ସାଂସାରିକ କର୍ମଫଳ

ସାଂସାରିକ କର୍ମଫଳ

Share :

ସୁବାଷ କୁମାର ତାରଣିଆଁ ଶିକ୍ଷା କ୍ଷେତ୍ରରେ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନେ ଆଗରେ ଥିଲେ ମଧ୍ୟ ଆମ ସମାଜରେ କନ୍ୟା ସନ୍ତାନ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ବେଳେ ପୁତ୍ର ସନ୍ତାନ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବା ନଜିର ରହିଛି। ଏଥିପାଇଁ ଅନେକ କ୍ଷେତ୍ରରେ ଡ଼ାକ୍ତରୀ ପରୀକ୍ଷାରୁ କନ୍ୟା ସନ୍ତାନ ଥିବା ଜଣାପଡ଼ିବା ପରେ ତାକୁ ନଷ୍ଟ କରିଦିଆ ଯାଉଥିବାର ନଜିର ମଧ୍ୟ ଅଛି ଓ କନ୍ୟାଭ୍ରୁଣ ନଷ୍ଟ କରିବା ଅପରାଧରେ ଅନେକ ଅର୍ଥଦଣ୍ଡ ମଧ୍ୟ ଗଣିଛନ୍ତି। ପ୍ରତ୍ୟେକ ବିବାହିତା ମହିଳାମାନଙ୍କର ସ୍ୱପ୍ନ ଥାଏ କନ୍ୟା ସନ୍ତାନ ଅପେକ୍ଷା ପୁତ୍ର ସନ୍ତାନର ଜନନୀ ହେବା ପାଇଁ। ଏଥିପାଇଁ ସେମାନେ ବାର ମାସରେ ତେର ଓଷା କରି ତେତିଶକୋଟି ଦେବତାଙ୍କୁ ପୂଜା କରି ମାନସିକ ରଖିଥାନ୍ତି ପୁଅଟିଏ ପାଇଁ। ସେମାନେ ମନେ ମନେ ଭାବିଥାନ୍ତି ପୁଅଟିଏ ହେବ, ଭଲ ପାଠ ପଢିବ, ବଡ଼ ମଣିଷ ହେବ, ବଡ଼ ଚାକିରୀ କରିବ, ରାଜକୁମାରୀ ପରି ବୋହୂଟିଏ ଘରକୁ ଆଣିବ, ମୋର ସେବା କରିବ ଓ ନାତି ନାତୁଣୀଙ୍କ ଗହଣରେ ପରିବାର ହସ ଖୁସିରେ ପୁରି ଉଠିବ। ମା’ ବାପା ଯେତେବେଳେ ବାର୍ଦ୍ଧକ୍ୟରେ ଉପନୀତ ହେବେ, ସେତେବେଳେ ପୁଅ ବୋହୂ ହିଁ ସେମାନଙ୍କର ସେବା ଶୁଶ୍ରୁଷା କରିବେ। ସେମାନଙ୍କର ମୃତ୍ୟୁ ପରେ ପୁତ୍ର ହାତରୁ ମୁଖାଗ୍ନି ପାଇଲେ ସେମାନଙ୍କର ଆତ୍ମା ଶାନ୍ତି ପାଇଥାଏ ଯାହା ଆମ ବିଧିବିଧାନରେ ଲେଖାଅଛି ଓ ଆମ ସମାଜରେ ପ୍ରଚଳିତ ହୋଇ ଆସୁଅଛି। ପୁତ୍ରଟିଏ ଜନ୍ମ କଲା ପରେ ମା’ର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ ଓ ଘରେ ଆନନ୍ଦର ଲହରୀ ଖେଳିଯାଇଥାଏ। ନିଜର ସବୁ ସମସ୍ୟାକୁ ପଛରେ ପକାଇ ନିଜ ପୁତ୍ର ସନ୍ତାନର ଯତ୍ନ ନେଇଥାଏ ମା’ଟି। ପୁତ୍ରକୁ ଜ୍ୱର ହେଲେ ବା ଦେହ ଖରାପ ହେଲେ ନିଜେ ନ ଖାଇ, ନ ପିଇ ରାତି ଅନିଦ୍ରା ହୋଇ ପୁତ୍ରଟିର ସେବା ଯତ୍ନ କରିଥାଏ। ଯେତେବେଳେ ପୁତ୍ରଟି ବଡ଼ ହୋଇ ପାଠ ପଢା ଆରମ୍ଭ କରେ, ସେତେବେଳେ ମାଆର ଦାୟିତ୍ୱ ଆହୁରି ବଢିଯାଏ। ବହିପତ୍ର ଠିକ୍ ସେ ସାଜଡ଼ି ଦେବା, ଠିକ୍ ସମୟରେ ଖାଇବାକୁ ଦେଇ ସ୍କୁଲ୍ ପଠାଇବା ପରେ ଯାଇ ମା’ଟି ତାର ଅନ୍ୟ କାମ କରିଥାଏ। ସେହିପରି ସ୍କୁଲ୍ ଛୁଟିହେବା ସମୟକୁ ମା’ଟି ନିଜେ ନଖାଇ ଚାତକ ପରି ଚାହିଁ ରହିଥାଏ ପୁଅର ଫେରିବା ବାଟକୁ। ଯେତେବେଳେ ପୁତ୍ରଟି ପାଠପଢାରେ ନିଜ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରେ, ସେତେବେଳେ ମା’ର ଖୁସି କହିଲେ ନସରେ। ଧୀରେ ଧୀରେ ପୁତ୍ରର ପାଠପଢା ପ୍ରାଇମେରୀ, ଅପର ପ୍ରାଇମେରୀ, ବିଦ୍ୟାଳୟରୁ ମହାବିଦ୍ୟାଳୟକୁ ଯାଏ, ସେତେବେଳେ ପୁଅର ପକେଟ୍ ଖର୍ଚ୍ଚ ପାଇଁ ମା’ ବାପାଙ୍କୁ ନ ଜଣାଇ ତାଙ୍କ ପକେଟରୁ ଟଙ୍କା ଆଣି ଲୁଚାଇ କରି ପୁଅ ପକେଟରେ ପୂରାଇଦିଏ। ନିଜେ ସଞ୍ଚିଥିବା ଅର୍ଥକୁ ଦେଇଥାଏ ପୁଅକୁ ତାର ବସ୍ଭଡ଼ା, ଟିଫିନ୍ ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ। ଏହିଭଳି ଭାବରେ ପରିବାରରେ ମା’ ଓ ପୁଅର ଅନାବିଳ ସ୍ନେହଁ ସମ୍ପର୍କ ଅତୁଟ ରହିଥାଏ। ପାଠପଢା ସରିଗଲା ପରେ ମା’ ବାପାଙ୍କର ବଡ଼ ଚିନ୍ତା ଥାଏ ପୁଅର ଚାକିରୀ ପାଇଁ। ତା’ପରେ ପୁଅର ଗୋଟିଏ ଭଲ ଚାକିରୀ ହୋଇଯାଏ ଏବଂ ମା’ବାପାଙ୍କର ସବୁ ସ୍ୱପ୍ନ ସାକାର ହୋଇଥିବାରୁ ସେମାନେ ଖୁସିରେ ଆମିହରା ହୋଇପଡ଼ନ୍ତି। ପୁଅ ମଧ୍ୟ ଚାକିରୀ କରିବା ପରେ ଦରମା ପାଇ ଆଣି ବାପାଙ୍କ ହାତରେ ଧରାଇ ଦେଇଥାଏ। ଚାକିରୀ କରିବା ପରେ ମା’ ବାପା ଭଲ ଘର ଓ ଭଲ ଝିଅ ଦେଖି ପୁଅର ବିଭାଘର ଖୁବ୍ ଧୁମ୍ଧାମରେ ପାଳନ କରିଥାନ୍ତି ନିଜ ଭାଇ, ବନ୍ଧୁ ଓ ଆତ୍ମୀୟସ୍ୱଜନଙ୍କ ଗହଣରେ। ବାହାଘର ପରେ ବୋହୂଟିଏ ଘରକୁ ଆସିଲା ପରେ ହିଁ ପରିବାରର ଗତିପଥ ବଦଳିଯାଏ। ମା’ଟି ଦେଖିଥିବା ସ୍ୱପ୍ନ ସବୁ ଚୁର୍ମାର ହୋଇଯାଏ। ସେ ଆଶା କରିଥିବା ପୁଅ ବୋହୂଙ୍କ ସେବା ପାଇବା ବଦଳରେ ପାଏ ନିର୍ଯ୍ୟାତନା। ପୁତ୍ରଟି ନିଜ ନବ ବିବାହିତା ସ୍ତ୍ରୀ ଦ୍ୱାରା ପରିଚାଳିତ ହୋଇ ନିଜ ଜନ୍ମକଲା ବାପା ମାଆଙ୍କୁ ନିର୍ଯ୍ୟାତନା ଆରମ୍ଭ କରିଦିଏ। ସେପଟେ ନିଜ ଶାଶୂ ଶ୍ୱଶୂରଙ୍କୁ ଦେବତା ଭଳି ପୂଜା କରି ସେମାନଙ୍କର ସବୁ ସେବା ଯନି କରୁଥାଏ ଯେମିତି କି ନିଜ ଜନ୍ମ କଲା ବାପା ମାଆଙ୍କ ଭଳି। ବୋହୂଟି ନିଜ ଶାଶୂକୁ ରୋଷେଇ କରିବା ସହିତ, ଘର ଓଳାଇବା, ଲୁଗା ସଫା କରିବା ଭଳି ଅନେକ କାମ କରିବାକୁ ନିର୍ଦ୍ଦେଶ ଦେଇ ନିଜେ ଘରେ ବସି ଟିଭି ଦେଖେ ଓ ମୋବାଇଲ୍ରେ ଗପେ। ମା’ଟି କିନ୍ତୁ ପୁଅ ବୋହୂଙ୍କ ନିର୍ଯ୍ୟାତନାକୁ ଭ୍ରୁକ୍ଷେପ ନ କରି ରୋଷେଇ କରିବା ଠାରୁ ଆରମ୍ଭ କରି ସବୁ କାମ ଖୁସିରେ କରିଥାଏ ନିଜ ପୁଅ ବୋହୂଙ୍କ ପାଇଁ। ସେପଟେ ନିଜ ଜନ୍ମଦିନ ତଥା ବିବାହ ବାର୍ଷିକୀ ପାଳନ ପାଇଁ ଶାଶୂ, ଶ୍ୱଶୂର, ଶଳା, ଶାଳୀଙ୍କ ପାଇଁ ଦାମିକିଆ ପୋଷାକ କିଣାଯାଉଥିବା ବେଳେ ନିଜ ଜନ୍ମକଳା ବାପା ମାଆ ଓ ଭାଇ, ଭଉଣୀଙ୍କ ଶସ୍ତା କପଡ଼ା ପୋଷାକ କିଣାଯାଇଥାଏ। ନିଜ ଭାଇର କଲେଜରେ ନାମ ଲେଖା ଓ ଭଉଣୀର ଟ୍ୟୁସନ ଫି ଦେବା ପାଇଁ ପାଖରେ ପାଖରେ ପଇସା ନଥିବା କହୁଥିବା ବେଳେ ସେପଟେ ନିଜ ଶଳାର ପିକ୍ନିକ୍ ଖର୍ଚ୍ଚ ଓ ଶାଳୀର ଦାମୀ ମୋବାଇଲ୍ କିଣାରେ ବହୁତ ପଇସା ଖର୍ଚ୍ଚ ହୋଇଥାଏ। ନିଜ ବାପା, ମାଆ ବେମାରରେ ପଡ଼ିଥିବା ବେଳେ ସେମାନଙ୍କୁ ଔଷଧ ଟିକେ ଦେବାକୁ ସମୟ ନଥିବା ବେଳେ, ଏପଟେ ଶାଶୂ, ଶ୍ୱଶୂର, ଶଳା, ଶାଳୀ ଓ ସେମାନଙ୍କ ଆତ୍ମୀୟସ୍ବଜନମାନଙ୍କୁ ନେଇ ଦିଅଁ ଦର୍ଶନ ଓ ବଣଭୋଜି କରିବାରେ ସମୟ ଅତିବାହିତ ହେଉଛି। ନିଜ ବନ୍ଧୁ, ବାନ୍ଧବ ଓ ଆମିିୟମାନଙ୍କ ବିବାହ, ବ୍ରତ ଓ ଜନ୍ମଦିନ ଆଦିରେ ଯୋଗ ଦେବାକୁ ସମୟ ନଥିବା ବେଳେ ନିଜର ଶ୍ୱଶୂରଙ୍କ ବନ୍ଧୁ ବାନ୍ଧବ, ଶଳା ଓ ଶାଳୀଙ୍କ ବିବାହ, ବ୍ରତ ଓ ଜନ୍ମଦିନ ଆଦିରେ ଉପସ୍ଥିତ ରହି ଦାମୀ ଉପହାର ଦେବାରେ ସମୟ ବିତୁଛି। ନିଜ ବାପା, ବୋଉ ଓ ଭାଇ, ଭଉଣୀଙ୍କୁ ଅଣଦେଖା କରୁଥିବା ପୁତ୍ରଟି ସମୟକ୍ରମେ ନିଜେ ଏକ ପୁତ୍ର ସନ୍ତାନର ଅଧିକାରୀ ହେବା ଖୁସିରେ ନିଜ ଶାଶୂ, ଶ୍ୱଶୂର ଓ ଶଳା ଶାଳୀଙ୍କ ଗହଣରେ ତାରକା ହୋଟେଲରେ ଭୋଜିଭାତରେ ଆପ୍ୟାୟିତ କରୁଥିବା ବେଳେ ନିଜର ଜନ୍ମିତ ବାପା, ମାଆ ଓ ଭାଇ ଭଉଣୀଙ୍କୁ ଅଣଦେଖା କରାଯାଉଛି। ବିଚରା ବୃଦ୍ଧ ପିତା ମାତା ନିଜର ନାତିକୁ ପାଖରେ ନ ପାଇ ଦୁଃଖରେ ଭାଙ୍ଗି ପଡ଼ୁଥିଲେ ମଧ୍ୟ ନାତିର ସର୍ବଦା ଦୀର୍ଘାୟୁ କାମନା କରିଥାନ୍ତି। ଏପଟେ ସେହି ପୁତ୍ରଟି ନିଜ ନବଜାତ ପୁତ୍ରକୁ ଅତି ଯତ୍ନ ସହକାରେ ପାଳି, ପୋଷି, ଦାମିକିଆ ସ୍କୁଲ୍ରେ ପାଠ ପଢାଇ ବଡ଼ ମଣିଷ କରାଇ ଗୋଟିଏ ଭଲ କମ୍ପାନୀରେ ଦେଖି କରାଇ ଦିଅନ୍ତି ଓ ଗୋଟିଏ ସୁନ୍ଦରୀ ଯୁବତୀ ଦେଖି ତାର ବିବାହ କରାଇ ଦିଅନ୍ତି ଓ ନିଜେ ଶ୍ୱଶୂର ମାନ୍ୟତା ପାଆନ୍ତି। ଯେତେବେଳ ପୁଅ ବୋହୂ ଘରକୁ ଆସନ୍ତି, ସେତେବେଳ ଆରମ୍ଭ ହୋଇଯାଏ ନିଜ ଊପରେ ଉପରେ ନିର୍ଯ୍ୟତନା। ନିଜ ପୁତ୍ର ବୋହୂଠାରୁ ନିର୍ଯ୍ୟତନା ପାଇ ପୁତ୍ରଟିର ମନେ ପଡ଼ିଯାଏ ଅତୀତର ସେହି ସମୟକୁ ଯେଉଁ ସମୟରେ ନିଜ ବାପା ଓ ମାଆଙ୍କୁ ନିର୍ଯ୍ୟାତନା ଦେଉଥିଲା ଓ ମନେ ମନେ କହୁଥିଲା ଏମିତି କାହାଣୀ କେବେ ଶୁଣିନି। କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର ମୋ : ୯୭୭୬୫୧୦୭୯୪

Share :