ଜାନିବିଲି ଜଳ ଅପେକ୍ଷାରେ ଜଳକା ବ୍ରହ୍ମପୁର!

ଜାନିବିଲି ଜଳ ଅପେକ୍ଷାରେ ଜଳକା ବ୍ରହ୍ମପୁର!

Share :

ହେମାଙ୍ଗ ପ୍ରସାଦ ରାଉଳ ରେଶମ ନଗରୀ ବ୍ରହ୍ମପୁରବାସୀଙ୍କ ତୃଷା ମେଣ୍ଟାଇବା ନିମନ୍ତେ ଜଳଯୋଗାଣ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଋଷିକୂଲ୍ୟା ନଦୀ ତଟବର୍ତ୍ତୀ ଜାନବିଲ୍ ପାଖରୁ ବ୍ରହ୍ମପୁରକୁ ଜଳଯୋଗାଣ ପ୍ରକଳ୍ପ ଘୋଷଣା କରାଯାଇଥିଲା। କିନ୍ତୁ କେବେ ସରିବ ପ୍ରକଳ୍ପ କାମ ତାହାକୁ ଅପେକ୍ଷା କରି ଜଳକା ହୋଇଗଲେଣି ବ୍ରହ୍ମପୁରବାସୀ। ନିର୍ବାଚନ ପୂର୍ବରୁ ପ୍ରକଳ୍ପ କାମ ଶେଷ କରିବାକୁ ଠିକା ସଂସ୍ଥା ଏଲ ଆଣ୍ଡ ଟି କମ୍ପାନୀ ଲାଗି ପଡ଼ିଛି। କିନ୍ତୁ କାମର ଗତି ଏତେ କ୍ଷୀପ୍ର ଯେ କାମ ନିମ୍ନ ମାନର ହେଉଥିବା ସନ୍ଦେହ କରାଯାଉଛି। ପ୍ରାୟ ଏକହଜାର କୋଟି ଟଙ୍କାର ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଠିକା ନେଇଛି ଲାର୍ସନ ଆଣ୍ଡ ଟ୍ୟୁବ୍ରୋ ବା ଏଲ ଆଣ୍ଡ ଟି କମ୍ପାନୀ। ଏ କମ୍ପାନୀ ପୁଣି ଅନ୍ୟ କେତେକ ଠିକାଦାରଙ୍କୁ କିଛି କାମ ଠିକା ଦେଇଦେଇଛି। ଏବେ ଏଲ୍ ଆଣ୍ଡ ଟି ସଂସ୍ଥାର ଠିକାଦର ଓ ଇଂଜିନିୟରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ପ୍ରକଳ୍ପର ବାସ୍ତବ ରୂପାୟନ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜାନିବିଲ ପ୍ରକଳ୍ପର ସବୁ କ୍ଷେତ୍ରରେ ନିମ୍ନମାନର କାମ ନେଇ ଅଭିଯୋଗ। ଏଲ ଆଣ୍ଡ ଟିର ଦୁର୍ବଳ କାମ ନମୂନା ଜଳଜଳ ହୋଇଦିଶୁଛି। ଜଳପାଇଁ ସହରବାସୀ ଜଳକା ପାଲଟି ବହୁଦିନ ଧରି ଯେଉଁ ଦାବି କରି ଆସୁଥିଲେ ସେଇ ଆଶା ପୂରଣ ପାଇଁ ନବୀନବାବୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଭଲ କାମ ପାଇଁ ଏଲ ଆଣ୍ଡ ଟି କମ୍ପାନୀକୁ ଠିକା ଦେଲେ। କିନ୍ତୁ ଏଲଆଣ୍ଡଟି ସହର ରାସ୍ତାଘାଟ ଚିତ୍ରକୁ ଧ୍ୱଂସ କରିଦେଇଛି ସତେ ଯେପରି ଭୂମିକମ୍ପର ସମ୍ମୁଖୀନ ହୋଇ ସହର ରାସ୍ତାଘାଟ ସବୁ ଧ୍ୱଂସ ହୋଇଯାଇଛି! ଗଳିକନ୍ଦି ମୁଖ୍ୟ ସଡ଼କ, ପାର୍ଶ୍ୱ ସଡ଼କ, ସାହି ସଡ଼କ ସବୁ ଏଲ୍‌ ଆଣ୍ଡ ଟି ଆକ୍ରମଣରେ କ୍ଷତାକ୍ତ। ନିର୍ବାଚନ ପୂର୍ବରୁ ପାଣିଦେଇ ରାସ୍ତାଘାଟକୁ ସ୍ୱାଭାବିକ ଅବସ୍ଥାକୁ ମହାନଗର ଫେରାଇ ଆଣିବା ଆଦୌ ସମର୍ଥ ନୁହଁ, କିନ୍ତୁ ଏଇ ଗୋଟିଏ ପ୍ରସଙ୍ଗରେ ଶାସକ ଦଳର ଅନେକ କ୍ଷତି ହେବାର ଆଶଙ୍କା ରହିଛି। ସହରରେ କୌଣସି ପଥଚାରୀ କିମ୍ବା ଗାଡ଼ି ଚାଳକ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଧୂଳି ଆସ୍ତରଣ ସାଙ୍ଗକୁ ଟ୍ରାଫିକ୍ ସମସ୍ୟା ବଳବତ୍ତର। ସହରର ପ୍ରମୁଖ ରାସ୍ତା ଦୁଇ ପାର୍ଶ୍ୱରେ ନାଳ ନର୍ଦ୍ଦମା ଖୋଳି ନଳାଗୁଡ଼ିକୁ ଗଳେଇ ଦେଇ ପୁଣି ରାସ୍ତା ପାର୍ଶ୍ୱରେ ଖାଲ କରି ତୁନି ପଡ଼ିବା କେଉଁ ପ୍ରକାର କାମ? ଲୋଚାପଡ଼ାଠାରୁ ଗେଟ୍ବଜାର ରାସ୍ତାର ନାଳଗୁଡ଼ିକର ଦୁଇପାର୍ଶ୍ୱ ଖୋଳିବା କାରଣରୁ ରାତିରୁ ରାତିଯାଏଁ ଟ୍ରାଫିକ୍ ସମସ୍ୟା ଜମୁଛି। ବ୍ରଜନଗର ଛକ, ରେଡ଼ିଓଷ୍ଟେସନ ଛକ ଏବଂ ବ୍ୟାଙ୍କ କଲୋନୀରେ ପ୍ରତି ସମୟ ଗାଡ଼ିଗୁଡ଼ିକ ଅଟକି ରହିବା ହେତୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ସହରର ପ୍ରତି ସାହିରେ ଏଭଳି ଅବସ୍ଥା। ରାସ୍ତା ମଝିରେ ଓ ଦୁଇ ପାର୍ଶ୍ୱରେ ନାଳଖୋଳିବା ପାଇଁ ଏଲ୍‌ ଆଣ୍ଡ ଟିର ଇଂଜିନିୟରମାନେ ଏପରି ସହରସାରା ଲୋକଙ୍କୁ ହଇରାଣ କରିବାର ଅଧିକାର କେଉଁଠୁ ପାଇଲେ ବୋଲି ପ୍ରଶ୍ନ ହେଲାଣି। ପ୍ରତିସାହିରେ ପ୍ରଥମେ ମେସିନ୍ ଆସି ରାସ୍ତାକୁ ଡ଼୍ରିଲ୍ କରି ଯାଉଛି, ଡ଼୍ରିଲ୍ ରାସ୍ତାରେ ଯେ କେବେ ପାଇପ୍ ପଡ଼ିବା ତାହା କିଛି ଠିକ୍ ଠିକଣା ରହୁନାହିଁ। ପୁଣି ନୂଆ ସିମେଣ୍ଟ କଂକ୍ରିଟ ରାସ୍ତା ମଝିରେ ଖୋଳି ବାଲି, ମେଟାଲ୍ ଫିଲିଂ ନକରି କେବଳ ମାଟି ଉପରେ ପାଇପ୍ଗୁଡ଼ିକୁ ଜଏଣ୍ଟ କରି ଅତି ନିମ୍ନମାନର କାମ ହେଉଛି। ଉପର ଠାଉରିଆ ଭାବେ କିଛି ବାଲି, ମେଟାଲ୍ ଫିଲିଂ କରି ସ୍ୱଚ୍ଛତାର ପରିଚୟ ଦେବାରେ କଣ୍ଟ୍ରାକ୍ଟରମାନେ ପାରଙ୍ଗମ। କାମ ଚାଲୁଥିବା ସମୟରେ କେବେ କୌଣସି ଇଂଜିନିୟର କି ମୁଖ୍ୟ ଠିକାଦାର