ବିଜୁ ଯୁବ ବାହିନୀ ଗଠନ ପରେ କମିଛି କି ମଦ୍ୟପାନ?

ବିଜୁ ଯୁବ ବାହିନୀ ଗଠନ ପରେ କମିଛି କି ମଦ୍ୟପାନ?

Share :

ପ୍ରମୁଖ ପ୍ରତିନିଧି ଜନ ସାଧାରଣଙ୍କ ଟିକସ ଅର୍ଥରେ କିପରି ଦଳୀୟ କର୍ମୀଙ୍କୁ ତୁଷ୍ଟ ଓ ପୁଷ୍ଟ କରାଯାଏ ତାହା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଖୁବ୍‌ ମାଲୁମ। ବିଜୁ ଯୁବ ବାହିନୀ ହେଉଛି ତାହାର ଏକ ଜ୍ବଳନ୍ତ ଉଦାହରଣ। ଏହି ବାହିନୀର ପ୍ରମୁଖ କର୍ମକର୍ତ୍ତାମାନେ ମୂଳତଃ ବିଜୁ ଜନତା ଦଳର କର୍ମୀ। ଏମାନଙ୍କୁ କୌଣସି ପରୀକ୍ଷା କିମ୍ବା ସାକ୍ଷାତକାର ଜରିଆରେ ବଛା ଯାଇନାହିଁ। ଅଫିସର, ମନ୍ତ୍ରୀ କିମ୍ବା ବିଧାୟକଙ୍କ ସୁପାରିଶରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ସରକାରୀ ତହବିଲରୁ ଦରମା ନେଇ ମୁଖ୍ୟତଃ ବିଜୁ ଜନତା ଦଳର କାର୍ଯ୍ୟ କରୁଛନ୍ତି। ଏ ସଂପର୍କରେ ସୂଚନା ଅଧିକାର ଆଇନ ବଳରେ ଅନେକ ତଥ୍ୟ ପଦାକୁ ଆସିଛି। ମିଳିଥିବା ତଥ୍ୟ ଅନୁସାରେ ବିଜୁ ଯୁବ ବାହିନୀ ପାଇଁ ୩ ବର୍ଷରେ ୪୫୦.୪୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ବାହିନୀରେ ୫୭୭ ଜଣଙ୍କୁ ସଂଯୋଜକ ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତ କରାଯାଇଛି। ସଂଯୋଜକମାନଙ୍କର ଦରମା ମାସିକ ୧୦ ହଜାର ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କା ଯାଏଁ ଦିଆଯାଉଛି। ଜିଲ୍ଲା ସଂଯୋଜକଙ୍କ ଦରମା ମାସିକ ୩୦ ହଜାର ଟଙ୍କା। ପୌର ସଂଯୋଜକଙ୍କ ଦରମା ମାସିକ ୨୫ ହଜାର ଟଙ୍କା। ବ୍ଲକ ବା ମଣ୍ଡଳ ସଂଯୋଜକଙ୍କ ଦରମା ମାସିକ ୧୦ ହଜାର ଟଙ୍କା। ସେହିପରି ଏହି ବାହିନୀ ପାଇଁ ଖେଳ ପାଇଁ ଜଣେ ପ୍ରକଳ୍ପ ଅଧିକାରୀ ଓ ସାମାଜିକ କାମ ପାଇଁ ଜଣେ ପ୍ରକଳ୍ପ ଅଧିକାରୀ ନିଯୁକ୍ତ କରାଯାଇଛି। ଏହି ପଦାଧିକାରୀମାନଙ୍କୁ ନେଇ ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ ଗଠନ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଏହିଭଳି ୟୁନିଟ ଗଠିତ ହୋଇଛି। ଏସବୁ ୟୁନିଟର କାମ ମୁଖ୍ୟତଃ ଖେଳ ପ୍ରତିଯୋଗିତା ଆୟୋଜନ କରିବା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ବିଜୁ ଯୁବ ବାହିନୀ ପାଣ୍ଠି ମୁଖ୍ୟତଃ ଖେଳ ସରଞ୍ଜାମ କିଣିବା, ଜିଲ୍ଲା ଓ ବ୍ଲକ ସ୍ତରରେ ଖେଳ ପ୍ରତିଯୋଗିତା ଏବଂ ମିନି ମାରାଥନ ଆୟୋଜନ କରିବାରେ ଖର୍ଚ୍ଚ ହେବ। ଏହା ବ୍ୟତିତ ଜିଲ୍ଲା ଯୁବ ସମ୍ମିଳନୀ ଓ ମୁଁ ହିରୋ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଏହି ପାଣ୍ଠି ଖର୍ଚ୍ଚ ହେବ। ଏସବୁ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୨୦୧୮-୧୯ ବର୍ଷରେ ୧୯୨ କୋଟି ୭୩ ଲକ୍ଷ ୬୯ ହଜାର ଟଙ୍କା ମଂଜୁର କରିଛନ୍ତି। ସେହିପରି ୨୦୧୯-୨୦ ବର୍ଷ ପାଇଁ ୧୨୮ କୋଟି ୮୭ ଲକ୍ଷ ୭୦ ହଜାର ଏବଂ ୨୦୨୦-୨୧ ବର୍ଷ ପାଇଁ ୧୦୯ କୋଟି ୩ ଲକ୍ଷ ୧୬ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଲକ୍ଷ୍ୟ କରିବାର କଥା ଯେ ଦରବୃଦ୍ଧି ଯୋଗୁଁ ବର୍ଷକୁ ବର୍ଷ ବିଜୁ ଯୁବ ବାହିନୀ ଖର୍ଚ୍ଚ ବଢ଼ିବା ପରିବର୍ତ୍ତେ କମିବ। ଅର୍ଥାତ ୨୦୧୯ ନିର୍ବାଚନ ପରେ ସରକାର ଆଉ ଏ ବାବଦରେ ଅଧିକ ଖର୍ଚ୍ଚ କରିବେ ନାହିଁ। ଏ ତିନି ବର୍ଷ ପରେ ଏ କାର୍ଯ୍ୟକ୍ରମ ଚାଲିବ କି ନାହିଁ ତାହାର କିଛି ଗ୍ୟାରେଣ୍ଟି ନାହିଁ। ଏପରିକି ୨୦୧୯ ନିର୍ବାଚନରେ ଯଦି ଅନ୍ୟ କୌଣସି ଦଳ ସରକାର ଗଠନ କରନ୍ତି ତେବେ ସେହି ସରକାର ଏ କାର୍ଯ୍ୟକ୍ରମ ଚଳେଇବେ କି ନାହିଁ ତାହାର ମଧ୍ୟ କିଛି ଗ୍ୟାରେଣ୍ଟି ନାହିଁ। କେବଳ ନିର୍ବାଚନକୁ ଆଖି ଆଗରେ ରଖି ନବୀନବାବୁଙ୍କ ସରକାର ୨୦୧୮ ମାର୍ଚ୍ଚ ମାସରେ ଏପରି ଏକ କାର୍ଯ୍ୟକ୍ରମ ଘୋଷଣା କଲେ ଓ ସେହି କାର୍ଯ୍ୟକ୍ରମ ଅଧୀନରେ ୩୦ଟି ଜିଲ୍ଲା ପାଇଁ ସଂଯୋଜକ ଏବଂ ପ୍ରକଳ୍ପ ଅଧିକାରୀ ନିଯୁକ୍ତ କଲେ। ଏସବୁ ସଂଯୋଜକ ଓ ପ୍ରକଳ୍ପ ଅଧିକାରୀ ପଦରେ ନିଯୁକ୍ତ ହେବା ପାଇଁ ବିଧିବଦ୍ଧ ଭାବେ ପ୍ରମୁଖ ଗଣମାଧ୍ୟମରେ କୌଣସି ସାକ୍ଷାତକାର ବିଜ୍ଞାପନ ପ୍ରକାଶ ପାଇନାହିଁ କି ଲିଖିତ କି ମୌଖିକ ପରୀକ୍ଷା ହୋଇନାହିଁ। ପ୍ରାୟ ସମସ୍ତ ସଂଯୋଜକ ହେଉଛନ୍ତି ବିଜୁ ଜନତା ଦଳର କର୍ମୀ। ଦଳର ବଡ଼ ନେତା ଏବଂ ଅଫିସରମାନଙ୍କ ସୁପାରିଶରେ ସେମାନଙ୍କୁ ନିଯୁକ୍ତ କରାଯାଇଛି। ୨୦୧୮ ନଭେମ୍ବର ୧୪ ତାରିଖ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ବିଜୁ ଯୁବ ବାହିନୀ ପ୍ରକଳ୍ପ ପରିଚାଳନା ୟୁନିଟ ନିମନ୍ତେ ସରକାର ମୋଟ ୯୩ କୋଟି ୮୧ ଲକ୍ଷ ଟଙ୍କା ମଂଜୁର କରିସାରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ପାଣ୍ଠି ଗଞ୍ଜାମ ଜିଲ୍ଲା ପାଇଁ ମଂଜୁର ହୋଇଛି। ଏହି ଜିଲ୍ଲା ପାଇଁ ୭ କୋଟ ୧୦ ଲକ୍ଷ ୬୪ ହଜାର ଟଙ୍କା ମଞ୍ଜୁର ହୋଇଥିବାବେଳେ କଟକ ପାଇଁ ଦ୍ବିତୀୟ ସର୍ବାଧିକ ୫ କୋଟି ୩୦ ଲକ୍ଷ ୮୯ ହଜାର, ମୟୂରଭଞ୍ଜ ପାଇଁ ତୃତୀୟ ସର୍ବାଧିକ ୫ କୋଟି ୮ ଲକ୍ଷ ୬୩ ହଜାର ଟଙ୍କା ମଞ୍ଜୁର ହୋଇଛି। ବାଲେଶ୍ବର ପାଇଁ ୪ କୋଟି ୭୫ ଲକ୍ଷ ୮୮ ହଜାର, ବଲାଙ୍ଗୀର ପାଇଁ ୪ କୋଟି ୩୦ ଲକ୍ଷ ୫୬ ହଜାର ଓ କେନ୍ଦୁଝର ପାଇଁ ୪ କୋଟି ୧୧ ଲକ୍ଷ ୧୫ ହଜାର ଟଙ୍କା ମଞ୍ଜୁର ହୋଇସାରିଛି। ସେହିପରି ଯାଜପୁର ପାଇଁ ୪ କୋଟି ୩୨ ଲକ୍ଷ ୯ ଜହାର, କଳାହାଣ୍ଡି ପାଇଁ ୪ କୋଟି ୨୯ ଲକ୍ଷ ୬ ହଜାର ଏବଂ ସୁନ୍ଦରଗଡ଼ ପାଇଁ ୪ କୋଟି ୨୩ ହଜାର ଟଙୋକା ମଞ୍ଜୁର ହୋଇଥିବାବେଳେ ପୁରୀ ପାଇଁ ୩ କୋଟ ୮୦ ଲକ୍ଷ, ଖୋର୍ଦ୍ଧା ପାଇଁ ୩ କୋଟି ୫୩ ଲକ୍ଷ ୬୨ ହଜାର, କୋରାପୁଟ ପାଇଁ ୩ କୋଟି ୪୬ ଲକ୍ଷ ୫୪ ହଜାର, ବରଗଡ଼ ପାଇଁ ୩ କୋଟି ୨୭ ଲକ୍ଷ ୯୬ ହଜାର, କେନ୍ଦ୍ରାପଡ଼ା ପାଇଁ ୩ କୋଟି ୧୪ ଲକ୍ଷ ୯୭ ହଜାର ଓ ଅନୁଗୁଳ ଜିଲ୍ଲା ପାଇଁ ୩ କୋଟି ୩ ଲକ୍ଷ ୭୬ ହଜାର ଟଙ୍କା ମଞ୍ଜୁର ହୋଇଛି। ବୌଦ୍ଧ ଜିଲ୍ଲା ପାଇଁ ସର୍ବନିମ୍ନ ୯୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ଦେବଗଡ଼ ପାଇଁ ୧ କୋଟି ୫ ହଜାର, ଝାରସୁଗୁଡ଼ା ପାଇଁ ୧ କୋଟି ୪୪ ଲକ୍ଷ ୪୩ ହଜାର, ମାଲକାନଗିରି ପାଇଁ ୧ କୋଟି ୪୫ ଲକ୍ଷ ୪୨ ହଜାର, ସୁବର୍ଣ୍ଣପୁର ପାଇଁ ୧ କୋଟି ୫୩ ଲକ୍ଷ ୭୪ ହଜାର ଓ ନୂଆପଡ଼ା ପାଇଁ ୧ କୋଟି ୭୮ ଲକ୍ଷ ୫୩ ହଜାର ଟଙ୍କା ମଞ୍ଜୁର ହୋଇଛି। ସେହପରି ଢେଙ୍କାନାଳ ଜିଲ୍ଲା ପାଇଁ ୨ କୋଟି ୮୯ ଲକ୍ଷ ୭୦ ହଜାର, ଭଦ୍ରକ ଜିଲ୍ଲା ପାଇଁ ୨ କୋଟି ୮୬ ଲକ୍ଷ ୩୬ ହଜାର, ଜଗତସିଂହପୁର ପାଇଁ ୨ କୋଟି ୬୩ ଲକ୍ଷ ୮୩ ହଜାର, ନବରଙ୍ଗପୁରପୁର ପାଇଁ ୨ କୋଟି ୫୫ ଲକ୍ଷ ୩୫ ହଜାର, ନୟାଗଡ଼ ପାଇଁ ୨ କୋଟି ୫୪ ଲକ୍ଷ ୧୦ ହଜାର, ରାୟଗଡ଼ା ପାଇଁ ୨ କୋଟି ୪୮ ଲକ୍ଷ ୨୩ ହଜାର, ସମ୍ବଲପୁର ପାଇଁ ୨ କୋଟି ୩୧ ଲକ୍ଷ ୫୯ ହଜାର ଓ ଗଜପତି ଜିଲ୍ଲା ପାଇଁ ୨ କୋଟି ୫୫ ହଜାର ଟଙ୍କା ମଞ୍ଜୁର ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକୁ ୩ କୋଟିରୁ ୪ କୋଟି ମଧ୍ୟରେ ଟଙ୍କା ଦିଆଯାଇଛି। ଏହି ଟଙ୍କାରେ ନିର୍ବାଚନର ବର୍ଷକ ପୂର୍ବରୁ ଗାଁ ଗହଳ ଓ ସହର ବଜାରର ଯୁବକମାନଙ୍କୁ ବିଭିନ୍ନ କ୍ରୀଡ଼ା ଉପକରଣ ଯୋଗାଇ ଦିଆଯାଉଛି। ଆଗରୁ ବିଭିନ୍ନ ରାଜନୀତିକ ଦଳଠାରୁ ଯୁବକ ସଂଘଗୁଡ଼ିକ ଏସବୁ ଆଦାୟ କରୁଥିଲେ। ଏହି ଟଙ୍କାରେ ଖେଳ ପ୍ରତିଯୋଗିତା ଆୟୋଜିତ ହେଉଛି ଓ ଅତିଥି ଭାବେ ବିଜେଡି ନେତା କିମ୍ବା ଅଧିକାରୀମାନଙ୍କୁ ଆମନ୍ତ୍ରିତ କରାଯାଉଛି। ଭୋଜିଭାତ ଖର୍ଚ୍ଚ ମଧ୍ୟ ଏଇ ପାଣ୍ଠିରୁ ଉଠିବା ଅସମ୍ଭବ ନୁହେଁ। ଆଉ ଯେଉଁ ସଂଯୋଜକମାନଙ୍କର ପୂର୍ବରୁ ଘରେ ସଂପତ୍ତିବାଡ଼ି ଅଛି ସେମାନଙ୍କ ପାଇଁ ଦରମା ଟଙ୍କା ମଦ ଖର୍ଚ୍ଚ ତୁଲାଇବାରେ ସହାୟକ ହୋଇପାରେ। ବିଜୁ ଯୁବ ବାହିନୀ କର୍ମୀଙ୍କ ମଦ ପିଆ ଖର୍ଚ୍ଚ କଥା ଉଠିବାରୁ ଅନେକ ସଦସ୍ୟ ଏବେ ନିଶା ନିବାରଣ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି ପ୍ରଚାର କରାଯାଉଛି। ତେବେ ଏହି ବାହିନୀ ଗଠିତ ହେଲା ପରେ ରାଜ୍ୟରେ ମଦ୍ୟପାନ କମିଛି କି ବଢ଼ିଛି ତାହା ରାଜ୍ୟ ସରକାରଙ୍କ ମଦ-ରାଜସ୍ବ ବୃଦ୍ଧିରୁ ସ୍ପଷ୍ଟ ହୋଇଯାଇଛି। ବିଜୁ ଯୁବ ବାହିନୀ ପାଣ୍ଠି ଯଦି ସମାଜରେ ରଚନାତ୍ମକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତା ତେବେ ଏହି ପାଣ୍ଠି ଗାଁ ପୋଖରୀ ଓ ରାସ୍ତା ସଫେଇ, ଅସହାୟ ଗରୀବ ରୋଗୀର ଡାକ୍ତରଖାନା ଖର୍ଚ୍ଚ ଆଦି ବାବଦରେ ବ୍ୟୟ ହୋଇଥାନ୍ତା। ବିଜୁ ଯୁବ ବାହିନୀର ସଦସ୍ୟମାନେ ଯଦି ଏ ବର୍ଷକ ଭିତରେ ସମାଜ ସଂସ୍କାର ଓ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିଥାନ୍ତେ ତେବେ ନିଶ୍ଚୟ ଓଡ଼ିଶାରେ ହତ୍ୟା, ଧର୍ଷଣ ଓ ନାବାଳିକା ଗର୍ଭବତୀ ଆଦି ଘଟଣା ବୃଦ୍ଧି ପାଇନଥାନ୍ତା।

Share :