ସାମାଜିକ ପ୍ରତିଶ୍ରୁତିର ଫିଲ୍ମ ଉତ୍ସବ ଇଗ୍‌ନାଇଟ୍‌

ସାମାଜିକ ପ୍ରତିଶ୍ରୁତିର ଫିଲ୍ମ ଉତ୍ସବ ଇଗ୍‌ନାଇଟ୍‌

Share :

ରାଷ୍ଟ୍ରର ବିକାଶ ଏହାର ସମାଜ ଉପରେ ନିର୍ଭରଶୀଳ। ଏକ ସଂପନ୍ନ ସମାଜ ଗୋଟେ ସୁସ୍ଥ ଓ ପ୍ରଗତିଶୀଳ ରାଷ୍ଟ୍ର ଗଠନ ପାଇଁ ପଥ ପରିଷ୍କାର କରେ। କିନ୍ତୁ ଏକ ରାଷ୍ଟ୍ର ଭାବରେ ସ୍ୱାଧୀନତାର ୬୦ ବର୍ଷ ପରେ ମଧ୍ୟ ଭାରତ ବିଭିନ୍ନ ସାମାଜିକ ସମସ୍ୟା ଦେଇ ଗତିକରୁଛି। ପରିବେଶ ସୁରକ୍ଷା, ନିରକ୍ଷରତା, ଦାରିଦ୍ର୍ୟ, ବେକାରୀ ସମସ୍ୟା, ଚାକିରୀ ସମସ୍ୟା, ଜନସଂଖ୍ୟା ବୃଦ୍ଧି, ଶିଶୁ ଶ୍ରମିକ, ଯୌତୁକ ପ୍ରଥା, ଘରୋଇହିଂସା, ଜାତିବାଦ, ମଦ୍ୟପାନ, ଡ଼୍ରଗସ୍ ସେବନ, ଦୁର୍ନୀତି ଭଳି ଆନକ ସାମାଜିକ ସମସ୍ୟା ଭାରତ ଭଳି ରାଷ୍ଟ୍ର ଉପରେ ନକାରାତ୍ମକ ପ୍ରଭାବ ପକାଉଚି, ଯେଉଁଠିକି ଭାରତ ଏକ ଆଧ୍ୟାତ୍ମିକ ଚେତନା ଯୁକ୍ତ ଦେଶ ଭାବରେ ସମଗ୍ର ବିଶ୍ୱରେ ପରିଚିତ। ଉଦ୍ୟୋଗର ବିକାଶ ଓ ନୂତନ ଚିନ୍ତାଧାରା ପ୍ରୟୋଗ ସତ୍ତ୍ବେ ଏବେ ମଧ୍ୟ ଅନେକ ଲୋକ ବିଭିନ୍ନ ସାମାଜିକ ସମସ୍ୟା ଦେଇ ଗତି କରୁଛନ୍ତି। ଜଣେ ଫିଲ୍ମ ନିର୍ମାତା ହିସାବରେ ସମାଜରେ ପରିବର୍ତ୍ତନ ଆଣିବା ଆମର କର୍ତ୍ତବ୍ୟ। ଏଇସବୁ ବିଷୟ ଉପରେ ନଜର ଦେବା ସହ ଏହାର ତର୍ଜମା ଓ ଏହାର ସମାଧାନ ପାଇଁ ଯୋଗଦାନ ଦେବା ଆମର ଦାୟିତ୍ୱ। ସାମାଜିକ ସମସ୍ୟା ଗୁଡ଼ିକ ବିଷୟରେ ଆଲୋକପାତ କରିବା ସହ ଫିଲ୍ମ ମାଧ୍ୟମରେ ଏହାକୁ ପ୍ରଦର୍ଶନ କରାଗଲେ ଏହା ସାମାଜିକ ଅଭିଯାନର ରୂପ ନେବା ସହ ଲୋକମାନଙ୍କୁ ସଚେତନ କରାଇବ, ଯାହା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଆବଶ୍ୟକ। ଏଇ ପରି ଏକ ଚିନ୍ତାଧାରା ନେଇ ଓଡ଼ିଶାର ଅଗ୍ରଣୀ ପ୍ରଡ଼କସନ ହାଉସ-ସ୍ପର୍ଶ ଏହାର ଦ୍ୱିତୀୟ ସସ୍କଂରଣ- ଇଗନାଇଟ୍ ସର୍ଟ ଫିଲ୍ମ୍ ଫେଷ୍ଟିଭାଲ୍ ଆୟୋଜନ କରିଥିଲା ଯାହାକି ‘ସାମାଜିକ ସମସ୍ୟା’ ଉପରେ ପର୍ଯ୍ୟବସିତ ଥିଲା। ଏହି ପୁରସ୍କାର ବିତରଣ ସମାରୋହ ଭୁବନେଶ୍ୱର ସ୍ଥିତ ଓଡିଶୀ ରିସର୍ଚ୍ଚ ସେଂଟର ଠାରେ ୭ ଫେବୃୟାରୀ ୨୦୧୯ରେ ଆୟୋଜିତ ହୋଇଥିଲା। ସମାଜରେ ଯେକୌଣସି ଜିନିଷ ଲୋକଙ୍କ ଉପରେ କୁପ୍ରଭାବ ପକାଇଥାଏ ତାହା ସାମାଜିକ ସମସ୍ୟାରେ ପରିଣତ ହୋଇଯାଇଥାଏ ଏବଂ ଯେଉଁ ଫିଲ୍ମ ସାମାଜିକ ସମସ୍ୟା ଉପରେ ପର୍ଯ୍ୟବସିତ ଓ ଯାହା ଜଣେ ଫିଲ୍ମନିର୍ମାତାକୁ ଅନ୍ୱେଷଣ ଓ ବିଶ୍ଳେଷଣର ଆବଶ୍ୟକତାକୁ ପୂରଣ କରେ, ଇଗନାଇଟ୍-୨୦୧୯ ସେହି ଫିଲ୍ମଗୁଡିକୁ ସ୍ୱାଗତ କରିଥାଏ। କାଇଶା ପିଫୋଜି ନାମକ ଜଣେ ମଣିପୁରୀ ମହିଳା ଫିଲ୍ମ୍ନିର୍ମାତା ‘ସନ୍ସେଟ୍ ଇୟରସ’ ନାମକ ଫିଲ୍ମ୍ ପାଇଁ ପ୍ରଥମ ପୁରସ୍କାର ଲାଭ କରିବା ସହ ୨୦,୦୦୦ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ। ‘ସନ୍ସେଟ୍ ଇୟରସ’ ଫିଲ୍ମ୍ଟି ଯୁବ ଭାରତର ବୃଦ୍ଧି ପାଉଥିବା ଲୋକସଂଖ୍ୟାକୁ ଦର୍ଶାଇଛି। ଏହି ଫିଲ୍ମ ମୁମ୍ୱାଇରେ ଅବସର ନେଇ ଆନନ୍ଦରେ ଜୀବନ ବିତାଉଥିବା ‘ଦାଦା ଦାଦି ପାର୍କ କ୍ରିକେଟ ଟିମ୍’ କଦାପି ହାର ନ ମାନିଥିବା ‘ପାର୍କିନ୍‌ସଂନ୍ସ ଆନ୍ଦୋଳନ ଏବଂ ବିକଳାଙ୍ଗ ସମାଜ’ ଓ ବାରଣାସୀ ସ୍ଥିତ ମୁମୁକ୍ଷୁ ଭବନର ଗରିବ, ଅବହେଳିତ ଏବଂ ନିଃସହାୟ ବୃଦ୍ଧଙ୍କ ଜୀବନ ଦ୍ୱାରା ଭାରତର ସମୁଦାୟ ବୟସ୍କଙ୍କ ଆଧୁନିକ ଦିନର ଉତ୍ଥାନପତନକୁ ଦର୍ଶାଇଛି। ଏହି ଫିଲ୍ମ୍ର କାହାଣୀରେ ହଜାରବର୍ଷ ତଳର କଥାକୁ ଦର୍ଶାଯାଇଛି, ଯେଉଁଥିରେ ତାମିଲ ସମ୍ପ୍ରଦାୟର ଲୋକମାନେ ବୃଦ୍ଧଲୋକଙ୍କୁ ଜୀଅନ୍ତା ପୋତିଦିଅନ୍ତି। ଏହି ସାମାଜିକ ପରମ୍ପରା ଆଜି ମଧ୍ୟ ‘ଥଲାଇକୋଥଲ’ନାମରେ ପ୍ରଚଳିତ ହେଉଅଛି। ଏହା ଭାରତରେ ବୃଦ୍ଧଙ୍କର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଦର୍ଶାଇଛି। ଅନ୍ୟତମ ଯୁବ ସ୍ୱାଧୀନ ଫିଲ୍ମ୍ନିର୍ମାତା ଅଭିଷେକ ସ୍ୱାଇଁ, ‘ଫିଉ ମାଇଲ୍ସ ଆୱେ’ ପାଇଁ ପ୍ରଥମ ରନର୍ସ ଅଫ୍ ପୁରସ୍କାର ଲାଭ କରିବା ସହ ୧୦,୦୦୦ ହଜାର ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ। ଏହି ଫିଲ୍ମଟି ଦର୍ଶାଇଛି କିପରି ସହର ପ୍ରକୃତିକୁ ନଷ୍ଟ କରି ବଢିବାରେ ଲାଗିଛି ଏବଂ ଆମର ପରବର୍ତ୍ତୀ ପିଢି ଉପରେ ଏହାର ପ୍ରଭାବ କିପରି ହେବ। ବିବେକ ପଣ୍ଡା ‘ମୁକ୍ତି’ ଚଳଚ୍ଚିତ୍ର ପାଇଁ ଦ୍ୱିତୀୟ ରନର୍ସ ଅଫ୍ ପୁରସ୍କାର ଲାଭ କରିବା ସହ ୧୦,୦୦୦ ହଜାର ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ। ଏହି ଫିଲ୍ମରେ ଜଣେ ଯୁବ ଟ୍ରାନ୍ସଜେଣ୍ଡର କିପରି ନିଜର ଅସଲ ପରିଚୟ ଲୁଚାଇବା ସହ ଦୁଃଖରେ ଜୀବନ କାଟୁଅଛି ତାହାର ଚିତ୍ରଣ କରାଯାଇଛି। ସେ କେବଳ ରୁଦ୍ଧଦ୍ୱାର ମଧ୍ୟରେ ହିଁ ସେ ନିଜ ଅସଲ ପରିଚୟ ସହ ଯୋଡି ହୋଇଥାଏ। ଶେଷରେ ସେ ନିଷ୍ପତି ନିଏ ନିଜକୁ ମାରିବା ପୂର୍ବରୁ ତାର ଅସଲ ପରିଚୟ ଅନ୍ୟମାନଙ୍କୁ ଜଣାଇଦେବ। ଇଗନାଇଟ୍-୨୦୧୯ ସମାରୋହରେ ଅତିଥି ରୂପେ ଓଡିଶାର ବରିଷ୍ଠ ସାମ୍ୱାଦିକ ସମ୍ପଦ ମହାପାତ୍ର, ସନ୍ଦୀପ ସାହୁ ଏବଂ ଯୁବ ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ୍ନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।

Share :