ସ୍ବାସ୍ଥ୍ୟ ସଂକଳ୍ପରେ ସଂପୂର୍ଣ୍ଣ ଫେଲ୍‌ ନବୀନ ସରକାର!

ସ୍ବାସ୍ଥ୍ୟ ସଂକଳ୍ପରେ ସଂପୂର୍ଣ୍ଣ ଫେଲ୍‌ ନବୀନ ସରକାର!

Share :

ବିଗତ ୧୯ ବର୍ଷ ଧରି ରାଜ୍ୟରେ ବିଜୁ ଜନତା ଦଳର ସ୍ଥିର ସରକାର ଶାସନରେ ଅଛି। ଜଣେ ମୁଖ୍ୟମନ୍ତ୍ରୀ ଶାସନ ଗାଦିରେ ୧୯ ବର୍ଷ ହେଲାଣି ବସିଛନ୍ତି। ୧୯ ବର୍ଷର କାଳଖଣ୍ଡ ଗୋଟିଏ ରାଜ୍ୟକୁ ବିକାଶର ଶିଖରରେ ପହଂଚାଇବା ପାଇଁ ଯଥେଷ୍ଟ। ହେଲେ ନବୀନ ବାବୁ ବିକାଶର ଶିଖରରେ ପହଂଚାଇବା ତ ଦୂରର କଥା ରାଜ୍ୟବାସୀଙ୍କୁ ନ୍ୟୁନତମ ସ୍ୱାସ୍ଥ୍ୟ ସେବା ବି ପହଞ୍ଚାଇ ପାରିନାହାନ୍ତି। ଓଡିଶା ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ମୁଖ୍ୟମନ୍ତ୍ରୀଙ୍କର ସ୍କୋରକାର୍ଡ ଅତ୍ୟନ୍ତ ନୈରାଶ୍ୟ ଜନକ। କେବଳ ୨୦୧୪ ନିର୍ବାଚନର ପ୍ରତିଶୃତି ନୁହେଁ ବଂର ୨୦୦୦ ମସିହା, ୨୦୦୪ ମସିହାର ଓ ୨୦୦୯ ମସିହାର ପ୍ରତିଶୃତି ବି ପୂରଣ କରିନାହାନ୍ତି ନବୀନ ସରକାର। ଏ ଭ୍ରଷ୍ଟାଚାରୀ ଓ ଅପାରଗ ରାଜ୍ୟ ସରକାର ବଦଳିବା ଦରକାର। ଓଡିଶା ଲୋକ ପରିବର୍ତନ ଚାହିଁଲେଣି। ଚଳିତ ନିର୍ବାଚନରେ ଓଡିଶା ଲୋକେ ଏ ସରାକରକୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ। ଶ୍ରୀ ଷଡଙ୍ଗୀ କହିଛନ୍ତି ନବୀନ ସରକାର ୨୦୦୦ ମସିହା ଇସ୍ତାହାରରେ ପ୍ରତ୍ୟେକ ୨୫ ହଜାର ଲୋକସଂଖ୍ୟା ପାଇଁ ଡାକ୍ତରଖାନା ଖୋଲିବା ନେଇ ପ୍ରତିଶୃତି ଦେଇଥିଲେ। ସେହିପରି ୨୦୦୪ ମସିହା ଇସ୍ତାହାରରେ ପ୍ରତି ୨୦ ହଜାର ଜନସଂଖ୍ୟା ପାଇଁ ଏକ ସ୍ୱୟଂ ସଂପୂର୍ଣ୍ଣ ଡାକ୍ତରଖାନା ଖୋଲାଯିବା ପାଇଁ ପ୍ରତିଶୃତି ଦେଇଥିଲେ। ହେଲେ ସେ ପ୍ରତିଶୃତି ପାଣିର ଗାର ପାଲଟିଛି। ରାଜ୍ୟରେ ପ୍ରତି ୩୪ ହଜାର ଜନସଂଖ୍ୟାରେ ଗୋଟିଏ ଡାକ୍ତରଖାନା ଅଛି। କେଉଁ ଡାକ୍ତରଖାନାରେ ଡାକ୍ତର ନାହାନ୍ତି ତ କେଉଁଠି ଏକସ୍ରେ ମେସିନ ନାହିଁ। ସ୍ୱୟଂ ସଂପୂର୍ଣ୍ଣ ଡାକ୍ତରଖାନାର ପ୍ରତିଶୃତି ଦେଇଥିଲେ ହେଲେ ରକ୍ତ ପରୀକ୍ଷା ଭଳି ନ୍ୟୁନତମ ଚିକିତ୍ସା ସୁବିଧା ଆଜି ବି ଅନେକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ନାହିଁ। ଡାକ୍ତରଖାନାମାନଙ୍କରେ ବେଡ ନାହଁି, ସଫେଇ ହେଉନଥିବାରୁ ଡାକ୍ତରଖାନା ପରିସର ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡିଛି। ସରକାରଙ୍କର ଏଥିପ୍ରତି ନିଘା ନାହିଁ। ରାଜ୍ୟରେ ସରକାରୀ ଡାକ୍ତରଖାନାରେ ୩୧୩୩ ଡାକ୍ତର ପଦ ଖାଲି ପଡିଛି। ରାଜ୍ୟରେ ବିଭିନ୍ନ ଡାକ୍ତରଖାନାରେ ୬୫୩୬ ଡାକ୍ତର ପଦବି ରହିଥିବାବେଳେ ଏଥିରେ ମାତ୍ର ୩୪୦୩ ଡାକ୍ତର ଅଛନ୍ତି। ବାକି ୩୧୩୩ ପଦବୀରେ ଡାକ୍ତର ନାହାନ୍ତି। ଏକଥା ବିଧାନସଭାର ଶେଷ ଅଧିବେସନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତରରେ କହିଥିଲେ। କେନ୍ଦ୍ରରେ ମୋଦି ସରକାର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ସାରା ଦେଶରେ ଲାଗୁକଲେ। ଦେଶର ସମସ୍ତ ରାଜ୍ୟ ଏହି ଯୋଜନାକୁ ଲଗୁକଲେ। ହେଲେ ଓଡିଶା ସରକାର ଏହାକୁ ଲାଗୁ କଲେ ନାହିଁ। ନରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା ବଢିଯିବା ଭୟ କାରଣରୁ ରାଜ୍ୟ ସରକାର ଓଡିଶାରେ ଏହି ଯୋଜନାର ଲାଭରୁ ଓଡିଆ ଲୋକମାନଙ୍କୁ ବଂଚିତ କଲେ। ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତି ରାଜ୍ୟ ସରକାର ଆପଣେଇଛନ୍ତି। ବାର୍ଷିକ ୫ ଲକ୍ଷ ଟଙ୍କା ଯାଏଁ ସ୍ୱାସ୍ଥ୍ୟ ବୀମାର ସୁବିଧାରୁ ଗରିବ ଓଡିଆ ଲୋକଙ୍କୁ ବଂଚିତ କରିବାର ଅଧିକାର ଏ ରାଜ୍ୟ ସରକାରଙ୍କୁ ଦେଲା କିଏ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଥ୍ୟା ବିଜ୍ଞାପନ ଦେଇ ଲୋକମାନଙ୍କୁ ଭ୍ରମିତ କରାଯାଇଛି। ନୂଆପଡା ଜିଲ୍ଲାର ଜଣେ ଯୁବକ, ଲକ୍ଷ୍ମୀକାନ୍ତ କୁମ୍ଭାର ଯିଏ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହୋଇଛନ୍ତି ବୋଲି ଯାହାଙ୍କର ଫଟୋ ସରକାର ବିଭିନ୍ନ ଖବର କାଗଜରେ ଛାପିଥିଲେ ପରେ ସେହି ଯୁବକ ରାଜ୍ୟ ସରକାରଙ୍କର ଏହି ମିଥ୍ୟା ବିଜ୍ଞାପନର ମୁଖା ଖୋଲିଥିଲେ। ଖାଲି ସେତିକି ନୁହେଁ ମାତ୍ର ୨ ମାସରେ ୧ କୋଟି ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହୋଇଛନ୍ତି ବୋଲି ରାଜ୍ୟ ସରକାର ଆଉ ଏକ ମିଥ୍ୟା ବିଜ୍ଞାପନ ଦେଇଥିଲେ। ୨୦୧୬-୧୭ରେ ରାଜ୍ୟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ଓଡିଶା ଷ୍ଟେଟ ଟ୍ରିଟମେଂଟ ଫଣ୍ଡ ଏହି ସମୁଦାୟ ତିନୋଟି ଯୋଜନାରେ ସମୁଦାୟ ୧୨ ଲକ୍ଷ ୬୦ ହଜାର ଲୋକ ଉପକୃତ ହୋଇଥିଲେ। ହେଲେ ମାତ୍ର ୨ ମାସ ଭିତରେ କିପରି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏକ କୋଟି ଲୋକ ଉପକୃତ ହେଲେ ତାହା ସଂପୂର୍ଣ୍ଣ ସନ୍ଦେହଜନକ। ଜୁନ ୨୦୧୮ରେ ରାଜ୍ୟ ସରକାର ଘୋଷଣା କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ଦେବେ ବୋଲି। ହେଲେ ଏବେ ସୁଦ୍ଧା କାର୍ଡ କାହାକୁ ଦିଆଯାଇନଥିବା ବେଳେ ଏହା କେଉଁ ଏଜେନ୍ସି କରିବ ତାହାବି ଏବେ ସୁଦ୍ଧା ସ୍ଥିର ହୋଇନାହିଁ। ଏପରି ସ୍ଥିତିରେ ଏକ କୋଟିର ହିସାବ ରାଜ୍ୟ ସରକାର କେଉଁଠୁ ଆଣିଲେ ତାହା ଏକ ବଡ଼ ପ୍ରଶ୍ନ। ଆଇପିଚଏସ ନିୟମ ଅନୁସାରେ ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ଓ ୨୪ ଘଂଟା ପାଣିର ସୁବିଧା ନିହାତି ଆବଶ୍ୟକ ଥିବା ବେଳେ ରାଜ୍ୟରେ ୧୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ। ଏତେ ସଂଖ୍ୟାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ଓ ପାଣି ସଂଯୋଗ ହୋଇପାରି ନ ଥିବା ନବୀନ ପଟ୍ଟନାୟକ ସରକାରଙ୍କର ସ୍ଥାଣୁତା ଓ ଅପାରଗତାର ପ୍ରମାଣ ନୁହେଁ କି ବୋଲି ଶ୍ରୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି। ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ନିରାମୟ ଯୋଜନା ଡାକ୍ତରଖାନାମାନଙ୍କରେ ୫୦୦ ପ୍ରକାରର ଔଷଧ ମିଳିବାକୁ ଥିବାବେଳେ ହାତ ଗଣତି କେତୋଟି ଔଷଧ ମିଳୁଛି। ରାଜ୍ୟରେ ୫୨୯୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ । ରାଜ୍ୟରେ ମାତ୍ର ୧୨ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଚିକିତ୍ସା ସୁବିଧା ଥିବା ବେଳେ ବାକି ୧୮ ଜିଲ୍ଲାରେ ଏହି ସୁବିଧା ନାହିଁ। ଭାରତୀୟ ଜନ ସ୍ୱାସ୍ଥ୍ୟ ସେବା ମାନଙ୍କ ଅନୁସାରେ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଅତି କମ୍ରେ ଜଣେ ଡାକ୍ତର, ଗୋଟିଏ ଗୋଷ୍ଠୀୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଚାରି ଜଣ ବିଶେଷଜ୍ଞ ଆବଶ୍ୟକ। ମାତ୍ର ଓଡ଼ିଶାର ଚିତ୍ର ଅତି ନୈରାଶ୍ୟଜନକ। ରାଜ୍ୟରେ ୮୭% ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ୫୭% ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି। ରାଜ୍ୟ ୨୫% ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି। ଆୟୂଷ ଡାକ୍ତରମାନେ ଗ୍ରାମ୍ୟ ଅଂଚଳରେ ସ୍ୱାସ୍ଥ୍ୟ ସେବାର ମଙ୍ଗ ଧରିଥିବା ବେଳେ ସେମାନଙ୍କୁ ଏଲୋପ୍ୟାଥିକ ଡାକ୍ତରଙ୍କ ପରି ଦରମା ଓ ଅନ୍ୟାନ୍ୟ ସୁବିଧା କାହିଁକି ଦିଆ ଯାଉ ନାହିଁ ? ଓଡ଼ିଶାରେ ପ୍ରତି ଏକ ଲକ୍ଷ ଲୋକରେ ୯.୬୬ ଡାକ୍ତର ଅଛନ୍ତି। ଯାହାକି ଜାତୀୟ ହାରଠାରୁ ଢ଼େର କମ୍। ରାଜ୍ୟରେ ପ୍ରତି ୧୦,୦୦୦ ଲୋକଙ୍କ ପାଇଁ ୪ରୁ କମ୍ ବେଡ଼୍ ଅଛି ଯାହାକି ଅତି କମ୍ରେ ୧୦ ହେବା କଥା ବୋଲି ସେ କହିଛନ୍ତି। ରାଜ୍ୟରେ ପ୍ରମୁଖ ଏଲୋପ୍ୟାଥିକ ସରକାରୀ ମେଡିକାଲ କଲେଜରେ ବର୍ତମାନ ୩୧୪ଟି ଡାକ୍ତରି ଶିକ୍ଷକ ପଦବୀ ଖାଲି ପଡିଛି। ସେହିପରି ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ମେଡିକାଲ କଲେଜମାନଙ୍କରେ ୨୦୨ଟି ଡାକ୍ତରି ଶିକ୍ଷକ ପଦବି ଖାଲି ପଡିଛି। କଟକ ଶିଶୁ ଭବନର ଅବସ୍ଥା ପୁରା ସାଂଘାତିକ। ସେଠାରେ ୩୪ଟି ଡାକ୍ତର ପଦବୀ ଏବଂ ୬୫ଟି ଅଣ ଡାକ୍ତର ପଦବୀ ସେଠାରେ ଖାଲି ପଡିଛି ବୋଲି ଶ୍ରୀ ଷଡ଼ଙ୍ଗୀ ହିସାବ ଦେଇଛନ୍ତି।

Share :