‘ଓଡ଼ିଆ ଯୁବପିଢ଼ି ଧର୍ମପଦର ଦାୟାଦ’

‘ଓଡ଼ିଆ ଯୁବପିଢ଼ି ଧର୍ମପଦର ଦାୟାଦ’

Share :

ବୁଦ୍ଧିମତା, କୌଶଳ ଓ ସାହସ ତିନୋଟି ଗୁଣ ଓଡ଼ିଆ ଯୁବପୀଢିଙ୍କ ପାଖରେ ଭରପୂର ଅଛି। ଏହି ତିନୋଟି ଗୁଣକୁ ପାଥେୟ କରି ଓଡ଼ିଆ ପିଲାମାନେ ଏକବିଂଶ ଶତାବ୍ଦିରେ ପୃଥିବୀର ଏକ ଅଗ୍ରଣୀ ଅଂଚଳ ଭାବେ ଆମ ରାଜ୍ୟକୁ ତିଆରି କରିବାରେ ସଫଳ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆ ଓଡ଼ିଶା ଧର୍ମପଦ ଡାଏଲଗ୍ ନାଁରେ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିଂ ଯୋଗେ ରାଜ୍ୟର ୪୩୦ ସ୍ଥାନରେ ସମବେତ ଅଢେଇ ଲକ୍ଷରୁ ଅଧିକ ଯୁବପିଢିଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଦେଶରେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ନୂଆ ଭାରତ ଅଭିଯାନ ପାଇଁ। ଶ୍ରୀ ପ୍ରଧାନ କହିଛନ୍ତି ନୂଆ ଓଡ଼ିଶା ବିନା ନୂଆ ଭାରତ ଅସମ୍ଭବ। ନୂଆ ଓଡ଼ିଶା ତିଆରି କରିବା ପାଇଁ ହେଲେ ଯୁବକମାନଙ୍କର ନୂଆ ବିଚାର, ନୂଆ ନେତୃତ୍ୱ, ନୂଆ ଉତ୍ସାହ ସହିତ ଅସମ୍ଭବକୁ ସମ୍ଭବ କରିବାକୁ ପଡ଼ିବ। ଧର୍ମପଦ ଡାଏଲଗରେ ବିଶେଷ ନିମନ୍ତ୍ରିତ ୫ ଯୁବକ ଯୁବତୀଙ୍କୁ ନୂଆ ଓଡିଶାର ବ୍ରାଣ୍ଡ୍ ଆମ୍ୱାସାଡର ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତୀୟ ବାୟୁସେନାର ଅଫିସର ଓଡିଆ ଝିଅ ପଲ୍ଲବୀ ମହାପାତ୍ର ନିକଟ ଅତୀତରେ ଯୁଦ୍ଧ ବିମାନରୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରି ଇତିହାସ ରଚିଛନ୍ତି। ଶତ୍ରୁକୁ ମାତ୍ ଦେଇପାରୁଥିବା ଏବଂ ଦେଶବାସୀଙ୍କୁ ଗର୍ବିତ କରିଥିବା ବ୍ୟକ୍ତିତ୍ୱର ନାଁ ହେଲା ଓଡିଆ ଝିଅ ପଲ୍ଲବୀ। ସାମାନ୍ୟ ଘରର ପିଲାକୁ ଯଦି ସୁଯୋଗ ମିଳେ ସେ ଅମରେନ୍ଦ୍ର ସାହୁ ଭଳି ନୂଆ ଷ୍ଟାର୍ଟ ଅପ୍ ଘର ଭଡ଼ାର ଏଗ୍ରିଗେଟର ବନି ୬୫୦ କୋଟି ଟଙ୍କାର ବ୍ୟବସାୟ କରେ। କଳାହାଣ୍ଡିର ସାଧାରଣ ଘରର ପିଲା ଯୋଗବ୍ୟାସ ଭୋଇ ଦୃଢ ଇଚ୍ଛାଶକ୍ତି ଫଳରେ ପୃଥିବୀର ସବୁ ଉଚ୍ଚତମ ପାହାଡକୁ ଚଢି ରେକର୍ଡ କରିପାରେ। ଚିତ୍ତରଞ୍ଜନ ମହାନ୍ତି ବଡ଼ କମ୍ପାନୀ ଛାଡ଼ି ଏବେ କୃଷି କ୍ଷେତ୍ରରେ କାମ କରି ଏକ ନୂଆ ପରମ୍ପରା ସୃଷ୍ଟି କରୁଛନ୍ତି। ଉତ୍ତରପ୍ରଦେଶର ବିଶୋଇ ସିଂହ ଆଇଆଇଟିରେ ପାଠ, ବୃତ୍ତିରେ ଚରମ ସଫଳତାକୁ ଛାଡ଼ି ସମାଜର ମଙ୍ଗଳ ପାଇଁ କାମ କରିବାକୁ ଅଂଟା ଭିଡ଼ି ବାହାରିଛନ୍ତି। ଓଡିଶାରେ ଜୈବିକ କୃଷି କ୍ଷେତ୍ରରେ ଏକ ନୂଆ ବିପ୍ଲବ ଆଣିବା ପାଇଁ ତାଙ୍କ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ୫ ଜଣ ଯୁବ ବ୍ୟକ୍ତିତ୍ୱ ମଧ୍ୟରୁ କେହି ଜଣେ ବି ସୁପରଷ୍ଟାର ଅମିତାଭ୍ ବଚ୍ଚନଠାରୁ କମ ନୁହଁନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ସଫଳ ଯୁବବ୍ୟକ୍ତିତ୍ୱଙ୍କ ଉପସ୍ଥିତିର ସୁଯୋଗ ଓ ଅନୁଭୂତି ଗୁଡିକୁ ପରସ୍ପର ଭିତରେ ଆଦାନପ୍ରଦାନ କରି ନୂଆ ଆତ୍ମବିଶ୍ୱାସ ସହ ଏ ଅତ୍ୟନ୍ତ ସାହାସୀ ଜାତିକୁ ଏକବିଂଶ ଶତାବ୍ଦିରେ ପୁନର୍ବାର ଦୁନିଆର ଏକ ଅଗ୍ରଣୀ ସମାଜ ଭାବେ ଗଢି ତୋଳିବାରେ ଧର୍ମପଦ ଡାଏଲୋଗର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ଏହି ଉଦ୍ୟମକୁ ଆଗାମୀ ଦିନରେ ଏକ ସକାରାତ୍ମକ ଜନଆନ୍ଦୋଳନ ଭାବେ ପରିଣତ କରିବାର ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ବିନା ଯୁବପିଢିର ସହଯୋଗରେ କେବେ ବି କେଉଁଠି ପରିବର୍ତ୍ତନ ହୋଇନାହିଁ। ଓଡିଆ ଜାତିର ଡିଏନଏରେ ଅତ୍ୟନ୍ତ ବୁଦ୍ଧିମତା ଅଛି। ଓଡିଆ ଗୋଟିଏ ଚିନ୍ତା କରୁଥିବା ଜାତି। ଓଡିଆ ଜାତି ଭିତରେ ଅନେକ ସଫଳତାର ଇତିହାସ, ସାହସ ଓ ଶକ୍ତି ଭରି ରହିଛି। ଆଜିଠୁ ହଜାର ବର୍ଷ ପୂର୍ବେ ଓଡିଆ ଜାତି କୋଣାର୍କ, ପୁରୀ ବଡ଼ ଦେଉଳ ଓ ଲିଙ୍ଗରାଜ ମନ୍ଦିର ତିଆରି କରିଥିଲା। ବିଜ୍ଞାନକୁ ପଢି ବୁଝି ଏହାର ବ୍ୟବହାରରେ ଏପରି ଭବ୍ୟ ନିର୍ମାଣ ଓଡିଆ ଜାତି ହିଁ କରିଦେଖାଇଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଓଡିଆ ଜାତି ଦିଗବିଜୟୀ ସମ୍ରାଟ ଖାରବେଳଙ୍କର ଜାତି। ରାଜା ନଥିବା ପରେ ବି କଳିଙ୍ଗ ଯୁଦ୍ଧରେ ଅଶୋକଙ୍କୁ ଥକି ଯାଇ ଚଣ୍ଡାଶୋକରୁ ଧର୍ମାଶୋକ ହେବାକୁ ବାଧ୍ୟ କରିଥିଲା। ଏହି ନୂଆ ଓଡିଶା ଧର୍ମପଦ ଡାଏଲଗରେ ଓଡିଆ ଯୁବ ଉଦ୍ୟୋମୀ ଅମରେନ୍ଦ୍ର ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତକାରରେ ବିଭିନ୍ନ ପ୍ରଶ୍ନ ପଚାରିଥିବାବେଳେ ଓଡିଶାର କୋଣ ଅନୁକୋଣରୁ ଭିଡିଓ କନଫରେନ୍ସିଂ ଯୋଗେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସମାଜକୁ ବଦଳେଇବାକୁ ହେଲେ ମଣିଷକୁ ମନ ବଳେଇବାକୁ ପଡିବ। ଫଳରେ ବଡ ପରିବର୍ତ୍ତନ ହୋଇପାରିବ। ଓଡିଆ ପିଲାଙ୍କୁ ପାଠ ପଢାଇବାର ସୁଯୋଗ ଦେଲେ ସେମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇବେ। ଓଡିଆ ପିଲାଙ୍କ କାନ୍ଧ ଉପରେ ହାତ ରଖିଲେ ସେମାନେ ଆଗକୁ ଯାଇପାରିବେ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଧର୍ମପଦ ଏ ଜାତି ଓ ଯୁବକର ପରିଚୟ। ଯେ ବୁଦ୍ଧିମାନ ଥିଲା, କୌଶଳରେ ଭରପୂର ଏବଂ ସାହସୀ ଥିଲା। ଯେ ନିଜ ଜୀବନକୁ ବଳିଦାନ ଦେଇ ସମାଜର ମୂଲ୍ୟବୋଧକୁ ପ୍ରତିଷ୍ଠା କରିପାରିଥିଲା, ଏହାଠୁ ସାହାସୀ ଆଉ କିଏ ହୋଇପାରେ? କୋଣାର୍କର ମୁଣ୍ଡି ମାରିଥିବା ଧର୍ମପଦଠାରୁ କୌଶଳୀ ପିଲା ଆଉ କିଏ ହୋଇପାରେ? ଧର୍ମପଦ ବୁଦ୍ଧିଆ ଥିବାରୁ ୧୨୦୦ ବଢେଇଙ୍କର ଦାୟିତ୍ୱ ନେଇଥିଲା। ସେଥିପାଇଁ ଧର୍ମପଦ ଓଡିଆ ଯୁବକର ପ୍ରତୀକ ା ସେଥିପାଇଁ ଧର୍ମପଦ ଡାଇଲଗର ଆୟୋଜନ କରାଯାଇଥିଲା।

Share :