ଆଦିବାସୀଙ୍କୁ ବେଘର କରିଛନ୍ତି ବିଜେଡି ସରକାର!

ଆଦିବାସୀଙ୍କୁ ବେଘର କରିଛନ୍ତି ବିଜେଡି ସରକାର!

Share :

ସ୍ବତନ୍ତ୍ର ପ୍ରତିନିଧି ଭାଗ୍ୟ ଭଲ, ସୁପ୍ରିମ କୋର୍ଟ ଶୁଣିଲେ ଓ ନିଜ ରାୟ ଉପରେ ସ୍ଥଗିତାଦେଶ ଜାରି କଲେ। ନହେଲେ ନବୀନ ପଟ୍ଟନାୟକଙ୍କ ବାବୁତନ୍ତ୍ର ଯୋଗୁଁ ଓଡ଼ିଶାର ପ୍ରାୟ ୬ ଲକ୍ଷ ଆଦିବାସୀଙ୍କୁ ୫ ମାସ ଭିତରେ ବେଘର ହେବାକୁ ପଡ଼ିଥାନ୍ତା। ସେମାନଙ୍କୁ ଜୁଲାଇ ସୁଦ୍ଧା ଜଙ୍ଗଲ ଛାଡ଼ି ଚାଲିଯିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଆଦିବାସୀମାନଙ୍କର ଜଙ୍ଗଲ ଜମି ଅଧିକାର ଦାବିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି କେବଳ ସେହି ଆଦିବାସୀମାନଙ୍କ ପ୍ରତି ସୁପ୍ରିମ କୋର୍ଟଙ୍କର ଏହି ଆଦେଶ ପ୍ରଯୁଜ୍ୟ ଥିଲା। କିନ୍ତୁ ପରେ କୋର୍ଟ ନିଜର ରାୟ ଉପରେ ସ୍ଥଗିତାଦେଶ ଜାରି କରିବା ସହିତ କାହିଁକି ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଦାବି ପ୍ରତ୍ୟାଖ୍ୟାନ କରାଗଲା ତାହାର ଜବାବ ମାଗିଛନ୍ତି। ରାଜ୍ୟ ସରକାର ଏଯାଏଁ ଏହାର ଜବାବ ଦେଇନାହାନ୍ତି। ୨୦୧୯ ଫେବୃଆରୀ ୧୩ ତାରିଖରେ ସୁପ୍ରିମ କୋର୍ଟ ଏକ ମାମଲାର ବିଚାର କରି ଯେଉଁମାନଙ୍କର ଜଙ୍ଗଲ ଜମି ଅଧିକାରୀ ଦାବିକୁ ରାଜ୍ୟ ସରକାରମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ସେମାନେ ଜୁଲାଇ ଶେଷ ସୁଦ୍ଧା ଜଙ୍ଗଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦିବାସୀମାନଙ୍କ ଆବେଦନକୁ କାହିଁକି ରାଜ୍ୟ ସରକାରମାନେ ଖାରଜ କରିଛନ୍ତି ତାହା ସୁପ୍ରିମ କୋର୍ଟଙ୍କୁ ଅବଗତ ନଥିଲା। ରାୟ ପ୍ରକାଶ ପାଇଲା ପରେ ଏହା ବିରୋଧରେ ପ୍ରବଳ ଜନମତ ସୃଷ୍ଟି ହେଲା। କେନ୍ଦ୍ର ସରକାରର ନେତୃତ୍ବ ନେଉଥିବା ବିଜେପି ତୁରନ୍ତ ସୁପ୍ରିମ କୋର୍ଟଙ୍କ ରାୟର ପୁନର୍ବିଚାର ଦାବିରେ ଆବେଦନ କରିବାକୁ ନିଜ ଦଳର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଲେ। କଂଗ୍ରେସ ଦଳ ମଧ୍ୟ ନିଜ ଦଳର ରାଜ୍ୟ ସରକାରମାନଙ୍କୁ ସମାନ ପ୍ରକାର ନିର୍ଦ୍ଦେଶ ଦେଲେ। କିନ୍ତୁ ଓଡ଼ିଶାର ବିଜୁ ଜନତା ଦଳ ନେତୃତ୍ବରେ ଚାଲିଥିବା ବାବୁତାନ୍ତ୍ରିକ ସରକାର ଏଭଳି ନିଷ୍ପତ୍ତି ନେଲେ ନାହିଁ କି ସୁପ୍ରିମ କୋର୍ଟଙ୍କ ରାୟର ପୁନର୍ବିଚାର ଆବେଦନ କଲେ ନାହିଁ। ତେବେ କେନ୍ଦ୍ର ସରକାରଙ୍କ ଆବେଦନର ବିଚାର କରି ସୁପ୍ରିମ କୋର୍ଟ ନିଜ ରାୟ ଉପରେ ସ୍ଥଗିତାଦେଶ ଜାରି କରିବା ସହିତ କେଉଁ କାରଣରୁ ଆଦିବାସୀ ଏବଂ ଅନ୍ୟମାନଙ୍କର ଜଙ୍ଗଲ ଜମି ଆବେଦନ ଖାରଜ କରାଯାଇଛି ତାହା ଜାଣିବାକୁ ଚାହିଁଛନ୍ତି। କଂଗ୍ରେସ ନେତ୍ବତ୍ବାଧୀନ ଉପା ସରକାର ଅମଳରେ ପ୍ରଣୀତ ହୋଇଥିବା ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ଯେଉଁମାନେ ଜଙ୍ଗଲ ଜମିରେ ୩ ପୁରୁଷ ବା ୭୫ ବର୍ଷ ଧରି ବସବାସ କରିଥିବେ ସେମାନଙ୍କ ଜମି ଅଧିକାରକୁ ସରକାର ସ୍ବୀକୃତି ପ୍ରଦାନ କରିବେ। ଏଭଳି ବ୍ୟକ୍ତିମାନଙ୍କର ଆବେଦନକୁ ରାଜ୍ୟ ସରକାର ବିଚାର କରି ସେହି ଅନୁସାରେ ସେମାନଙ୍କୁ ଜମିର ପଟ୍ଟା ପ୍ରଦାନ କରିବେ। ଓଡ଼ିଶା ସରକାର ଅନେକ ଆଦିବାସୀଙ୍କର ଏଭଳି ଆବେଦନକୁ ଗ୍ରହଣ କରିଥିଲେ ହେଁ ପ୍ରାୟ ୧ ଲକ୍ଷ ୨୦ ହଜାର ଆବେଦନକୁ ନାକଚ କରିଦେଇଥିଲେ। ସୁପ୍ରିମ କୋର୍ଟଙ୍କ ରାୟ କାର୍ଯ୍ୟକାରୀ ହେଲେ ଏହି ୧.୨ ଲକ୍ଷ ଲୋକଙ୍କର ପରିବାର ସଦସ୍ୟ ମିଶାଇ ପ୍ରାୟ ୬.୨୫ ଲକ୍ଷ ଲୋକ ଭିଟାମାଟିରୁ ଉଚ୍ଛେଦ ହୋଇଥାନ୍ତେ। ଏ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ରାଜ୍ୟ ବିଜେପି ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ନବୀନ ସରକାର ହେଉଛି ଆଦିବାସୀ ବିରୋଧୀ। ରାଜ୍ୟ ସରକାରଙ୍କର ନିଜର ଭୁଲ ପାଇଁ ରାଜ୍ୟରେ ୬.୨୫ ଲକ୍ଷ ଆଦିବାସୀ ଏବେ ବିସ୍ଥାପିତ ହେବାକୁ ଯାଉଛନ୍ତି। ସମ୍ପୃକ୍ତ ଆଦିବାସୀ ପରିବାରମାନଙ୍କର ସୁରକ୍ଷା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ଉପସଭାପତି ସମିର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଓଡିଶା ଜନସଂଖ୍ୟାର