କେଉଁ ସ୍ଥାନକୁ ବି ଯାଇଥିବା ଜନସାଧାରଣ ଦେଖିବାକୁ ପାଇନାହାନ୍ତି। ଏଲ୍ଆଣ୍ଡଟି ପ୍ରତି ସାହି ପାଇଁ ଗୋଟିଏ ଗୋଟିଏ କୁଜି କଣ୍ଟ୍ରାକ୍ଟରକୁ ନିଯୁକ୍ତି କରିଛି। ସେମାନେ କଂପାନୀକୁ ଲାଭ ଦେଖାଇଲା ଭଳି ଅତି ନିମ୍ନମାନର କାମ କରି ବାଃ ବାଃ ନେବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। କେହି ଯଦି ପଚାରିବ ଏତେ ନିମ୍ନମାନର କାମ କାହିଁକି ହେଉଛି, ସେମାନେ ଅତି ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି। ଆମେ ଏଭଳି ହିଁ କାମ କରିବୁ, ଆପଣଙ୍କ ହାତରେ ଯାହା ହେଉ କରନ୍ତୁ ବା ଯାହାକୁ ବି କହିବେ କୁହନ୍ତୁ ଆମର କେହି କିଛି କରିପାରିବ ନାହିଁ। ସରକାର ନିୟମ ଅନୁସାରେ ଯେଉଁ ପରିମାଣରେ ବାଲି, ମେଟାଲ୍ ଫିଲିଂ ହେବ, ନାଳ ଖୋଳିବାର କେତେ ସମୟ ମଧ୍ୟରେ ସେହି ନାଳକୁ ବନ୍ଦ କରି ସିମେଣ୍ଟ କଂକ୍ରିଟ କରିବାକୁ ହେବ, ସୂଚନା ଫଳକ ଲଗାଇ ରାସ୍ତା ଡ଼ାଇଭର୍ଟ କରିବାକୁ ହେବ ତାହା ସହରର କେଉଁ ସ୍ଥାନରେ ବି ଦେଖିବାକୁ ମିଳୁନାହିଁ। ସୂଚନା ଅଧିକାର ମାଗିବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ ଅଧିକାରୀମାନେ ଅତି ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଖସିଯିବାକୁ ବସୁଛନ୍ତି। ସରକାରୀ ନିୟମକୁ ଫୁ କରିଲା ଭଳି ଏଲ୍‌ ଆଣ୍ଡ ଟି ନିଜର ରାଜ ଚଲାଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିବା ଆରମ୍ଭ କରିଦେଲେଣି। ନିର୍ବାଚନକୁ ଆଖି ଆଗରେ ରଖି ଏବେ ଯେଉଁ କ୍ଷୀପ୍ର ଗତିରେ କାମ ହେଉଛି ଏହା ଦୀର୍ଘସ୍ଥାୟୀ ହେବାର ପ୍ରଶ୍ନ ହିଁ ଉଠୁନାହିଁ। ନିର୍ବାଚନ ପୂର୍ବରୁ ସତେ ଯେମିତି ଏଲ୍‌ ଆଣ୍ଡ ଟି ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରି ପୁରସ୍କାର ନେବ ଏବଂ ସରକାରଠାରୁ ଆଉ କେତୋଟି କାମ ହାତେଇ ପାରିବ ସେ ଭଳି ଦେଖିବାକୁ ମିଳୁଛି। କିନ୍ତୁ ଏହାର ଫଳ ଯେ ଓଲଟା ହୋଇପାରେ ତାହା ଭବିଷ୍ୟତ କହିବ।

Share :