ଓଡ଼ିଶାରେ ଯକ୍ଷ୍ମା ନିର୍ମୂଳନ କେବେ?

ଓଡ଼ିଶାରେ ଯକ୍ଷ୍ମା ନିର୍ମୂଳନ କେବେ?

Share :

ସ୍ବତନ୍ତ୍ର ପ୍ରତିନିଧି ସ୍ବେଚ୍ଛାସେବୀେ ଅନୁଷ୍ଠାନ ‘ସହଯୋଗ’ ଏବଂ ଅକ୍ସଫାମ ଇଣ୍ଡିଆର ମିଳତ ପ୍ରୟାସରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରାରମ୍ଭେରେ ଅନୁଷ୍ଠାନର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ସ୍ୱାଗତ ଅଭିଭାଷଣ ଦେଇଥିଲେ ଏବଂ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଆୟୋଜନର ଉଦ୍ଦେଶ୍ୟ ସର୍ମ୍ପକରେ ସୂଚନା ଦେଇଥିଲେ। ଯକ୍ଷ୍ମାରୋଗ ସାଧାରଣ ମଣିଷ ଜୀବନକୁ ବିପଦଗ୍ରସ୍ତ କରୁଥିବା ଏକ ବିଶ୍ୱ ସମସ୍ୟା। ଏହାର ନିରାକରଣ ପାଇଁ ସବୁ ସ୍ତରରେ ପ୍ରୟାସ ଦରକାର। ସମୟୋଚିତ ଉତ୍କୃଷ୍ଟ ଚିକିତ୍ସା, ଉପଚାର ଓ ଯତ୍ନ ଯକ୍ଷ୍ମା ରୋଗୀଙ୍କୁ ରୋଗମୁକ୍ତ କରିବା ସହିତ ଯକ୍ଷ୍ମା ନିରୋଧରେ ସାହାଯ୍ୟ କରିବ ବୋଲି ମତ ପ୍ରକାଶ ପାଇଥିଲା। ଏହା ସହିତ ଏହି ରୋଗର ନିରାକରଣ ପାଇଁ ରାଜନୀତିକ ପ୍ରତିବଦ୍ଧତା ପ୍ରକାଶ ପାଉ ବୋଲି ବକ୍ତାମାନେ ମତ ଦେଇଥିଲେ। ସଂକ୍ରାମକ ରୋଗମାନଙ୍କ ମଧ୍ୟରେ ସର୍ବାଧିକ ମୃତ୍ୟୁ ଯକ୍ଷ୍ମାରୋଗରେ ହେଉଛି। ଏପରିକି ମ୍ୟାଲେରିଆ, ଡେଙ୍ଗୁ, ସ୍ୱାଇନ ଫ୍ଲୁ ଏବଂ ଏଚ୍ଆଇଭିରେ ସମୁଦାୟ ଯେତିକି ଲୋକଙ୍କର ମୃତ୍ୟୁ ହୋଇଥାଏ ତାଠୁ ଅଧିକ ଲୋକ ଯକ୍ଷ୍ମାରେ ମୃତ୍ୟୁବରଣ କରୁଛନ୍ତି। ପ୍ରତିବର୍ଷ ଆକଳନ ଅନୁଯାୟୀ ୧୦୦,୦୦୦ ଯକ୍ଷ୍ମାରୋଗୀ ଚିହ୍ନଟ ହେବାସ୍ଥଳେ ଓଡ଼ିଶାରେ ତା’ର ଅଧା ରୋଗୀ ଚିହ୍ନଟ ହୋଇପାରୁଛନ୍ତି। ଆମ ରାଜ୍ୟରେ ବହୁସଂଖ୍ୟାରେ ଲୋକମାନେ ଦେଶାନ୍ତରୀ ଶ୍ରମିକ ଭାବେ ରାଜ୍ୟ ମଧ୍ୟରେ ଓ ବାହାରକୁ ବର୍ଷସାରା ଅଥବା ୠତୁକାଳୀନ ଭିତ୍ତିରେ ରୋଜଗାର ପାଇଁ ଯାଇଥାନ୍ତି। କିନ୍ତୁ ଦେଖାଯାଉଛି ଯେ ଦେଶାନ୍ତରୀ ହୋଇଥିବା ଏହି ଶ୍ରମିକଙ୍କ ମଧ୍ୟରୁ ଅନେକ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ବେରୋଜଗାର ଅବସ୍ଥାରେ ଘରକୁ ଫେରୁଛନ୍ତି। ଯକ୍ଷ୍ମା ରୋଗର ଚିହ୍ନଟ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି, ଚିକିତ୍ସା ପାଇଁ ନୂଆ ଔଷଧ ଆମ ପାଖରେ ଅଛି। କିନ୍ତୁ ରୋଗୀକେନ୍ଦ୍ରିକ ଚିକିତ୍ସା ଓ ଯତ୍ନର ଅନେକ ଅଭାବ ରହୁଛି। ରୋଗର ଉପଶମ ପାଇଁ ଔଷଧ ସହିତ ସୁଷମ ଖାଦ୍ୟ, ସାମାଜିକ, ଆର୍ଥିକ ନିରାପତ୍ତା ଏବଂ ରୋଗୀର ମନୋବଳ ବଢାଇବା ଦରକାର। ଏଥିପାଇଁ ସବୁ ସ୍ତରରେ ପ୍ରୟାସ ଏବଂ ମୁଖ୍ୟତଃ ଦୃଢ ରାଜନୈତିକ ପ୍ରତିବଦ୍ଧତା ଆବଶ୍ୟକ ଅଛି ଆଲୋଚନାରେ ମତ ପ୍ରକାଶ ପାଇଥିଲା। ତେଣୁ ସାମାଜିକ ସଚେତନତା, ରୋଗ ବିଷୟରେ ଜାଗରୁକତା ପାଇଁ ସାମାଜିକ ଅନୁଷ୍ଠାନମାନେ କାର୍ଯ୍ୟ କରିବା ଉଚିତ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଟିବି ଚମ୍ପିଆନ, ସେମାନଙ୍କ ପରିବାର, ପ୍ରଭାବିତ ବ୍ୟକ୍ତି ଏବଂ ସେମାନଙ୍କର ପରିବାର ଲୋକେ ସେମାନଙ୍କ ରୋଗ, ଚିକିତ୍ସା ଏବଂ ଅନୁଭୂତି ବର୍ଣ୍ଣନା କରିଥିଲେ। ରୋଗୀ ପାଇଁ ଆନୁସଙ୍ଗିକ ଔଷଧ, ଦେୟମକ୍ତ ପରୀକ୍ଷା, ସଠିକ ସମୟରେ ପରାମର୍ଶ, ପାର୍ଶ୍ୱ ପ୍ରତିକିୟାର ମାଗଣା ଉପଚାର ଏବଂ ଚିକିତ୍ସା ସମୟରେ ଉପଯୁକ୍ତଖାଦ୍ୟ ଯେଗାଣ ପାଇଁ ଗୁରୁତ୍ୱ ଦେବାକୁ ଦାବି ଉଠିଥିଲା। ମୁଖ୍ୟ ଅତିଥି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଡାକ୍ତର ବ୍ରଜକିଶୋର ବ୍ରହ୍ମା ରୋଗୀ କେନ୍ଦ୍ରିକ ଚିକିତ୍ସା ସେବା ଏବଂ ଯକ୍ଷ୍ମା ନିର୍ମୂଳନରେ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସମ୍ମାନିତ ଅତିଥି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର କର ଯକ୍ଷ୍ମା ଔଷଧ ସହ ଅନ୍ୟାନ୍ୟ ସହରୋଗଗୁଡ଼ିକର ଔଷଧ କିପରି ରୋଗୀ ପାଇପାରିବେ ସେପାଇଁ ପଦକ୍ଷେପ ନେବାକୁ ଯତ୍ନବାନ ହେବେ ବୋଲି ମତ ଦେଇଥିଲେ। ସମ୍ମାନିତ ଅତିଥି ମାଇକ୍ରୋବାଇଲୋଜିଷ୍ଟ ଏଟିଡିସି କଟକ ରୋଗ ଚିହ୍ନଟ, ଚିକିତ୍ସା ଓ ସୁସ୍ଥ ହେବା ଭିତରେ ଥିବା ସ୍ଥିତି ସମ୍ପର୍କରେ ସଚେତନ କରିଥିଲେ। ବରିଷ୍ଠ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତୁଷାରକାନ୍ତୀ ରାୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅକ୍ସଫାମ ଇଣ୍ଡିଆ ପ୍ରତିନିଧି ସନ୍ତୋଷ ପାତ୍ର ଏବଂ ଜନସ୍ୱାସ୍ଥ୍ୟ ଅଭିଯାନ ଓଡ଼ିଶା ଆବାହକ ଗୌରାଙ୍ଗ ମହାପାତ୍ର (ଯକ୍ଷ୍ମା ଏବଂ ଔଷଧ ପ୍ରତିରୋଧୀ ଯକ୍ଷ୍ମାରୋଗୀ) ନିରାମୟ ଯୋଜନା ମାଧ୍ୟମରେ ମାଗଣା ଔଷଧ କିପରି ପାଇପାରିବେ ସେସମ୍ପର୍କ ମତ ଦେଇଥିଲେ। ବରିଷ୍ଠ ସାମ୍ୱାଦିକ ରବି ଦାସ ଏହି ଅବସରରେ ସହଯୋଗର ପ୍ରୟାସକୁ ସାଧୁବାଦ ଦେଇଥିଲେ। ସମସ୍ତ ରାଜନୈତିକ ଦଳ ଏହାକୁ ଇସ୍ତାହାରରେ ସାମିଲ କରିବା ଆବଶ୍ୟକ ବୋଲି ମତ ରଖିଥିଲେ। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳଙ୍କୁ ଯକ୍ଷ୍ମାକୁ ସେମାନଙ୍କ ଦଳୀୟ ଇସ୍ତାହାରରେ ସନ୍ନିବେଶିତ କରିବାପାଇଁ ଦାବୀ ପତ୍ର ଉନ୍ମୋଚିତ କରାଯାଇଥିଲା। ବିଜେଡ଼ି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଏବଂ କଂଗ୍ରେସ ମୁଖପାତ୍ର ପ୍ରଫେସର କୈଳାସ ଆଚାର୍ଯ୍ୟ ଯକ୍ଷ୍ମା ନିର୍ମୂଳନରେ ଦଳ ନିଶ୍ଚୟ ପ୍ରତିବଦ୍ଧ ହେବ ବୋଲି ମତ ଦେଇଥିଲେ। ବିଭିନ୍ନ ଅନୁଷ୍ଠାନ ଏବଂ ଜିଲ୍ଲା ପରିବର୍ତ୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ କର୍ମକତାର୍ ମାନଙ୍କ ମଧ୍ୟରେ ମୁକ୍ତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହାକୁ ଡାକ୍ତର ହିଂମାଶୁ ସାହୁ ଏବଂ ଉଷାରାଣୀ ବେହେରା ସଂଚାଳନ କରିଥିଲେ। ଶେଷରେ ସହଯୋଗର ସଭାପତି ବିକ୍ରମ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share :