ନବୀନଙ୍କ ଚିଠିରେ ଭଲ ହୁଏ ରୋଗ!

ନବୀନଙ୍କ ଚିଠିରେ ଭଲ ହୁଏ ରୋଗ!

Share :

ସ୍ବତନ୍ତ୍ର ପ୍ରତିନିଧି ଜନ ସାଧାରଣଙ୍କ ଟିକସ ଟଙ୍କାରେ କିପରି ନିଜର ପ୍ରଚାର ଚଳେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର ଏକ ନଜୀର ହେଉଛି ବିଜୁ ବିଜୁ ସ୍ବସ୍ଥ୍ୟ କଲ୍ୟାଣ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା କରିଛନ୍ତି ବୋଲି ଲୋକଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି କରିବା ପାଇଁ ନବୀନଙ୍କ ଦସ୍ତଖତ ଥାଇ ଓଡ଼ିଆରେ ଲେଖାଯାଇଥିବା ଏକ ଚିଠି ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଇଛି। ଏହି କାମରେ ପୂରା ସରକାର ନିୟୋଜିତ ହୋଇଛି। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ବା ଆୟୁଷ୍ମାନ ଭାରତକୁ ଓଡ଼ିଶାରେ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସରକାର ଓଡ଼ିଶାରେ ସ୍ବତନ୍ତ୍ର ଭାବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ପୂର୍ବରୁ ପ୍ରଚଳିତ ନିଦାନ ଓ ନିରାମୟ ଆଦି କାର୍ଯ୍ୟକ୍ରମର ସୁବିଧାକୁ ମିଶାଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପାଣ୍ଠି ସୂତ୍ର, ହିତାଧିକାରୀ ଚୟନ ପଦ୍ଧତି ଏବଂ ସେମାନେ କି ସୁବିଧା ପାଇବେ ଇତ୍ୟାଦି ସଂପର୍କୀତ ତଥ୍ୟ ଜାଣିବା ପାଇଁ ରାଜ୍ୟର ସମସ୍ତ ୩୦ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରାଯାଇଥିଲା। ଏହି ଆବେଦନର ଉତ୍ତର ଦେବାକୁ ଯାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ତହିଁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ହୋଇଥିବା ଏକ ଓଡ଼ିଆ ଚିଠି ରହିଛି। ସେହିପରି ଏହି ଚିଠିକୁ ପ୍ରତି ହିତାଧିକାରୀଙ୍କ ଘରେ ପହଞ୍ଚାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଅନ୍ୟ ଏକ ଚିଠି ରହିଛି। ସ୍ବାସ୍ଥ୍ୟ ସଚିବଙ୍କ ଚିଠି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ଯେପରି ପ୍ରତି ହିତାଧିକାରୀଙ୍କ ଘରେ ପହଞ୍ଚିବ ତାହା ତଦାରଖ କରିବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ବ୍ଲକ ସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ। ଘରେ ଘରେ ଏହି ଚିଠି ପହଞ୍ଚାଇବା କାର୍ଯ୍ୟ କରିବେ ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ରାଜସ୍ବ ନିରୀକ୍ଷକ ବା ଆରଆଇ, ଅନ୍ୟ ଟିକସ ଆଦାୟକାରୀ, ଆଇସିଡିଏସ ସୁପରଭାଇଜର, ଭିଏଲଡବ୍ଲ୍ୟୁ, ଜିପିଇଓ, ଗ୍ରାମ ରୋଜଗାର ସାଥୀ, ରାଜସ୍ବ ସୁପରଭାଇଜରଙ୍କ ସମେତ ଜିଲ୍ଲାର ଅନ୍ୟ ବହୁବିଧ କର୍ମଚାରୀ। ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ସେମାନଙ୍କର ଦରମା ଓ ଭତ୍ତା ଇତ୍ୟାଦି ସହିତ ପ୍ରତି ଚିଠି ବାବଦରେ ୧ ଟଙ୍କାର ପ୍ରୋତ୍ସାହନ ଦେବାକୁ ମଧ୍ୟ ସ୍ବାସ୍ଥ୍ୟ ସଚିବଙ୍କ ଚିଠିରେ ଉଲ୍ଲେଖ ଥିଲା। ପ୍ରତି ଗାଁରେ ଏ ଚିଠି ବଣ୍ଟନ ହେଲା କି ନାହିଁ ତାହାର ହିସାବ ରଖିବାକୁ ଖାତା କିଣିବା ବାବଦକୁ ମଧ୍ୟ ଗାଁ ପିଛା ୧୦୦ ଟଙ୍କାର ଖର୍ଚ୍ଚ ମଂଜୁର ହୋଇଛି। ମୋଟ ଉପରେ ଚିଠି ବଣ୍ଟନ ବାବଦକୁ ସରକାର ୬୦ ଲକ୍ଷ ୬୧ ହଜାର ୧୩୬ ଟଙ୍କା ମଂଜୁର ହୋଇଥିଲା। ଅଥଚ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଚିଠି ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଏତେ ଟଙ୍କା ଖର୍ଚ୍ଚ କରାଯାଇଛି ସେଥିରେ ଏହି ଯୋଜନା କିପରି କାର୍ଯ୍ୟକାରୀ ହେବ, ସେଥିରେ ସାମିଲ ହେବାକୁ ଲୋକଙ୍କୁ କ’ଣ କରିବାକୁ ପଡ଼ିବ, ଲୋକେ କାହାକୁ ଦରଖାସ୍ତ କରିବେ, କାହା ପାଖରେ ଅଭିଯୋଗ କରିବେ ଇତ୍ୟାଦି ନିର୍ଦ୍ଦେଶାବଳି ବିଷୟରେ କିଛି ଉଲ୍ଲେଖ ନାହିଁ। ଚିଠିରେ କେବଳ ଲେଖାଯାଇଛି ଯେ ଲୋକମାନଙ୍କୁ ନିରନ୍ତର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିରାମୟ, ନିଦାନ ଓ ସହାୟକ ଆଦି କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି। ଏହା ଏକ ଭୁଲ କଥା। କାରଣ ସହାୟ ଯୋଜନାରେ ମାଗଣା ଡାଏଲିସିସି ସେବା କେନ୍ଦ୍ର ସରକାରଙ୍କ ଅନୁଦାନରେ ଚାଲୁଛି। ନିରାମୟ ଓ ନିଦାନ ଆଦି କାର୍ଯ୍ୟକ୍ରମ ପାଇଁ ମଧ୍ୟ କେନ୍ଦ୍ରୀୟ ଅନୁଦାନ ଆସୁଛି। ଏହି ଭୁଲ ତଥ୍ୟ ସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଯାହା ଉଲ୍ଲେଖ କରିଛନ୍ତି ତାହାର ସାରମର୍ମ ହେଉଛି ‘ସବୁ ମୁଁ କରିଛି’। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାର ପିଛା ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କର ଏହି ଚିଠି ପାଇଥିବା ଲୋକମାନ ଜାଣିଥିବେ ସେମାନ ମାଗଣାରେ ରୋଗ ଚିହ୍ନଟ ପରୀକ୍ଷା, ଡାକ୍ତରୀ ପରାମର୍ଶ ଓ ଔଷଧ ପାଉଛନ୍ତି କି ନାହିଁ। କିନ୍ତୁ ଏହି ଚିଠି ବଣ୍ଟନ କରିବା ବାବଦରେ ସରକାରୀ କୋଷରୁ ୬୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ସପକ୍ଷରେ ଯୁକ୍ତି କ’ଣ? ଏହାର କି ଆବଶ୍ୟକତା ଥିଲା? କେବଳ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଏପରି କରାଯାଇ ନାହିଁ ତ? ଏ ଚିଠି ବଣ୍ଟନ କାର୍ଯ୍ୟକ୍ରମ ବାଦ ବି ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ଗଣମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚିଠି କିମ୍ବା ଖବରକାଗଜ ବିଜ୍ଞାପନ ପଢ଼ିଲେ କ’ଣ ଡାକ୍ତର ଆସି ଗରୀବ ରୋଗୀର ନାଡ଼ି ଦେଖିବେ ନା ରୋଗ ପରୀକ୍ଷା କରିବେ? ଖବରକାଗଜ ବିଜ୍ଞାପନ ପଢ଼ି କ’ଣ ଫାର୍ମାସିଷ୍ଟ ମାଗଣା ଔଷଧ ଦେବେ? ମୁଖ୍ୟମନ୍ତ୍ରୀଙ୍କ ଚିଠି ପଢ଼ି କ’ଣ ସପ୍ଲାୟର ଉନ୍ନତ ମାନର ଔଷଧ ସପ୍ଲାଇ କରିବେ? ଆଜିକାଲି ଘରେ ଘରେ ମୋବାଇଲ୍‌ ଫୋନ୍‌। ସରକାର କୃଷକ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଡିଜିଟାଲ ସଶକ୍ତିକରଣ ନିମନ୍ତେ ଫୋନ ଦେଇଛନ୍ତି। ଗାଁ ଗାଁରେ ବିଜୁ ଯୁବ ବାହିନୀର ସଦସ୍ୟ। ଗାଁ ଗାଁରେ ବିଜେଡି କର୍ମୀ। ମୁଖ୍ୟମନ୍ତ୍ରୀଙ୍କର ଯଦି ଚିଠି ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାର ଏତେ ଇଚ୍ଛା ତେବେ ସେ ପ୍ରଚଳନ କରିଥିବା ୩ଟି ବା ଟେକ୍ନୋଲୋଜି, ଟ୍ରାନ୍ସପ୍ୟାରେନ୍ସି ଓ ଟିମ ୱାର୍କର ପ୍ରଥମ ଟି ବା ଟେକ୍ନୋଲୋଜିର ସହାୟତା ନେଲେ ନାହିଁ। ତା’ଫଳରେ ୬୧ ଲକ୍ଷ ବଦଳରେ ହୁଏତ ୬ ଲକ୍ଷ ଟଙ୍କାରେ କାମ ହୋଇଯାଇଥାନ୍ତା!

Share :