କାହା ଟଙ୍କାରେ ମେଡିକାଲ୍‌?

କାହା ଟଙ୍କାରେ ମେଡିକାଲ୍‌?

Share :

ସ୍ବତନ୍ତ୍ର ପ୍ରତିନିଧି ରାଜ୍ୟର ୫ ଜିଲ୍ଲାରେ ଖୋଲିଥିବା ୫ ମେଡିକାଲ କଲେଜ ନେଇ ନବୀନ ସରକାର ଓଡ଼ିଶାବାସୀଙ୍କୁ ମିଛ କହି ଧରାପଡ଼ିଛନ୍ତି। ଏହି ୫ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଏକ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଥିଲେ ବି ସେହି ଟଙ୍କାର ଏକ ଭାଗ ରାଜ୍ୟ ସରକାର ଉନ୍ନତ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରଚାର ବାବଦରେ ଖର୍ଚ୍ଚ କରିଛନ୍ତି। ନବୀନ ସରକାରଙ୍କ ପ୍ରଚାର ଫଳରେ ଲୋକମାନଙ୍କର ଗୋଟେ ଧାରଣା ହୋଇଛି ଯେ ରାଜ୍ୟର ବାଲେଶ୍ବର, ବଲାଙ୍ଗୀର, କୋରାପୁଟ, ବାରିପଦା ଓ ପୁରୀରେ ଯେଉଁ ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ତାହା ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଉଦ୍ୟମ ଓ ପାଣ୍ଠିରେ ହୋଇଛି। ମାତ୍ର, ଏବେ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାର ପ୍ରଚାର କରିଥିବା ଏହି ମିଥ୍ୟାର ମୁହଁ ଖୋଲି ଯାଇଛି। ୨୦୧୯ ଫେବୃଆରୀ ୨ ତାରିଖରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନ ସୂଚନା ଅଧିକାରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ପ୍ରଚଳିତ ଜିଲ୍ଲା ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ଯୋଜନାରେ ରାଜ୍ୟରେ ଏହି ୫ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୭୫ ପ୍ରତିଶତ ପାଣ୍ଠି ଯୋଗାଇ ଦେଇଛନ୍ତି। ଯୋଜନା ଅନୁଯାୟୀ ରାଜ୍ୟ ସରକାର ମାତ୍ର ୨୫ ପ୍ରତିଶତ ପାଣ୍ଠି ଯୋଗାଇବା କଥା। କେନ୍ଦ୍ର ସରକାରଙ୍କର ଏହି ଯୋଜନା ଅନୁସାରେ ଜିଲ୍ଲା ସଦର ମହକୁମା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରିବା ବାବଦରେ ୧୮୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ କେନ୍ଦ୍ର ସରକାର ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ୫୫୮ କୋଟି ୬୦ ଲକ୍ଷ ଟଙ୍କା ଦେଇ ସାରିଛନ୍ତି। ବାଲେଶ୍ବର, ବାରିପଦା, ବଲାଙ୍ଗୀର, କୋରାପୁଟ ଓ ପୁରୀ ମେଡିକାଲ କଲେଜ ପାଇଁ ୨୦୧୪-୧୫ ବର୍ଷ ୭ କୋଟି ଲେଖାଏଁ ୩୫ କୋଟି, ୨୦୧୫-୧୬ ବର୍ଷ ୧୭ କୋଟି ଲେଖାଏଁ ୮୫ କୋଟି, ୨୦୧୬-୧୭ ବର୍ଷ ୧୦ କୋଟି ଲେଖାଏଁ ୫୦ କୋଟି, ୨୦୧୭-୧୮ ବର୍ଷ ବାରିପଦା ଓ କୋରାପୁଟ ପାଇଁ ୭୯ କୋଟି ଲେଖାଏଁ ଏବଂ ଅନ୍ୟ ତିନିଟି ମେଡିକାଲ କଲେଜ ପାଇଁ ୭୧ କୋଟି ଲେଖାଏଁ ମୋଟ ୩୭୧ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ୨୦୧୮-୧୯ ବର୍ଷରେ ବାକି ଟଙ୍କା ମିଳିଛି। ଅଥଚ ନବୀନ ପଟ୍ଟନାୟକଙ୍କ ସରକାର ଏହିସବୁ ମେଡିକାଲ କଲେଜ ବାବଦରେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରି ତାହାକୁ ଗଣମାଧ୍ୟମ ଜରିଆରେ ପ୍ରଚାରିତ କରାଇ ଏହା ଯେପରି ରାଜ୍ୟ ସରକାରଙ୍କ ନିଜସ୍ବ ଉଦ୍ୟମରେ ତିଆରି ହୋଇଛି ସେପରି ଏକ ଧାରଣା ସୃଷ୍ଟି କରିଛନ୍ତି। କେନ୍ଦ୍ର ସରକାର ପାଣ୍ଠି ଦେଇଥିଲେ ହେଁ ତାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଅନୁମୋଦିତ ପାଣ୍ଠି ଭାବେ ପ୍ରଚାରିତ କରାଯାଇଛି। ପର ଧନରେ ପଲେଇ ମା’ ବା ପାଇଆ ପରେର୍‌ ଧନ୍‌ ହରିଆ କରେ ସଂକୀର୍ତ୍ତନ ପରି ଇଏ ଆଉ ଗୋଟିଏ କଥା।

Share :