁ। ଏହା ଫଳରେ ରାଜ୍ୟର ୧୨ କେନ୍ଦୁପତ୍ର ତୋଳାଳିଙ୍କ ପରିବାର ଉଜୁଡ଼ି ଗଲାଣି। ସେମାନଙ୍କର ବିକଳ୍ପ ତଥା ସ୍ଥାୟୀ ରୋଜଗାରର ମଧ୍ୟମ ଏକରକମ ବନ୍ଦ ହୋଇଯାଇଥିବାବେଳେ ସରକାରଙ୍କ ତରଫରୁ ଅନ୍ୟ କୌଣସି ଆୟର ପନ୍ଥା ସୃଷ୍ଟି କରାଯାଇ ନାହିଁ। ଅଧିକନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କର ଜଙ୍ଗଲ ଜମି ଅଧିକାରକୁ ମଧ୍ୟ ରାଜ୍ୟ ସରକାର ସ୍ବୀକାର କରିନାହାନ୍ତି। ତେଣୁ ସୁପ୍ରିମ କୋର୍ଟଙ୍କ ରାୟ କାର୍ଯ୍ୟକାରୀ ହେଲେ ସେମାନଙ୍କୁ ସରକାର ଜଙ୍ଗଲ ଜମିରୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ନିଶ୍ଚିତ। କେନ୍ଦୁପତ୍ର ଉତ୍ପାଦନ ଓ ବିପଣନ ନେଇ ଓଡ଼ିଶା ସରକାର ଏହିପରି ବାଧକ ସୃଷ୍ଟି କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ଦୋଷ ଅଜାଡ଼ିଛନ୍ତି। କେନ୍ଦୁପତ୍ର ଉପରେ ଆଗରୁ ୫ ପ୍ରତିଶତ ଭାଟ୍ ଲାଗିଥିଲା। କିନ୍ତୁ ଜିଏସଟି ଆରମ୍ଭ ହେବା ପରେ ଏହା ୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅଧିକ ଟିକସ କେନ୍ଦୁପତ୍ରର ଚାହିଦା କମାଇଛି ବୋଲି ରାଜ୍ୟ ସରକାର ବିଶ୍ବାସ କରୁଛନ୍ତି। ତେଣୁ କେନ୍ଦୁପତ୍ର ଉପରେ ଜିଏସଟି ହାର ୫ ପ୍ରତିଶତକୁ କମାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।