ବଂଶ ଓ ବୁନିୟାଦିର ସାମନ୍ତତନ୍ତ୍ର!

ବଂଶ ଓ ବୁନିୟାଦିର ସାମନ୍ତତନ୍ତ୍ର!

Share :

ଦେବେନ୍ଦ୍ର ପୃଷ୍ଟି ଆଉ ବାକି ରହିଲେ ଜଣେ। ସେ ଜଣକ ନବୀନ ପଟ୍ଟନାୟକଙ୍କ ଆକର୍ଷଣରେ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଭଲ ପାଇ ବିଜୁ ଜନତା ଦଳରେ ଯୋଗଦେଲା ପରେ ଏ ଦଳଟି ବାସ୍ତବରେ ଓଡ଼ିଶା ମୁଖ୍ୟମନ୍ତ୍ରୀମାନଙ୍କର ଦଳରେ ପରିଣତ ହୋଇଯିବ। ଏହି ଜଣକ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍ଗ ପୁଅ ଶିଶିର ଗମାଙ୍ଗ। ବିଜେଡିର କୋରାପୁଟ ଜିଲ୍ଲା ନେତା ରବି ନନ୍ଦ ନହେଲେ ରାୟଗଡ଼ା ଜିଲ୍ଲା ନେତା ଭାସ୍କର ରାଓ ଏ ଦାୟିତ୍ବ ନେଲେ ସବୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦାୟାଦମାନେ ନବୀନଙ୍କ ବଶ୍ୟତା ସ୍ବୀକାର କରିବାର ଏକ ବିରଳ ରେକର୍ଡ଼ ସୃଷ୍ଟି ହୋଇପାରନ୍ତା। ବିଜୁ ଜନତା ଦଳର ମୁଖିଆ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହେଉଛନ୍ତି ଜଣେ ମୁଖ୍ୟମନ୍ତ୍ରୀ। ତାଙ୍କର ସ୍ବର୍ଗତ ପିତା ବିଜୁ ପଟ୍ଟନାୟକ ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଥମେ ସେ ୧୯୬୨ ମସିହାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ମାତ୍ର ୨ ବର୍ଷ ପାଇଁ ଦାୟିତ୍ବରେ ଥିଲେ। ସେହି ସମୟ ମଧ୍ୟରେ ସେ ଓଡ଼ିଶା ପାଇଁ ଅନେକ କିଛି କରିଥିଲେ ବୋଲି ପ୍ରବାଦ ରହିଛି। ତେବେ ସେହି କାର୍ଯ୍ୟକାଳ ମଧ୍ୟରେ ସେ ପାରାଦୀପ ବନ୍ଦର ନିର୍ମାଣ କରିବାକୁ ଓଡ଼ିଶାର କୃଷି ବିକାଶ ପାଇଁ ଆସିଥିବା ୧୮ କୋଟି ଟଙ୍କା ଖର୍ଚ୍ଚ କରିଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ତା’ ଉପରେ ଗୋଟେ କମିଶନ ବି ବସିଥିଲା। ସେହି ସମୟରେ କେନ୍ଦ୍ରରୁ ଆସିଥିବା କୃଷି ବିକାଶ ପାଣ୍ଠିର ସଦବିନିଯୋଗରେ ପଞ୍ଜାବ, ହରିଆନା ଓ ଆନ୍ଧ୍ର ପ୍ରଦେଶ ପରି ରାଜ୍ୟ ଏକ୍ଷେତ୍ରରେ ଯଥେଷ୍ଟ ଉନ୍ନତି କଲେ। ଓଡ଼ିଶାର କୃଷି କ୍ଷେତ୍ର ଆଜି ବି ପଛୁଆ। ଏହା ପରେ ଲୋକେ ବିଜୁବାବୁଙ୍କୁ ଏତେ ଭଲ ପାଇଲେ ସେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରାୟ ୨୭ ବର୍ଷ ଲାଗିଗଲା। ୧୯୯୦ ମସିହାରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଲେ। ତା’ ଭିତରେ ଅବଶ୍ୟ ୧୯୭୭-୮୦ ମଧ୍ୟରେ କେନ୍ଦ୍ରର ଜନତା ପାର୍ଟି ସରକାରରେ ସେ ମନ୍ତ୍ରୀ ଥିଲେ। ତେବେ ବିଜୁବାବୁଙ୍କର ଏହି ଦୁଇ ଥରର ମୁଖ୍ୟମନ୍ତ୍ରିତ୍ବ ସମୟରେ ଓଡ଼ିଶାର ପ୍ରାୟ ସବୁକିଛି ତିଆରି ହୋଇଛି ତାଙ୍କର ଚେଲାଚାମୁଣ୍ଡାମାନେ ପ୍ରଚାର କରିଥାନ୍ତି। ତାଙ୍କରି ନାମରେ ଭଣିତା ହୁଏ ପାରାଦୀପ ବନ୍ଦର, ଓୟୁଏଟି, ଆରଆରଏଲ, ନାଲକୋ, ମିଗ୍‌ ବିମାନ କାରଖାନା, ରିଜିଓନାଲ କଲେଜ- ଏମିତି କେତେ କ’ଣ। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସମୟରେ ଯେମିତି ଓଡ଼ିଶାରେ କିଛି ହୋଇନାହିଁ! ଚାମଚାମାନେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲାବେଳେ ବି ଏମିତି ଗୁଣଗାନ କରନ୍ତି ଯେମିତି ତାଙ୍କ ବାପାଙ୍କ ଅମଳରେ ବି କିଛି ହୋଇନଥିଲା! ଓଡ଼ିଶାର ସମସ୍ତ ବିକାଶ କେବଳ ନବୀନ ପଟ୍ଟନାୟକଙ୍କ ଅମଳରେ ହୋଇଛି। ନବୀନଙ୍କ ପ୍ରଶସ୍ତି ଭିତରେ ବିଜୁବାବୁ ବି ମଳିନ ପଡ଼ିଯାନ୍ତି। ଠିକ ସେହିପରି ନବୀନଙ୍କ ଗୁଣଗାନ ଭିତରେ ରାଜ୍ୟର ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କର ଅବଦାନ ମଧ୍ୟ ଗୌଣ ହୋଇଗଲାଣି। ଦୁଃଖ ଓ ପରିତାପର ବିଷୟ ହେଉଛି ସେହି ସବୁ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ଦାୟାଦମାନେ ହିଁ ନିଜନିଜ ବାପାଙ୍କୁ ତଳେ ପକାଇ ନବୀନ ଓ ବିଜୁଙ୍କର ପ୍ରଶସ୍ତି ଗାନରେ ମାତିଛନ୍ତି। ବିଜୁ ଜନତା ଦଳର ଏଭଳି ନେତାମାନଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ଭର୍ତ୍ତୃହରି ମହତାବ। ସେ ହେଲେ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର ଦାୟାଦ। ବିଜୁବାବୁ ଡକ୍ଟର ମହତାବଙ୍କର ଶିଷ୍ୟ ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଋଷିପ୍ରତିମ ନବକୃଷ୍ଣ ଚୌଧୁରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚନା କରିଥିଲେ। ଡକ୍ଟର ମହତାବ ଓଡ଼ିଶାର କୃଷି ବିକାଶ ପାଇଁ ହୀରାକୁଦ ନଦୀବନ୍ଧ ଯୋଜନା କରିଥିବାବେଳେ ପାରାଦୀପ ବନ୍ଦର ଜରିଆରେ ସେହି ବିକାଶର ଧାରାକୁ ଅପହରଣ କରିନେଇଥିଲେ ବିଜୁବାବୁ। ନବୀନଙ୍କ ବଶ୍ୟତା ସ୍ବୀକାର କରିଥିବା ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ଦାୟାଦ ହେଲ ଅନଙ୍ଗ ଉଦୟ ସିଂହଦେଓ। ତାଙ୍କ ବାପା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ସେ ହେଉଛନ୍ତି ଓଡ଼ିଶାର ପ୍ରକୃତ ଶ୍ରେଷ୍ଠ ପ୍ରଶାସକ। ନୀତି ଓ ଶୃଙ୍ଖଳାର ମୁଖ୍ୟମନ୍ତ୍ରୀ ଭାବେ ସେ ପ୍ରତିଷ୍ଠା ଅର୍ଜନ କରିଥିଲେ। ଏବେ ଅନଙ୍ଗ ଓ ତାଙ୍କ ପୁଅମାନେ ମଧ୍ୟ ନବୀନଙ୍କ ନେତୃତ୍ବ ସ୍ବୀକାର କରିଛନ୍ତି। ଠିକ ସେହିପରି ଅନ୍ୟତମ ପ୍ରତିଭା ସଂପନ୍ନ ପ୍ରଗତିଶୀଳ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ଦାୟାଦ ତଥାଗତ ସତପଥୀ ମଧ୍ୟ ନବୀନଙ୍କ ନେତୃତ୍ବ ସ୍ବୀକାର କରି ତାଙ୍କ ଦଳର ସାଂସଦ ଥିଲେ। ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା କରିବାକୁ ନିକଟରେ ସେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନବୀନଙ୍କ ନେତୃତ୍ବ ସ୍ବୀକାର କରିଥିବା ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ଦାୟାଦ ହେଲେ ବିଜୟଶ୍ରୀ ରାଉତରାୟ। ତାଙ୍କ ବାପା ନୀଳମଣି ରାଉତରାୟ ଓଡ଼ିଶାରେ ଜନତା ପାର୍ଟି ସରକାରର