ଏସଡିଆଇ ମୁଖ୍ୟ କ୍ୟାମ୍ପସ ଉଦ୍ଘାଟିତ

ଏସଡିଆଇ ମୁଖ୍ୟ କ୍ୟାମ୍ପସ ଉଦ୍ଘାଟିତ

Share :

ଫେବୃଆରୀ ୨୪ ତାରିଖରେ ଭାରତୀୟ ତୈଳ ନିଗମ ଦ୍ୱାରା ପରିଚାଳିତ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସଡିଆଇ) ଭୁବନେଶ୍ୱରର ମୁଖ୍ୟ କ୍ୟାମ୍ପସ ଖୋର୍ଦ୍ଧା ଜିଲା ଜଟଣୀର ତରାବୋଇ ଗ୍ରାମରେ ଏକ ସ୍ୱତନ୍ତ୍ର ଉତ୍ସବ ଅବସରରେ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦେଶର ବିଭିନ୍ନ ଭାଗରୁ ତୈଳ ଶିଳ୍ପ, ଦକ୍ଷତା ବିକାଶ କ୍ଷେତ୍ରର ବରିଷ୍ଠ ପଦାଧିକାରୀ, ପରାମର୍ଶଦାତା, ପ୍ରଶିକ୍ଷଣ ସହଭାଗୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଂଚଳ ଠାରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସଡିଆଇ)ର ପ୍ରାରମ୍ଭିକ (ପାଇଲଟ୍) କ୍ୟାମ୍ପସ ୨୦୧୬ ମେ ୯ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ସେତେବେଳେ ଏହି ପ୍ରାରମ୍ଭିକ କ୍ୟାମ୍ପସ ଉଦ୍ଘାଟନ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଟଣୀରେ ଏସ୍ଡିଆଇର ମୁଖ୍ୟ କ୍ୟାମ୍ପସ ଆନ୍ତର୍ଜାତିକ ମାନର ଏକ ମେଗା ମଡେଲ ସ୍କିଲ ଏକାଡେମୀ ଭାବେ ଜଟଣୀରେ ପ୍ରତିଷ୍ଠା କରାଯିବାର ଯୋଜନା ଥିବା ଘୋଷଣା କରିଥିଲେ। ତଦନୁଯାୟୀ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ମୁଖ୍ୟ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗତ ତିନି ବର୍ଷ ଧରି ମଂଚେଶ୍ୱର ଶିଳ୍ପାଂଚଳରେ କାର୍ଯ୍ୟ କରୁଥିବା ପାଇଲଟ୍ କ୍ୟାମ୍ପସରେ ୭ଟି ଟ୍ରେଡ୍ ପାଠ୍ୟକ୍ରମ ଉପଲବ୍ଧ। ଏହି କ୍ୟାମ୍ପସରେ ପ୍ରତି ବ୍ୟାଚ୍ରେ ପ୍ରାୟ ୨୦୦ ବିଦ୍ୟାର୍ଥୀଙ୍କୁ ୬ ମାସ ଅବଧିର ନିଯୁକ୍ତିଭିତ୍ତିକ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି। ଏହା ଦ୍ୱାରା ଉପଯୁକ୍ତ ନିଯୁକ୍ତି ଉପଯୋଗୀ ଦକ୍ଷତା ହାସଲ କରୁଥିବା ତାଲିମପ୍ରାପ୍ତ ଯୁବକଯୁବତୀ ବାହାରୁଛନ୍ତି ଯେଉଁମାନେ କି ସମ୍ମାନଜନକ ଜୀବନ ଜିଇଁ ପାରିବେ। ଭାରତ ସରକାରଙ୍କ ପ୍ରମୁଖ ମହତ୍ୱାକାଂକ୍ଷୀ ପ୍ରକଳ୍ପ ‘ସ୍କିଲ ଇଣ୍ଡିଆ’ ୨୦୧୫ ଜୁଲାଇ ୧୫ ତାରିଖରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହାର ଅଂଶ ସ୍ୱରୂପ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ସମସ୍ତ ରାଷ୍ଟ୍ରାୟତ ସଂସ୍ଥା ଯଥା- ଆଇଓସିଏଲ୍, ଓଏନଜିସି, ଗେଲ୍, ବିପିସିଏଲ୍, ଏଚ୍ପିସିଏଲ୍, ଓଆଇଏଲ୍, ଇଆଇଏଲ୍ ଏବଂ ବାଲ୍ମର୍ ଲାୱାରି ଭାରତ ବ୍ୟାପୀ ଦକ୍ଷତା ବିକାଶ ପ୍ରତି।ନ ସ୍ଥାପନ ପାଇଁ ଏହି ମହତ ଉପକ୍ରମରେ ହାତ ମିଳାଇଛନ୍ତି। ଓଡ଼ିଶାରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ପ୍ରଥମ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସଡିଆଇ) ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ କରାଯାଇଛି, ଇଣ୍ଡିଆନ ଅଏଲ୍ ଏହାର ପ୍ରମୁଖ ନିବେଶକାରୀ ଓ ପରିଚାଳନାକାରୀ କମ୍ପାନୀ।

Share :