ପିଲାଙ୍କ ଭବିଷ୍ୟତ ନା ମୃତ୍ୟୁର ସ୍କୁଲ!

ପିଲାଙ୍କ ଭବିଷ୍ୟତ ନା ମୃତ୍ୟୁର ସ୍କୁଲ!

Share :

ଆଦିବାସୀ ଝିଅ ମିନି ମାଝୀ | କେତେ ଆଶା ଥିଲା | ପାଠ ପଢ଼ିବ ବାପାମା’ଙ୍କ ଦୁଃଖ ଦୂର କରିବ | ସେଇ ଆଶାରେ ତା’ର ବାପା ତା’କୁ ଦୂର ଗଜପତି ଜିଲ୍ଲାରୁ ଆଣି ନୟାଗଡ଼ ରଣପୁର ଅନ୍ତର୍ଗତ କେନ୍ଦୁଆ ଆଶ୍ରମ ସ୍କୁଲରେ ଛାଡ଼ିଥିଲା | କିନ୍ତୁ ଏ ଆଶା କେବଳ ଆଶାରେ ରହିଗଲା | ସରକାରୀ ଅବହେଳାରୁ ଏହାର ଘଟିଲା ଦାରୁଣ ଅପମୃତ୍ୟୁ | ଆଶ୍ରମ ସ୍କୁଲ ହଷ୍ଟେଲରେ ପରଷା ଯାଇଥିବା ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ଘଟିଲା ମିନିର | ଏହି ଖାଦ୍ୟ ଖାଇ ଅସୁସ୍ଥ ହୋଇଥିଲେ ଆହୁରି ପ୍ରାୟ 60 ଛାତ୍ରଛାତ୍ରୀ | କେଇ ଜଣ ଗୁରୁତରଙ୍କୁ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରେ ରଖି ଭଲ କରିବାକୁ ହେଲା | ସରକାର ବାହାଦୂର ସ୍କୁଲର ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ ଓ ଗିରଫ କରି କର୍ତ୍ତବ୍ୟ ସଂପାଦନ କଲେ | ଘଟଣାର ତଦନ୍ତ ପ୍ରକ୍ରିୟା କେତେ ଦୂର ଗଲା ତାହା କେହି ଜାଣିଲେ ନାହିଁ | ଲୋକେ ବି ଭୁଲିଗଲେ ଗଣମାଧ୍ୟମର ନିଇତି ଉଠାଉଥିବା ଭିନ୍ନଭିନ୍ନ ପ୍ରସଙ୍ଗ ଚାପରେ | କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ଏଯାଏଁ | ନହେବାର ସମ୍ଭାବନା ଅଧିକ | ଏମିତି ଅନେକ ମିନି ମାଝୀ ଅଛନ୍ତି ଆଶ୍ରମ ସ୍କୁଲରେ | ଯେଉଁମାନେ ପାଠ ପଢ଼ିବା ଓ ଦି’ ଓଳି ଦି’ ମୁଠା ପେଟ ପୂରା ଖାଇବା ଆଶାରେ ସରକାରୀ ପରିଚାଳିତ ସେବାଶ୍ରମ ସ୍କୁଲଗୁଡ଼ିକରେ ଭର୍ତ୍ତି ହୋଇଛନ୍ତି | କିନ୍ତୁ ସେଠାରେ ପଢ଼ିବା ଓ ବଢ଼ିବା ବଦଳରେ ସହୁଛନ୍ତି ନାନାଦି ଯନ୍ତ୍ରଣା | ସେମାନଙ୍କ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ସେମାନଙ୍କୁ ଠିକ୍ ସମୟରେ ଠିକ୍ ମାନର ଖାଦ୍ୟ ପରଷା ଯାଉ ନାହିଁ | ଠିକ୍ ସମୟରେ ଠିକ୍ ପାଠ ପଢ଼ାଯାଉ ନାହିଁ | ସେମାନଙ୍କ ଅନୁଦାନ ହଡ଼ପ କରୁଛନ୍ତି ନିର୍ବାହୀ କର୍ମଚାରୀମାନେ | ସେମାନଙ୍କ ଜୀବନ ଯନ୍ତ୍ରଣାର କଥା ଅନେକ ସମୟରେ ଲୋକଲୋଚନକୁ ଆସୁନାହିଁ | ସରକାର କିଛି ଜାଣୁ ନାହାନ୍ତି | ଜାଣିଲେ ବି ଏମିତି ତଦନ୍ତ ବସାଇ ବା କାହାକୁ ନିଲମ୍ବିତ କରି ସମୟ ଗଡ଼ାଇ ଦେଉଛନ୍ତି | ଆଶ୍ରମ ସ୍କୁଲର ସମସ୍ୟା ଓ ଦୁର୍ନୀତି ଦୂର ହେଉନାହିଁ | ମିନି ମରି ନଥିଲେ ହୁଏତ ଏ ଖବର ଖବରକାଗଜର ଭିତର ପୃଷ୍ଠାର କେଉଁ କୋଣରେ ଛପି ଯାଇଥାନ୍ତା | ସେ ମଲା ବୋଲି ଏହାକୁ ବଡ଼ ବଡ଼ ହରଫରେ ପ୍ରଥମ ପୃଷ୍ଠାରେ ସ୍ଥାନ ମିଳିଲା | ଏମିତି ଅନେକ ଖବର ପ୍ରାୟ ସବୁଦିନ ଭିତର ପୃଷ୍ଠାରେ ପ୍ରକାଶ ପାଉଛି | କିଛି ହେଉନି | କେଉଁଠି ପିଲାମାନେ ଖାଇବା ବିନା ହଷ୍ଟେଲ୍ ଛାଡ଼ି ରାତି ଅନ୍ଧାରରେ ପଳାଉଛନ୍ତି ତ କେଉଁଠି ଭାତ ଥାଳି ଧରି ଦୁଇ ତିନି କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ସରକାରୀ ଅବହେଳାର ପ୍ରମାଣ ଦିଅନ୍ତି | କେଉଁଠି ସ୍କୁଲ ମାଷ୍ଟରଙ୍କ ବଗୀଚା କାମ କରନ୍ତି ତ କେଉଁଠି ପୁଣି ସ୍କୁଲ ହତା ପରିଷ୍କାର କରନ୍ତି | ଅନେକ ସମୟରେ ‘ନିଜ ସ୍କୁଲ ନିଜେ କରିବା’ ନୀତିରେ ସେମାନେ ଇଟାବାଲି କାମ କରୁଥିଲେ ମଧ୍ୟ ଠିକାଦାର ବିଲ୍ ପାଇବାରେ କେହି ବି କିଛି ପ୍ରଶ୍ନ ଉଠାନ୍ତି ନାହିଁ | ସବୁ ଚଳି ଯାଏ | ପୁଣି କେବଳ ଆଶ୍ରମ ସ୍କୁଲରେ ନୁହେଁ, ଏମିତି ସବୁ ଅବ୍ୟବସ୍ଥା ପ୍ରାୟ ସବୁ ସ୍କୁଲ ଦେଖାଯାଏ | ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରର ସ୍କୁଲଗୁଡ଼ିକର ପରିଚାଳନାରେ ଏବେ ଏହିପରି ସବୁ ଅସୁବିଧା | କେଉଁଠି ମାଷ୍ଟର ନାହାନ୍ତି- ପାଠ ପଢ଼ିବା ପାଇଁ ପିଲାମାନେ ଯାଇଁ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଉଛନ୍ତି | କେଉଁଠି ସ୍କୁଲ ଘର ନାହିଁ -ପିଲାମାନେ ଗଛମୂଳେ ବସି ପାଠ ପଢ଼ୁଛନ୍ତି | କେଉଁଠି ବହି ମିଳିନି | କେଉଁଠି ଚୌକିବେଞ୍ଚ ନାହିଁ | ଛାତରୁ ପାଣି ଗଳୁଛି | ଛାତରୁ କଂକ୍ରିଟ୍ ଖସି ଖଣ୍ଡିଆ ଖାବରା ହେଉଛନ୍ତି ନିରୀହ ଶିଶୁ | କେଉଁଠି ପୁଣି କାନ୍ଥ ବା ପାଚେରୀ ଭୁଶୁଡ଼ି ପ୍ରାଣ ହରାଉଛନ୍ତି ଆଜିର ଶିଶୁ, କାଲିର ଭବିଷ୍ୟତ | କେଉଁଠି ସେମାନଙ୍କୁ ବାଉଁଶ ଭାଡ଼ିରେ ଚଢ଼ି ନଈ ପାର ହେବାକୁ ପଡ଼ୁଛି | କେଉଁଠି ପହଁରି ପହଁରି ଯିବାକୁ ପଡ଼ୁଛି ସ୍କୁଲ | କେଉଁଠି ବର୍ଷା ଦିନିଆ ଧାନ ବିଲ ପାଟ ଗୋହିରୀରେ କାଦୁଅ ଭିତରେ ଯିବାକୁ ପଡ଼ୁଛି ମାଇଲ୍ ମାଇଲ୍ ରାସ୍ତା | କେବଳ ଏତିକିରେ ସରେ ନାହିଁ ଆଶ୍ରମ ସ୍କୁଲର କଳଙ୍କର ବିବରଣୀ | ଅନେକ ସମୟରେ ଆଶ୍ରମ ସ୍କୁଲରେ ରହୁଥିବା ଅନୂଢ଼ା କିଶୋରୀମାନେ ଗର୍ଭବତୀ ହୁଅନ୍ତି | କଥା ପଦାକୁ ଆସିଲେ ଖୋଳତାଡ଼ ହୁଏ | ନହେଲେ ନାହିଁ | ପଦାକୁ ଆସିଥିବା ଏମିତି କେତେ ଘଟଣା ପଛରେ ଲୁଚି ରହିଥାଏ ମାଷ୍ଟରମାନଙ୍କ ଯୌନ ପିପାସା | ସେମାନ ନିରୀହ ଗରୀବ ଛାତ୍ରୀମାନଙ୍କୁ ଭଲ ଖାଇବାକୁ ଓ ପିନ୍ଧିବାକୁ କିମ୍ବା ଭଲ ନମ୍ବର ଦେବାର ପ୍ରତିଶ୍ରୁତିରେ ପ୍ରଲୁବ୍ଧ କରି ଯୌନ ଶୌଷଣ କରିଥାନ୍ତି | ଏଭଳି କେତେକ କ୍ଷେତ୍ରରେ ଗର୍ଭ ନହେଲେ ଘଟଣା ଚପି ଯାଏ | କିନ୍ତୁ ଗର୍ଭ ନଷ୍ଟ ନହେଲେ ବା ନଷ୍ଟ କରୁକରୁ ବାଳିକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲେ ବା ମୃତ୍ୟୁ ମୁଖରେ ପଡ଼ିଲେ ସଂସାର ଯାକର ଦୁର୍ନାମ ତା’ରି ମୁଣ୍ଡରେ ଯାଏ | ମାଷ୍ଟର ବା ଏଭଳି ଅନୈତିକ ଯୌନ ସଂପର୍କର ମୁଖ୍ୟ କାର୍ପଟଦାର ପୁରୁଷ ଶୁଦ୍ଧ ସୁବର୍ଣ୍ଣ ରହିଯାଏ | କାହିଁକି ପିଲାଙ୍କ ଉପରେ ଏତେ ନିର୍ଯାତନା ? ଏ ପିଲାମାନେ ଯଦି କିଶୋର ଯୁବକ ହୋଇଥାନ୍ତେ ? କଲେଜରେ ପଢ଼ୁଥାନ୍ତେ ? କର୍ତ୍ତୃପକ୍ଷ ସମ୍ଭାଳି ପାରନ୍ତେ ନା ? ପାଣି କି ପୋକରା ଡାଲି ଦେଲେ ଗୋଟିଏ ବି ମାଡ଼ ତଳେ ପଡ଼ନ୍ତା ନାହିଁ | କେତେ ବସ୍ ପୋଡ଼ନ୍ତା, କେତେ ଜିପ୍ ଜଳନ୍ତା, କେତେ ଆସବାବପତ୍ର ଭାଙ୍ଗନ୍ତା | ମାଷ୍ଟ୍ରେ ଭୟରେ କ୍ୟାମ୍ପସ୍ ଛାଡ଼ି ପଳାନ୍ତେ | କିନ୍ତୁ ଏ ନିରୀହ ପିଲାମାନେ, ବିଶେଷ କରି ଝିଅପିଲାମାନେ ସେମିତି ଉଗ୍ର ନୁହନ୍ତି | ତେଣୁ ସହି ଯାଉଛନ୍ତି ଯାବତ ନିର୍ଯାତନା | କଅଁଳ ବୟସର ଶିଶୁମାନଙ୍କର କଅଁଳ ସ୍ବପ୍ନକୁ ଏମିତି ବାସି ପଖାଳ ବା ବିଷାକ୍ତ ଖାଦ୍ୟ ଖୁଆଇ ମାରି ଦିଆଯାଉଛି | କେଉଁଠି ଖାତା କି ପେନସିଲଟିଏ ପାଇଁ ଆତ୍ମହତ୍ୟା କରୁଛି ସପ୍ତମ ଶ୍ରେଣୀର ବନିତା ନାୟକ ତ ଆଉ କେଉଁଠି ୧୪୭ ଟଙ୍କାର ସ୍କୁଲ ଦରମା ଦେଇ ନପାରି ଆତ୍ମଦାହ କରୁଛି ମେଟ୍ରିକ ଛାତ୍ରୀ କନକଦେଇ | ତଥାପି ଏହା ଆମର ନେତାମାନଙ୍କୁ ଦେଖାଯାଉ ନାହିଁ | ଖଣି ଓ ଜମି ଦୁର୍ନୀତିକୁ ନେଇ ଯେମିତି ରାଜନୀତିକ ପ୍ରସଙ୍ଗ କରାଯାଉଛି ସ୍କୁଲ ପିଲାଙ୍କ ପ୍ରତି ହେଉଥିବା ଅବହେଳା ଓ ସେମାନଙ୍କ ଆତ୍ମହତ୍ୟା ଘଟଣାକୁ ସେପରି ଭାବେ ଆଲୋଚନାକୁ ଅଣାଯାଉ ନାହିଁ | କାରଣ ବୋଧହୁଏ, ଏହାକୁ ପ୍ରସଙ୍ଗ କଲେ କେହି ଚାନ୍ଦା ଦେବାର ନାହିଁ | ପାଠ ପାଇଁ ମରୁଥିବା ଶିଶୁମାନଙ୍କର ଭୋଟ୍ ଅଧିକାର ଥିଲେ କେଜାଣି କେହି ପଦେ ଅଧେ ପାଟି ଫିଟାନ୍ତେ | ନହେଲେ କେଜାଣି ବଡ଼ବଡ଼ିଆଙ୍କ ପିଲା ହୋଇଥିଲେ କିଛି ହୁଅନ୍ତା | ସେମାନଙ୍କ ପିଲାମାନେ ତ’ ବଡ଼ବଡ଼ ବେସରକାରୀ ପବ୍ଲିକ୍ ସ୍କୁଲରେ ପଢ଼ୁଛନ୍ତି | ସରକାରୀ ସ୍କୁଲ କଥା ଭାବିବ କିଏ ? ନେତା, ଅଫିସର, ବ୍ୟବସାୟୀ, ଉଦ୍ୟୋଗପତି, ସାମ୍ବାଦିକ, ସ୍ବେଚ୍ଛାସେବୀ- ଜନମତ ସୃଷ୍ଟି କରିବାର କ୍ଷମତା ରଖିଥିବା ପ୍ରାୟ ସବୁ ବର୍ଗର ଲୋକମାନଙ୍କ ଛୁଆମାନେ ସର୍ବ ସୁବିଧା ଥିବା ସ୍କୁଲରେ ପଢ଼ୁଥିବାରୁ ‘ନାହିଁ ନାହିଁ’ର ସମସ୍ୟା ଭୋଗ କରୁଥିବା ସ୍କୁଲଗୁଡ଼ିକ ପ୍ରତି କାହାରି ନଜର ପଡ଼ୁନାହିଁ | ଶାସନ ଯଦି ଠିକ୍ ଚାଲୁଥାନ୍ତା, ଅଫିସର ଓ ମାଷ୍ଟରମାନେ ଯଦି ପ୍ରକୃତରେ ଉତ୍ତରଦାୟୀ ହୋଇଥାନ୍ତେ, ନୀତି ଓ ନୈତିକତାର ମଣିଷ ହେବାକୁ ଶିକ୍ଷା ପାଇଥାନ୍ତେ, ଖାନଦାନୀ ବୁନିୟାଦିର ଦାୟାଦ ହୋଇଥାନ୍ତେ ତେବେ ହୁଏତ ଗରିବ ପିଲାଙ୍କ ପାଇଁ କିଛି ସମୟ ଭାବନ୍ତେ | ସେମାନଙ୍କ ପାଇଁ ଆସୁଥିବା ପାଣ୍ଠିକୁ ହଡ଼ପ କରିବାକୁ ଇଚ୍ଛା କରନ୍ତେ ନାହିଁ | ସେମାନଙ୍କ ବିବେକ ବାଧା ଦିଅନ୍ତା  କିନ୍ତୁ ରାଜ୍ୟ ଶାସନର ଅନ୍ୟାନ୍ୟ କ୍ଷେତ୍ର ପରି ଗଣଶିକ୍ଷା କ୍ଷେତ୍ରରେ ମଧ୍ୟ ଭର୍ତ୍ତି ହୋଇଗଲେଣି ଅନେକ ବେପାରୀ ଓ ଦୁର୍ନୀତିଖୋର୍ | ସେମାନଙ୍କର ସଂସ୍କାର ନହେଲା ଯାଏଁ ବା ସେମାନଙ୍କୁ ଗଳାଧକ୍କା ଦେଇ ଚାକିରୀରୁ ବାହାର ନକଲା ଯାଏଁ ଆହୁରି ଅନେକ ମିନି ମାଝି, ବନିତା ନାୟକ ଓ କନକଦେଇ ଭତ୍ରାଙ୍କର ମୃତ୍ୟୁ ଦେଖିଚାଲିଥିବ ଓଡ଼ିଶା |

Share :