ମୁଖ୍ୟମନ୍ତ୍ରୀ ଥିଲେ। ସେ ବିଜୁବାବୁଙ୍କର ଅତି ଘନିଷ୍ଟ ସହଯୋଗୀ ଥିଲେ। ବିଜୁବାବୁଙ୍କର ରାଜନୀତିକ ପ୍ରତିପକ୍ଷ କଂଗ୍ରେସର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅନ୍ୟତମ ଦାୟାଦ ତଥା ତାଙ୍କ ଜାମାତା ସୌମ୍ୟ ରଂଜନ ପଟ୍ଟନାୟକ ଏବେ ନବୀନଙ୍କ ନେତୃତ୍ବାଧୀନ ଦଳର ରାଜ୍ୟସଭା ସଦସ୍ୟ। ରାଜ୍ୟ ରାଜନୀତିରେ ଜାନକୀ ଓ ବିଜୁ ଦୁଇ ସମାନ୍ତରାଳ ସରଳରେଖାରେ ଚାଲୁଥିଲେ। ଶେଷରେ ୨୦୧୯ ନିର୍ବାଚନର କେଇ ଦିନ ପୂର୍ବରୁ କଂଗ୍ରେସର ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ ମଧ୍ୟ ନବୀନ ନିବାସ ଯାଇଁ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। କଂଗ୍ରେସ ଛାଡ଼ିଲା ବେଳକୁ ସେ ସୁନ୍ଦରଗଡ଼ ଜିଲ୍ଲାରେ ଦଳର କାର୍ଯ୍ୟକାରୀ ସଭାପତି ଥିଲେ। ନବୀନଙ୍କ ଦଳରେ ଯୋଗଦେଇ ନଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ଦାୟାଦ ହେଲେ ଶିଶିର ଗମାଙ୍ଗ। ତାଙ୍କ ବାପା ଗିରିଧର ଗମାଙ୍ଗ ମହାବାତ୍ୟା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପତ୍ନୀ ହେମା ଗମାଙ୍ଗ ବି ଯଦି ବିଜେଡିରେ ମିଶିଯାଆନ୍ତି ତେବେ ନବୀନଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ଦାୟାଦମାନଙ୍କୁ ନିଜ ବଶରେ ରଖିବାର ଇଚ୍ଛା ସଂପୂର୍ଣ୍ଣ ପୂରଣ ହେବ। ମାତ୍ର, ଅନ୍ୟ ଏକ ଦିଗରୁ ବିଚାର କଲେ ନବୀନଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଏହିପରି ଏକ ବିରାଟ ବଂଶବାଦୀ ଦଳ ଭାବେ ପ୍ରତିଷ୍ଠା ଅର୍ଜନ କରିଛି। ତାଙ୍କ ଦଳରେ କେବଳ ଏହି ମୁଖ୍ୟମନ୍ତ୍ରୀମାନଙ୍କର ଦାୟାଦମାନେ ନାହାନ୍ତି, ତାଙ୍କ ଦଳର ବହୁ ନେତାଙ୍କର ଦ୍ବିତୀୟ ଓ ତୃତୀୟ ପିଢ଼ି ମଧ୍ୟ ବିଜୁ ଜନତା ଦଳରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛନ୍ତି। ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ, ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରୀତିରଂଜନ ଘଡ଼ାଇ, ଅନଙ୍ଗ ଉଦୟଙ୍କ ପୁଅ କଳିକେଶ ସିଂହଦେଓ, ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରଣୟ ସାମଲ, ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ, ରୋଶନି ସିଂହଦେଓଙ୍କ ପୁଅ ପୁଷ୍ପେନ୍ଦ୍ର ସିଂହଦେଓ, ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ତଥା ପ୍ରସନ୍ନ ଆଚାର୍ଯ୍ୟଙ୍କ ପୁତୁରା ଦେବେଶ ଆଚାର୍ଯ୍ୟଙ୍କ ପରି ଅନେକ ବାପର ପୁଅ ବା ଦାଦିର ପୁତୁରାମାନେ ବିଜେଡିରେ ଉତ୍ତରାଧିକାର ସୂତ୍ର ଜାହିର କରିଛନ୍ତି। ଦେବଗଡ଼, କଳାହାଣ୍ଡି, ମୟୂରଭଂଜ, କେନ୍ଦୁଝର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାରେ ମଧ୍ୟ ବିଜେଡିର ବହୁ ବଂଶ ରହିଛି।

Share :