ପାଖପାଖି ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ। ୧ କୋଟି ପରିବାରରୁ ୨୪ ଲକ୍ଷ ହେଉଛନ୍ତି ଆଦିବାସୀ ପରିବାର। ଗତ ୧୯ ବର୍ଷ ଧରି ରାଜ୍ୟ ସରକାର ଆଦିବାସୀମାନଙ୍କୁ ଅବହେଳିତ ରଖିଛନ୍ତି। ଓଡିଶାରେ ଆଦିବାସୀଙ୍କ ପାଇଁ ରହିଥିବା ସାମ୍ୱିଧାନିକ ବିଧି ବ୍ୟବସ୍ଥାକୁ ନବୀନଙ୍କ ବାବୁତନ୍ତ୍ର କାର୍ଯ୍ୟକାରୀ କରିନାହିଁ। ସମ୍ୱିଧାନର ୨୪୪ ଧାରା ଅନୁଯାୟୀ ତଫସିଲ ଭୁକ୍ତ ଜନଜାତି ବସବାସ କରୁଥିବା ଅଂଚଳରେ ସେମାନଙ୍କ ସମାଜିକ, ଅର୍ଥନୈତିକ ବିକାଶ ସହ କ’ଣ କ’ଣ ଯୋଜନା ଲାଗୁ କରାଯିବ ସେ କଥା ବୁଝିବା ରାଜ୍ୟପାଳଙ୍କ ଦାୟିତ୍ୱ। ରାଜ୍ୟପାଳଙ୍କ ଏହି କ୍ଷମତାକୁ ମୁଖ୍ୟମନ୍ତ୍ରୀ ଅପବ୍ୟବହାର କରୁଛନ୍ତି ବୋଲି ବିଜେପି ମୁଖପାତ୍ର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ତୃତୀୟ ମହଲାର ରଘୁ ପ୍ରସାଦ ଓ ପାଣ୍ଡିଆନ ମଧ୍ୟ ଏହି କ୍ଷମତାର ଅପବ୍ୟବହାର କରୁଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ୧୯୫୦ ମସିହାରେ ପ୍ରଥମେ ଗଠିତ ହୋଇଥିବା ଆଦିବାସୀ ଉପଦେଷ୍ଟା ପରିଷଦକୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟପାଳ ଗଠନ କରିଥାନ୍ତି। ଏହାର ସଭାପତି ରହିଥାନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ୧୫ ଜଣ ଆଦିବାସୀ ବିଧାୟକ ଏହାର ସଦସ୍ୟ ରହିଥାନ୍ତି। ସମ୍ବିଧାନ ଅନୁସାରେ ଆଦିବାସୀଙ୍କ ମଙ୍ଗଳ ପାଇଁ ରାଜ୍ୟପାଳ ନିର୍ଦ୍ଦେଶକ ଦେବେ। ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଦିବାସୀ ଉପଦେଷ୍ଟା ପରିଷଦ କାର୍ଯ୍ୟ କରିବ। ପ୍ରତି ୬ ମାସରେ ଥରେ ଆଦିବାସୀ ଉପଦେଷ୍ଟା ପରିଷଦ ବସିବା କଥା। କିନ୍ତୁ ଓଡ଼ିଶାରେ ଗତ ୫ ବର୍ଷ ହେବ ଏହି ବୈଠକ ବସିନାହିଁ। ନବୀନଙ୍କ ବାବୁତନ୍ତ୍ରର ଦୁଇ ଦଶନ୍ଧି ମଧ୍ୟରେ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ ଦୁଇ କି ତିନି ଧର ବସିଛି। କେବଳ ଏତିକି ନୁହେଁ, ନବୀନବାବୁଙ୍କ ଯୋଗୁଁ ହିଁ ରାଜ୍ୟରେ ପଂଚାୟତିରାଜ ଏକ୍ସଟେନସନ ଇନ ସିଡ୍ୟୁଲ ଏରିଆ ବା ପେସା ଆଇନ ଓଡ଼ିଶାର ତଫସିଲଭୁକ୍ତ ଅଞ୍ଚଳରେ ସଂପୂର୍ଣ୍ଣ ଭାବେ ଲାଗୁ ହୋଇନାହିଁ। ଏହି ଆଇନ ଅନୁସାରେ ତଫସିଲଭୁକ୍ତ ଅଞ୍ଚଳର ସମସ୍ତ ପ୍ରକାର ପ୍ରାକୃତିକ ସଂପଦର ପରିଚାଳନା ଭାର ହେଉଛି ଆଦିବାସୀମାନଙ୍କର। ସେମାନେ ଅନୁମତି ନଦେଲେ ତଫସିଲଭୁକ୍ତ ଅଞ୍ଚଳରେ କୌଣସି ପ୍ରକାର ଜମି ଅଧିଗ୍ରହଣ ହୋଇପାରିବ ନାହିଁ। ଜଙ୍ଗଲ ଜମିରେ ଖଣି ଓ ଶିଳ୍ପ ପ୍ରକଳ୍ପ ପାଇଁ ଆଦିବାସୀମାନଙ୍କର ଆଗୁଆ ଅନୁମତି ନେବାକୁ ହେବ। ଗ୍ରାମସଭାର ବିନା ଅନୁମତିରେ ଜଙ୍ଗଲ ଜମିରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ଏହି ଆଇନ ଅନୁସାରେ ସମସ୍ତ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଉପରେ ମଧ୍ୟ ଆଦିବାସୀଙ୍କର ଅଧିକାର ସଂପୂର୍ଣ୍ଣ ଓ ସ୍ବୟଂସିଦ୍ଧ। ଏହି ଆଇନର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ରାଜ୍ୟ ସରକାର ତଫସିଲଭୁକ୍ତ ଅଞ୍ଚଳ ପାଇଁ କୌଣସି ଆଇନ ପ୍ରଣୟନ କରିପାରିବେ ନାହିଁ। ସେଥିପାଇଁ ଆଦିବାସୀଙ୍କ ଅନୁମତି ଦରକାର। ତଫସିଲଭୁକ୍ତ ଅଞ୍ଚଳର ଶାସନ କାର୍ଯ୍ୟ ପାଇଁ ରାଜ୍ୟପାଳ ଉତ୍ତରଦାୟୀ ରହିବେ। ସେ ମଧ୍ୟ ଚାହିଁଲେ ରାଜ୍ୟର ତଫସିଲଭୁକ୍ତ ଅଞ୍ଚଳର ଶାସନ ନେଇ ରାଜ୍ୟ ପଦାଧିକାରୀମାନଙ୍କଠାରୁ ସିଧାସଳଖ ରିପୋର୍ଟ ମଗାଇପାରିବେ। ରାଜ୍ୟ ସରକାରଙ୍କର ଆଦିବାସୀ ସ୍ବାର୍ଥ ବିରୋଧୀ କୌଣସି ପ୍ରକାର ନୀତି, ନିଷ୍ପତ୍ତି ଓ ଆଇନକୁ ତଫସିଲଭୁକ୍ତ ଅଞ୍ଚଳରେ କାର୍ଯ୍ୟକାରୀ ନକରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ। ୧୯୯୬ ମସିହାରେ ଏହି ଆଇନ ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରୀ ହୋଇଥିଲେ ହେଁ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ବାବୁତନ୍ତ୍ର ଏହାକୁ ଗଲା ୨୦ ବର୍ଷ ଧରି ରାଜ୍ୟରେ ସଠିକ ରୂପେ କାର୍ଯ୍ୟକାରୀ କରି ନାହାନ୍ତି। ଅଧିକନ୍ତୁ ଏହି ସମୟ ମଧ୍ୟରେ ନବୀନଙ୍କ ବାବୁତନ୍ତ୍ର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ରହିଥିବା ଲାଞ୍ଜିଗଡ଼ ଜଙ୍ଗଲରେ କେହି କିଛି ଜାଣିବା ପୂର୍ବରୁ ଲୁଚାଣିଆ ବେଦାନ୍ତ ଆଲୁମିନା କାରଖାନା ନିର୍ମାଣ କରାଇଛନ୍ତି। ସେଥିପାଇଁ ଡଙ୍ଗରିଆ କନ୍ଧମାନଙ୍କର ପୂର୍ବାନୁମତି ନିଆଯାଇ ନଥିଲା। ସେଠାରେ ଗୋଟେ କାରଖାନା ହେଉଛି ବୋଲି ମଧ୍ୟ ଅନ୍ୟ ସଂପ୍ରଦାୟର ଲୋକମାନଙ୍କୁ ଜଣା ନଥିଲା। ବେଦାନ୍ତ ପାଇଁ ରାଜ୍ୟ ସରକାର ଚୋରଙ୍କ ଭଳି ଲୁଚିଲୁଚି ସବୁ କାମ କରିଥିଲେ। ୨୦୦୪ ନିର୍ବାଚନ ପୂର୍ବରୁ ଏକଥା ଜଣାପଡ଼ିଥିଲା ଓ ସେନେଇ ରାଜ୍ୟ ବିଧାନସଭାରେ ଅନେକ ହୋହାଲ୍ଲା ହୋଇଥିଲା। ପରେ ପୁଣି ନବୀନ ସରକାର ଡଙ୍ଗରିଆ କନ୍ଧମାନଙ୍କର ଅନୁମତି ନନେଇ ନିୟମିଗିରିକୁ ବେଦାନ୍ତ କମ୍ପାନୀ ହାତରେ ଟେକି ଦେଇଥିଲେ। ଏହା ବିରୋଧରେ କନ୍ଧମାନେ ମେଳି ବାନ୍ଧିବାରୁ ଏବଂ ସୁପ୍ରିମ କୋର୍ଟ ଆଇନର ସଠିକ ତର୍ଜମା କରିବାରୁ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଏବଂ ସବୁ ଗ୍ରାମସଭା ନିୟମଗିରିରେ ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ମତ ଦେଇଥିଲେ। ଏହା ସତ୍ତ୍ବେ ନବୀନଙ୍କ ବାବୁ ସରକାର ବେଦାନ୍ତ କମ୍ପାନୀକୁ ନିୟମଗିରି ଟେକି ଦେବାକୁ ମଝିରେ ମଝିରେ ବିଭିନ୍ନ ଉପାୟ ଅବ୍ୟାହତ ରଖିଛନ୍ତି। କେବଳ ନିୟମଗିରି ନୁହେଁ, ସୁନ୍ଦରଗଡ଼ର ଖଣ୍ଡାଧାର ପାହାଡ଼ ମଧ୍ୟ ତଫିସଲଭୁକ୍ତ ଅଞ୍ଚଳ ମଧ୍ୟରେ ରହିଛି। ଏହା ସତ୍ତ୍ବେ ନବୀନ ପଟ୍ଟନାୟକଙ୍କ ଶାସନ କଳ ପୋସ୍କୋ କମ୍ପାନୀକୁ ଏହି ପାହାଡ଼ ଟେକି ଦେଇଥିଲେ। ତା’ ପୂର୍ବରୁ ଅବଶ୍ୟ ଏହାକୁ ଅନ୍ୟ ଏକ କମ୍ପାନୀକୁ ଦିଆଯାଇଥିଲା। ତେବେ କୋର୍ଟରେ ବିବାଦ ଯୋଗୁଁ ଏବଂ ପୋସ୍କୋର ପାରାଦୀପ ପ୍ରକଳ୍ପକୁ ଠିକ ସମୟରେ ଜମି ନମିଳିବାରୁ ଏହି ପ୍ରକଳ୍ପ ବାତିଲ ହୋଇଛି। କିନ୍ତୁ ପୁଣି କେତେବେଳେ ସରକାର ଆଦିବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଖଣ୍ଡାଧାରର ବକ୍ଷ ଚିରି ଲୁହା ପଥର ବାହାର କରିବାକୁ ଅନ୍ୟ କେଉଁ କମ୍ପାନୀକୁ ଦେଇ ନଦେବେ ତାହା କିଏ କହିବ? କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଆଦି ରାଜ୍ୟର ତଫସିଲଭୁକ୍ତ ଅଞ୍ଚଳରେ ଯେତେ ଖଣି ଓ ଶିଳ୍ପ ପ୍ରକଳ୍ପ କାର୍ଯ୍ୟ କରୁଛି ସବୁଗୁଡ଼ିକ ପେସା ଆଇନ ଦୃଷ୍ଟିରୁ ଅବୈଧ। ଏହିସବୁ ଅଞ୍ଚଳର କୌଣସି ଖଣି ଓ ଶିଳ୍ପ ପ୍ରକଳ୍ପ ପାଇଁ ପୂର୍ବରୁ ତଫସିଲଭୁକ୍ତ ଜନଜାତିମାନଙ୍କର ଅନୁମତି ନିଆଯାଇ ନାହିଁ। ନବୀନ ସରକାର ନିଜର ପ୍ରାଶାସନିକ ବଳ ପ୍ରୟୋଗ କରି ଜୋରଜବରଦସ୍ତ ଭାବେ ଏସବୁ ପ୍ରକଳ୍ପ କରାଇଛନ୍ତି ଓ ପୁଲିସ ଲଗାଇ ସୁରକ୍ଷା ଦେଉଛନ୍ତି। ଆଇନ ଅନୁସାରେ ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ ବେଆଇନ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ କମ୍ପାନୀ ବେଆଇନ ଭାବେ ତଫସିଲଭୁକ୍ତ ଅଞ୍ଚଳର ହଜାର ହଜାର ହେକ୍ଟରର ଜଙ୍ଗଲ ଉଜାଡ଼ିବାରେ ଲାଗିଛନ୍ତି। ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ଅଧିକାର ମିଳୁ ନଥିବାବେଳେ ଘରୋଇ କମ୍ପାନୀମାନଙ୍କୁ ହଜାର ହଜାର ହେକ୍ଟରର ଜଙ୍ଗଲ ଜମି ଲିଜ୍‌ ଦିଆଯାଉଛି। କେତେକ କ୍ଷେତ୍ରରେ ରାଜ୍ୟ ସରକାର ଏହିସବୁ କମ୍ପାନୀଙ୍କୁ ହଜାର ହଜାର ହେକ୍ଟରର ଜଙ୍ଗଲ ଜମି ଶିଳ୍ପାଞ୍ଚଳ ବାହାନାରେ ବିକ୍ରି କରିଦେଉଛନ୍ତି। ଯାଜପୁର କଳିଙ୍ଗନଗରରେ ଟାଟା କମ୍ପାନୀ ପାଇଁ ୧୪ ଜଣ ଆଦିବାସୀଙ୍କୁ ନବୀନବାବୁଙ୍କ ପୁଲିସ ଗୁଳି କରି ହତ୍ୟା କରିବା ଭଳି ଘଟଣା ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଥିଲା। ସେହିଭଳି ମାଇକଞ୍ଚରେ ଜମି ପାଇଁ ପୁଲିସ ଗୁଳିରେ ନିହତ ହୋଇଥିଲେ ଅଧ ଡଜନେ ଆଦିବାସୀ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଆଦିବାସୀଙ୍କ ବିକାଶ ପାଇଁ ଗଠିତ ହୋଇଛି ଜିଲ୍ଲା ଖଣିଜ ପାଣ୍ଠିକୁ କେବଳ ଖଣି ଅଞ୍ଚଳରେ ଖର୍ଚ୍ଚ କରିବା ପରିବର୍ତ୍ତେ ନବୀନ ପଟ୍ଟନାୟକଙ୍କ ବାବୁ ସରକାର ଅଣଖଣି ଅଞ୍ଚଳରେ ମଧ୍ୟ ଖର୍ଚ୍ଚ କରିଚାଲିଛି। ଜିଲ୍ଲା ଖଣିଜ ପାଣ୍ଠିରେ ଅଣଆଦିବାସୀ ବର୍ଗର ପିଲାମାନଙ୍କ ମେଡିକାଲ ଶିକ୍ଷା ଖର୍ଚ୍ଚ ତୁଲାଯାଉଛି। ଅଣଆଦିବାସୀ ଅଞ୍ଚଳରେ କୋଠା ତିଆରୀ ହେଉଛି, ପୋଖରୀ ଖୋଳା ହେଉଛି, ସହରର ସୌନ୍ଦର୍ଯ୍ୟକରଣ କରାଯାଉଛି। ଅଥଚ ଖଣି ଅଞ୍ଚଳର ଆଦିବାସୀମାନେ ପାନୀୟ ଜଳ, ରାସ୍ତାଘାଟ, ବିଜୁଳି, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି। କେବଳ ଜଙ୍ଗଲ ଜମି କ୍ଷେତ୍ରରେ ନୁହେଁ କେନ୍ଦୁପତ୍ର, ଶାଳପତ୍ର, ଝୁଣା, ମହୁଲ, ମହୁ, ଶାଳମଞ୍ଜି ଆଦି ୫୦ଂ ଅଧିକ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଉପରେ ଆଦିବାସୀମାନଙ୍କର ମୌଳିକ ଅଧିକାର ରହିଥିଲେ ମଧ୍ୟ ରାଜ୍ୟ ସରକାର ଅନେକ ବିଳମ୍ବରେ ତାହା ସ୍ବୀକାର କରିଥିଲେ। ତଥାପି ସେହି ଅନୁସାରେ ଏଯାଏଁ ସବୁ ଲଘୁ ବନଜାତ ଦ୍ରବ୍ୟକୁ ଘରୋଇ ବ୍ୟବସାୟୀଙ୍କ କବ୍ଜାରୁ ମୁକ୍ତ କରିନାହାନ୍ତି। ଆଦିବାସୀମାନେ ସଂଗ୍ରହ କରୁଥିବା ବନଜାତ ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟ ମିଳୁ ନାହିଁ। ନିକଟରେ କେନ୍ଦ୍ର ସରକାର ପ୍ରାୟ ୫୦ ପ୍ରକାର ଲଘୁ ବନଜାତ ଦ୍ରବ୍ୟର ସହାୟକ ମୂଲ୍ୟ ସ୍ଥିର କରିଛନ୍ତି। ଏହାକୁ ରାଜ୍ୟ ସରକାର ସଠିକ ଭାବେ ରାଜ୍ୟରେ କାର୍ଯ୍ୟକାରୀ କରିବେ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆଦିବାସୀଙ୍କ ସଂପତ୍ତି ହଡ଼ପ ସହିତ ସେମାନଙ୍କର ଅଧିକାରକୁ ସଂକୁଚିତ କରିଥିବା ବିଜୁ ଜନତା ଦଳର ସରକାର ନିକଟରେ ସେମାନଙ୍କ ମନ ମୋହିବା ପାଇଁ ଜିଲ୍ଲା ସ୍ତରରେ ଆଦିବାସୀ ସମାବେଶ କରାଇଥିଲେ। ଏହି ସମାବେଶ ଜରିଆରେ ବିଜେଡି ସରକାର ଓ ତାଙ୍କର ବାବୁତନ୍ତ୍ର ଆଦିବାସୀମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ଅନ୍ୟମାନଙ୍କ ପାଇଁ ପ୍ରଦର୍ଶନୀୟ ବସ୍ତୁ ଭାବେ ଉପସ୍ଥାପିତ କରିଥିଲେ। ସେମାନଙ୍କ ନାଚ ଓ ଗୀତ ଜରିଆରେ ଅନ୍ୟମାନଙ୍କର ମନୋରଞ୍ଜନ କରାଯାଉଥିବାବେଳେ ଆଦିବାସୀଙ୍କ ଭାଷା, ସଂସ୍କୃତି ଓ ଧର୍ମ ଉପରେ ଆକ୍ରମଣ ଅବ୍ୟାହତ ରହିଛି।

Share :